Health Tips: ଦୃଷ୍ଟି ଆକର୍ଷଣର ଇଚ୍ଛା, ମାନସିକ ରୋଗର ଲକ୍ଷଣ ନୁହେଁ ତ?

ନିଜ ଚାରିପାଖର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ବା ଆଟେନସନ୍ ପାଇବାର ଇଚ୍ଛାଟା ମଣିଷର ସହଜାତ। ବିଶେଷଜ୍ଞଙ୍କ ମତରେ କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ନ କରି ପାରୁଥିବା ମଣିଷ, ସବୁଦିନ ଏବଂ ବାରମ୍ବାର ଗାଳି ବା ତାଚ୍ଛଲ୍ୟ ସହୁଥିବା ମଣିଷଠାରୁ ମଧ୍ୟ ଅଧିକ ମାନସିକ ଯନ୍ତ୍ରଣା ଭୋଗିଥାଏ।

ଦୃଷ୍ଟି ଆକର୍ଷଣର ଇଚ୍ଛା, ମାନସିକ ରୋଗର ଲକ୍ଷଣ ନୁହେଁ ତ?

Health Tips: ଦୃଷ୍ଟି ଆକର୍ଷଣର ଇଚ୍ଛା, ମାନସିକ ରୋଗର ଲକ୍ଷଣ ନୁହେଁ ତ?

ଅନେକ ସମୟରେ ଲକ୍ଷ୍ୟ କରିଥିବେ, ଛୋଟ ଛୁଆମାନେ ପଡିଗଲେ ପାଖରେ କେହି ନଥିଲେ ନିଜେ ନିଜେ ଇଠି ପଡନ୍ତି କିନ୍ତୁ ମା'-ବାପା କିମ୍ବା ପ୍ରିୟଜନଙ୍କୁ ଦେଖିଲେ ଜୋରଜୋରରେ କାନ୍ଦନ୍ତି। ଆଉ ବେଳେବେଳେ ଘରର ବଡମାନେ କାମ କିମ୍ବା କଥାବାର୍ତ୍ତାରେ ବ୍ୟସ୍ତ ଥିଲେ ଜୋରରେ କାନ୍ଦିବା, ଜିନିଷ ଫୋପାଡ଼ିବା, ପାଟି କରିବା, ଅଦ୍ଭୁତ ନାଚକୁଦ କରିବା ଆଦି କରନ୍ତି। ଛୋଟପିଲାମାନେ ବଡମାନଙ୍କର ଧ୍ୟାନ ବା ଦୃଷ୍ଟି ନିଜ ଆଡକୁ ଆକର୍ଷିତ କରିବା ପାଇଁ ହିଁ ଏମିତି ସବୁ କାର୍ଯ୍ୟକଳାପ କରନ୍ତି।

ନିଜ ଚାରିପାଖର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ବା ଆଟେନସନ୍ ପାଇବାର ଇଚ୍ଛାଟା ମଣିଷର ସହଜାତ। ବିଶେଷଜ୍ଞଙ୍କ ମତରେ ଖାଦ୍ୟ ଏବଂ ନିଶ୍ୱାସପ୍ରଶ୍ୱାସ ପରି ନିଜ ଆଡକୁ ଅନ୍ୟର ଧ୍ୟାନ ଆକର୍ଷଣ କରିବା ବା ଆଟେନସନ୍ ସିକି°କୁ ମଧ୍ୟ ମଣିଷ ସେତିକି ଜରୁରୀ ଭାବେ। ଆମ ଦୈନନ୍ଦିନ କାର୍ଯ୍ୟକଳାପରେ ଅବଚେତନ ଭାବରେ ମଧ୍ୟ ଆମେ ଅଗଣିତ କାମ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ପାଇଁ କରିଥାଉ।

ମଣିଷ ଭିତରେ ତା' ପରିଚିତି, ତା' କଥାକୁ ସମସ୍ତେ ଶୁଣିବା ଏବଂ ବୁଝିବା, ଏସବୁର ଇଚ୍ଛା ଏତେ ପ୍ରବଳ ଥାଏ ଯେ, ଏସବୁ ନ ମିଳିବା ସ୍ୱାସ୍ଥ୍ୟ ଏବଂ ସାମାଜିକ ଜୀବନ ପାଇଁ ବିପଦଜନକ ହୋଇପାରେ। ଆମେ ଅନେକ ସମୟରେ ଶୁଣି ଏବଂ ପଢିଥାଉ ଯେ ମା'-ବାପା କିମ୍ବା ପରିଜନଙ୍କ ଦ୍ୱାରା ଅବହେଳିତ ହୋଇଥିବା ଶିଶୁ କିମ୍ବା ଆଟେନସନ୍ ପାଇ ନଥିବା ଶିଶୁଙ୍କ ଠାରେ ଭୟଙ୍କର ମାନସିକ ଅବସାଦ ଦେଖାଯିବା ସହ, ବ୍ୟବହାରିକ ଜ୍ଞାନର ଅଭାବ ଦେଖାଯାଏ।

ଚାରିପାଖର ଲୋକଙ୍କ ଦୃଷ୍ଟି ଆକର୍ଷଣ ନ କରିପାରିବାର ଅବସୋସ ଖାଲି ଶୈଶବ ବା କୈଶୋରାବସ୍ଥାରେ ନୁହେଁ ବର° ଆଡଲ୍ଟ ଅବସ୍ଥାରେ ମଧ୍ୟ ଜଣେ ମଣିଷର କାମକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ନ କରି ପାରୁଥିବା ମଣିଷ, ସବୁଦିନ ଏବଂ ବାରମ୍ବାର ଗାଳି ବା ତାଚ୍ଛଲ୍ୟ ସହୁଥିବା ମଣିଷଠାରୁ ମଧ୍ୟ ଅଧିକ ମାନସିକ ଯନ୍ତ୍ରଣା ଭୋଗିଥାଏ।

ଗବେଷକଙ୍କ ମତରେ ପାରିବାରିକ ଏବଂ ସାମାଜିକ ଅବହେଳା ମଣିଷ ଭିତରେ ଅଧିକ ରାଗ, ଦୁଃଖ, ଈର୍ଷା, ଅବସାଦ ଆଣିବା ସହ, ଅନିଦ୍ରା ତଥା ଦୁର୍ବଳ ଇମ୍ୟୁନିଟିର କାରଣ ମଧ୍ୟ ହୋଇଥାଏ।

ଭୋକ ଏବଂ ବିପଦ ସମୟରେ ନିଜ ପାଇଁ ଉପାୟ ଖୋଜିବା ପରି, ବିବର୍ତ୍ତନର ଧାରାରେ ମଣିଷ ଦୃଷ୍ଟି ଆକର୍ଷଣ ପାଇଁ ମଧ୍ୟ ନିଜେ ନିଜେ ପ୍ରସ୍ତୁତ ହୋଇଛି ଏବଂ ଉପାୟ ବାହାର କରିଛି। କିନ୍ତୁ ଯେତେବେଳେ ଏହି ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ମାତ୍ରାଧିକ ହେବା ସହ ମଣିଷର ବ୍ୟବହାରଗତ ପରିବର୍ତ୍ତନ ଆଣେ, ସେ ଚାରିପାଖର ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଏ, ଆକର୍ଷିତ ହେବା ବଦଳରେ ଅନ୍ୟମାନେ ପିଛାଛଡାଇବାକୁ ଚେଷ୍ଟା କରନ୍ତି ଏହା ସାଙ୍ଘାତିକ ମାନସିକ ରୋଗର ଲକ୍ଷଣ ହୋଇପାରେ।

କିଛି ଲୋକଙ୍କ ଭିତରେ ଏହି ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ଏତେ ପ୍ରବଳଥାଏ ଯେ ସେମାନେ କେବଳ ଅଦ୍ଭୁତ ଏବଂ ଅସହନୀୟ ବ୍ୟବହାର କରନ୍ତିନି ବର° ନିଜକୁ ଶାରୀରିକ ଆହତ କରିବା ଏବଂ ନିଶାସେବନ କରିବା ପରି କାର୍ଯ୍ୟ ମଧ୍ୟ କରିଥାନ୍ତି।

ଅନେକ ସମୟରେ ଦୃଷ୍ଟି ଆକର୍ଷଣର ଏହି ଅତ୍ୟଧିକ ଇଚ୍ଛା ବା ଆଟେନସନ୍ ସିକି° ପଛରେ ଅବହେଳିତ ଏବଂ ଅତ୍ୟାଚାରିତ ବା ଟ୍ରମାଟାଇଜ୍‌ଡ ପିଲାବେଳ, ସେକ୍ସୁଆଲ୍ ଆବ୍ୟୁଜ୍ ଏବଂ ଡିପ୍ରାଇଭେସନ୍, କାର୍ଯ୍ୟକ୍ଷେତ୍ର ଏବଂ ପାରିବାରିକ ଅସଫଳତା ଥାଏ। ଏମିତି ନାଟକୀୟ, ଅଶୋଭନୀୟ, ଲାଉଡ୍, ଆକ୍ରମକ ଏବଂ ଅସହନୀୟ ବ୍ୟବହାର ପଛରେ ଅନେକ ସମୟରେ ସେହି ମଣିଷମାନଙ୍କ ମନରେ ଗଭୀର ତଥା ଅପ୍ରକାଶିତ ପୀଡା ଏବଂ ଅବହେଳିତ ହେବାର ଭାବନା ଥାଏ।

ବିଶେଷଜ୍ଞଙ୍କ ମତରେ ଯଦି ଆପଣ ଘରେ, ଅଫିସ କିମ୍ବା ବନ୍ଧୁମିଳନରେ ମଧ୍ୟ ସର୍ବଦା ଦୃଷ୍ଟିଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଚେଷ୍ଟା କରୁଥାନ୍ତି; କୌଣସି ଘଟଣା କିମ୍ବା କଥାକୁ ବର୍ଣ୍ଣନା କଲାବେଳେ ଅତିରଞ୍ଜିତ ଏବଂ ନାଟକୀୟ ଢଙ୍ଗରେ କରୁଥାନ୍ତି; ସମସ୍ତ ଆଲୋଚନା ଏବଂ ଟିପ୍ପଣୀକୁ ନିଜ ଆଡକୁ ଇଙ୍ଗିତ ମନେକରନ୍ତି; ଯେକୌଣସି ଆଲୋଚନା ଏବଂ ମନ୍ତବ୍ୟରେ ଅତ୍ୟଧିକ ମର୍ମାହତ ତଥା ଆହତ ଅନୁଭବ କରନ୍ତି ତା’ହେଲେ ଆପଣ ଏକ ପ୍ରକାର Histrionic Personality Disorder , Attention Seeker Disorder ବା ଅତ୍ୟଧିକ ଦୃଷ୍ଟି ଆକର୍ଷଣ କରିବା ମାନସିକ ବ୍ୟାଧି ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ଏହା ମାନସିକ ବ୍ୟାଧି ନିରୁପଣ ମ୍ୟାନୁଆଲ୍ DSM-Vରେ Cluster B of personality disorder ଶ୍ରେଣୀଭୁକ୍ତ। ଏହି ଶ୍ରେଣୀ ଅନ୍ତର୍ଗତ ମାନସିକ ଅବସ୍ଥାରେ ମଣିଷ ପକ୍ଷରେ ନିଜ ଭାବନା ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା କଷ୍ଟକର ହୋଇପଡେ।

ଅତ୍ୟଧିକ ଦୃଷ୍ଟି ଆକର୍ଷଣର ଲକ୍ଷଣ :

ମାନସିକରୋଗ ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ ଦୃଷ୍ଟି ଆକର୍ଷଣ କରିବା ବ୍ୟାଧି ଅନେକ ଦିନଧରି ଭୋଗିଥିବା ପାରିବାରିକ ଏବଂ ସାମାଜିକ ଅବହେଳା ଏବଂ ଅତ୍ୟାଚାର ପ୍ରତି ମଣିଷ ମସ୍ତିଷ୍କର ନିଜକୁ ରକ୍ଷା କରିବାର ଗୋଟିଏ ରେସ୍‌ପନ୍ସ ବା ରିଆକ୍‌ସନ୍ ସିଷ୍ଟମ୍‌। ଅନେକ ସମୟରେ ଏହା କେବଳ ନାଟକୀୟ ତଥା ଅଦ୍ଭୁତ ବ୍ୟବହାରରେ ସୀମିତ ନ ରହି ଭୟଙ୍କର ମାନସିକ ଅବସାଦ, ନିଜକୁ ଶାରୀରିକ କ୍ଷତି ତଥା ଆତ୍ମହତ୍ୟା ପ୍ରବଣତା ମଧ୍ୟ ଆଣିପାରେ।

ଯଦି ଆପଣ ନିଜ ପ୍ରିୟଜନଙ୍କ ମଧ୍ୟରେ ଏ ପ୍ରକାର ବ୍ୟବହାରଗତ ଲକ୍ଷଣ ଦେଖୁଥାନ୍ତି, ତାହେଲେ ସେମାନଙ୍କ ସହ ସ୍ନେହପୂର୍ଣ୍ଣ ବ୍ୟବହାର ଏବଂ କଥାବାର୍ତ୍ତା କରନ୍ତୁ। ଏହି ବ୍ୟବହାରଗତ ମାନସିକ ବ୍ୟାଧିର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ନିଜ ପ୍ରିୟଜନଙ୍କୁ ଆଗାମୀ ବିପଦରୁ ରକ୍ଷାକରିବା ପାଇଁ, ମାନସିକରୋଗ ବିଶେଷଜ୍ଞ ବା ସାଇକିୟାଟ୍ରିଷ୍ଟ୍‌ଙ୍କ ସହାୟତା ନିଅନ୍ତୁ। କଥାବାର୍ତ୍ତା ଏବଂ କାଉନ୍‌ସେଲିଂ ଦ୍ୱାରା ରୋଗର ପ୍ରକୃତ କାରଣ ଜାଣି ତା’ର ଚିକିତ୍ସା କରିବା ସହଜ ଏବଂ ସମ୍ଭବ।

ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)