ଛତୁଆ ବଦଳରେ ଛୁଆଙ୍କୁ ମାଣ୍ତିଆ!! କୁପୋଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ । ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।

Malnutrition Prevention

ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ । ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଆଜି ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଛତୁଆର ମାନକୁ ନେଇ ସବୁବେଳେ ବିବାଦ ଏବଂ ନିକଟରେ ବିଧାନସଭାରେ ବି ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ମାଆ ଓ ଶିଶୁଙ୍କୁ ମିଳୁଥିବା ଛତୁଆର ମାନକୁ ନେଇ ଖୋଦ୍ ଉପମୁଖ୍ୟମନ୍ତ୍ରୀଙ୍କ ଗଭୀର ଉଦବେଗ । ପୋଷଣ ମାସ ପାଳନ ବେଳେ ଅପପୁଷ୍ଟିର ଶିକାର ପିଲାଙ୍କ ପୋଷଣ ବୃଦ୍ଧି ପାଇଁ ଅଙ୍ଗନୱାଡ଼ି ସୁପରଭାଇଜରଙ୍କୁ ପରାମର୍ଶ ।

ଆଜି ଭୁବନେଶ୍ୱରରେ ପୋଷଣ ମାସ ପାଳନର ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇ, ପିଲାଙ୍କ ଅପପୁଷ୍ଟି ଦୂର ପାଇଁ ବର୍ଷ ବର୍ଷ ଧରି ପ୍ରଚଳିତ ଛତୁଆ ବ୍ୟବସ୍ଥା ସମ୍ପର୍କରେ ଏମିତି କହିଛନ୍ତି ପ୍ରଭାତୀ । ସେ କହିଛନ୍ତି, ଏଣିକି ରାଜ୍ୟର ସବୁ ଜିଲ୍ଲାରେ ଶିଶୁ ଓ ମାଆମାନଙ୍କୁ ବାଧ୍ୟତାମୂଳକ ଭାବେ ଛତୁଆ ଦିଆ ନଯିବା ଉପରେ ବିଚାର କରାଯାଉଛି ।

ଆଞ୍ଚଳିକତା ଭିତ୍ତିରେ ରୁଚିକର ଏବଂ ଉପଲବ୍ଧତା ଅନୁସାରେ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ଯେପରିକି ମିଲେଟ୍ ବା ମାଣ୍ଡିଆ, ବାଜରା ଭଳି ଖାଦ୍ୟଶସ୍ୟ ଦିଆଯାଇ ପାରିବ ବୋଲି କହିଛନ୍ତି ପ୍ରଭାତୀ । ଓଡ଼ିଶାରେ ଗର୍ଭବତୀ ମାଆ ଓ ଶିଶୁଙ୍କ ପୁଷ୍ଟି ସାଧନ ଉଦ୍ଦେଶ୍ୟରେ ପୂର୍ବ ସରକାର ଅମଳରୁ ବର୍ଷ ବର୍ଷ ଧରି ଚାଲି ଆସୁଛି ଛତୁଆ ଯୋଜନା ।

କିନ୍ତୁ ଏ ଛତୁଆ ଯେ ବାସ୍ତବରେ ପିଲାଙ୍କ ପୁଷ୍ଟି ସାଧନ କରୁନାହିଁ, ତାକୁ ନେଇ ଅନେକ ସମୟରେ ବିବାଦ ଛିଡ଼ା ହୋଇଛି । ଛତୁଆର ଗୁଣ ଓ ମାନକୁ ନେଇ କେତେବେଳେ ବ୍ଲକ, ଜିଲ୍ଲା ତ ଆଉ କେତେବେଳେ ରାଜ୍ୟସ୍ତରରେ ହୋଇଛି ତୁମ୍ବି ତୋଫାନ । ଗତ ଅଗଷ୍ଟ ୩୧ ତାରିଖରେ ବିଧାନସଭାରେ ଛତୁଆର ମାନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ।

ଏହାପରେ ଘଟଣାର ଯାଞ୍ଚ ପରେ ବିଧାନସଭାକୁ ତଦନ୍ତ ରିପୋର୍ଟ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ବେଳେ ଛତୁଆକୁ ନେଇ ସରକାର ଯେ, ନିନ୍ଦା ସହୁଛନ୍ତି, ସେ କଥା କହିବାକୁ ଭୁଲନଥିଲେ ପ୍ରଭାତୀ । ତା ସହ ରାଜ୍ୟରେ ଅପପୁଷ୍ଟି ଓ ରକ୍ତହୀନତାରେ ପୀଡ଼ିତ ଶିଶୁ ଓ ମାଆଙ୍କ ତଥ୍ୟ ରଖି ରାଜ୍ୟର ଉତ୍କଟ ସ୍ଥିତିକୁ ଦର୍ଶାଇଥିଲେ ଉପମୁଖ୍ୟମନ୍ତ୍ରୀ ।

କହିଥିଲେ, ଓଡ଼ିଶାରେ ଏବେ ବି ୧୦ ଲକ୍ଷରୁ ଅଧିକ ଶିଶୁ ବାମନ, ୨୦ ଲକ୍ଷ ମାଆ ରକ୍ତହୀନତାର ଶିକାର ଏବଂ ୫ ଲକ୍ଷ ଶିଶୁ ଦୁର୍ବଳ ମାଂସପେଶୀ ଜନିତ ସମସ୍ୟାରେ ପୀଡ଼ିତ । ତେଣୁ ଆଗକୁ ରାଜ୍ୟକୁ କୁ-ପୋଷଣଠୁ ଦୂରେଇ ରଖିବାକୁ ମିଶନ ମୋଡରେ କାମ ପାଇଁ ବିଭାଗୀୟ ଅଧିକାରୀ ତଥା ଆଇସିଡିଏସ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।