ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ !

ଚର୍ଚ୍ଚା ହେଉଛି ଯେ ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ ହୋଇଯାଇଛି। କେବଳ ନେତୃତ୍ୱ ଛାଡ଼ିବାର ସମୟ ଆସିନି, ଟିମ୍‌ରେ ଆଉ ତାଙ୍କର ସ୍ଥାନ ନାହିଁ। ଭାରତୀୟ ଟି-୨୦ ଟିମ୍‌ର ଭବିଷ୍ୟତ ଦୃଷ୍ଟିରୁ ରୋହିତଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ବାଟ ଛାଡ଼ିବାକୁ ହେବ, ଅନ୍ୟଥା ସେମାନଙ୍କୁ ଟିମ୍‌ରୁ କାଢ଼ି ଦିଆଯିବ।

ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ!

ଏକଦା ‘ହିଟ୍‌ମ୍ୟାନ୍’ ଆଖ୍ୟା ପାଇଥିଲେ ସେ। ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠାରୁ ସଫଳ ଅଧିନାୟକ ଭାବେ ଗୌରବର ଅଧିକାରୀ ସେ। ଟି-୨୦ ବିଶ୍ୱକପ୍ ୨୦୨୧ରେ ଟିମ୍ ଇଣ୍ଡିଆର ସଅଳ ବିଦାୟ ପରେ ଯେଉଁ ନୂଆ ରୂପରେଖ ପ୍ରସ୍ତୁତ ହୋଇଥିଲା, ସେଥିରେ ତାଙ୍କୁ ହିଁ ମିଳିଥିଲା ଟିମ୍‌ର ନେତୃତ୍ୱ। ସାଙ୍ଗରେ ଥିଲେ ନୂଆ କୋଚ୍। ସେତେବେଳେ ଜନ୍ମ ନେଇଥିଲା ଅନେକ ସମ୍ଭାବନା। କିନ୍ତୁ ଆଜି ସବୁକିଛି ବିଗିଡ଼ିଯାଇଛି। ଶାନ୍ତ ପଡ଼ିଯାଇଛି ତାଙ୍କ ବ୍ୟାଟ୍। ତା’ ଉପରେ ନେତୃତ୍ୱ-ଦକ୍ଷତାକୁ ନେଇ ପ୍ରଶ୍ନ।

ଚର୍ଚ୍ଚା ହେଉଛି ଯେ ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ ହୋଇଯାଇଛି। କେବଳ ନେତୃତ୍ୱ ଛାଡ଼ିବାର ସମୟ ଆସିନି, ଟିମ୍‌ରେ ଆଉ ତାଙ୍କର ସ୍ଥାନ ନାହିଁ। ଭାରତୀୟ ଟି-୨୦ ଟିମ୍‌ର ଭବିଷ୍ୟତ ଦୃଷ୍ଟିରୁ ରୋହିତଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ସ୍ୱତଃପ୍ରବୃତ୍ତଭାବେ ବାଟ ଛାଡ଼ିବାକୁ ହେବ, ଅନ୍ୟଥା ସେମାନଙ୍କୁ ଟିମ୍‌ରୁ କାଢ଼ି ଦିଆଯିବ। ଟି-୨୦ ବିଶ୍ୱକପ୍ ୨୦୨୨ରେ ଟିମ୍ ଇଣ୍ଡିଆର ବିଫଳତା ପରେ ବିସିସିଆଇର ସୂତ୍ରକୁ ଆଧାର କରି ଏସବୁ ଆଲୋଚନା ହେଉଛି।

ରୋହିତ ପ୍ରାୟ ବର୍ଷେ ହେଲା ଟି-୨୦ ଟିମର ନେତୃତ୍ୱ ନେଇ ଆସୁଛନ୍ତି। ୟୁଏଇରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ୨୦୨୧ରେ ଭାରତ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିଲ। ଏହାପରେ ଟିମ୍‌ର ଅଧିନାୟକ ବଦଳିଲେ। ଅବଶ୍ୟ ବିଶ୍ୱକପ୍ ପରେ ବିରାଟ କୋହଲି ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବୋଲି ପୂର୍ବରୁ ଘୋଷଣା କରିସାରିଥିଲେ।

ରୋହିତ ହେଲେ ନୂଆ ଅଧିନାୟକ। ସେ ସମସ୍ତ ଫର୍ମାଟ୍‌ର ନେତୃତ୍ୱ ଦାୟିତ୍ୱ ପାଇଲେ। ନୂଆ କୋଚ୍ ଭାବେ ଆସିଲେ ରାହୁଲ ଦ୍ରାବିଡ଼। ରୋହିତ-ଦ୍ରାବିଡ଼ଙ୍କ ଯୋଡ଼ି ବର୍ଷେ ପରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଆଶାଜନକ ସଫଳତା ଆଣିବେ ବୋଲି ସମ୍ଭାବନା ବ୍ୟକ୍ତ କରାଗଲା। ଯୋଜନାନୁଯାୟୀ ବହୁ ପରୀକ୍ଷାନିରୀକ୍ଷା ବି ହେଲା।

ନୂଆ ଅଧିନାୟକ ରୋହିତଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଦ୍ୱିପାକ୍ଷିକ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କଲା ଏବଂ ସମସ୍ତ ଶୃଙ୍ଖଳା ଜିତିଲା। କେତେକ ଶୃଙ୍ଖଳାରେ ରୋହିତଙ୍କୁ ବିଶ୍ରାମ ଦିଆଗଲା, ଏହାସତ୍ତ୍ୱେ ଫଳାଫଳ ଭାରତ ସପକ୍ଷରେ ଗଲା।

ଏହି ସମୟରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ, ୱେଷ୍ଟ୍‌ଇଣ୍ଡିଜ୍ ଓ ଶ୍ରୀଲଙ୍କାକୁ ହରାଇଲା। ବିଦେଶ ଗସ୍ତରେ ଟିମ୍ ଇଣ୍ଡିଆ ଆୟରଲାଣ୍ଡ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌କୁ ମାତ୍ ଦେଲା। ଟି-୨୦ ବିଶ୍ୱକପ୍ ୨୦୨୨ର ଠିକ୍ ପୂର୍ବରୁ ନିଜ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ୨-୧ରେ ପରାଜିତ କଲା। ଭାରତୀୟ ଟିମ୍ କ୍ରମାଗତ ସଫଳତା ପାଉଥିଲା। ତା’ ଅର୍ଥ ସବୁକିଛି ଠିକ୍‌ଠାକ୍ ଚାଲିଥିଲା।

କିନ୍ତୁ ବାସ୍ତବରେ ସେମିତି ନ ଥିଲା। ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ଟିମ୍ ବିଫଳ ହେଲା। ରୋହିତଙ୍କ ନେତୃତ୍ୱରେ ପ୍ରଥମ ବଡ଼ ଆହ୍ୱାନ ଥିଲା ଏସିଆ କପ୍। ଏହା ଟି-୨୦ ଫର୍ମାଟ୍‌ ଖେଳାଯାଉଥିଲା। ଫାଇନାଲ୍ ପୂର୍ବ ରାଉଣ୍ଡରେ ଭାରତୀୟ ଟିମ୍ ପ୍ରଥମେ ପାକିସ୍ତାନ ଓ ଏହାପରେ ଶ୍ରୀଲଙ୍କା ଠାରୁ ହାରି ମୁକୁଟ ଲଢ଼େଇରେ ଅବତୀର୍ଣ୍ଣ ହୋଇପାରିଲାନି। ବ୍ୟାଟିଂ ଓ ବୋଲିଂ ସବୁଥିରେ ଟିମ୍ ବିଫଳ ହେଲା। ବଡ଼ ମଞ୍ଚରେ ପତନ ଏଠାରୁ ଆରମ୍ଭ ହେଲା।

ଏହାପରେ ରୋହିତ ସେନାର ଦ୍ୱିତୀୟ ବଡ଼ ଆହ୍ୱାନ ଥିଲା ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ୍। ଏଥିରେ ବି ନିରାଶ କଲା ଟିମ୍। ଗ୍ରୁପ୍ ରାଉଣ୍ଡରେ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍ କଷ୍ଟରେ ଜିତିଲା ଏବଂ ଦକ୍ଷିଣ ଆଫ୍ରିକା ଠାରୁ ପରାଜିତ ହେଲା। ସେମିଫାଇନାଲ୍‌ରେ ଇଂଲଣ୍ଡ ଆହ୍ୱାନକୁ ପ୍ରତିହତ କରିବାରେ ବିଫଳ ହୋଇ ପ୍ରତିଯୋଗିତାରୁ ବିଦାୟ ନେଲା।

ଏହାପରେ ସ୍ୱାଭାବିକ ଭାବେ ଅଧିନାୟକ ରୋହିତଙ୍କ ସମେତ ବରିଷ୍ଠ ଖେଳାଳିମାନେ ନିଶାଣକୁ ଆସିଗଲେ। ବରିଷ୍ଠଙ୍କ ମଧ୍ୟରେ କେବଳ ବିରାଟ କୋହଲି ହିଁ ଉତ୍ତମ ପ୍ରଦର୍ଶନ କରିଥିଲେ।

ପରାଜୟର ସବୁଠାରୁ ବଡ଼ କାରଣ ଥିଲା ବ୍ୟାଟିଂ ପାୱାରପ୍ଲେରେ ଟିମ୍‌ର ଧୀମା ପ୍ରଦର୍ଶନ। ରୋହିତ, ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଶୀର୍ଷକ୍ରମ ଥିବା ଭାରତୀୟ ଟିମ୍‌ର ପାୱାରପ୍ଲେରେ ଆଭରେଜ୍ ସ୍କୋର୍ କେବଳ ୟୁଏଇ ଠାରୁ ଅଧିକ ଥିଲା। ଏହା ବିଶ୍ୱାସଯୋଗ୍ୟ ନ ଥିଲା।

ଇଂଲଣ୍ଡର ପୂର୍ବତନ ଅଧିନାୟକ ଓ ନାମୀ ଭାଷ୍ୟକାର ନାସିର ହୁସେନ୍ ଏ ସମ୍ପର୍କରେ କହିଥିଲେ ଯେ ଭାରତୀୟ ଟିମ୍ ନିଜ ପୁରୁଣା ଶୈଳୀରେ ଟି-୨୦ କ୍ରିକେଟ୍ ଖେଳୁଛି, ଯାହାର ସମୟ ଅତିକ୍ରମ କରିସାରିଛି। ତାଙ୍କ ମତରେ ଟିମ୍‌ର ପ୍ରଦର୍ଶନରେ ନିର୍ଭୀକତା ନ ଥିଲା।

ଭାରତୀୟ ଟିମ୍‌ର ରଣନୀତି ଥିଲା ଯେ ଆରମ୍ଭରେ ୱିକେଟ୍ ବଞ୍ଚାଯାଉ ଏବଂ ପରେ ପ୍ରହାର କରାଯାଉ। କିନ୍ତୁ ଏହି ରଣନୀତି ବିଫଳ ହୋଇଥିଲା। ବିଫଳତା ପାଇଁ ଅଧିନାୟକ ଓ କୋଚ୍ ଉତ୍ତରଦାୟୀ।

ଟୁର୍ଣ୍ଣାମେଣ୍ଟରେ ରୋହିତ ଓ ରାହୁଲଙ୍କ ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଛଅ ମ୍ୟାଚ୍‌ରୁ ରୋହିତ ମୋଟ୍ ୧୧୬ ରନ୍ କରିଥିବା ବେଳେ ତାଙ୍କ ଓପନିଂ ଯୋଡ଼ିଦାର ରାହୁଲ ୧୨୮ ରନ୍ ସଂଗ୍ରହ କରିଥିଲେ।

ଟି-୨୦ ଆନ୍ତର୍ଜାତିକରେ ରୋହିତଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ୧୧୮ ରନ୍। କିନ୍ତୁ ଟୁର୍ଣ୍ଣାମେଣ୍ଟରେ ତାଙ୍କର ମୋଟ୍ ସ୍କୋର୍ ଏହାଠାରୁ ବି କମ୍ ଥିଲା। ସେ ବହୁତ ବର୍ଷ ହେଲା ଟି-୨୦ ଆନ୍ତର୍ଜାତିକ ଖେଳିଆସୁଛନ୍ତି। ଟି-୨୦ ବିଶ୍ୱକପ୍ ୨୦୦୭ରେ ବି ସେ ଖେଳିଥିଲେ। ଏହି ଫର୍ମାଟ୍‌ରେ ସେ ଏଯାବତ ୩୮୦୦ରୁ ଅଧିକ ରନ୍ କରିଛନ୍ତି। ଆଇପିଏଲ୍‌ରେ ମଧ୍ୟ ତାଙ୍କର ବହୁ ବର୍ଷର ଅଭିଜ୍ଞତା ରହିଛି।

ତେବେ କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍‌ରେ ରୋହିତଙ୍କ ସମୟ ସମ୍ଭବତଃ ସରିଆସିଲାଣି। ଆଇପିଏଲ୍‌ର ପୂର୍ବ ସଂସ୍କରଣରେ ସେ ବ୍ୟାଟିଂରେ ନିରାଶ କରିଥିଲେ। ତାଙ୍କ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ବି ବିଫଳ ହୋଇଥିଲା। ଏସବୁ ଚଳିତ ବର୍ଷ ଘଟିଛି - ଆଇପିଏଲ୍, ଏସିଆ କପ୍ ଓ ଏହାପରେ ଟି-୨୦ ବିଶ୍ୱକପ୍, କେଉଁଥିରେ ରୋହିତ ‘ରୋ-ହିଟ୍’ ହୋଇପାରି ନାହାନ୍ତି। କେବଳ ଦ୍ୱିପାକ୍ଷିକ ଶୃଙ୍ଖଳା ମଧ୍ୟରେ ତାଙ୍କ ଦକ୍ଷତା ସୀମିତ ହୋଇଯାଇଛି।

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ ବେଳକୁ ରୋହିତଙ୍କୁ ୩୭ ବର୍ଷ ବୟସ ହୋଇଯିବଣି। ସେତେବେଳକୁ କ୍ଷୁଦ୍ରତମ ଫର୍ମାଟ୍‌ରେ ତାଙ୍କର ଆଉ ସ୍ଥାନ ନ ଥାଇପାରେ, ଅଧିନାୟକତ୍ୱ ତ ଦୂରର କଥା। ଏହି ଫର୍ମାଟ୍ ବିଶେଷକରି ଯୁବ ଓ ଫିଟ୍ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କ ଭିତରେ କିଛି କରି ଦେଖାଇବାର ଉତ୍ସାହ ଥିବ। ମନୋବଳ ଉଚ୍ଚ ଥିବ।

ଚର୍ଚ୍ଚା ହେଉଛି ଯେ ଶୀଘ୍ର ଭାରତୀୟ ଟି-୨୦ ଟିମ୍‌ର ରୂପରେଖ ବଦଳାଯିବ। ବିସିସିଆଇର ପ୍ରଥମ ପସନ୍ଦ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାୟୀ ଭାବେ ଅଧିନାୟକ ଦାୟିତ୍ୱ ଦିଆଯିବ, ଯିଏକି ପରବର୍ତ୍ତୀ ବିଶ୍ୱକପ୍ ଯାଏଁ ନେତୃତ୍ୱ ନେବେ। ଦୌଡ଼ରେ ରିଷଭ ପନ୍ତ ବି ଅଛନ୍ତି। ତେବେ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷାନିରୀକ୍ଷା ହେବ, ଅଧିନାୟକଙ୍କୁ ନେଇ ନୁହେଁ।

ୱିକେଟ୍‌କିପର୍-ବ୍ୟାଟର୍ ଦିନେଶ କାର୍ତ୍ତିକ ଓ ରବିଚନ୍ଦ୍ରନ୍ ଅଶ୍ୱିନ ଭଳି ବରିଷ୍ଠ ଖେଳାଳିଙ୍କୁ ଟି-୨୦ ଟିମ୍‌ରେ ଆଉ ନିଆଯାଇ ନ ପାରେ। ସେମାନେ ସମ୍ଭବତଃ ଏହି ଫର୍ମାଟ୍ ଛାଡ଼ି ଦେଇପାରନ୍ତି। ରୋହିତ, ବିରାଟ, ମହମ୍ମଦ ଶାମୀଙ୍କ ଭଳି ଅନ୍ୟ ବରିଷ୍ଠ ଖେଳାଳିଙ୍କୁ ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଉପରେ ଫୋକସ୍ କରିବାକୁ କୁହାଯିବ। ସେମାନଙ୍କୁ ଟି-୨୦ ଟିମ୍‌ରୁ ଧୀରେ ଧୀରେ କଢ଼ାଯିବ।

ଟିମ୍ ଇଣ୍ଡିଆକୁ ଫେରିବେ କି ଧୋନି:

ଭାରତୀୟ ଟି-୨୦ ଟିମ୍‌ର ଭବିଷ୍ୟତକୁ ଆଖି ଆଗରେ ରଖି ଯେଉଁ ପରିବର୍ତ୍ତନ କରିବା ପାଇଁ ବିସିସିଆଇ ଯୋଜନା କରୁଛି, ପୂର୍ବତନ ଅଧିନାୟକ (ଅବସରପ୍ରାପ୍ତ) ମହେନ୍ଦ୍ର ସିଂ ଧୋନି ସେହି ଯୋଜନାର ଅନ୍ତର୍ଭୁକ୍ତ ବୋଲି କୁହାଯାଉଛି।

ଧୋନିଙ୍କୁ ଟି-୨୦ କିମ୍ବା ସୀମିତ ଓଭର୍ (ଉଭୟ ଦିନିକିଆ ଓ ଟି-୨୦) ଫର୍ମାଟ୍ ପାଇଁ ଇଂଲଣ୍ଡ ଢାଞ୍ଚାରେ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇପାରେ ଅଥବା କେବଳ ଟି-୨୦ ଟିମ୍‌ର୍ କୋଚ୍। ଧୋନି ଟିମ୍‌କୁ ଆକ୍ରମଣାତ୍ମକ ଆରମ୍ଭ କରିବା ଓ ଭୟଶୂନ୍ୟ ବ୍ୟାଟିଂ କରିବା ଶିଖାଇବେ। ୱିକେଟ୍‌କିପରଙ୍କୁ ବି ସେ ମାର୍ଗଦର୍ଶନ କରିପାରିବେ।

ଏହା ଉପରେ ଚୂଡ଼ାନ୍ତ ମୋହର ବାଜିନି; ହେଲେ ବିସିସିଆଇ ଅଧିକାରୀଙ୍କ ସୂତ୍ରରୁ ଏହାର ସୂଚନା ମିଳିଛି।

ଧୋନି ଭାରତର ସବୁଠାରୁ ସଫଳ କ୍ରିକେଟ୍ ଅଧିନାୟକ। ତାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ସମସ୍ତ ଆଇସିସି ଟ୍ରଫି ଜିତିଛି। ଧୋନିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଜିତିବା କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଥିଲା। ଏହାର ଚାରି ବର୍ଷ ପରେ ଧୋନି ଜିତାଇଥିଲେ ଦିନିକିଆ ବିଶ୍ୱକପ୍। ହାର୍ଦ୍ଦିକଙ୍କ ସହ ମଧ୍ୟ ତାଙ୍କ ଯୋଡ଼ି ବି ଜମିପାରେ। ବଦଳି ଯାଇପାରେ ଟି-୨୦ ଟିମ୍‌ର ଭାଗ୍ୟ ଓ ଭବିଷ୍ୟତ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)