ଭୃଗୁ ଋଷିଙ୍କ ପୁତ୍ର ହେଲେ ଚ୍ୟବନ ଋଷି । ଋଷି ଚ୍ୟବନଙ୍କ ପତ୍ନୀ ହେଉଛନ୍ତି ସୁକନ୍ୟା । ଦୁହିଁଙ୍କ ଔରସରୁ ପୁଅଟିଏ ଜନ୍ମ ନେଲା । ପୁଅର ନାଁ ଦିଆଗଲା ପ୍ରମତି । ପ୍ରମତିଙ୍କ ପୁଅ ହେଲେ ରୁରୁ ।
ଥରେ ଗନ୍ଧର୍ବ ରାଜ ବିଶ୍ୱାବସୁ ଓ ଅପସରୀ ମେନକା ପ୍ରେମରେ ପଡିଲେ । ସମ୍ପର୍କରୁ ମେନକା ଗର୍ଭବତୀ ହେଲେ ଓ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ । ଉଭୟ ଅପସରୀ ଓ ଗନ୍ଧର୍ବଙ୍କୁ ଏ ନବଜାତକ ଅଡୁଆ । ବିଶ୍ୱାବସୁ ନିଜ ରାସ୍ତାରେ ବାହାରି ଯାଇସାରିଥିଲେ । ମେନକା ବି ନିଜ ଜନ୍ମିତ କନ୍ୟାକୁ ଏକ ନଦୀ କୂଳରେ ଶୁଆଇଦେଇ ଇନ୍ଦ୍ରଲୋକକୁ ବାହୁଡ଼ିଗଲେ ।
ସେତେବେଳେ ସେଇ ପାଖରେ ସ୍ଥୁଳକେଶ ନାମରେ ଜଣେ ଋଷି ଆଶ୍ରମ କରି ରହି ଥାଆନ୍ତି । ଜଣେ ଜ୍ଞାନୀ ଓ ଦୟାଶୀଳ ତପସ୍ୱୀ ଭାବରେ ତାଙ୍କର ପ୍ରସିଦ୍ଧି ଥାଏ । ମେନକା ଯେଉଁ ନଦୀ କୂଳରେ ତାଙ୍କ ଜନ୍ମିତ କନ୍ୟାକୁ ତ୍ୟାଗ କରି ଇନ୍ଦ୍ରଲୋକକୁ ଫେରି ଚାଲିଗଲେ, ସଂଯୋଗକୁ ସେଦିନ ନଦୀତଟରେ ସ୍ଥୁଳକେଶ ଭ୍ରମଣ କରୁଥିବା ସମୟରେ ପରିତ୍ୟକ୍ତ ଭାବରେ ଥିବା ଶିଶୁ କନ୍ୟାକୁ ଦେଖିଲେ । ଏକୁଟିଆ ଥିବା ଛୋଟ ଛୁଆଟିକୁ ଦେଖି କିଛି ସମୟ ଅଟକି ଗଲେ ତପସ୍ୱୀ । ଅନେକ ସମୟ ଅପେକ୍ଷା କଲା ପରେ ବି କନ୍ୟାଟିର ପିତା ମାତା କାହାକୁ ବି ସେଠାରେ ଦେଖିବାକୁ ନପାଇ ଶେଷରେ ନବଜାତ କନ୍ୟାକୁ ନିଜ ଆଶ୍ରମକୁ ଆଣିଦେଲେ ।
ଅଧିକ ପଢ଼ନ୍ତୁ: Mahabharat Story: ଅଗ୍ନିଦେବଙ୍କୁ ଭୃଗୁ ମୁନିଙ୍କ ଅଭିଶାପ ଓ ଶାପ ମୋଚନର କଥା
ସ୍ଥୂଳକେଶ ଋଷି ଶିଶୁ ଝିଅଟିର ନାଁ ଦେଲେ ପ୍ରମଦବରା । କନ୍ୟାଟିକୁ ବଡ଼ ସ୍ନେହ ସରାଗରେ ନିଜର ପାଳିତା କନ୍ୟା ଭାବରେ ଆଶ୍ରମରେ ଲାଳନ ପାଳନ କରି ବଢ଼ାଇଲେ । ପ୍ରମଦବରା ଯୁବତୀ ହେବାପରେ ଥରେ ତାଙ୍କ ସଖୀମାନଙ୍କ ସହ ଆଶ୍ରମ ପାଖାପାଖି ବୁଲୁଥିବା ବେଳେ ରୁରୁଙ୍କ ନଜରରେ ପଡ଼ିଲେ । ପ୍ରମଦବରାଙ୍କ ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ଦେଖୁ ଦେଖୁ ରୁରୁ ତାଙ୍କ ପ୍ରେମରେ ପଡିଗଲେ । ତାପରେ ରୁରୁ ନିଜର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ମାଧ୍ୟମରେ ତାଙ୍କ ବାପା ପ୍ରମତିଙ୍କ କାନରେ କଥାଟି ପହଞ୍ଚାଇଲେ । ପ୍ରମତି ଜାଣିସାରିଥିଲେ ପୁଅ ତାଙ୍କର ଏବେ ଯୌବନରେ । ଏମିତିରେ ତ ପୁଅ ପାଇଁ କନ୍ୟା ଖୋଜା ପଡିଥା'ନ୍ତା । ପୁଅ ଯଦି ନିଜେ ନିଜପାଇଁ ଋଷି କନ୍ୟାଟିଏ ପସନ୍ଦ କରିସାରିଛି, ସେ ବା ଅରାଜି କାହିଁକି ହେବେ । ଏଥର ପ୍ରମତି ଦିନେ ନିଜ ପୁଅର ବିବାହ ପ୍ରସ୍ତାବ ଧରି ଋଷି ସ୍ଥୁଳକେଶଙ୍କ ଆଶ୍ରମରେ ପହଞ୍ଚିଲେ । ପ୍ରମତିଙ୍କ ପ୍ରସ୍ଥାବରେ ସ୍ଥୁଳକେଶଙ୍କର ଅରାଜି ହେବାର ପ୍ରଶ୍ନ ନଥିଲା । ବର ପିତା ଓ କନ୍ୟା ପିତା ଦୁହେଁ ରାଜି ହେଲାପରେ, ଗ୍ରହ ନକ୍ଷତ୍ରଙ୍କ ଉପଯୁକ୍ତ ଯୋଗାଯୋଗ ଦେଖି ମଙ୍ଗଳ ମୁହୂର୍ତ୍ତ ବି ଠିକ୍ କରାଗଲା, ବିବାହର ସମୟ ଓ ଦିନ ଵି ଧାର୍ଯ୍ୟ କରାଗଲା ।
ବିବାହର ସମୟ ଓ ଦିନ ଠିକ୍ କରାଯିବାର ଅଳ୍ପଦିନ ପରେ ଦିନେ ପ୍ରମଦବରା ତାଙ୍କର ସଖୀ ସହଚରୀଙ୍କ ସାଙ୍ଗରେ ଉଦ୍ୟାନରେ ଭ୍ରମଣ କରୁଥା'ନ୍ତି । ସାଥି ମେଳରେ ଆନନ୍ଦରେ ବୁଲୁଥିବା ସମୟରେ ଓ ଫୁଲ ଗଛମାନଙ୍କରୁ ଫୁଲ ତୋଳିବା ସମୟରେ ସେ କ'ଣ ଜାଣିଥିଲେ ଫୁଲଗଛ ତଳେ ବିଷାକ୍ତ ସାପଟିଏ କୁଣ୍ଡଳୀ କାଟି ଶୋଇଛି । ଅନ୍ୟମନସ୍କରେ ସାପ ଉପରେ ପାଦ ପଡୁପଡୁ ପ୍ରମଦବରାଙ୍କୁ ସେ ଦଂଶନ କଲା । ସାପର ବିଷ ଏତେ ତୀବ୍ର ଥିଲା ଯେ ପ୍ରମଦବରାଙ୍କ ଶରୀର ମୁହୂର୍ତ୍ତକ ଭିତରେ ନୀଳ ବର୍ଣ୍ଣ ଧାରଣ କଲା ଓ ସେ ସେଇଠି ଜୀବନହୀନ ହୋଇ ଟଳିପଡ଼ିଲେ ।
ଅଧିକ ପଢ଼ନ୍ତୁ: Mahabharat Story: ସ୍ୱର୍ଗର ଅପ୍ସରୀ ଓ ଜଣେ ମର୍ତ୍ତ୍ୟ ଲୋକର ରାଜାଙ୍କ ମିଳନ ଓ ବିଛେଦର କାହାଣୀ
ଏମିତି ଏକ ଘଟଣାରେ ସଭିଏଁ ମ୍ରିୟମାଣ ହୋଇଗଲେ । ଦୁଃଖଦ ଖବର ପାଇ ଅନ୍ୟମାନେ ବି ଘଟଣାସ୍ଥଳରେ ପହଞ୍ଚିଲେ। ସ୍ଥୁଳକେଶଙ୍କ ପରିଚିତ ଅନ୍ୟ ଋଷି ଏବଂ ବ୍ରାହ୍ମଣମାନଙ୍କ ସହ ପ୍ରମତି ଓ ରୁରୁ ମଧ୍ୟ ଆସି ପହଞ୍ଚିଲେ । ରୁରୁ ବିଶ୍ୱାସ କରିପାରୁନଥିଲେ ଯେ, ତାଙ୍କ ପ୍ରିୟତମା ପ୍ରମଦବରା ଆଉ ଇହ ସଂସାରରେ ନାହାନ୍ତି । ତାଙ୍କ ଆଗରେ ଗଭୀର ନିଦ୍ରାରେ ଶୋଇଥିବା ପରି ଦିଶୁଥିବା ସୁନ୍ଦରୀ ସୁକୁମାରୀ ଋଷିକନ୍ୟାର ଶରୀରରେ ଜୀବନ ଆଉ ନାହିଁ । ଅନ୍ୟମାନେ ପ୍ରମଦବରାଙ୍କ ମର ଶରୀର ପାଖରେ ରୁଣ୍ଡହୋଇ ଠିଆ ହୋଇ ଶୋକ ପ୍ରକାଶ କରୁଥିବା ବେଳେ, ରୁରୁ ଧିରେ ଧିରେ ସେଠାରୁ ବାହାରି ଯାଇ ଗହନ ଜଙ୍ଗଲ ଭିତରକୁ ଚାଲିଗଲେ । ନିକାଞ୍ଚନ ଜଙ୍ଗଲ ଭିତର ପହଞ୍ଚି ରୁରୁ ଅସହାୟଙ୍କ ପରି ପ୍ରମଦବରାଙ୍କୁ ମନେପକାଇ ବଡ଼ପାଟି କରି କାନ୍ଦ କାନ୍ଦି ବିଳାପ କରିବାକୁ ଲାଗିଲେ ।
ପ୍ରମଦବରାଙ୍କ ବିୟୋଗକୁ ରୁରୁ ଆଦୌ ସହଜରେ ଗ୍ରହଣକରି ପାରୁନଥିଲେ । ଶୋକ ଓ ଦୁଃଖରେ ମ୍ରିୟମାଣ ହେଇ ରୁରୁ ସେଇ ଏକାନ୍ତ ଜଙ୍ଗଲ ଭିତରେ କହିବାକୁ ଲାଗିଲେ- ଯଦି ସେ କିଛି ଦାନ କରିଥା'ନ୍ତି, ବଡ଼ଙ୍କୁ ସମ୍ମାନ କରିଥା'ନ୍ତି ଓ ତାଙ୍କର କିଛି ବି ଜପ ତପ ଜନିତ ପୂଣ୍ୟ ଥାଏ ଓ ସେ ଯଦି ଜନ୍ମରୁ ସଂଯମତା ଆଚରଣ କରିଥା'ନ୍ତି, ତେବେ ସେହି ସଂଚିତ ପୂଣ୍ୟଫଳର ପ୍ରତିଦାନରେ ଦେବତାମାନେ ତାଙ୍କ ପ୍ରିୟତମା ପ୍ରମଦବରାଙ୍କୁ ଆଉଥରେ ଜୀବନ ଫେରାଇ ଦିଅନ୍ତୁ ।
ରୁରୁଙ୍କର ଶୋକ ମିଶା ଏପରି କଥା ଶୁଣି ହଠାତ୍ ଦୈବବାଣୀ ହେଲା ।
-ହେ ପ୍ରିୟ ରୁରୁ, ତୁମ ମନର ଅବସ୍ଥା ବୁଝିହେଉଛି । କିନ୍ତୁ ଏହା କ'ଣ ସମ୍ଭବ କି ମୃତ୍ୟୁ ଲୋକରୁ ଜଣେ ଧରାପୃଷ୍ଠକୁ ସହଜରେ ଆଉଥରେ ଫେରିଆସି ପାରିବ? ଯିଏ ଯେତିକି ଦିନ ପାଇଁ ଏଠିକୁ ଆସିଥାଏ, ସେ ଠିକ୍ ସେତିକି ଦିନରେ ଏଠୁ ବିଦାୟ ନିଏ । ଯିଏ ଯେତିକି ଆୟୁଷ ଧରି ଆସିଥାଏ, ସେ ସେତିକି ସମୟ ଏ ମର ଲୋକରେ ଲୀଳା ଖେଳା କରେ । ଗନ୍ଧର୍ବ ଓ ଅପସରୀଙ୍କ କନ୍ୟା ତୁମ ପ୍ରେୟସୀ ପ୍ରମଦବରାଙ୍କ ଆୟୁଷ ସରିସାରିଛି । ସେ ସବୁଦିନ ପାଇଁ ତୁମଠୁ ବିଦାୟ ନେଇସାରିଛନ୍ତି । ତେଣୁ ତାଙ୍କର ଆଉ ଏଠିକୁ ଫେରିବା ସମ୍ଭବ ନୁହେଁ । କିନ୍ତୁ ତୁମର ଦୁଃଖ ଓ ଭଲପାଇବା ଦେଖି ଦେବତାମାନେ ଏକ ଉପାୟ ଚିନ୍ତା କରିଛନ୍ତି । ତୁମେ ସେ ଉପାୟ ପାଳନ କରିବାକୁ ଆଗ୍ରହ ଦେଖାଇଲେ ମୁଁ ତାହା ତୁମକୁ କହିବି ।
ଋୁରୁ ଏବେ ଦେବତାମାନଙ୍କ ଉପାୟ ଶୁଣିବାକୁ ବ୍ୟଗ୍ର ହୋଇପଡିଲେ । ପ୍ରମଦବରାଙ୍କ ଜୀବନ ପାଇଁ କିଛି ବି କରିବାକୁ ସେ ମାନସିକ ଭାବରେ ପ୍ରସ୍ତୁତ ହେଇ ରହିଥିଲେ । ରୁରୁଙ୍କ ଆଗ୍ରହ ଶୁଣି ସେ ଦୈବୀ ସ୍ୱର ପୁଣି ଥରେ କହିଲେ
-ହେ ଭୃଗୁ ବଂଶଜ ଶୁଣ, ପ୍ରମଦବରାଙ୍କୁ ଆଉଥରେ ଜୀବନ୍ୟାସ ଦେବାକୁ ହେଲେ, ତୁମକୁ ତୁମ ଅବଶିଷ୍ଠ ଆୟୁଷରୁ ଅଧା ପ୍ରଦାନ କରିବାକୁ ହେବ । ତୁମ ଆୟୁଷ ନେଇ ତୁମ ଅଧା ଆୟୁଷରେ ପ୍ରମଦବାରା ବାକି ଜୀବନ ବଞ୍ଚିପାରିବେ ।
ରୁରୁ ଏମିତି ପ୍ରସ୍ତାବରେ ତୁରନ୍ତ ରାଜି ହେଇଗଲେ । ରୁରୁ ରାଜି ହେଲାପରେ ପ୍ରମଦବାରଙ୍କ ପ୍ରକୃତ ପିତା ଗନ୍ଧର୍ବରାଜା ବିଶ୍ୱାବସୁ ଓ ଆକାଶବାଣୀ କରିଥିବା ଦେବଦୂତ ମିଶି ଧର୍ମରାଜଙ୍କ ପାଖକୁ ବାହାରିଲେ । ଧର୍ମରାଜଙ୍କୁ ସବୁକିଛି ବୁଝାଇ କହିଲାପରେ ସେ ରୁରୁଙ୍କର ଆୟୁଷରୁ ଅଧା ନେଇ ମରି ଶୋଇଥିବା ପ୍ରମଦବାରଙ୍କୁ ଜୀବନ୍ୟାସ ଦେଇଦେଲେ । ଜୀବନ ସଞ୍ଚାର ପରେ ସର୍ପାଘାତରେ ମରି ଶୋଇଥିବା ପ୍ରମଦବରା ନିଦରୁ ଉଠିଲାପରି ଉଠିବସିଲେ ।
ମୃତ ପ୍ରମଦବାର ଜୀବନକୁ ଫେରିଆସିବାପରେ ସମସ୍ତେ ଖୁସି ହୋଇଗଲେ । ସବୁଠାରୁ ଅଧିକ ଖୁସି ହେଲେ ରୁରୁ । ଆଗରୁ ଠିକଣା ହେଇଥିବା ଦିନରେ ହିଁ ଦୁହିଁଙ୍କର ବିବାହ ବି ସମ୍ପନ୍ନ ହେଲା । ଦୁହେଁ ଅତି ଆନନ୍ଦରେ କାଳାତିପାତ କରିବାକୁ ଲାଗିଲେ । କିନ୍ତୁ ସେଇଦିନରୁ ରୁରୁ କିନ୍ତୁ ସର୍ପ କୂଳକୁ ଶତ୍ରୁଭାବରେ ଦେଖିବାକୁ ଲାଗିଲେ । ସାପ ଦେଖିଲେ ସେ ଭୟଙ୍କର ଭାବରେ ରାଗିଯାଉଥିଲେ । ଏପରିକି ହାତ ପାହାନ୍ତାରେ ଦୈବାତ୍ ଯଦି ଆକସ୍ମିକ ଭାବରେ ସାପ ଦେଖୁଥିଲେ ତେବେ ସେ ତାକୁ ଜୀବନରୁ ମାରିଦେବାକୁ ବି ପଛଉନଥିଲେ ।
ଦିନେ ରୁରୁ ଏକ ଜଙ୍ଗଲ ରାସ୍ତାରେ ଏକା ଏକା ଯାଉଥା'ନ୍ତି । ହଠାତ୍ ଦେଖିଲେ ତାଙ୍କ ରାସ୍ତାରେ ଗୋଟେ ଦୁନ୍ଦୁଭା ସାପ ଶୋଇଛି । ଦୁନ୍ଦୁଭା ସାପ ଆକାରରେ ବଡ଼ ଓ ଏକ ବିଷହୀନ ନିରୀହ ସାପ । ଅଭ୍ୟାସ ବଶତଃ ରୁରୁ ସାପକୁ ଦେଖୁ ଦେଖୁ ରାଗିଗଲେ ଓ କ୍ରୋଧରେ ଏକ ବାଡ଼ି ଧରି ଦୁନ୍ଦୁଭାକୁ ତୁରନ୍ତ ପିଟି ମାରିଦେବାକୁ ବାହାରିଲେ । ସାଙ୍ଗେ ସାଙ୍ଗେ ଦୁନ୍ଦୁଭା ସାପ ରୁରୁଙ୍କୁ ପ୍ରଶ୍ନକଲା -ହେ ବ୍ରାହ୍ମଣ ଶ୍ରେଷ୍ଠ ! ମୁଁ ତ ତୁମର କିଛି ବି କ୍ଷତି କରିନି । ମୁଁ ବିଷଧର ସାପ ବି ନୁହେଁ । ତଥାପି ତୁମେ ମୋତେ ବିନା କାରଣରେ ଜୀବନରେ ମାରିଦେବାକୁ ବାହାରିଛ କାହିଁକି?
ଦୁନ୍ଦୁଭାର ପ୍ରଶ୍ନ ଶୁଣି ରୁରୁ ପ୍ରଥମେ ଟିକିଏ ଚୁପ ରହିଗଲେ । ତାପରେ ରୁରୁ ସାପକୁ କହିଲେ - ମୁଁ ମୋ ଜୀବନରୁ ବଳି ଭଲପାଉଥିବା ପ୍ରିୟତମା ସ୍ତ୍ରୀକୁ ଏକଦା ଗୋଟେ ବିଷଧର ସାପ ବିନା କାରଣରେ ଦଂଶନ କରି ମାରିଦେଇଥିଲା । ସେଇଦିନରୁ ସାପମାନଙ୍କୁ ମୁଁ ମୋର ଶତୃ ଭାବରେ ବିବେଚନା କରେ । ସେଇଦିନରୁ ମୁଁ ଶପଥ ନେଇଥିଲି ମୋ ସାମ୍ନାକୁ ଯେ କୌଣସି ସାପ ଜାଣି ଜାଣି ଅବା ଅଜାଣତରେ କିମ୍ବା ଆକସ୍ମିକ ଭାବରେ ଯଦି ଆସିଯିବ, ତେବେ ମୁଁ ତାକୁ ହତ୍ୟା କରିବି ।
ରୁରୁଙ୍କ ଶପଥ କଥା ଶୁଣି ଦୁନ୍ଦୁଭା ସାପ କହିଲା -ହେ ବ୍ରାହ୍ମଣ ଯୁବକ, ବିଷଧର ସାପ ସିନା କାହାକୁ ଦଂଶନ କଲେ ତା'ର କ୍ଷତି ହେବ, କିନ୍ତୁ ଦୁନ୍ଦୁଭା କେବଳ ଦେଖିବାକୁ ସାପ ପରି । ତା’ର କ'ଣ ବିଷ ଅଛି? ତେଣୁ ତାକୁ ମାରି ତୁମର ଲାଭ ବା କ'ଣ? ତାପରେ ରୁରୁଙ୍କୁ ଆଗରୁ ଜାଣିଥିବା ପରି ଓ ବୁଝିଥିବା ପରି ସାପ କହିଲା -ହେ ଜ୍ଞାନୀ ବ୍ରହ୍ମଣ! ଆମ ଦୁହିଁଙ୍କ ଦୁର୍ଭାଗ୍ୟ ଏକା ପରି, କିନ୍ତୁ ସୌଭାଗ୍ୟ ଏକାପରି ନୁହେଁ । ଆମ ଦୁଃଖ ଏକାପରି କିନ୍ତୁ ଆନନ୍ଦ ଏକାପରି ନୁହେଁ ।
ଏକଥା ଶୁଣି ରୁରୁ ବୁଝିଗଲେ ସେ ମାରିବାକୁ ବସିଥିବା ନିରୀହ ସାପଟି ସାଧାରଣ ସାପ କେବଳ ନୁହେଁ । ହୁଏତ କେହିଜଣେ ଅଭିଶପ୍ତ ଋଷି । ତେଣୁ ଦୁନ୍ଦୁଭା ସାପର ଅତୀତ ଜାଣିବାକୁ ରୁରୁଙ୍କର ଆଗ୍ରହ ହେଲା । ରୁରୁଙ୍କ ଆଗ୍ରହ ଦେଖି ଦୁନ୍ଦୁଭା ଗପିଲା- ଶୁଣ ବ୍ରାହ୍ମଣ ଅନେକ ବର୍ଷ ତଳେ ମୁଁ ବି ଜଣେ ତପସ୍ୱୀ ଥିଲି ଓ ମୋର ନାମ ଥିଲା ସହସ୍ରପାତ । ମୋର ଜଣେ ଅନ୍ତରଙ୍ଗ ବ୍ରାହ୍ମଣ ବନ୍ଧୁଥିଲେ । ତାଙ୍କର ନାମ ହେଲା ଖଗମ । ଥରେ ସେ ନିଷ୍ଠାର ସହ ଯଜ୍ଞ କରୁଥିବା ସମୟରେ ମୁଁ ପିଲାଳିଆ ମଜାରେ ପୁଳେ ଘାସକୁ ସାପ ପରି ମୋଡ଼ି ତାଙ୍କ ଉପରକୁ ଫିଙ୍ଗିଦେଲି । ଘାସ ସାପକୁ ସତ ସାପ ଭାବି ସେ ସେଇଠି ମୂର୍ଚ୍ଛା ଗଲେ । ଚେତା ଆସିଲା ପରେ ଅବଶ୍ୟ ସତକଥା ଜାଣିଲେ, କିନ୍ତୁ ରାଗରେ ମୋତେ ଅଭିଶାପ ଦେଲେ ଯେ, ବିଷହୀନ ଘାସର ସାପ ପରି ମୁଁ ବି ଏକ ବିଷହୀନ ସାପ ପାଲଟିଯାଏ । ଅଭିଶାପ ପାଇଲା ପରେ ମୋର ଜ୍ଞାନ ଉଦୟ ହେଲା । ମୁଁ ତାଙ୍କ ପାଖରେ କ୍ଷମା ପାର୍ଥନା କରି କହିଲି ମୁଁ ତୁମର ବନ୍ଧୁ । ତୁମକୁ ଖୁସି କରିବାକୁ ମୁଁ ଏମିତି କରିଥିଲି । ତା' ପଛରେ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଦୟାକରି ମୋତେ ଏ ଶାପରୁ ମୁକ୍ତି ଦିଅନ୍ତୁ । ବନ୍ଧୁ ଖଗମଙ୍କ କ୍ରୋଧ ଶାନ୍ତ ହେଲାପରେ ସେ କହିଲେ - ହେ ବନ୍ଧୁ, ବ୍ରାହ୍ମଣର ଅଭିଶାପକୁ ଆଉ ଫେରାଇ ଆଣିହେବନି । ତୁମକୁ ଏକ ବିଷହୀନ ସରିସୃପ ଭାବରେ କିଛି କାଳ ଅବଶ୍ୟ ଜୀବନ ବିତାଇବାକୁ ହେବ । ତେବେ ଯେଉଁଦିନ ତୁମର ଭୃଗୁ ବଂଶର ପ୍ରମତିଙ୍କ ପୁତ୍ର ତପସ୍ୱୀ ରୁରୁଙ୍କ ସହ ଭେଟ ହେବ ସେବେ ଯାଇଁ ତୁମେ ଶାପ ମୁକ୍ତ ହେବ ।
ଏବେ ରୁରୁଙ୍କ ସହ ତାଙ୍କର ଦେଖା ହେଇସାରିଥିଲା । ଶାପମୁକ୍ତି ପରେ ଦୁନ୍ଦୁଭା ଉଭେଇଗଲା ଓ ସେ ସ୍ଥାନରେ ରୁରୁଙ୍କ ସାମ୍ନାରେ ଠିଆହେଲେ ଋଷି ସହସ୍ରପାତ । ତାପରେ ସହସ୍ରପାତ ରୁରୁଙ୍କୁ କିଛି ଉପଦେଶ ଦେଲେ ଓ ସେଠାରୁ ଚାଲିଗଲେ ।