Advertisment

ସୁସ୍ଥ ଅଛନ୍ତି ଟନେଲରେ ଫସିଥିବା ଶ୍ରମିକ, ଆହୁରି ୫ ଦିନ ଲାଗିପାରେ ରେସ୍କ୍ୟୁ ଅପରେସନ

ଏଣ୍ଡୋସ୍କୋପି କ୍ୟାମେରାରୁ ଶ୍ରମିକଙ୍କ ତାଜା ଚିତ୍ରକୁ ନେଇ ଉତ୍ସାହ । ସୁରକ୍ଷିତ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଜାରି ।

Uttarkashi Tunnel Tragedy

Uttarkashi Tunnel Tragedy

Advertisment

ଚରମ ଆଶ୍ୱସ୍ତି... ସୀମାହୀନ ଖୁସି। ୧୦ ଦିନ ପରେ ଆସିଛି ତୃପ୍ତି ଓ ଆନନ୍ଦର ମୁହୂର୍ତ୍ତ। ସୁସ୍ଥ ଅଛନ୍ତି ଉତ୍ତରକାଶୀ ସିଲକ୍ୟାରା ସୁଡ଼ଙ୍ଗ ଭିତରେ ଫସିଥିବା ସମସ୍ତ ୪୧ ଜଣ ଶ୍ରମିକ। ଡ୍ରିଲ ସାହାଯ୍ୟରେ ୬ ଇଞ୍ଚ ଓସାରିଆ ପାଇପରେ ଶ୍ରମିକଙ୍କ ପାଖକୁ ପଠାଯାଇଥିଲା ଏଣ୍ଡୋସ୍କୋପି କ୍ୟାମେରା । ଯେଉଁଥିରେ ସାମ୍ନାକୁ ଆସିଛି ସୁଡଙ୍ଗ ଭିତରର ତାଜା ଚିତ୍ର। ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କୁ କ୍ୟାମେରାରେ ଦେଖିଛନ୍ତି ଉଦ୍ଧାରକାରୀ ଦଳ ଓ ପରିବାର ସଦସ୍ୟ। କଥାବାର୍ତ୍ତା ମଧ୍ୟ ହୋଇଛନ୍ତି ।

Advertisment

ଦୀର୍ଘ ୯ ଦିନ ପରେ ଶ୍ରମିକମାନେ ଖାଇଛନ୍ତି ଗରମ ରନ୍ଧାଖାଦ୍ୟ। ପୂର୍ବରୁ ଭିତରକୁ ଯାଇଥିବା ୪ ଇଞ୍ଚ ଓସାରର ପାଇପରେ କେବଳ ଶୁଖିଲା ଖାଦ୍ୟ ଓ ପାନୀୟ ପଠାଯାଉଥିଲା। ଗତକାଲି ୬ ଇଂଚର ପାଇପ ଦେଇ ଶ୍ରମିକଙ୍କ ପାଖକୁ ଖେଚୁଡି, ଡାଲି ଏବଂ ଦଲିଆ ପଠାଯାଇଛି। ରନ୍ଧାଖାଦ୍ୟକୁ ସିଲିଣ୍ଡର ଆକୃତିର ଛୋଟଛୋଟ ବୋତଲରେ ଭର୍ତ୍ତି କରିବା ପରେ ସତର୍କତାର ସହ ଶ୍ରମିକଙ୍କ ପାଖରେ ପହଁଚାଯାଇଛି। ପ୍ରତି ଶ୍ରମିକଙ୍କ ପାଇଁ ପଠାଯାଇଛି ୭୫୦ ଗ୍ରାମର ଖାଦ୍ୟ। ଏଥିସହ କିଛି ଫଳ, ୱାକିଟକି, ଚାର୍ଜର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ମଧ୍ୟ ପଠାଯାଇଛି। ଆଜି ସକାଳୁ ଜଳଖିଆ ବି ଯାଇଛି।

କଳ-ବଳ-କୌଶଳ ଲଗାଇ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ। ଏବେ କରାଯାଇଛି ନୂଆ ରଣନୀତି। ଟନେଲର ତିନି ପଟୁ ଡ୍ରିଲିଂ କରାଯାଉଛି। ଯେଉଁଠି ଶ୍ରମିକମାନେ ଫସିଛନ୍ତି ତାର ବାମ ଓ ଡାହାଣ ପଟୁ ଡ୍ରିଲିଂ କରାଯାଉଛି। ତା ସହିତ ଉପରୁ ମଧ୍ୟ ହୋଲ୍ କରାଯାଇ ଯେ କୌଣସି ମତେ ଶ୍ରମିକଙ୍କ ପାଖରେ ପହଁଚିବାକୁ ହୋଇଛି ଯୋଜନା। ଏଥିପାଇଁ ୫ଟି ଟିମ୍ ରାତି ଦିନ କାମ କରୁଛନ୍ତି। ଏବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି DRDOର ରୋବୋଟିକ ଟିମ୍ । ଇଣ୍ଟରନ୍ୟାସନାଲ ଟନେଲ ଏକ୍ସପର୍ଟ ଟିମ୍ ବି ଉଦ୍ୟମ ଜାରି ରଖିଛି। 

Advertisment

ଉତ୍ତରକାଶୀର ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବଡ଼ ବଡ଼ ପାଇପ୍ ମଧ୍ୟ ଯାଇଛି। ପାଇପଗୁଡ଼ିକୁ ନେବା ପାଇଁ ରାଉରକେଲା ବିମାନ ବନ୍ଦରରେ ପହଁଚିଥିଲା ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ। କ୍ରେନ୍ ଯୋଗେ ବିଶାଳ ପାଇପଗୁଡିକୁ ବିମାନରେ ଭର୍ତ୍ତି କରାଯାଇଥିଲା।

ପରେ ଉତ୍ତରକାଶୀ ଅଭିମୁଖେ ଉଡିଥିଲା ବାୟୁସେନାର ସ୍ୱତନ୍ତ୍ର ବିମାନ। ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ଯେଉଁଥିରେ ୫ ଜଣ ଓଡ଼ିଆ ମଧ୍ୟ ରହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ଉଦ୍ୟମ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ