ଓଟିଭି ପ୍ରଭାବ ! ଅବସର ପରେ ଅଧିକାରୀଙ୍କୁ ମନଇଚ୍ଛା ପୁନଃନିଯୁକ୍ତିରେ ରୋକ୍

ନୂଆ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର । ମୋଟ୍ ପଦବିର ୧ ପ୍ରତିଶତ ଦିଆଯାଇପାରିବ ପୁନଃନିଯୁକ୍ତି ।

Retired Officer

ସରକାରୀ ଚାକିରିରୁ ଅବସର ପରେ ପୁନଃନିଯୁକ୍ତି ପରଂପରାକୁ ବନ୍ଦ କରିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ। କଡ଼ା ହେଲା ପୁନଃନିଯୁକ୍ତି ନିୟମ। ଆସିଲା ନୂଆ ଗାଇଡଲାଇନ୍। ଅତି ଆବଶ୍ୟକ ନଥିଲେ ଦିଆଯିବନି ପୁନଃନିଯୁକ୍ତି । ଖାଲି ପଦବୀକୁ ପୂରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବ ବିଭାଗ। ଯଦି ତା ସତ୍ତ୍ୱେ ବି ପୁନଃନିଯୁକ୍ତି ପାଇଁ ବିଭାଗ ନିଷ୍ପତ୍ତି ନିଏ ତାହେଲେ ବିଜ୍ଞାପନ ଜରିଆରେ ସୂଚିତ କରିବାକୁ ପଡିବ।

ସେଥିପାଇଁ ଏକ ଚୟନ ପ୍ରକ୍ରିୟା ରହିବ। ଯେଉଁଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ରହିବ। ଯେଉଁଥିରେ ସାଧାରଣ ପ୍ରଶାସନ ଏବଂ ଅର୍ଥ ବିଭାଗର ସଚିବ ସଦସ୍ୟ ରହିବେ। ନୂଆ ଗାଇଡଲାଇନ ଅନୁସାରେ ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ ଥିବା ଅଧିକାରୀଙ୍କୁ ହିଁ ପୁନଃନିଯୁକ୍ତି ଦିଆଯିବ। ଉକ୍ତ ଅଧିକାରୀ ଶାରିରୀକ ଭାବେ ଫିଟ୍ ଥିବା ଦରକାର। ତାଙ୍କର ସିସିଆର ଆଉଟ୍‌ଷ୍ଟାଣ୍ଡିଂ ଥିବା ଆବଶ୍ୟକ। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଯଦି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଚାରଯୋଗ୍ୟ ଥିବ ତାହେଲେ ତାଙ୍କୁ ପୁନଃନିଯୁକ୍ତି ଦିଆଯାଇ ପାରିବନି।

ପୁନଃନିଯୁକ୍ତି ଅବଧି ୧ ବର୍ଷ ରହିବ। ପରେ ଏହା ୩ ବର୍ଷ ଯାଏଁ ବି ବଢାଇପାରିବେ ସରକାର। ମୋଟ ପଦବୀର ମାତ୍ର ୧ ପ୍ରତିଶତ ପଦବୀରେ ହିଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇପାରିବ।

ପୂର୍ବ ସରକାର ଅନେକ ଅଧିକାରୀଙ୍କୁ ଅଯଥା ପୁନଃନିଯୁକ୍ତି ଦେଇଥିବା କଥା ମଧ୍ୟ ସାଧାରଣ ପ୍ରଶାସନ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏମିତି କି ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦେବା ପୂର୍ବ ସରକାରଙ୍କ ନୀତି ସାଜିଥିଲା। ଏଭଳି ଗାଦିମଡ଼ା ବାବୁଙ୍କ ସଂପର୍କରେ ଓଟିଭିରେ ମଧ୍ୟ ଏକାଧିକ ରିପୋର୍ଟ ପ୍ରସାରଣ ହୋଇଥିଲା। 

ସେପଟେ ନୂଆ ସରକାର ଗଠନ ହେବା ପରେ କେଉଁ ବିଭାଗରେ କେତେ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇଛି ସେନେଇ ସମସ୍ତ ବିଭାଗକୁ ତଥ୍ୟ ମାଗିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆଉ ଏହି ତଥ୍ୟ ମାଗିବା ପରେ ଆରମ୍ଭ ହୋଇଥିଲା ଇସ୍ତଫା ପର୍ବ। ନିକଟରେ ନିଜ ଆଡୁ ଇସ୍ତଫା ଦେଇଥିଲେ ଏକ୍ସଟନସନ ନେଇଥିବା ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏବଂ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଶାରଦା ପଣ୍ଡା। ବଡ କଥା ହେଲା ଏବେ ବି ଅନେକ ଅବସରପ୍ରାପ୍ତ ଅଧିକାରୀ ବିଭିନ୍ନ ବିଭାଗରେ ପୁନଃନିଯୁକ୍ତି ହୋଇ ରହିଛନ୍ତି। କାହାର ୬ ମାସ ତ କାହାର ୧ ବର୍ଷ ଯାଏଁ ଅବସର ପରେ ଏକ୍ସଟନସନ କରିଛନ୍ତି ପୂର୍ବ ସରକାର।

ନୂଆ ନିଯୁକ୍ତି ଓ ବେକାରୀ ସମସ୍ୟା ପଛରେ ପୂର୍ବ ସରକାରଙ୍କ ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ ନୀତି ଏକ ବଡ଼ କାରଣ ସାଜିଥିଲା। ଏହା ସହ ପୁନଃନିଯୁକ୍ତି ଆଶାରେ ଅନେକ ଅଧିକାରୀ ସରକାରଙ୍କ ହାତବାରିସୀ ସାଜିବାକୁ ବି ପଛାଉନଥିଲେ। ତେଣୁ କ୍ଷମତାକୁ ଆସୁ ଆସୁ ପ୍ରଶାସନିକ କଳରେ ଏହି ସମସ୍ୟାକୁ ଗୁରୁତର ସହ ନେଇଥିଲେ ମୋହନ ସରକାର।