ଜୀବନ ଠିକ ସମୁଦ୍ର ଭଳି

ସମୁଦ୍ର ଆଜି ପୁଣି ଥରେ ଫେରେଇଦେଲା ସବୁ ଅଭୁଲା ଅତୀତ ଆଉ କହିଲା ତୋ ସ୍ଵପ୍ନ କଥା ବି ମୁଁ ଶୁଣିଛି। ସମୁଦ୍ର ଆଗପରି ସେମିତି ଦୁଷ୍ଟ ଚପଳା ଶିଶୁ ହେଇ ଅଛି ତା’ର ବୟସ ସ୍ଥିର ଆଉ ମୁଁ ବୁଢୀ ହେଇଗଲିଣି। ଆଉ, ସେ କ’ଣ ବୁଢା, ଚମକି ପଡିଲି ସମୁଦ୍ର କଥାରେ। ତାଙ୍କ କଥା କେମିତି କହିବି ଯାହାଙ୍କୁ ଶେଷଥର ପାଇଁ ଭେଟିଥିଲି ଏଇ ସମୁଦ୍ର କୂଳରେ।

ଜୀବନ ଠିକ ସମୁଦ୍ର ଭଳି

ଦୀର୍ଘ ବାଇଶି ବର୍ଷ ପରେ ଭେଟ ହେଲା ସମୁଦ୍ର ସହ। ସେ ସେମିତି ହସୁଥିଲା ମୁଁ ସେମିତି ନୀରବ ଥିଲି, ଆଖିରେ ପ୍ରଶ୍ନ କଲି ସେ ଶବ୍ଦ କରି ଉତ୍ତର ଫେରେଇଲା। କିଛି ଟୋପା ଲୁହ ବାଲିରେ ପଡୁ ପଡୁ ସମୁଦ୍ରରେ ମିଶିଗଲା, ସମୁଦ୍ରରୁ ପାଣି ଆଣି ଚାଖିଲି କାଳେ ତା’ ସ୍ଵାଦ ବଦଳିଥିବ ନା ଲୁହ ପରି ସେ ବି ଲୁଣିଆ। ଗର୍ଜନ କରି ଧାଇଁ ଆସିଲା ଆଗପରି ଦୁଷ୍ଟ କହି ଦୌଡି ଗଲିନି ପଛକୁ ସେମିତି ବସି ରହିଲି ସେ କିନ୍ତୁ ଟାଣିନେଲା ଖଣ୍ଡେ ବାଟ ତା କୋଳକୁ ପୁଣି ଛାଡିଦେଲା ଆଣି।

ମୁଁ ଏଥର ହସିଲି। ସମୁଦ୍ର ବୋଧେ ମୋତେ ଛୁଇଁ ଜାଣିପାରିଲା ତେଣୁ ମନେ ପକେଇଦେଲା ଜୀବନ ଠିକ ସମୁଦ୍ର ଭଳି। ତମେ ଯାହା ଜୀବନକୁ ଦେବ ଜୀବନ ତମକୁ ସେୟା ହିଁ ଫେରେଇବ। ଖୁସି ଦେଲେ ଖୁସି ପାଇବ, ଦୁଃଖ ଦେଲେ ଦୁଃଖ। ହଁ ମୁଁ ଭୁଲିଥିଲି ଅନେକ କିଛି, ଏବେ ଏବେ ମନେ ପକେଇ ଦେଲା ସମୁଦ୍ର। ଜୀବନକୁ ବୋଝ ଭାବି ନାଉକରି ଚାଲୁଥିଲି ପ୍ରତି ପାଦରେ ଥକି ପଡୁଥିଲି ତ କେବେ ଠକି ଯାଉଥିଲି, ଏମିତି କି ଜୀବନକୁ ଭଲପାଇବା ଭୁଲି ସାରିଥିଲି।

ଏବେ ଏବେ ବୁଝିଲି ମୋ ଦୁଃଖର କାରଣ। ଏଇଟା ସତ କି ମୁଁ ଆଗରୁ ଯମା ବି ଏମିତି ନ ଥିଲି, ଭଲ ପାଉଥିଲି ଏବଂ ଭଲ ପାଉଥିଲି। ମଣିଷର ସହଜାତ ପ୍ରବୃତ୍ତି, ସେ ଯାହା ପାଇଥାଏ ସେଥିରୁ ଖୁସି ଖୋଜି ପାରେନି; ଯାହା ନ ପାଏ ତାକୁ ନେଇ ପାଇବାର ଆଶା କରେ, ଦୁଃଖ ପାଏ। ମୁଁ ବି ଏ ପ୍ରବୃତ୍ତିରୁ ବାଦ ଯାଇନି। ହଁ ମୁଁ ଯାହା ପାଇଚି ତାକୁ ମୋର କହି ପାରିନି କିନ୍ତୁ ପାଇଚି ବୋଲି ଖୁସି ଅଳ୍ପ। ମୋର ନ କହି ପାରିବାର ଦୁଃଖରେ ବେଶି ଘାଣ୍ଟି ହେଇଛି।

ଏଇ ଭିତରେ ଜାଣି ଜାଣି ଭୁଲିଚି ଅନେକ ସୁଖଦ ମୁହୂର୍ତ୍ତ। କହିପାର ମନେପକେଇବାକୁ ଚାହିଁନି, ତେଣୁ ଭୁଲିଯାଇଛି ବୋଲି ଭାବି ନେଇଥିଲି। ସମୁଦ୍ର ଆଜି ପୁଣି ଥରେ ଫେରେଇଦେଲା ସବୁ ଅଭୁଲା ଅତୀତ ଆଉ କହିଲା ତୋ ସ୍ଵପ୍ନ କଥା ବି ମୁଁ ଶୁଣିଛି। ସମୁଦ୍ର ଆଗପରି ସେମିତି ଦୁଷ୍ଟ ଚପଳା ଶିଶୁ ହେଇ ଅଛି ତା’ର ବୟସ ସ୍ଥିର ଆଉ ମୁଁ ବୁଢୀ ହେଇଗଲିଣି। ଆଉ, ସେ କ’ଣ ବୁଢା, ଚମକି ପଡିଲି ସମୁଦ୍ର କଥାରେ, ତାଙ୍କ କଥା କେମିତି କହିବି ଯାହାଙ୍କୁ ଶେଷଥର ପାଇଁ ଭେଟିଥିଲି ଏଇ ସମୁଦ୍ର କୂଳରେ।

ବସିଥିଲେ ମୋର ଡାହାଣ ପଟେ ଚାଖଣ୍ଡେ ଛାଡି। ଆମେ ଗୋଡ ଲମ୍ଵେଇଥିଲୁ ସମୁଦ୍ର ଆଡେ, ଆମ ଗୋଡକୁ ଛୁଇଁ ଦେଇ ଧାଇଁ ଯାଉଥିଲା ପୁଣି ଧାଇଁ ଆସି ଓଦା କରୁଥିଲା । ଆମେ ଦେଖୁଥିଲୁ ଶହ ଶହ ଲୋକ ସମୁଦ୍ର ସହ ଖେଳୁଥିବାର, ହସୁଥିବାର, ଚାହାପିଇ ଗପ କରୁଥିବାର, ଓଟ ଓ ଘୋଡା ପିଠିରେ ସବାର ହେଇ ବୁଲିବାର, ଝାଲମୁଢି ଖାଉଥିବାର, ମୁଲଚାଲ କରି ଶଙ୍ଖ କିଣୁଥିବାର, ହୁଲି ଡଙ୍ଗାରେ ନୋଳିଆ ମାଛ ଧରି ଫେରୁ ଥିବାର, ସମୁଦ୍ର ର ଅତଳ ଜଳରାଶି ମଝିରେ ଯାଉଥିବା ଯାହାଜ ବି ଦେଖୁଥିଲୁ ଏତେ ଦେଖିବା ଭିତରେ ବି ମୋ ଆଖି ଥକି ନଥିଲା କହିଲି ଚାଲୁନ ସମୁଦ୍ରର ଶେଷମୁଣ୍ଡ ଦେଖିବା। ସେ ମୋ କଥାରେ ହସିଲେ ଆଉ କହିଲେ ବୋକୀ ସମୁଦ୍ରର ଶେଷ ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ଅନେକ ଯୁଗ ସରିଯିବ।

- ଯେତେ ଯୁଗ ସରୁଚି ସରୁ ସମୁଦ୍ରର ଶେଷମୁଣ୍ଡ ଦେଖିବାର ଅଛି । ମୁଁ କହିଲି।

- ପାଗେଳୀ ଶେଷମୁଣ୍ଡ ବୋଲି କିଛି ନ ଥାଏ। ହଁ କହିବୁ ତ ନଦୀ ଆଉ ସମୁଦ୍ରର ମିଳନ ଦେଖେଇ ଦେବି। ( କହିଲା ବେଳେ ତାଙ୍କ ଆଖିରେ ଦେଖିଥିଲି ଗୋଟେ ଅଜବ ଆକର୍ଷଣ)

ଆମେ ପାଖାପାଖି ଚାଲୁଥିଲୁ ଅନିର୍ଦ୍ଦିଷ୍ଟ ଭାବରେ ଓଦା ବାଲିରେ ଆମ ଚାରି ପାଦର ଚିହ୍ନକୁ ଧୋଇ ନେଉଥିଲା ସମୁଦ୍ର। ମୁଁ ରାଗୁଥିଲି ତ ସେ ବୁଝୋଉଥିଲେ ଏ ପାଦଚିହ୍ନ କେବଳ ଆମର କାଳେ କିଏ ସେ ପାଦ ଚିହ୍ନରେ ପାଦ ଦେଇଦେବ ସମୁଦ୍ର ତେଣୁ ଲିଭେଇ ଦେଉଛି ମୁଁ ବୁଝିଯାଏ ତାଙ୍କର ସବୁ କଥା। ଜନ ଗହଳି ଠାରୁ ବହୁ ଦୂରକୁ ଚାଲି ଆସିଥିଲୁ ଆମେ ସେ ଥକି ପଡି ବସି ପଡିଲେ, ଏଥର ମୁଁ ଗୋଟେ ବାଲିଘର ତୋଳିଲି ଛୋଟ ଛୋଟ ଶାମୁକା ଗୋଟେଇ ସଜେଇଲି ଆଉ କହିଲି ଦେଖିଲ ଘର କେମିତି ଦେଖା ଯାଉଛି-

ଖୁବ ସୁନ୍ଦର ହେଲେ ଏ ଘରେ ରହିବ କିଏ। ସେ ପଚାରିଲେ।

ତମେ ଓ ମୁଁ ରହିବା। ମୁଁ କହିଲି। ଘର ପାଖରେ ଲେଖିଲି ତମେ ଓ ମୁଁ, ସମୁଦ୍ର ଗର୍ଜନ କରି ଧୋଇନେଲା ଲେଖା ସହ ବାଲିଘର। ମୋ ଆଖି ଜକେଇ ଆସିଲା। ସେ ଉଠିଆସିଲେ ମୋ ପାଖକୁ ଆଉଜେଇ ନେଲେ ତାଙ୍କ ଛାତିରେ। ଅନେକ ସମୟ କଟିଗଲା ତାଙ୍କ ଛାତିରେ। ଏଥର ସେ କହିଲେ ବାଲିଘରେ ସମୁଦ୍ର ଓ ଆମେ ରହିବା ।

ସେ ଲେଖିଲେ ସମୁଦ୍ର ଓ ଆମେ। ଅନେକ ସମୟ ଯାଏଁ ଚିକ୍ ଚିକ୍ କରୁଥିଲା ସେ ଲେଖିଥିବା ମୁକ୍ତାଝରା ଅକ୍ଷର। ଆମେ ଫେରିବାକୁ ବାହାରୁ ଥିଲୁ ସାମ୍ନାରୁ ବ୍ୟାଗ ଧରି ମଉସା ଜଣେ ଆସିବାର ଦେଖିଲୁ ଠିକ୍ ଏତିକି ବେଳକୁ ସମୁଦ୍ର ଧୋଇ ନେଲା ସେ ଅକ୍ଷର ସବୁ। ସେ କହିଲେ ଦେଖିଲୁ ସମୁଦ୍ର ଆମକୁ କେତେ ଭଲ ପାଉଛି, ଆମ କଥା କାଳେ ସେ ମଉସା ଦେଖିଦେବେ ସେ ଧୋଇନେଲା। ମୁଁ କିଛି କହିବା ପୂର୍ବରୁ ମଉସା ଆମ ପାଖରେ ପହଞ୍ଚିସାରି ଥିଲେ।

ଆମକୁ ଦେଖି କହିଲେ ମା ବାବୁ ମୋର ଆଜି କିଛି ବେପାର ହେଇନି ଗୋଟେ ମାଳି ହେଉ ପଛେ ରଖ ଭଗବାନ ତମର ମଙ୍ଗଳ କରିବେ। ସେ ବାଛି ବାଛି ନୀଳ ନାଲି ରଙ୍ଗର ପଥରର ଲକେଟଟେ ଧରି ବିନା ମୂଲଚାଲରେ କିଣିଲେ। ମଉସା ତମ ଦୁହିଁଙ୍କର ମଙ୍ଗଳ ହେଉ ମୋର ପ୍ରଥମ ବହିନି କଲ କହି ଆଗକୁ ବଢିଲେ। ମଉସା ଗଲାପରେ ସେ ମୋତେ ପିନ୍ଧେଇ ଦେଲେ ସେ ଲକେଟ ଆଉ କହିଲେ ତୋ ପାଖରେ ଯେବେ ଯାଏ ଏ ଲକେଟ ଅଛି ଭାବିବୁ ମୁଁ ତୋ ପାଖରେ ଅଛି।

ସେ ଏମିତି କାହିଁକି କହିଲେ ଜାଣିନି ମୋତେ କିନ୍ତୁ ଖୁବ୍ କଷ୍ଟ ହେଲା ତାଙ୍କ କଥା। ସେ ଯମା ପସନ୍ଦ କରନ୍ତିନି ମୋ ଆଖିରେ ଲୁହ ତେଣୁ ଯଥା ସମ୍ଭବ ଅଟକେଇ ନେଲି ଆଉ କହିଲି ସାଇତି ରଖିବି ପାଉଁଶ ହେଲା ଯାଏ।

କିଛି ସମୟ ନିରବରେ କଟିଲା ପରେ ମୁଁ କହିଲି ମୋର ଗୋଟେ ଛୋଟିଆ ସ୍ଵପ୍ନଟେ ଅଛି ପିଲାଦିନୁ।

- କ’ଣ? ସେ ପଚାରିଲେ।

- ମୁଁ ଏ ବେଳାଭୂମିରେ ବାଦାମ ଭଜା, ବୁଟ ଭଜା ଚଣା ଭଜା ବିକିବା ବ୍ୟବସାୟ କରି ଏଇ ବାଲିରେ ଛୋଟିଆ ଘରେ ସ୍ଵାମୀ ସହ ରହିବି। ସେ ମୋ କଥାରେ ଠୋ ଠୋ ହସିଲେ।

ବାଦାମ ନେବ, ବାଦାମ, ବୁଟ ଭଜା ନେବ, ବୁଟ, ଏମିତି କହି କହି ସେ ଦି ଚାରି ପାଦ ଆଗକୁ ପଳେଇ ମୋତେ ଚାହିଁ ହସିଲେ। ତାଙ୍କ ପାଦ ଚିହ୍ନରେ ପାଦ ରଖି ରଖି ପହଞ୍ଚିଗଲି ତାଙ୍କ ପାଖରେ। ଏଥର ସେ ଗମ୍ଭୀରହେଇ ଗଲେ ଆଉ କହିଲେ ତୁ ମୋ ପାଦ ଚିହ୍ନରେ କାହିଁକି ଆସିଲୁ।

ତମ ପାଦରେ ପାଦ ମିଳେଇ ଜୀବନ ସାରା ଚାଲିବି ବୋଲି ଏବେଠୁ ପ୍ରସ୍ତୁତ ହେଉଛି। ମୁଁ କହିଲି।

- ସାଥିରେ ରହିବା କିମ୍ବା ଚାଲିବା ପାଇଁ ପ୍ରସ୍ତୁତି ନୁହେଁ ପ୍ରେମ ଓ ଭରସା ଜରୁରୀ। ପ୍ରେମ ଓ ଭରସା ଥିଲେ ବି ବେଳେବେଳେ ସାଥିରେ ରହିହୁଏନି।

- ଏଥର ମୁଁ ପ୍ରଶ୍ନ କଲି କାହିଁକି?

- ସେ ଉତ୍ତର ଫେରେଇଲେ ଚାଲ ତାକୁ ପଚାରିବା ଯିଏ ଆମକୁ ଭେଟ କରେଇଚି।

ମୁଁ ଜାଣିଥିଲି ମୋର ପଦିଏ କଥା ତାଙ୍କୁ କଷ୍ଟ ଦେବ। ଆମ ସମ୍ପର୍କର ବାସ୍ତବତା ମୋତେ ଜଣା ଥିଲା ତଥାପି ରେ ଅଟକି ରହିଥିଲି।

ଶେଷ ଥର ପାଇଁ ସମୁଦ୍ରକୁ ଚାହିଁଲୁ ପୂର୍ବପରି ସେ ଧୋଇ ନେଇଥିଲା ପାଦଚିହ୍ନ। ବଡ ଦାଣ୍ଡରେ ଠିଆ ହୋଇ ଜଣେଇଲି କହ୍ନେଇକୁ ମନ କଥା। ଏଥର ଫେରିବାର ସମୟ ସେ ଓ ମୁଁ ଷ୍ଟେସନରେ ପରସ୍ପରକୁ ବିଦାୟ ଦେଇ ଚଢିଲୁ ଦି ଟା ଅଲଗା ଅଲଗା ଟ୍ରେନରେ। ଆଉ…

ମାମା, ମାମା, ଭାବନାରେ ପୂର୍ଣ୍ଣଛେଦ ପକେଇ ପଛକୁ ଚାହିଁଲି। ମାମା ଏଥର ଆମେ ଯିବା କେତେ ଆଉ ସମୁଦ୍ରକୁ ଦେଖିବ। ହଁ, ଚାଲ ଯିବା, ଝିଅ ଆଗକୁ ଦି ପାହୁଣ୍ଡ ଆଗେଇ ଗଲା। ମୁଁ ଲେଖିଲି ସମୁଦ୍ର ଓ ଆମେ। ମାମା, କ’ଣ ପିଲାଙ୍କ ଭଳି ଲେଖୁଛ ଦେଖେ, ଆରେ କିଛି ତ ଲେଖିନି, ହଁ କ’ଣ ତ ଗୋଟେ ଲେଖିଲ ଝିଅ ପାଖକୁ ଆସି ଚାହିଁଲା ବେଳକୁ ଧୋଇ ନେଇଥିଲା ସମୁଦ୍ର। ଦେଖିଲୁ କିଛି ଲେଖିନି ସମୁଦ୍ରକୁ ଜୁହାର ହେଉଥିଲି। ହଉ ଚାଲ ଯିବା, ହଁ ଚାଲ।

କମଳାଦେଇପୁର, ନୁଖାପଡା,ନରସିଂହପୁର, କଟକ-୭୫୪୦୩୨

lipilucy.2014@gmail.com