ଆର୍ତ୍ତ ମାନବାତ୍ମାର ରୂପକାର କଥା ଶିଳ୍ପୀ ହୃଷୀକେଶ ପଣ୍ଡାଙ୍କ "ସୁନାପୁଟର ଲୋକେ"

"ସୁନାପୁଟର ଲୋକେ" ଉପନ୍ୟାସରେ ଅତ୍ୟାଚାର ଓ ଶୋଷଣକୁ ନିର୍ବିକାର ଚିତ୍ତରେ ସହିଯିବାକୁ ଗ୍ରହଣ ନ କରି ଶୋଷିତ ଓ ନିର୍ଯାତିତମାନଙ୍କ ଭିତରେ ସୁପ୍ତ ଶକ୍ତିର ଜାଗ୍ରତ କରିଛନ୍ତି କଥାକାର। ତାଙ୍କ ମନ ଚୈତନ୍ୟ ବିଦ୍ରୋହୀ ହୋଇ ଶୋଷକର ବିନାଶ ଚାହିଁଛି।

ଆର୍ତ୍ତ ମାନବାତ୍ମାର ରୂପକାର କଥା ଶିଳ୍ପୀ ହୃଷୀକେଶ ପଣ୍ଡାଙ୍କ "ସୁନାପୁଟର ଲୋକେ"

"ଅକର୍ମା ଦସ୍ୟୁଃ ଅଭିନ୍ନଃ ଅମନ୍ତୁ

ଅନ୍ୟ ବ୍ରତୋ ଅମାନୁଷଃ

ତ୍ୱଂ ତସ୍ୟ ଅମିଶ୍ର ହନ୍

ବଧଃ ଦାସସ୍ୟ ଦମ୍ଭୟ ।"

ୠକ୍ ବେଦ)

ବୈଦିକ ୠଷିଗଣଙ୍କ ଏଭଳି ଭାବପୂର୍ଣ୍ଣ ଓ ଜୀବନମୟ ଅଭିବ୍ୟକ୍ତିକୁ ଆନ୍ତରିକ ହୃଦୟବତ୍ତାର ସହ ହୃଦ୍ ବୋଧକରିଥିବା ସୃଜନଶିଳ୍ପୀ ଔପନ୍ୟାସିକ ହୃଷୀକେଶ ପଣ୍ଡା ଓଡିଆ କଥା ସାହିତ୍ୟ ଜଗତରେ ଏକ ନିଆରା ସ୍ୱର। ମଣିଷ ଜୀବନର ଗଭୀର ଓ ମାର୍ମିକ ଚିତ୍ର ଆଙ୍କିବାରେ ତାଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ସମାଜକୁ ଓ ମଣିଷକୁ ନିଜ ଅନ୍ତର୍ଦୃଷ୍ଟି ବଳରେ ତଳେଇ କରି ଦେଖିବାରେ ସେ ଯେଉଁଭଳି ଉଦ୍ୟମ କରିଛନ୍ତି ତାହା କେବଳ ଅନନ୍ୟ ନୁହେଁ, ବରଂ ଏକ କ୍ରାନ୍ତିକାରୀ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ। 'ଶୂନ୍ ସାଙ୍ଗେ ସାମୟିକ ସନ୍ଧି ', ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ, ସୁବର୍ଣ୍ଣଦ୍ୱୀପ, ସୁନାପୁଟର ଲୋକେ, ଶ୍ରୁତି:୧୯୯୪, ହସ ଓ ଇତିହାସ, ଗର୍ବ କରିବାର କଥା, ସମସ୍ତେ ତ ଜାଣିଥିଲେ ଇତ୍ୟାଦି ଉପନ୍ୟାସ ମଧ୍ୟ ଦେଇ ଡକ୍ଟର ପଣ୍ଡାଙ୍କ ସ୍ରଷ୍ଟା ମାନସ ଗତି କରିଛି ନୂତନ କ୍ରାନ୍ତିର ସନ୍ଧାନରେ।

ସ୍ରଷ୍ଟା ପୁରୁଷ ଥିଲେ ଜଣେ ସୁଦକ୍ଷ ପ୍ରଶାସକ, ତାଙ୍କ ଚତୁଃପାର୍ଶ୍ୱରେ ଥିଲା ଆଇନ ଓ ରାଜନୈତିକ କ୍ଷମତାର ଦୃଷ୍ଟି। ତଥାପି ତାଙ୍କ ଲେଖନୀର ସ୍ୱର ମୁକ୍ତ ଭାବରେ ମଣିଷ ପ୍ରତି ଅତ୍ୟାଚାର, ଶୋଷଣ, ପୀଡନ ବିରୋଧରେ ହୋଇଛି ବିଦ୍ରୋହୀ। ବିପ୍ଳବ କରିଛି ଏ ସମଗ୍ର ମଣିଷ ସମାଜ ପାଇଁ। ଜଣେ ସମାଜ ସଚେତକ ଔପନ୍ୟାସିକ ଭାବରେ କୋରାପୁଟ ଆଦିବାସୀ ସମାଜର ଦୈନ୍ୟତା, ତତ୍କାଳୀନ ସଂଭ୍ରାନ୍ତ ବଂଶୀୟ ଜମିଦାରମାନଙ୍କର ଦୁଃଖ ଏବଂ ସର୍ବହରାମାନଙ୍କର କଷଣର ନିଖୁଣ ଚିତ୍ର ତୋଳିବା ହିଁ ହୋଇଛି ତାଙ୍କର ମୁଖ୍ୟ ଆଭିମୁଖ୍ୟ।

"ସୁନାପୁଟର ଲୋକେ" ଉପନ୍ୟାସରେ ଅତ୍ୟାଚାର ଓ ଶୋଷଣକୁ ନିର୍ବିକାର ଚିତ୍ତରେ ସହିଯିବାକୁ ଗ୍ରହଣ ନ କରି ଶୋଷିତ ଓ ନିର୍ଯାତିତମାନଙ୍କ ଭିତରେ ସୁପ୍ତ ଶକ୍ତିର ଜାଗ୍ରତ କରିଛନ୍ତି କଥାକାର। ତାଙ୍କ ମନ ଚୈତନ୍ୟ ବିଦ୍ରୋହୀ ହୋଇ ଶୋଷକର ବିନାଶ ଚାହିଁଛି।

ନାୟକ ପରଜା ଯୁବକ କେଶବ ସହରରେ ପାଠ ପଢି ଗାଁକୁ ଆସି ସହ୍ୟ କରିପାରି ନାହିଁ ସରକାରୀ କର୍ମଚାରୀ, ପୋଲିସ ଓ ସାହୁକାରର ଅତ୍ୟାଚାର। ବିପ୍ଳବୀ ସାଜି ହତ୍ୟା କରିଛି ଶୋଷକମାନଙ୍କୁ, ଶୋଷକଙ୍କ ରକ୍ଷାକାରୀଙ୍କୁ। ଗୋଟିଏ କେବଳ ଉଦ୍ଦେଶ୍ୟ ରଖିଛି ଶୋଷିତଙ୍କ ଭିତରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି। କେଶବର ବିଦ୍ରୋହକୁ ନିରୀକ୍ଷଣ କଲେ ମାକସିମ୍ ଗର୍କିଙ୍କ "ମା" ଉପନ୍ୟାସର ଚରିତ୍ର 'ପାଭେଲ' ର ବିପ୍ଳବ କଥା ମନେପଡିଯାଏ। ଏ ଦୃଷ୍ଟିରୁ ଡକ୍ଟର ପଣ୍ଡା ଜଣେ କ୍ରାନ୍ତିକାରୀ ଔପନ୍ୟାସିକ, ଏଥିରେ କୌଣସି ଦ୍ୱିମତ ନାହିଁ।

କେଶବ ଚରିତ୍ର ମାଧ୍ୟମରେ କଥାକାର ୧୯୪୫ ମସିହାରୁ ପ୍ରାୟ ଚାଳିଶି ବର୍ଷର ଭାରତ ତଥା ଓଡିଶାର ରାଜନୀତିକ, ପ୍ରଶାସନିକ ଓ ସାମାଜିକ ସ୍ଥିତିକୁ ଦର୍ଶାଇ ଦେଇ ଆପଣାର ସାମାଜିକ ଅଙ୍ଗୀକାରବଦ୍ଧତାକୁ ସୂଚାଇ ଦେଇଛନ୍ତି। ସୁନାପୁଟ ହୋଇଛି ପ୍ରତୀକାତ୍ମକ ଭାବରେ ଶୋଷିତମାନଙ୍କର ଦୀର୍ଘଶ୍ୱାସ।

ଶୋଷିତଙ୍କ ପାଇଁ ସ୍ରଷ୍ଟାଙ୍କ ଆତ୍ମା ବିଳପିତ କଲାବେଳେ ଆଶାୟୀ ହୋଇଛି ଏକ ସୁନ୍ଦର ପୃଥିବୀ ପାଇଁ, ଶୋଷଣ ମୁକ୍ତ ସଂସାର ଲାଗି। ଔପନ୍ୟାସିକଙ୍କ ଭାଷାରେ-

"ଦିନେ ସତେ ତ ସବୁ ଠିକ୍ ହେବ

ସତେ ଦିନେ ସବୁ ଠିକ୍ ହେବ

ଯେଉଁ ସଂସାରକୁ ତୁ ଚାଲିଗଲୁ

ସେଠି ଶୋଷକ ନ ଥିବେ

ପୁଣି ଥରେ ତୁ ଯେବେ ଫେରିବୁ

ଏଇଠି ସୁନ୍ଦରତା ଥିବ

ଚଞ୍ଚକ ଓ ଶୋଷକ ନ ଥିବେ

ତୁ ଫେରିବୁ ଏ ଦୁନିଆକୁ

ଯେଉଁଠି ରାତି ଅନ୍ଧ ନ ଥିବ।"

(ସୁନାପୁଟର ଲୋକେ)

ଆଦିବାସୀମାନଙ୍କ ଆଢୁଆଳେ ଡକ୍ଟର ପଣ୍ଡା ସମସ୍ତ ମାନବ ଜାତି ପାଇଁ ଚିନ୍ତିତ ହୋଇପଡିଛନ୍ତି ଏବଂ ଏକ ଶୋଷଣମୁକ୍ତ ପୃଥିବୀର ସ୍ୱପ୍ନ ଦେଖିଛନ୍ତି।

ସ୍ଥାପିତ ସମସ୍ୟାରେ ସମାକୀର୍ଣ୍ଣ ଉକ୍ତ ଉପନ୍ୟାସ କିଛି ଅମୀମାଂସିତ ମାନବ ସମସ୍ୟାର ଖୁବ୍ କଳାତ୍ମକ ସାରସ୍ୱତ କଥାରୂପ। ଏହାର ବକ୍ତବ୍ୟ ସିନା ସୁନାପୁଟର ଲୋକଙ୍କର ଜୀବନ ଆଧାରିତ, ମାତ୍ର ତା’ର ଆଭିମୁଖ୍ୟ ସୁଦୂରପ୍ରସାରୀ। ସଭ୍ୟ ଶିକ୍ଷିତ ମଣିଷ କେତେବେଳେ ପୋଲିସ, କେତେବେଳେ ଫରେଷ୍ଟ ଗାର୍ଡ, କେବେ ସାହୁକାର ତ ଆଉ କେବେ ବ୍ୟବସାୟୀର ରୂପରେ ଏଇ ସରଳ ନିରୀହ ଜନଜାତିଙ୍କୁ ହଇରାଣ ଓ ଶୋଷଣ କରୁଥିବାର ଘୃଣ୍ୟ କାର୍ଯ୍ୟ ଔପନ୍ୟାସିକଙ୍କ ଚକ୍ଷୁ ଆଢୁଆଳୁ ବର୍ତ୍ତିଯାଇ ପାରି ନାହିଁ। ଅମାନବିକ ଗୋତି ପ୍ରଥା ଓ ଶୋଷଣ ବିରୋଧରେ ଏହି ଉପନ୍ୟାସ ସଭ୍ୟ ଶିକ୍ଷିତ ମଣିଷ ସମାଜ ଆଗରେ ଏକ ବଡ ଆହ୍ୱାନ ଭାବରେ ଛିଡା ହୋଇଛି।

ଉପନ୍ୟାସରେ ସୁନାପୁଟର ଲୋକଙ୍କ ଜୀବନରେ ସଭ୍ୟତାର ଆନନ୍ଦ ଅଳ୍ପ ମାତ୍ରାରେ ଆସିଛି। ସତେ କିଏ ମଣିଷମାନଙ୍କ ପାଇଁ ମାନବାଧିକାର ବୋଲି କିଛି ନାହିଁ।

ସ୍ରଷ୍ଟାଙ୍କ ଲେଖନୀରୁ -

"ସୁନାପୁଟର ଲୋକେ ହତଭମ୍ବ ଓ ବିର୍ବାକ୍ ହୋଇ ଧାଡି ଧାଡି ଶଗଡକୁ ଅନେଇଲେ। ମଝିରେ ମଝିରେ ଶଗଡିଆମାନେ ପଶି ଆସନ୍ତି ଗାଁକୁ।

ନେବେ ଧାନ, ମାଣ୍ଡିଆ, ମହୁଲ, କାନ୍ଦୁଲ, ଘିଅ, ମହୁ, ପାଳୁଅ, ଝୁଣା, ରାଶି, ଅଳସୀ, ଚମଡା। ବଦଳରେ ଦେଇଯିବେ ପ୍ଲାଷ୍ଟିକ ମାଳି, ନାଇଲନ୍ ରିବନ, ନାଲି ନେଳି ଜାମା ଓ ଶାଢି, ବାସ୍ନାତେଲ, ପିନ୍ କଣ୍ଟା, ରବର ଟାୟାରର ଜୋତା, ଜର୍ମାନ ସିଲଭରର ଖଡୁ, ଧୂଆଁ ପତ୍ର, ଚୂନ, ଚର୍ମରୋଗ ଓ ମଦ।” (ସୁନାପୁଟର ଲୋକେ)

ଆଲୋଚ୍ୟ ଉପନ୍ୟାସରେ ଆଦିବାସୀ ସମାଜର ଚଳଣି ବେଶ ଭାବଗମ୍ଭୀର ଠାଣିରେ ଉତ୍ତୋଳିତ। ସେଇ ସାମାଜିକ ସୁରକ୍ଷା ଓ ମାନବିକ ଅଧିକାର ସାବ୍ୟସ୍ତ କରିବାରେ ବିପ୍ଳବର ତୁର୍ଯ୍ୟନାଦ ହୋଇଛି ଏହାର ମୁଖ୍ୟ ବକ୍ତବ୍ୟ। କଥା ଓ କାହାଣୀର ଉପସ୍ଥାପନ ସକାଶେ ଆବଶ୍ୟକ ପଡିଛି ସଂପୃକ୍ତ ଜନଜାତିର ମଣିଷ ମୁହଁର ଭାଷା। ସେମାନଙ୍କ ସାଂସ୍କୃତିକ ଜୀବନ ସହ ଜଡିତ ଶବ୍ଦାବଳୀରୁ କେତୋଟି ହେଲା- ନୁନି, ଜମାନ୍, ଦର୍ତ୍ତନୀ, ଘୁଲ୍ ଘୁଲି, ସଲପ, ଡୁମା, ଡିଣ୍ଡା ଇତ୍ୟାଦି। ଆଦିବାସୀମାନଙ୍କ ଚାଲିଚଳଣି, ଭାଷା ସହିତ ସେମାନଙ୍କ ଲୋକଗୀତର ଅବତାରଣା ଉପନ୍ୟାସକୁ କରିଛି ଉଚ୍ଚକୋଟୀର।

ଶେଷତଃ ଡକ୍ଟର ପଣ୍ଡାଙ୍କ ଉକ୍ତ ଉପନ୍ୟାସରେ ସଂଘର୍ଷମୟ ଆଦିବାସୀ ଜୀବନଶୈଳୀର ଦୁଃଖଦ ଅଭିଲେଖର ଚମତ୍କାର ପରିସ୍ଫୁଟ ଦେଖାଯାଏ। ମଣିଷର ଜୀବନ ଜିଜ୍ଞାସା, ନ୍ୟାୟ ଅନ୍ୟାୟ, ଅତ୍ୟାଚାର କଥାର ଆଲେଖ୍ୟ ରହିଛି। ପାପ ସତ୍ତାର ବିଲୟ ଘଟି ସଂସାରରେ ସତ୍ୟ, ନ୍ୟାୟର ପ୍ରଚଳନକୁ ସର୍ବାଦୌ ସେ ଗ୍ରହଣ କରିଥିବାର ନିଦର୍ଶନ ଦେଖାଯାଏ। ଆଲୋଚ୍ୟ ଉପନ୍ୟାସରେ ଆଦିବାସୀ ସମାଜରେ ବିଦ୍ରୋହର ଅଗ୍ନିଶିଖା ପ୍ରଜ୍ଜ୍ଵଳିତ ପୂର୍ବକ ସଂସାରର ସମସ୍ତ ଶୋଷିତଙ୍କୁ ଅସୀମ ସାହସ ପ୍ରଦାନ କରି ସ୍ରଷ୍ଟା ଜଣେ ମହାନ ସାହିତ୍ୟ ସ୍ରଷ୍ଟାର ଆସନ ଗ୍ରହଣ କରିଛନ୍ତି।

ଜଣେ ଅସ୍ତିତ୍ୱବାଦୀ ଦାର୍ଶନିକ ଭଳି "Proper study of mankind is the man" କୁ ଗ୍ରହଣ କରି ଲେଖିନୀ ଚାଳନା କରିଛନ୍ତି। ସମଗ୍ର ମାନବ ସମାଜ ପାଇଁ ଔପନ୍ୟାସିକ ହୃଷୀକେଶ ପଣ୍ଡାଙ୍କ ଆତ୍ମା ରୋଦନ କରିଛି। ସଭ୍ୟ ଶିକ୍ଷିତମାନେ କର୍ତ୍ତବ୍ୟନିଷ୍ଠ ଏବଂ ସଚ୍ଚୋଟ ହୋଇ ସମାଜର ସେବା କରିବା ବିଧେୟ, ଏହା ତାଙ୍କ ଲେଖକୀୟ ଆଭିମୁଖ୍ୟ ହୋଇଛି। ଏଥିରୁ ଅନୁମିତ ହୁଏ ଯେ ତାଙ୍କ ମନ ଚୈତନ୍ୟ ସର୍ବଦା ଗାଇଛି- ସର୍ବେ ସୁଖୀନଃ ଭବନ୍ତୁଃ / ସର୍ବେ ସନ୍ତୁ ନିରାମୟାଃ / ସର୍ବେ ଭଦ୍ରାଣି ପଶ୍ୟନ୍ତୁଃ / ମାକଶ୍ଚିତ୍ ଦୁଃଖ ଭାଗ୍‌ଭବେତ୍।

ବାସ୍ତବରେ ଉକ୍ତ ଉପନ୍ୟାସଟି ମାନବିକ ସମ୍ବେଦନାର ଏକ ସମୃଦ୍ଧଶୀଳ ସାହିତ୍ୟ ସୃଷ୍ଟି ହୋଇପାରିଛି।

ଓଡିଆ ଅଧ୍ୟାପିକା, ସରକାରୀ ଏସ୍ଏସ୍‌ଡି, ଏଚ୍ଏସ୍, ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ

ବାଲିଶଙ୍କରା, ସୁନ୍ଦରଗଡ, ଦୂରଭାଷ: ୯୩୩୭୦୬୭୧୮୬