କେଉଁଠି ସରକାରୀ ଫାଇଦା ନେଉଥିଲେ ଅଣଚାଷୀ, ତ କେଉଁଠି ଦଳୀୟ ଭିତ୍ତିରେ ବଣ୍ଟା ହେଉଥିଲା କାଳିଆ ଟଙ୍କା। ବିଜେଡି ସରକାର ବେଳେ ବଡ଼ ମୁଦ୍ଦା ପାଲଟିଥିଲା ଏ ଅଭିଯୋଗ। କିନ୍ତୁ ଏସବୁ କାରବାରରେ ଲଗାମ ଦେବାକୁ ଆଉ ବାଟମାରଣା ରୋକିବାକୁ ନୂଆ ସରକାର କରିବେ ଚାଷୀ ସର୍ଭେ। ସବୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର ଖୋଲି ଜାନୁଆରିରୁ ଆରମ୍ଭ କରିବେ ଚାଷୀଙ୍କ ପଞ୍ଜିକରଣ। ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏସଓପି ବାବଦରେ ଅବଗତ କରିଛି କୃଷି ବିଭାଗ। ତେବେ ଏଥିପାଇଁ ଚାଷୀ କେମିତି ରେଜିଷ୍ଟ୍ରେସନ୍ କରିବେ ଓ ଏଥିପାଇଁ କଣ କଣ ଡକ୍ୟୁମେଣ୍ଟ ଦେବାକୁ ପଡିବ। ଆସନ୍ତୁ ଜାଣିବା...
ପ୍ରକୃତ ଚାଷୀ ଖୋଜିବେ ମୋହନ ସରକାର। ନୂଆ ବର୍ଷରୁ ନୂଆ ସର୍ଭେ। ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ। ଜାନୁଆରୀରୁ ପଞ୍ଜିକରଣ ଆରମ୍ଭ। ଚାଷୀଙ୍କୁ ମିଳିବ ୧୪ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର। ଏଥିପାଇଁ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳ ମାନଙ୍କୁ ଆକ୍ସନ ପ୍ଲାନ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ବା ଏସଓପିକୁ ପଠାଇଛି କୃଷି ବିଭାଗ। ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୧ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସର୍ଭେ ଚାଲିବ। ଏଥିପାଇଁ ସବୁ ପଞ୍ଚାୟତରେ ଖୋଲିବ ସ୍ୱତନ୍ତ୍ର ଶିବିର। ଯେଉଁ ଶିବିରରେ ୨ଜଣ ଲେଖାଏଁ ଗ୍ରାମ୍ୟ କୃଷି ସେବକ, ଜଣେ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହିବେ। ଚାଷୀଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥାନୀୟ କୃଷକ ସାଥୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର, ବ୍ଲକ୍ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ମଧ୍ୟରୁ ଜଣେ ରହିବେ। ଚାଷୀମାନେ ନିଜର ଆଧାର କାର୍ଡ, ଆଧାର ଲିଙ୍କ ଥିବା ମୋବାଇଲ ଫୋନ୍, ଜମି ପଟ୍ଟା ( ଯାହା ଭୂଲେଖରେ ରେକର୍ଡ ଥିବ) ଅବା ଖର୍ଦ୍ଦି ଦଲିଲ ଦାଖଲ କରି ପଞ୍ଜିକରଣ କରିବେ।
Also Read
ଅଧିକ ପଢ଼ନ୍ତୁ: ପୁଣି ରାଜନୀତିକୁ ଫେରିବେ କି ରଘୁବର ଦାସ ? ଇସ୍ତଫା ପରେ ବଢିଲା ଚର୍ଚ୍ଚା
ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି ଶିବିରରେ ପିଏମ୍ କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, କୃଷକ ଓଡ଼ିଶାର ହିତାଧିକାରୀଙ୍କ ପଞ୍ଜିକରଣ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ଯାହାକି ୩ଟି ମାଧ୍ୟମରେ ବ୍ୟକ୍ତିଗତସ୍ତରରେ ଏଗ୍ରିଷ୍ଟାକ୍ ୱେବସାଇଟ୍ ଅବା ଆପ୍ ଜରିଆରେ, ଜନସେବା କେନ୍ଦ୍ରରେ ଓ ସହାୟକ ମଡେଲକୁ ଉପଯୋଗ କରି ଚାଷୀ ପଞ୍ଜିକରଣ କରାଯିବ।
ମୋହନ ସରକାରଙ୍କ ଏହି ନିଷ୍ପତ୍ତି ପରେ ବେଶ୍ ଖୁସ୍ ସରକାରୀ ଯୋଜନାରୁ ବାଦ ପଡ଼ିଥିବା ଚାଷୀ। ଅତାବିରାର ଚାଷୀ ଦଶରଥ ଭୋଇ ବାପ-ଅଜା ଅମଳରୁ ଚାଷ କରି ଆସୁଛନ୍ତି। କିନ୍ତୁ ଏଯାଏଁ କୌଣସି ସରକାରୀ ଯୋଜନା ପାଇ ନାହାନ୍ତି। କାଳିଆ ଯୋଜନାରୁ ବାଦ, ପିଏମ କିଷାନରୁ ବାଦ। ସେହିପରି ଆଉ ଜଣେ ଚାଷୀ ବରଗଡ଼ର ସୁରେଶ ନିକାଣ୍ଟି ତାଙ୍କ ନାଁ ବି ସରକାରଙ୍କ ଚାଷୀ ତାଲିକାରେ ନାହିଁ। ତେଣୁ ପ୍ରକୃତ ଚାଷୀଙ୍କୁ ସରକାରୀ ଯୋଜନାରେ ସାମିଲ ପାଇଁ ସରକାର ସର୍ଭେ କରିବାକୁ ଯାଉଥିବା ଖବରରେ ଉଭୟେ ବେଶ୍ ଆଶାବାଦୀ।
ପୁରୁଣା ସରକାରରେ ଅଣଚାଷୀ ଏବଂ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା। ତେଣୁ ଚାଷୀ ସହାୟତାର ବାଟମାରଣାରେ ପୂର୍ଣ୍ଣଚ୍ଛେଦ ପକାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଏବଂ କାର୍ଯ୍ୟକ୍ରମ ପ୍ରଦାନ ନିମନ୍ତେ ମୋହନ ସରକାରଙ୍କ ଏ ଡିଜିଟାଲ ଡାଟାବେସ୍ କେତେ ସଫଳ ହେଉଛି ତାଉପରେ ନଜର।