ସିକନ୍ଦରାବାଦ୍ ଇ-ଭେଇକିଲ୍ ସୋରୁମ୍ରେ ଅଗ୍ନିକାଣ୍ଡ ପରେ ଇ-ଯାନର ନିରାପତ୍ତାକୁ ନେଇ ପ୍ରଶ୍ନ ଉଠାଇଲେଣି ଗ୍ରାହକ । କେତେବେଳେ ଇ-ଭେଇକିଲ୍ ଚାଲୁଥିବା ବେଳେ ନିଆଁ ଲାଗି ଯାଉଛି ତ କେତେବେଳ ଚାର୍ଜ କରିବା ସମୟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ବିଶେଷଜ୍ଞଙ୍କ ମତରେ ଅଧିକାଂଶ ଇ-ଯାନରେ ନିମ୍ନମାନର ଯନ୍ତ୍ରାଂଶ ବ୍ୟବହାର ହେଉଛି, ଯାହା ଫଳରେ ଏଭଳି ଦୁର୍ଘଟଣା ଘଟୁଛି । ଏହାକୁ ରୋକିବା ଲାଗି ସରକାର ଇ-ଯାନ ଯନ୍ତ୍ରାଂଶର ଷ୍ଟାଣ୍ଡାର୍ଡାଇଜେସନ୍ ଉପରେ ଗୁରୁତ୍ୱ ଦେବା ଉଚିତ୍ ।
ସିକନ୍ଦରାବାଦ୍ ଘଟଣା ପରେ ଇଲ୍ରେିକ୍ ଯାନର ନିରାପତ୍ତାକୁ ନେଇ ଉଙ୍କି ମାରୁଛି ନାନା ପ୍ରଶ୍ନ । କାହିଁକି ନା ଇ-ଭେଇକିଲ୍ରେ ନିଆଁ ଲାଗିବାରେ ସିକନ୍ଦରାବାଦ୍ ଘଟଣା ପ୍ରଥମ ନୁହେଁ । କିଛି ମାସ ପୂର୍ବରୁ ଚେନ୍ନାଇରେ ଆଥର୍ ଏନର୍ଜି ନାମକ ଏକ ଇଲେକ୍ଟ୍ରିକ୍ ଯାନ କମ୍ପାନିର ଏକ୍ସପେରିଏନ୍ସ ସେଣ୍ଟରରେ ଲାଗିଥିଲା ନିଆଁ । ଏମିତିକି ବ୍ରାଣ୍ଡେଡ୍ କମ୍ପାନି ଓଲା ଇଲେକ୍ଟ୍ରିକ୍, ପିଓର ଇଭି, ଓକିନାୱା, ଜିତେନ୍ଦ୍ର ଇଭି ଟେକ୍ ଭଳି କମ୍ପାନିର ଇ-ଯାନର ବ୍ୟାଟେରୀ ଫାଟିବା ଓ ନିଆଁ ଲାଗିବା ଭଳି ଘଟଣା ଏବେ ସାରା ଦେଶରୁ ଆସୁଛି ।
Also Read
ସିକନ୍ଦରାବାଦ୍ ଇ-ଯାନ ସୋରୁମ୍ ଦୁର୍ଘଟଣା ପରେ ଏବେ ଭୟଭୀତ ଗ୍ରାହକ । ଇ-ଭେଇକିଲ ଚଳାଇ ରାସ୍ତାରେ ଯିବା ବେଳେ ନିଜ ସୁରକ୍ଷା ନେଇ ଟେନ୍ସନ୍ । ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ପରିବେଶ ଅନୁକୂଳ ଇ-ଗାଡ଼ି କିଣି ଫସିଗଲା ଭଳି ଅନୁଭବ କରୁଛନ୍ତି ଇ-ଯାନ କ୍ରେତା ।
ଏବେ ପ୍ରଶ୍ନ ଉଠୁଛି, କାହିଁକି ଇ-ଯାନ ବା ଇ-ଯାନ ସୋରୁମରେ ଲାଗୁଛି ନିଆଁ ? ତ୍ରୁଟି ରହୁଛି କେଉଁଠି ? ଇ-ଭେଇକିଲ ଚାର୍ଜିଂ ପଦ୍ଧତିରେ ନା ଇଲେକ୍ଟ୍ରିକ୍ ଯାନରେ ବ୍ୟବହାର ହେଉଥିବା ନିମ୍ନ ମାନର ଉପକରଣରେ? ଡିଲରଙ୍କ କହିବା କଥା, ସବୁ ଇ-ଯାନରେ ଏଭଳି ଘଟଣା ଦେଖିବାକୁ ମିଳୁନି । ଅନେକ ଇ-ଭେଇକିଲରେ ନିମ୍ନମାନର ବ୍ୟାଟେରୀ ବ୍ୟବହାର ହେଉଛି । ଏଭଳି କ୍ଷେତ୍ରରେ ବ୍ୟାଟେରୀ ଅଧିକ ସମୟ ଚାର୍ଜ ହେଲେ, ଅଗ୍ନିକାଣ୍ଡର ଅନେକ ଆଶଙ୍କା ରହିଛି ।
ଇ-ଭେଇକିଲ ବିଶେଷଜ୍ଞଙ୍କ ମତରେ, ଇଲେକ୍ଟ୍ରିକ୍ ଯାନରେ ବ୍ୟାଟେରୀ ଏକ ପ୍ରମୁଖ ଉପାଦାନ । ଏହା ଅଧିକ ଚାର୍ଜ ହେଲେ ବା ଚାର୍ଜିଂ ବେଳେ ଓଭର ଭୋଲଟେଜ୍ ହେଲେ ଅଗ୍ନିକାଣ୍ଡର ଆଶଙ୍କା ରହିଛି । ଏହାଛଡ଼ା ଏବେ ଇ-ଭେଇକିଲର ଅଧିକାଂଶ ଉପାଦାନ ଚୀନ୍ ଓ ତାଇୱାନ ଭଳି ରାଷ୍ଟ୍ରରୁ ଆମଦାନୀ ହେଉଛି, ଯାହାକି ନିମ୍ନମାନର । କେନ୍ଦ୍ର ସରକାର ଇ-ଭେଇକିଲର ଚାର୍ଜର, ବ୍ୟାଟେରୀ, କଣ୍ଟ୍ରୋଲର ଆଦି ଉପକରଣକୁ ଷ୍ଟାଣ୍ଡାର୍ଡାଇଜେସନ୍ କରାଗଲେ ଏଭଳି ଅଘଟଣକୁ ଏଡ଼ାଯାଇପାରିବ ।
ବାରମ୍ବାର ଇ-ଯାନରେ ଅଗ୍ନିକାଣ୍ଡ ଘଟିବା ପରେ ଏହାର ତଦନ୍ତ ଲାଗି ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ, ଡିଆର୍ଡିଓକୁ ଦାୟିତ୍ୱ ଦେଇଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ଡିଆର୍ଡିଓ କମିଟି ଆସନ୍ତା ସପ୍ତାହରେ ଏନେଇ ନିଜର ରିପୋର୍ଟ ଦାଖଲ କରିବ ।
ରିପୋର୍ଟର- ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ