ଆଜି ଅଫିସ୍ ବାହାରଟା କ’ଣ ପୂରା ଫାଙ୍କା! ମନକୁ ଟିକେ ଡର ଛୁଇଁଲା ସିକ୍ତାର। ଘଣ୍ଟା ଦେଖିଲା ସେ। ସନ୍ଧ୍ୟା ସାଢ଼େ ଆଠଟା। ଡ୍ୟୁଟି ସରିଲାଣି ୮ଟା ବେଳୁ। ହେଲେ ଡ୍ୟୁଟି ପରର ଆନୁସଙ୍ଗିକ କାମ ସବୁ ସାରିଲା ବେଳକୁ ଆଉ ଅଧଘଣ୍ଟା ଡେରି ହୋଇ ଗଲାଣି ଏ ଭିତରେ। ଏମିତିରେ ବି ପ୍ରାୟ ରାତି ୯ଟା ପାଖାପାଖି ତାଙ୍କ ଅଫିସ୍ ପାଖଟା ନିଛାଟିଆ ଲାଗେ। ହେଲେ ଆଜି ଆଉ ଟିକେ ଜଲ୍ଦି ଫାଙ୍କା ହୋଇ ଗଲାଣି ଆଗ ରାସ୍ତାଟା।
ତା’ ରୁମ୍ଟା ଅଫିସ୍ ଠାରୁ ମାତ୍ର ଅଧ କିଲୋ ମିଟର ବାଟ ହେବ କି ନାହିଁ। ହେଲେ ୨୦୦ ମିଟର ଖଣ୍ଡେ ରାସ୍ତା ଭାରୀ ନିଛାଟିଆ। ତା’ ପରେ ତା’ ସହକର୍ମୀମାନଙ୍କ କ୍ୱାର୍ଟର ଆଉ ସେଠୁ ଅଳ୍ପ କିଛି ଦୂରରେ। ତା’ ରୁମ୍ ଦୂରରେ ରହୁଥିବା କେତେକ କର୍ମଚାରୀଙ୍କୁ ଛାଡ଼ିଦେଲେ ସେମାନେ ସମସ୍ତେ ପ୍ରାୟ ଚାଲି ଚାଲି ହିଁ ଅଫିସ୍ ଯିବାଆସିବା କରନ୍ତି। କାଳେ କିଏ ଦେଖା ହେବେ, ସେଇ ଆଶାରେ ଚାରି ଆଡ଼କୁ ଆଉ ଥରେ ଆଖି ବୁଲେଇ ଆଣିଲା ସିକ୍ତା। ନା, କେହି କୁଆଡ଼େ ନାହାନ୍ତି।
ଏଥର ଚାଲିବା ଆରମ୍ଭ କଲା ସେ। ହେଲେ ଚାଲିବା ଆରମ୍ଭ କରିଛି କି ନାହିଁ, ସିକ୍ତାକୁ ଲାଗିଲା, କେହି ଯେମିତି ତା’ ପିଛା କରୁଛି। ଡରି କି ପଛକୁ ଚାହିଁଲା। ସେ ଦେଖିଲା, ପଛରୁ କିଛି ଯୁବକ ଚାଲି ଚାଲି ଆସୁଛନ୍ତି। ନିଜ ପାଦର ଗତି ଆଉଟିକେ ବଢ଼େଇଲା ସିକ୍ତା। ଆଉ ପଛରୁ ଆସୁଥିବା ଯୁବକମାନଙ୍କ ପାଦର ଗତି ବି ବଢ଼ି ଯାଇଥିଲା। ୟା ପରେ ରୀତିମତ ଦୌଡ଼ିବାକୁ ଲାଗିଲା ସେ। ଏଥର ପଛରେ ଆସୁଥିବା ସେ ଯୁବକମାନେ ବି ଦୌଡ଼ିବା ଆରମ୍ଭ କରିଦେଲେ।
Also Read
ଏଥର ସିଧା ରାସ୍ତାରେ ନ ଯାଇ ପ୍ରାଣପଣେ ଦୌଡ଼ି ଦୌଡ଼ି ସିକ୍ତା ପଶିଗଲା ତା’ ସହକର୍ମୀମାନେ ରହୁଥିବା କଲୋନୀ ଭିତରେ। ଆଉ ଭାଗ୍ୟକୁ ରକ୍ଷା ପାଇଗଲା ସେଦିନ। ହେଲେ ସବୁବେଳେ, ସବୁ ସମୟରେ କ’ଣ ଭାଗ୍ୟ ଜୋର୍ ଥାଏ ସମସ୍ତଙ୍କର! ଯଦି ସେମିତି ହୋଇଥାନ୍ତା ତାହେଲେ ନିର୍ଭୟା, ହାଇଦରାବାଦର ବଳାତ୍କାର ଓ ହତ୍ୟା କିମ୍ବା ଗତ ବର୍ଷ ମୁମ୍ବାଇର ବଳାତ୍କାର ଓ ହତ୍ୟା(ପ୍ରାୟ ନିର୍ଭୟା ଢଙ୍ଗରେ) ଭଳି ଘଟଣାମାନ ବାରମ୍ବାର ଘଟନ୍ତାନି।
୨୦୧୮ ମସିହାରେ ଥମ୍ସନ୍ ରଏଟରସ୍ (Thomson Reuters) ନାମକ ଏକ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ମହିଳାମାନଙ୍କ ପାଇଁ ସୁବଠାରୁ ଅସୁରକ୍ଷିତ ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ ଥିଲା ଏକ ନମ୍ବରରେ। ଏପରିକି ଆଫଗାନିସ୍ଥାନ, ସିରିୟା ଓ ସାଉଦି ଆରବ ଭଳି ଦେଶଗୁଡ଼ିକ ମଧ୍ୟ ଭାରତଠାରୁ ଭଲ ସ୍ଥିତିରେ ଥିଲେ। ଲିଙ୍ଗଗତ ବୈଷମ୍ୟ, ସ୍ୱାସ୍ଥ୍ୟସେବା, ଯୌନ ଶୋଷଣ ଓ ଅନ୍ୟ ଯେକୌଣସି ମହିଳା ବିରୋଧୀ ହିଂସା ଭଳି ମୋଟ୍ ୬ଟି ମାପଦଣ୍ଡକୁ ଏଥିପାଇଁ ବିଚାରକୁ ନିଆଯାଇଥିଲା ଏବଂ ଏଥିରେ ୫୪୮ ଜଣ ବିଶେଷଜ୍ଞ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୪୧ ଜଣ ଭାରତୀୟ ମଧ୍ୟ ଥିଲେ।
ସମ୍ପୃକ୍ତ ବିଶେଷଜ୍ଞମାନଙ୍କୁ ଜାତିସଂଘର ସଭ୍ୟ ଥିବା ୧୯୩ ଟି ଦେଶର ତାଲିକା ମଧ୍ୟରୁ ପ୍ରଥମେ ୫ଟି ଅତି ବିପଦପୂର୍ଣ୍ଣ ରାଷ୍ଟ୍ରକୁ ବାଛିବାକୁ କୁହାଯାଇଥିଲା। ପରେ ସେମାନଙ୍କୁ ସେସବୁ ମାପଦଣ୍ଡ ଭିତ୍ତିରେ ସବୁଠାରୁ ବିପଦପୂର୍ଣ୍ଣ ରାଷ୍ଟ୍ରକୁ ବାଛିବାକୁ ଦିଆଗଲା। ଆଉ ଗୋଟିଏ ବଡ଼ କଥା ହେଲା, ସେଇ ସମାନ ସଂସ୍ଥା ଦ୍ୱାରା ୨୦୧୧ ମସିହାରେ କରାଯାଇଥିବା ସର୍ଭେରେ ଭାରତ ଏ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ଥିବାବେଳେ ୨୦୧୮ ବେଳକୁ ମହିଳାମାନଙ୍କ ପାଇଁ ଭାରତ ବିଶ୍ୱର ସବୁଠାରୁ ଅସୁରକ୍ଷିତ ଦେଶର ସ୍ଥାନ ନେଇ ସାରିଥିଲା।
ସେତେବେଳେ ଏଇ ସର୍ଭେକୁ ଭାରତରେ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଫଗାନିସ୍ଥାନ ଓ ସିରିୟା ଭଳି ଦେଶରେ, ଯେଉଁଠି ମହିଳାମାନଙ୍କୁ ଅତି ନଗଣ୍ୟ ଅଧିକାର ମିଳିଥାଏ, ସେଠାରେ ଭାରତଠାରୁ ମହିଳାମାନେ କିଭଳି ଭଲ ସ୍ଥିତିରେ ରହିଲେ ସେନେଇ ପ୍ରଶ୍ନ ମଧ୍ୟ ଉଠିଥିଲା। ଏପରି କି ଜାତୀୟ ମହିଳା କମିଶନ ଏହି ସର୍ଭେକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ମଧ୍ୟ କରିଥିଲା। ତେବେ ଏସବୁ ବିରୋଧ ସତ୍ତ୍ୱେ ଆମମାନଙ୍କ ମନରେ ବାରମ୍ବାର ପ୍ରଶ୍ନ ଉଠେନି କି, ପ୍ରକୃତରେ ଆମ ଦେଶ ମହିଳାମାନଙ୍କ ପାଇଁ କେତେ ସୁରକ୍ଷିତ!
ଏ ସମସ୍ୟାକୁ ନେଇ ଯଦି ଗଭୀରଭାବେ ଚିନ୍ତା କରାଯାଏ, ତେବେ ଦେଖିବା ଯେ, ଜନ୍ମ ପୂର୍ବରୁ ହିଁ ଆମ ଦେଶରେ ଝିଅଟି ପାତର ଅନ୍ତରର ଶିକାର ହୋଇଥାଏ। ଦେଶର ଅନେକ ଅଞ୍ଚଳରେ ଝିଅ ଜନ୍ମକୁ ଅଭିଶାପଭାବେ ବିଚାର କରାଯାଉଥିବାରୁ ଏବେ ଦେଶରେ କନ୍ୟାଭୃଣ ହତ୍ୟା ଏକ ବ୍ୟାପକ ସମସ୍ୟାଭାବେ ଉଭା ହୋଇଛି। ଫଳସ୍ୱରୂପ ୨୦୩୦ ମସିହା ବେଳକୁ ଭାରତରେ ଆଗ ଅପେକ୍ଷା ୬.୮ ନିୟୁତ କମ୍ ସଂଖ୍ୟକ କନ୍ୟା ଶିଶୁ ଜନ୍ମ ନେବା ଆଶଙ୍କା କରାଯାଉଛି।
ଅଫିସିଆଲ୍ କ୍ରାଇମ୍ ରେକର୍ଡ-୨୦୧୬ ଅନୁଯାୟୀ, ଭାରତରେ ପ୍ରତି ୧୩ ମିନିଟ୍ରେ ଜଣେ ମହିଳା ବଳାତ୍କାରର ଶିକାର ହେଉଥିଲେ। ସେହିପରି ପ୍ରତିଦିନ ଅନ୍ତତଃ ୬ ଜଣ ମହିଳା ଗଣବଳାତ୍କାରର ଶିକାର ହେଉଥିଲେ। ସେହିପରି ପ୍ରତି ୬୯ ମିନିଟ୍ରେ ଜଣେ ମହିଳା ଯୌତୁକ ହତ୍ୟାର ଶିକାର ହେବା ବେଳେ ପ୍ରତି ମାସରେ ୧୯ ଜଣ ମହିଳା ଏସିଡ୍ ଆକ୍ରମଣର ଶିକାର ହେଉଥିଲେ। ୨୦୨୧ ମସିହାରେ ମଧ୍ୟ ଏହି ସ୍ଥିତିରେ ବିଶେଷ ସୁଧାର ଆସି ନଥିବା ପରିଲକ୍ଷିତ ହୁଏ।
‘ଓ୍ୱିମେନ୍, ପିସ୍ ଆଣ୍ଡ୍ ସିକ୍ୟୁରିଟି ଇଣ୍ଡେକ୍ସ-୨୦୨(Women, Peace and Security Index-2021)’ ରେ ୧୭୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ହେଉଛି ୧୪୮ତମ। ଏଥିରୁ ହିଁ କଥାଟିର ସତ୍ୟତା ଅନୁମେୟ। ତା’ଛଡ଼ା ୨୦୨୦ ତୁଳନାରେ ୨୦୨୧ରେ ଜାତୀୟ ମହିଳା କମିଶନ୍ ନିକଟରେ ମହିଳା ବିରୋଧୀ ଅପରାଧ ସମ୍ପର୍କିତ ଅଭିଯୋଗରେ ୩୦ ପ୍ରତିଶତ ବୃଦ୍ଧି ଘଟିବା ମଧ୍ୟ ଦେଖାଯାଇଛି। ୨୦୨୦ରେ ଏହି ସଂଖ୍ୟା ୨୩,୭୨୨ ଥିବାବେଳେ ୨୦୨୧ରେ ଏହା ବୃଦ୍ଧି ପାଇ ପ୍ରାୟ ୩୧,୦୦୦(୩୦,୮୬୪)ରେ ପହଞ୍ଚିଥିଲା ଆଉ ଏହା ୨୦୧୪ ପରଠାରୁ ସବୁଠାରୁ ଅଧିକ ସଂଖ୍ୟକ ଘଟି ମହିଳା ବିରୋଧୀ ଅପରାଧ ବୋଲି ଜଣାପଡ଼ିଛି।
ଏଥି ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟକ ଅଭିଯୋଗ (୧୧,୦୧୩) ଥିଲା ମହିଳାମାନଙ୍କ ମାନସିକ ଶୋଷଣ ସମ୍ପର୍କିତ, ଯାହା କି ମହିଳାମାନଙ୍କ ସମ୍ମାନର ସହ ବଞ୍ଚିବା ଅଧିକାରକୁ ହନନ କରିଥାଏ। ଏହା ପରେ ତାଲିକାରେ ଥିଲା ଘରୋଇ ହିଂସା ସମ୍ପର୍କିତ ଅଭିଯୋଗ(୬,୬୩୩) ଓ ଯୌତୁକଜନିତ ଅତ୍ୟାଚାର(୪,୫୮୯) ସମ୍ପର୍କିତ ଅଭିଯୋଗ। ଏହା ତ ଗଲା ଜାତୀୟ ମହିଳା କମିଶନ ନିକଟରେ ହୋଇଥିବା ଅଭିଯୋଗ। ସମ୍ପର୍କିତ ତଥ୍ୟ ତେବେ ନ୍ୟାସ୍ନାଲ୍ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ ଅନୁଯାୟୀ, ୨୦୨୦ ମସିହାରେ ସାରା ଦେଶରେ ମୋଟ ୩,୭୧୫୦୩ଟି ମହିଳା ବିରୋଧୀ ଅପରାଧ ପଞ୍ଜୀକୃତ ହୋଇଥିଲା ଆଉ ସବୁଠାରୁ ଦୁଃଖର ବିଷୟ ହେଲା, ମହିଳାମାନେ ନିଜ ସ୍ୱାମୀ ଓ ତାଙ୍କ ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ସବୁଠାରୁ ବେଶି ଅତ୍ୟାଚାରିତ ହେଉଥିବା ଦେଖାଯାଇଛି (୨୦୨୦ ମସିହାର ତଥ୍ୟ ଅନୁସାରେ ରିପୋର୍ଟେଡ୍ ମହିଳା ବିରୋଧୀ ଅପରାଧ କେସ୍ଗୁଡିକ ମଧ୍ୟରୁ ୧,୧୧୫୪୯ ସଂଖ୍ୟକ ପଞ୍ଜୀକୃତ ମାମଲା ଥିଲା ଘରୋଇ ହିଂସା ସମ୍ପର୍କିତ)। ସେହିପରି ସେହି ବର୍ଷ ପଞ୍ଜୀକୃତ ବଳାତ୍କାର ମାମଲା ଥିଲା ୨୮ ହଜାରରୁ ଅଧିକ। ଖାଲି ସେତିକି ନୁହେଁ, ଜାତୀୟ ରାଜଧାନୀ ଦିଲ୍ଲୀରେ ୨୦୨୦ ତୁଳନାରେ ୨୦୨୧ର ପ୍ରଥମ ୬ ମାସରେ ମହିଳା ବିରୋଧୀ ଅପରାଧ ସଂଖ୍ୟାରେ ୬୩.୩ ପ୍ରତିଶତ ବୃଦ୍ଧି ଘଟିଥିବା ଦେଖାଯାଇଥିଲା। ଜଣେ ଯଦି ବାସ୍ତବ ଅର୍ଥରେ ଦେଶରେ ଘଟୁଥିବା ମହିଳା ବିରୋଧୀ ହିଂସାର ହିସାବ ଦେବାକୁ ବସେ ତାହା ହୁଏତ ସମ୍ଭବ ହୋଇ ନ ପାରେ। କାରଣ ଏଭଳି ହିଂସା ସମ୍ପର୍କିତ ପ୍ରକୃତ ତଥ୍ୟ ସଂଗ୍ରହ କରିବା ପ୍ରାୟ ଅସମ୍ଭବ। ତେବେ ପଞ୍ଜୀକୃତ ତଥ୍ୟ ମଧ୍ୟ ଆମକୁ ଦୋହଲାଇ ଦେବା ଭଳି।
୨୦୧୮ ମସିହାରେ ଥମ୍ସନ୍ ରଏଟରସ୍ ସଂସ୍ଥାର ସର୍ଭେ ରିପୋର୍ଟକୁ ହୁଏତ କେବଳ ସମ୍ପୃକ୍ତ ବିଶେଷଜ୍ଞମାନଙ୍କ ବିଚାରଧାରା ଉପରେ ପର୍ଯ୍ୟବେସିତ ଏକ ସର୍ଭେ (Perception based survey) ଓ ଏହାର କୌଣସି ପରିସଂଖ୍ୟାନଭିତ୍ତିକ ପ୍ରାମାଣିକତା ନ ଥିବା କଥା କହି ବିରୋଧ କରାଯାଇଥିଲା। ତେବେ ଆଜି ମଧ୍ୟ ଆମ ଦେଶରେ ମହିଳା ବିରୋଧୀ ଅପରାଧ ସମ୍ପର୍କିତ ଉପଲବ୍ଧ ତଥ୍ୟ କିଛି ଉତ୍ସାହଜନକ ନୁହେଁ। ଏହାକୁ ଦେଖିଲେ, ଏବେ ଆତ୍ମଚିନ୍ତନର ଆବଶ୍ୟକତା ନାହିଁ କି! କାରଣ ଯେ ପର୍ଯ୍ୟନ୍ତ ଏକ ଦେଶର ଜନମାନସର ଚିନ୍ତନ ପ୍ରକ୍ରିୟାରେ ପରିବର୍ତ୍ତନ ଆସିନାହିଁ, ସେ ପର୍ଯ୍ୟନ୍ତ ଯେକୌଣସି ଅପରାଧରେ ହ୍ରାସ ଘଟିବା ଅସମ୍ଭବ ନୁହେଁ କି!
ଦୂରଭାଷ: ୯୨୩୮୯୯୯୭୫୮