ଆଉ ମାତ୍ର କିଛି ସମୟର ଅପେକ୍ଷା। ଜହ୍ନର ଦକ୍ଷିଣ ମେରୁରେ ସଫ୍ଟଲାଣ୍ଡିଂ କରିବ ଚନ୍ଦ୍ରୟାନ-ଥ୍ରୀ । ତେବେ କିଭଳି ଭାବେ ବଛାଗଲା ଚନ୍ଦ୍ରୟାନ ଥ୍ରୀର ଲ୍ୟାଣ୍ଡିଂ ସାଇଟ୍ । କେଉଁ ପରିସ୍ଥିତିରେ ଲ୍ୟାଣ୍ଡି ପଏଣ୍ଟ ବାଛିଲା ଇସ୍ରୋ। କୁହାଯାଉଛି ପୂର୍ବ ମିଶନର ଅଭିଜ୍ଞତା ଅନୁଯାୟୀ ଇସ୍ରୋ ଏଥର ଚନ୍ଦ୍ରୟାନ-ଥ୍ରୀର ସଫ୍ଟଲ୍ୟାଣ୍ଡିଂ ପଏଣ୍ଟ ସ୍ଥିର କରିଛି ।
Also Read
ଭାରତର ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ଏବଂ ଆମେରିକାର ଲୁନାର ରେକୋନେସନ୍ସ ଅର୍ବିଟର ବା LRO ମିଶନରୁ ଡାଟା ସଂଗ୍ରହ ପରେ ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚିହ୍ନଟ କରିଛି ଇସ୍ରୋ । ଇସ୍ରୋର କିଛି ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍ ଅନେକ ଅନୁଧ୍ୟାନ ପରେ ଚନ୍ଦ୍ରୟାନ ଥ୍ରୀର ଲ୍ୟାଣ୍ଡି ପାଇଁ ୪ କିଲୋମିଟର ଦୈର୍ଘ୍ୟ ଏବଂ ୨.୪ କିଲୋମିଟର ପ୍ରସ୍ଥ ବିଶିଷ୍ଟ ସ୍ଥାନ ବାଛିଛନ୍ତି ।
ଅଧିକ ପଢ଼ନ୍ତୁ: ଚନ୍ଦ୍ରୟାନ-୩ ପାଇଁ ଭାରତ କାହିଁକି ବାଛିଲା ଚନ୍ଦ୍ରର ଦକ୍ଷିଣ ଭାଗ...
ପ୍ରଥମେ ବୈଜ୍ଞାନିକମାନେ ୨୦ଟି ସ୍ଥାନ ବାଛିଥିଲେ । ପରେ ଏଥିମଧ୍ୟରୁ ୮ଟିକୁ ତାଲିକାଭୁକ୍ତ କରାଯାଇଥିଲା । ପରେ ଏହା ଭିତରୁ ଏକ ନିର୍ଦ୍ଦିଷ୍ଟ ସାଇଟକୁ ସଫ୍ଟଲ୍ୟାଣ୍ଡିଂ ପାଇଁ ବଛାଯାଇଛି । ସଫ୍ଟଲ୍ୟାଣ୍ଡିଂ ଯେପରି କୌଣସି ଭାବେ ଫେଲ୍ ନମାରେ ସେଥିଲାଗି ଚନ୍ଦ୍ରୟାନ-୨ ଅପେକ୍ଷା ଚନ୍ଦ୍ରୟାନ-୩ରେ ଲ୍ୟାଣ୍ଡିଂ ସାଇଟର ଆକାରକୁ ବଢ଼ାଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚନ୍ଦ୍ରୟାନ-୩କୁ ସମ୍ପୂର୍ଣ୍ଣ ଅଟୋମେଟିକ ଭାବେ କାର୍ଯ୍ୟ କରିବା ପାଇଁ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି । ଏହା ଯେକୌଣସି ତ୍ରୁଟିର ତତ୍କାଳ ସମାଧାନ ନିଜେ ହିଁ କରିପାରିବ । ଲ୍ୟାଣ୍ଡିଂ ସାଇଟରେ ସମସ୍ୟା ଥିଲେ, ନିଜେ ଉପଯୁକ୍ତ ଲ୍ୟାଣ୍ଡିଂ ସାଇଟ୍ ବା ଅବତରଣ ସ୍ଥଳ ଖୋଜିପାରିବ। ଏହାର ଗୋଡ଼ ଗୁଡ଼ିକୁ ଚନ୍ଦ୍ରୟାନ-୨ ଅପେକ୍ଷା ଅଧିକ ମଜବୁତ ମଧ୍ୟ କରାଯାଇଛି ।
ଅଧିକ ପଢ଼ନ୍ତୁ: କିଭଳି ହେବ ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ ? ଜାଣନ୍ତୁ, ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରକ୍ରିୟା...
ଅନ୍ୟପଟେ କାହିଁକି ଚନ୍ଦ୍ରର ସାଉଥ୍ ପୋଲ୍ ବାଛିଲା ISRO । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ ଏହାର ଉତ୍ତର ହେଲା, ଚନ୍ଦ୍ରର ଦକ୍ଷିଣ ଭାଗରେ ଖୁବ୍ ବଡ଼ ପରିମାଣର ଜଳ ଏବଂ ବରଫ ରହିଛି । ସେଗୁଡ଼ିକ ଅନ୍ଧାରରେ ରହିଛି । ଭବିଷ୍ୟତରେ ଅନ୍ତରିକ୍ଷ ପରୀକ୍ଷଣ ପାଇଁ ଜଳ ଖୁବ୍ ଜରୁରୀ । କାରଣ ଏଥିରୁ ଅମ୍ଳଯାନ ବାହାର କରିହେବ । ଏମିତିକି ହାଇଡ୍ରୋଜେନ୍ ମଧ୍ୟ ଉତ୍ପାଦନ କରିହେବ । ଆଉ ଏଗୁଡ଼ିକ ରକେଟ ପାଇଁ ଇନ୍ଧନ ଭଳି କାର୍ଯ୍ୟ କରିବ । ଏହି ସ୍ଥାନ ସ୍ଥାୟୀ ଭାବେ ସୂର୍ଯ୍ୟଙ୍କ କିରଣଠାରୁ ଦୂରରେ ରହୁଛି । ଅର୍ଥାତ୍ ଏଠାରେ ସୂର୍ଯ୍ୟଙ୍କ କିରଣ ପଡ଼ୁନାହିଁ । ଏଠାକାର ତାପମାତ୍ରା ଶୁନରୁ ଖସି ମାଇନସ ୧୦ ରୁ ମାଇନସ୍ ୫୦ ଡିଗ୍ରୀ ମଧ୍ୟ ରହିଥାଏ । ଯାହାକି ଅନ୍ତରିକ୍ଷ ପରିକ୍ଷଣ ପାଇଁ ଖୁବ୍ ଉପଯୋଗୀ ।