ମହଙ୍ଗା ମାଡ଼ ପରେ ଦାଉ ସାଧୁଛି ତେଲ ଅଭାବ: ରାଜ୍ୟରେ କେଉଁଠି ମିଳୁନି ପେଟ୍ରୋଲ ତ କେଉଁଠି ମିଳୁନି ଡିଜେଲ

ରାଜ୍ୟର ବହୁ ଛୋଟ ସହର ଗ୍ରାମାଞ୍ଚଳରେ ବନ୍ଦ ରହିଛି ଅଧିକାଂଶ ପେଟ୍ରୋଲ ପଂପ୍, କେଉଁଠି ପେଟ୍ରୋଲ ତ କେଉଁଠି ମିଳୁନି ଡିଜେଲ...

ମହଙ୍ଗା ମାଡ଼ ପରେ ଦାଉ ସାଧୁଛି ତେଲ ଅଭାବ

କିଛିଦିନ ପୂର୍ବରୁ ଖାଉଟିଙ୍କୁ ବେଶ୍ ବାଧୁଥିଲା ପେଟ୍ରୋଲ, ଡିଜେଲର ମହଙ୍ଗା ମାଡ଼ । ଆଉ ଏବେ ଦାଉ ସାଧୁଛି । ତେଲ ଅଭାବ ଯାହାକୁ ନେଇ ଚିନ୍ତାରେ ଖାଉଟି। ବିଶେଷକରି ଗ୍ରାମା଼ଞ୍ଚଳ ଓ ଛୋଟ ଛୋଟ ସହରରେ କାହିଁକି ବନ୍ଦ ରହୁଛି ପେଟ୍ରୋଲ୍ ପଂପ୍ ? ତେବେ କାହିଁକି ହଠାତ୍ ପେଟ୍ରୋଲ, ଡିଜେଲର ଏଭଳି ଅଭାବ ଦେଖାଯାଉଛି ଆସନ୍ତୁ ଜାଣିବା ।

ଗଞ୍ଜାମ ଜିଲ୍ଲା ସୋରଡ଼ାର ସହରରେ ସର୍ବମୋଟ ଦୁଇଟି ପେଟ୍ରୋଲ ପମ୍ପ ରହିଥିବାବେଳେ ଉଭୟ ପେଟ୍ରୋଲ ପମ୍ପ ବନ୍ଦ ପଡ଼ିଛି । ଆବଶ୍ୟକ କାଗଜପତ୍ର ନ ଥିବାରୁ ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପଟି ବନ୍ଦ ଥିବା କୁହାଯାଉଥିବା ବେଳେ ତେଲ ଆସୁ ନ ଥିବାରୁ ଘରୋଇ ଏସାର୍ ପେଟ୍ରୋଲ ପମ୍ପ ଠପ୍ ତେଣୁ ତାହା ବି ବନ୍ଦ ପଡ଼ିଛି ।

ଏଥିପାଇଁ ଖୁଚୁରା ବେପାରୀ ଆସ୍କା ଓ ଭଞ୍ଜନଗରରୁ ତେଲ କିଣି ଖାଉଟିଙ୍କୁ ଚଢ଼ା ଦରରେ ତେଲ ବିକୁଛନ୍ତି ।

ସେହିପରି ନବରଙ୍ଗପୁରରେ ସପ୍ତାହେ ହେଲା ଡିଜେଲର ଘୋର ଅଭାବ ଦେଖିବାକୁ ମିଳିଛି । ଯଦିଓ ଜିଲ୍ଲାର ସମସ୍ତ ୪୧ଟି ପେଟ୍ରୋଲ ପମ୍ପ ଖୋଲା ଅଛି, ସବୁଠି କେବଳ ପେଟ୍ରୋଲ ମିଳୁଛି । କାଁ ଭାଁ ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ଅନ୍ୟ କେଉଁଠି ଡିଜେଲ୍ ମିଳୁନାହିଁ ।

ଏନେଇ ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି, ଚଳିତ ମାସ ଆରମ୍ଭରୁ ଡିଜେଲ ଅଭାବ ଦେଖାଦେଇଛି । ଆଗୁଆ ଟଙ୍କା ପଇଠ କରିଥିବା ସତ୍ତ୍ୱେ କାହିଁକି ଡିଜେଲ ଆସୁନି, ସେ ଜାଣିପାରୁନାହାନ୍ତି ।

ତେବେ କେବଳ ଏହି ଦୁଇଟି ସ୍ଥାନ ନୁହେଁ, ରାଜ୍ୟର ଅଧିକାଂଶ ଛୋଟ ସହରରେ ପେଟ୍ରୋଲ, ଡିଜେଲ ଅଭାବର ସମାନ ଚିତ୍ର ଦେଖିବାକୁ ମିଳିଛି । ରାଜ୍ୟରେ ଥିବା ପ୍ରାୟ ୨ ହଜାର ପେଟ୍ରୋଲ ପମ୍ପ ମଧ୍ୟରୁ ୪ରୁ ୫ଶହ ଗ୍ରାମୀଣ ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି ।

ଗତ ଏପ୍ରିଲ ୬ ତାରିଖ ପରଠାରୁ ତୈଳ କମ୍ପାନିଗୁଡ଼ିକ ତେଲ ଦର ବଢ଼ାଇନାହାନ୍ତି କିନ୍ତୁ ଏ ସମୟ ଭିତରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ ୧୨୦ ଡଲାର ଉପରେ ପହଞ୍ଚିଛି । ଏହି କାରଣରୁ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲରେ ଲିଟର ପିଛା ୧୨ରୁ ୧୫ ଟଙ୍କା ଏବଂ ଡିଜେଲରେ ୨୮ ଟଙ୍କା ପାଖାପାଖି କ୍ଷତି ସହୁଛନ୍ତି । ଏହାଯୋଗୁ ରାଷ୍ଟ୍ରାୟତ୍ତ କମ୍ପାନି ଯେଉଁ ଦରରେ ତେଲ ଯୋଗାଉଛନ୍ତି, ସେହି ଦାମରେ ତେଲ ଯୋଗାଇବାକୁ ଘରୋଇ କମ୍ପାନି ରିଲାଏନ୍ସ ଓ ଏସାର୍ ସକ୍ଷମ ହେଉନାହାନ୍ତି । ତେଣୁ ସେମାନେ ଡିଲରଙ୍କୁ କମ୍ ତେଲ ଯୋଗାଉଛନ୍ତି ।

ସୂଚନା ଅନୁସାରେ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଡିଲରଙ୍କଠାରୁ ଅଗ୍ରୀମ ଅର୍ଥ ନେବାର ବ୍ୟବସ୍ଥା କରିଥିବାରୁ କେତେକ ପେଟ୍ରୋଲ୍ ପମ୍ପ ତେଲ କିଣିବାରେ ସମର୍ଥ ହେଉନାହାନ୍ତି । ସେହିଭଳି ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଶିଳ୍ପକ୍ଷେତ୍ର ଲାଗି ଡିଜେଲ ଦାମ ଲିଟର ପିଛା ୨୮ ଟଙ୍କା ବଢ଼ାଇ ଦେଇଥିବାରୁ ସେମାନେ ଖୁଚୁରା ପେଟ୍ରୋଲ ପମ୍ପ ଜରିଆରେ ନିଜ ଚାହିଦା ପୂରଣ ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ପେଟ୍ରୋଲ ପମ୍ପଗୁଡ଼ିକରେ ଭିଡ଼ ବଢ଼ୁଛି । ଏହି ସମସ୍ୟାର ସମାଧାନ ପାଇଁ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ଚିଠି ଲେଖି କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି ।

ଅନ୍ୟପକ୍ଷେ, ପେଟ୍ରୋଲ, ଡିଜେଲ ଅଭାବ ସମସ୍ୟାର ସମାଧାନ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଘରୋଇ କମ୍ପାନିଙ୍କ ଉପରେ ଲଗାମ ଲଗାଇଛି । ଏଣିକି ଦୁର୍ଗମ ଅଞ୍ଚଳରେ ଥିବା ଘରୋଇ କମ୍ପାନି ସମେତ ସବୁ ପେଟ୍ରୋଲ ପମ୍ପକୁ ମନ୍ତ୍ରଣାଳୟ ସାର୍ବଜନୀନ ସେବା ବା ୟୁଏସ୍ଓ ପରିସରକୁ ଆଣିଛି । ଫଳରେ ଏସବୁ ଅଞ୍ଚଳରେ ପେଟ୍ରୋଲ ପମ୍ପଗୁଡ଼ିକ ତେଲ ବିକ୍ରି ବନ୍ଦ କରିପାରିବେନି । ଏଥିରେ ଖିଲାପ କଲେ, ତୈଳ ମନ୍ତ୍ରାଳୟ ଲାଇସେନ୍ସ ବାତିଲ କରିବାକୁ ଚେତାବନୀ ଦେଇଛି ।