ଛୋଟ ଡ୍ରେସ୍‌-ଚିରା ଜିନ୍ସ ପିନ୍ଧିଥିଲେ, ମନ୍ଦିର ଯିବା ମନା

ବୋର୍ଡ ପକ୍ଷରୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏନେଇ ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।

Temple

ଯଦି ଆପଣ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଥିବା ବିଶ୍ୱ ପ୍ରସିଦ୍ଧ କାଞ୍ଚି ଧାମ ମନ୍ଦିରରେ ବାବା ନିବ କରୋରୀ ମହାରାଜଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । କାରଣ ମନ୍ଦିରରେ ପ୍ରବେଶ ପାଇଁ ଏବେ କଡ଼ା କଡ଼ି ହୋଇଛି ନିୟମ । ଯଦି ଆପଣ ମର୍ଯ୍ୟଦାହୀନ ପୋଷାକ ବା ଅତ୍ୟାଧୁନିକ କୁହଯାଉଥିବା ପୋଷାକ ପିନ୍ଧି ମନ୍ଦିରକୁ ଆସୁଛନ୍ତି, ତେବେ ଆପଣକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ମନ୍ଦିର କମିଟି । ବୋର୍ଡ ପକ୍ଷରୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏନେଇ ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।

ଖାଲି ଏଇ ଗୋଟିଏ ନିୟମ ନୁହେଁ, ଅନେକ ନିୟମକୁ କଡ଼ା କଡ଼ି କରାଯିବା ସହ ଅନେକ ନୂଆ ନିୟମ ମଧ୍ୟ ମନ୍ଦିର ସୁରକ୍ଷା ଓ ମର୍ଯ୍ୟାଦା ପାଇଁ ଲାଗୁ କରାଯାଇଛି । ଅନ୍ୟ ନିୟମଟି ହେଲା କୌଣସି ଶ୍ରଦ୍ଧାଳୁ ତଥା ଭକ୍ତ ମନ୍ଦିର ଭିତରେ କୌଣସି ପ୍ରକାର ଫଟୋଗ୍ରାଫି ବା ଭିଡିଓଗ୍ରାଫି କରିପାରିବେ ନାହିଁ । ଯଦି କୌଣସି ଭକ୍ତ ଲୁଚା ଛପାରେ ଏଭଳି ନିୟମ ଉଲଂଘନ କରୁଥିବା ଦେଖାଯାନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ସହ ସେମାନଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ମନ୍ଦିର କମିଟିର ସଦସ୍ୟ ପ୍ରଦୀପ ଶାହା କହିଛନ୍ତି ଯେ ବାବା ନିବ କରୋରୀ ମହାରାଜ ଭଗବାନ ହନୁମାନଙ୍କ ଅବତାର ଭାବରେ ଜଣାଶୁଣା। ବାବା ନିବ କରୋରୀ ମହାରାଜ ତାଙ୍କର ଚମତ୍କାର ଶକ୍ତି ପାଇଁ ମଧ୍ୟ ଜଣାଶୁଣା । ମନ୍ଦିରର ମଧ୍ୟ ନିଜସ୍ୱ ଏକ ମର୍ଯ୍ୟାଦା ରହିଛି । ଏପରି ପରିସ୍ଥିତିରେ ଅଣପାରମ୍ପରିକ ପୋଷକ ପିନ୍ଧି ଆସିଲେ, ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ମନ୍ଦିର କମିଟି ଅନୁଯାୟୀ, ଭକ୍ତମାନେ ଛୋଟ ପୋଷାକ, ଚିରା ଜିନ୍ସ କିମ୍ବା ନାଇଟ୍‌ ସୁଟ ପିନ୍ଧି ମନ୍ଦିରକୁ ଆସିପାରିବେ ନାହିଁ ।