ଇଏ କେମିତିକା ଉନ୍ନତୀକରଣ? ୨୦ ବର୍ଷ ହେଲା ହେଉଛି?

ଭୟଙ୍କର ଦୁର୍ନୀତି ! ୨୦ ବର୍ଷ ହେଲାଣି ପୋଖରୀର ଉନ୍ନତୀକରଣ ଚାଲିଛି ଯେ ସରିବାର ନା ନେଉନି । ଯେଉଁଠି ଦିନେ ଲୋକେ ଗାଧୋଉ ଥିଲେ ଆଜି ସେଇ ପାଣିରେ ଗୋଡ ଧୋଇବାକୁ ଇଚ୍ଛା କରୁନାହାନ୍ତି ଲୋକେ

Pond rejuvenation

ପୋଖରୀ ସାରା ଭର୍ତ୍ତି ହୋଇ ରହିଛି ମଇଳା । ଆଜି କି କାଲିର ନୁହେଁ ବରଂ ମାସମାସ ଧରି ପଡି ରହିଛି ଅଳିଆ । ସ୍ଥିତି ଏମିତି ହେଲାଣି ଯେ ପଚିସଢି ସେ ଗୁଡ଼ିକ ଦୁର୍ଗନ୍ଧ ହେଲାଣି କିନ୍ତୁ ସଫା ହେବାର ନାଁ ଧରୁନି । ସେପଟେ ପୂରା ଦଳରେ ଭର୍ତ୍ତି ହୋଇ ରହିଛି ପୋଖରୀ । ଦୂରରୁ ଯିଏ ଦେଖୁଛି ସିଏ କହୁଛି ଏଇଟା ପୋଖରୀ ନୁହେଁ ବରଂ ଖେଳ ପଡ଼ିଆ । ପୋଖରୀ ଭିତରେ ମେସିନ ପଶିଛି, ଦଳ ସଫା ଚାଲିଛି । ଲକ୍ଷ୍ୟ ରହିଛି ପୋଖରୀ ପୁନରୁଦ୍ଧାର ହେବ, ସ୍ଥାନୀୟ ଲୋକଙ୍କ କାମରେ ଲାଗିବ । ହେଲେ ବାସ୍ତବତା କଣ ସେ ଦୃଶ୍ୟ ସମସ୍ତଙ୍କ ସାମ୍ନାରେ । କୋଟି କୋଟି ଟଙ୍କା ବ୍ୟୟରେ ପୋଖରୀ ସଫା ହେଉଛି ସତ ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଅର୍ଥାତ୍ ପୋଖରୀରୁ ଦଳ ସଫା ହେଉନି କି ଲୋକଙ୍କ କାମରେ ଲାଗୁନି ।

ଅଧିକ ପଢ଼ନ୍ତୁ: ଚରମସୀମାରେ ଦୁର୍ନୀତି, ଏସ୍‌ପି ଅଫିସ ରାସ୍ତା ମାସେ ନପୁରୁଣୁ ଫାଟି ଆଁ କଲାଣି

ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୪୮ ପୋଖରୀ ରହିଛି । ହେଲେ ପୋଖରୀ ବର୍ତ୍ତମାନ ସ୍ଥିତିରେ ଖେଳ ପଡ଼ିଆର ଭ୍ରମ ସୃଷ୍ଟି କରୁଛି । ଯେଉଁ ପୋଖରୀକୁ ଦେଖିଲେ ସମଦଶା ପରି ସ୍ଥିତି । ଇଏ ହେଉଛି ବଡ଼ବଜାର ନିକଟସ୍ଥ ହରିଡ଼ାଖଣ୍ଡିର ପୋଖରୀ । ଦିନ ଥିଲା ବଡ଼ବଜାରକୁ ଲୋକେ ମାକେର୍ଟିଂ କରିବାକୁ ଆସିଲେ ସେହି ପୋଖରୀ ଗୁଡ଼ିକରେ ଲୋକେ ଗାଧୋଇବା, ପିଇବା ପାଇଁ ବ୍ୟବହାର କରୁଥିଲେ । ହେଲେ ୨୦ ବର୍ଷ ହେବ ପୋଖରୀର ଏମିତି ଅବସ୍ଥା ହେଲାଣି ଯେ ଏଠିକାର ପାଣିକୁ ଲୋକେ ଛୁଇଁବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।

ଖାଲି ଇଏ କାହିଁକି ?ଗୋଷାଣିନୂଆ ଗାଁର ଶାଳିଆବନ୍ଧ। ପୋଖରୀର ବି ସମଦଶା । ପାଖରେ ରହିଛି ଶ୍ମଶାନ । ଶବସତ୍କାର ହେଲେ ଲୋକେ ଏଇ ପୋଖରୀରେ ଗାଧୁଆପାଧୁଆ କରୁଥିଲେ । ହେଲେ ଏବେର ସ୍ଥିତି ଦେଖିଲେ ପାଖକୁ ପଶିବାକୁ ବି ଇଚ୍ଛା ହେବନି ।  କେବଳ ଏହି ଦୁଇ ପୋଖରୀ ନୁହେଁ ବରଂ ମହାନଗର ମଧ୍ୟରେ ଥିବା ୪୮ପୋଖରୀର ଏଭଳି ଅବସ୍ଥା । ବାରମ୍ବାର ଅଭିଯୋଗ ପରେ ଏବେ ପ୍ରଶାସନର ନିଦ ଭାଙ୍ଗିଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୋଖରୀକୁ ସଫା କରାଯାଉଥିବା ବେଳେ ଆଗାମୀ ଦିନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ଦାୟିତ୍ୱ ଦିଆଯିବ ବୋଲି କମିଶନର କହିଛନ୍ତି ।

ଦେଖନ୍ତୁ ଭିଡିଓ | ୧୩ ବର୍ଷ ହେଲା ସରୁନି ଅଙ୍ଗନବାଡ଼ି ଘର

ସବୁଠୁ ଗୁକରୁତ୍ୱପୂର୍ଣ୍ଣ କଥା ହେଲା, ବର୍ଷବର୍ଷ ଧରି ପୋଖରୀର ଅବସ୍ଥା ଖରାପ । ଅଭିଯୋଗ ପରେ କୋଟି କୋଟି ଟଙ୍କା ବ୍ୟୟରେ ପୋଖରୀ ସଫା ହେଉଛି । ହେଲେ ଅଧିକାରୀ ବଦଳିଗଲେ ପୁଣି ଥରେ ପୋଖରୀର ଅବସ୍ଥା ବଦଳିଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖାଲି ଏତିକି ନୁହେଁ ବରଂ ଆଗାମୀ ଦିନରେ ପୋଖରୀ ସଫା ନହେଲେ ବଡ଼ ଧରଣର ଆନ୍ଦୋଳନ ହେବା ନେଇ ଚେତାଇ ବି ଦେଇଛନ୍ତି । ସମୟ କହିବ, କେବେ ବ୍ରହ୍ମପୁରର ମହାନଗରରେ ସଫା ହେଉଛି ପୋଖରୀ ।

ବ୍ରହ୍ମପୁରରୁ କ୍ୟାମେରା ପର୍ସନ ପ୍ରଶାନ୍ତଙ୍କ ସହ ଜଗନ୍ନାଥ ସାହୁଙ୍କ ରିପୋର୍ଟ ଓଟିଭି