Art And Craft: ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

ମାଟି ଘର ଚାଳ ଛପର ପାଇଁ ବ୍ୟବହାର ହେଉଥିବା ବୋବେଇ ଦଉଡ଼ି ଏବେ ନୂଆ ନୂଆ ଫ୍ୟାସନେବଲ୍ ଜିନିଷର ରୂପ ନେଲାଣି । ତେବେ କ'ଣ ସେ ଜିନିଷ ଜାଣିବା ଆସନ୍ତୁ

ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

ମୋ ପରି ଆପଣଙ୍କ ଭିତରୁ ଅନେକେ ବୋବେଇରୁ ତିଆରି ଦଉଡିର ବ୍ୟବହାର କାହାର ଚାଳ ଛପର ଘରର ରୁଅ ବାଉଁଶ ବନ୍ଧା ହେବା ପାଇଁ ତ ଆଉ କାହାର ଧାନ ବିଡ଼ା ବନ୍ଧା ହେବା ପାଇଁ ଅବା ଓଜନିଆ ଜିନିଷ ଟେକା ଉଠା କରିବା ପାଇଁ କରାଯାଉଥିବାର ଦେଖିଥିବେ।

ସବାଇ ଘାସ ଆମ ନିତିଦିନିଆ ବ୍ୟବହାରରେ ଲାଗିବା କାହିଁ କେତେ ଦିନର ପୁରୁଣା । ସେଥିରେ ପ୍ରାୟତଃ ଆଗରୁ ଦଉଡ଼ି ବୋଳା ଯାଉଥିଲା । ଏବେ ସବୁଠି ସବାଇ କୁହାଗଲେ ମଧ୍ୟ ମୟୂରଭଞ୍ଜରେ ସ୍ଥାନୀୟ ଲୋକଙ୍କ ଭାଷାରେ ତାକୁ ବୋବେଇ କୁହାଯାଏ । ଅନେକ ଜାଗାରେ ଝୁଣ ବି କୁହାଯାଏ । ହିମାଳୟର ଦକ୍ଷିଣ ଅଞ୍ଚଳରେ ଭବର୍ କୁହାଯାଏ ଏବଂ ନେପାଳରେ ବାବିୟୋ କୁହାଯାଏ । ବେଙ୍ଗଲରେ କୁହାଯାଏ ସବାଇ। ଭାରତ, ଚାଇନା, ନେପାଳ, ପାକିସ୍ଥାନ, ଭୁଟାନ, ମିଆଁମାର, ଥାଇଲ୍ୟାଣ୍ଡ, ମାଲେସିଆ ଏବଂ ଫିଲିପାଇନ୍ସ ପରି ଦେଶରେ ସବାଇ ଘାସ ହୁଏ ।

ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

ସାଧାରଣତଃ ଜଙ୍ଗଲିଆ ଭାବରେ ପାଣି ଜାଗା ପାଖ ହିଡ଼ ମାନଙ୍କରେ ଏଇ ସବାଇ ଘାସ ବଢିଥାଏ । ପାଖଆଖରେ ରହୁଥିବା ଲୋକମାନେ ତାକୁ କାଟି ସାରିଲା ପରେ ବିଡ଼ା ବାନ୍ଧି ଘରକୁ ଆଣିଦିଅନ୍ତି, ତାପରେ ଘର ଅଗଣାରେ ଖେଳେଇ ଦୁଇ ତିନିଟା ଟାଣ ଖରା ଖୁଆଇ ଦିଅନ୍ତି । ଘାସ ତକ ଖରା ଖାଇ ଭଲରେ ଥରେ ଶୁଖିଗଲା ପରେ ପୁଣି ବିଡ଼ା କରି ଟେକି ଦିଅନ୍ତି ଘରର ଭାଡ଼ି ଉପରକୁ । ଏଥର ଆଉ ଘାସ ନଷ୍ଟ ହେବାର ସମ୍ଭାବନା ନଥାଏ । କାମ ଆରମ୍ଭ କଲା ବେଳକୁ ଘାସର ଆକାର ଅନୁସାରେ ଅଲଗା ଅଲଗା ବିଡ଼ା କରି ରଖାଯାଏ । ବଜାରରେ ଘାସ ତିଆରି ଜିନିଷର ଚାହିଦା ବଢିଲା ପରେ ଆଜିକାଲି ତ ଲୋକେ ଏକର ଏକର ସବାଇ ଘାସ ଚାଷ ବି କଲେଣି । ଘାସ ଚାଷ ବର୍ଷା ଦିନେ ଆରମ୍ଭ ହୁଏ, ଠିକ୍ ଧାନ ଚାଷ ପରି । ଅମଳ ହୁଏ ଏଇ ଭାଦ୍ରବ ଆଶ୍ୱିନ ଭିତରେ । ଖରା ଟିକେ ହେଉଥିବାରୁ ଶୁଖେଇ ରଖିବାକୁ ସୁବିଧା ହୁଏ ଏ ସମୟରେ । କେବେ କେମିତି ଓଦା ହୋଇଗଲେ ଘାସର ରଙ୍ଗ ବଦଳିଯାଏ । ସେତେ ସତେଜ ରଙ୍ଗ ରହେନି । ତେଣୁ ଜଗିରଖି ଶୁଖେଇବାକୁ ହୁଏ ଏହି ଘାସକୁ ।

କେବେ କେବେ ଖାଲି ଘାସରେ ବିଭିନ୍ନ ଜିନିଷପତ୍ର ତିଆରି ହୁଏ ତ ଆଉ କେବେ ଭିନ୍ନ ଭିନ୍ନ ରଙ୍ଗ ଦେଇ ତିଆରି ହୁଏ ଚିଜମାନ । କଫି, ହଳଦିଆ, ସବୁଜ, ନାରଙ୍ଗୀ ଆଦି ଗୁଣ୍ଡ ରଙ୍ଗ ମିଳିଯାଏ ହାଟରୁ । ରଙ୍ଗ ପୁଣି ଦୁଇ ପ୍ରକାରର; କିଛି ଅରଗାନିକ୍ ଓ ଆଉ କିଛି କେମିକାଲ୍ । କେମିକାଲ୍ ରଙ୍ଗ ଦଶ ମିନିଟରେ ହେଇଯାଏ ଆଉ ଉଜ୍ଜ୍ୱଳ ଦିଶେ । କିନ୍ତୁ କିଛି ଦିନ ପରେ ଔଜଲ୍ୟ ତା’ର କମି କମି ଯିବା ସହ ରଙ୍ଗ ବି ଛାଡ଼ି ଛାଡ଼ି ଫିକା ହେଇଯାଏ । ଅରଗାନିକ୍ ରଙ୍ଗ କିନ୍ତୁ ବେଶୀ ଚକଚକ୍ କରେନି କି ସମୟକ୍ରମେ ରଙ୍ଗ ଛାଡ଼ି ଫିକା ମଧ୍ୟ ପଡ଼ି ଯାଏନି । ସେଇ ଏକା ରଙ୍ଗ ବଜାୟ ରହେ । ଏପରି ରଙ୍ଗ କରିବାର ପ୍ରକ୍ରିୟା ବହୁତ ସହଜ ହୋଇଥାଏ । ବଡ଼ ଡେକଚି ଗୋଟେରେ ପାଣି ଭର୍ତ୍ତି କରି ଚୁଲା ଉପରେ ବସେଇ ଦିଆଯାଏ, ଆଉ ସେହି ପାଣି ଟକମକ କରି ଫୁଟି ଆସିଲେ ସେଥିରେ ରଙ୍ଗ ପକେଇ ଦିଆଯାଏ । ରଙ୍ଗ ସାଙ୍ଗେ ସାଙ୍ଗେ ପାଣିରେ ମିଶିଗଲା ପରେ ଘାସତକ ସେଥିରେ ପକେଇ ଦିଆଯାଏ । ପାଖାପାଖି ଅଧ ଘଣ୍ଟା ଯାଏ ସେଇଥିରେ ଓଲଟ ପାଲଟ କରାଯାଏ ଘାସକୁ ସବୁଆଡେ଼ ସମାନ ଭାବେ ରଙ୍ଗ ହେବ ବୋଲି । ଠିକ୍ ଏହି ପ୍ରକ୍ରିୟାରେ ବୁଣା ବୁଣିରେ ବ୍ୟବହୃତ ଦଉଡ଼ି, ଖଜୁରୀ ପତ୍ର ଆଦିକୁ ମଧ୍ୟ ରଙ୍ଗ କରାଯାଏ । ରଙ୍ଗ ହୋଇସାରିବା ପରେ ପୁଣି ଥରେ ଖରାରେ ଶୁଖାଯାଏ ଘାସକୁ । ଏଥର କିନ୍ତୁ ଖାଲି ମାଟି ଉପରେ ଶୁଖେଇ ନଦେଇ କାରିଗରମାନେ ତଳେ ବୁରା ତିଆରି ପାଲ ଉପରେ ଶୁଖାନ୍ତି ଧୂଳି ମଳି ନଲାଗିବା ଲାଗି । ଏକାଥରକରେ ଟିକେ ଅଧିକ ଘାସ ରଙ୍ଗ କରାଯାଇଥାଏ । ତେଣୁ ବଳକା ରଙ୍ଗୀନ୍ ଘାସକୁ ବସ୍ତାରେ ପୂରେଇ ରଖିଦିଆଯାଏ । ପ୍ରାୟ ବର୍ଷେ ଯାଏ ପୋକ ନଲାଗି ଏହା ରହିପାରେ । ରଙ୍ଗ ନଲାଗିଥିବା ଘାସରେ କିନ୍ତୁ ପୋକ ଲାଗେନି । ଫଙ୍ଗସ୍ ହୋଇଯାଏ କେବେ କେବେ ବର୍ଷା ଦିନେ ଯାହା । ଏବେ ପୋକ ନଲାଗିବା ଲାଗି ସେଥିରେ କୀଟନାଶକ ସ୍ପ୍ରେ ବି କରାଗଲାଣି ଗରାଖମାନଙ୍କ ବରାଦରେ ।

ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

ଆଗରୁ ପ୍ରାୟ ସବୁ ଘରର ଲୋକମାନେ ସବାଇ ଘାସରେ ବୋବେଇ ଦଉଡ଼ି ବୋଳା କାମ କରୁଥିଲେ । ପରେ ପରେ ଆରମ୍ଭ ହୋଇଛି ରକମ ରକମ ଡିଜାଇନ୍ ର ଜିନିଷ । ମୟୂରଭଞ୍ଜ ଜିଲ୍ଲାର ଗୁହାଳଡିହି, ରଙ୍ଗ ମାଟିଆ, ବଡ଼ଶୋଳ, ଅନ୍ଧାରିଶୋଳ, କୁଜିଡିହି, ବଡ଼ଜୋଳ ଆଦି ଗାଁରେ ଆଗରୁ ପ୍ରାୟ କୋଡ଼ିଏ ତିରିଶ ଜଣ ଲେଖାଏଁ ଲୋକ ସବାଇରେ ବୁଣାବୁଣି କାମ କରୁଥିଲେ । ଏସବୁ ପାଖାପାଖି ୨୦୧୩ର କଥା । ଓରମାସ ସେଇ ସମୟରେ ଗାଁ ଗାଁ ଯାଇ ତିନି ମାସିଆ ଟ୍ରେନିଂ ଦେଇ ସବାଇରେ ବିଭିନ୍ନ ଜିନିଷ ତିଆରି କରେଇବା ଶିଖାଇଲା ମହିଳାମାନଙ୍କୁ । ମାଷ୍ଟର ଟ୍ରେନର୍ ମାନେ ପ୍ରାୟ ବେଙ୍ଗଲର ଥିଲେ ଓ ନୂଆ ନୂଆ ଡିଜାଇନ୍ ଶିଖାଇବାକୁ ଓଡ଼ିଶା ଆସୁଥିଲେ । ତା ପରଠୁ କିଛି ଅଧିକ ଲୋକ କାମ କରିବା ଆରମ୍ଭ କଲେ । ପ୍ରାୟ କାମ ଓରମାସ ନେଇ ଯାଉଥିବାରୁ ପଇସା ବି ଚଟାପଟ୍ ମିଳି ଯାଉଥିଲା । ତେଣୁ ଅଧିକ ଲୋକେ କାମ କରିବାକୁ ଆଗ୍ରହୀ ହେଲେ । ଓରମାସ୍ ର ଷ୍ଟକ୍ ପାଇଁ ଥିବା ମୟୁରୀଶିଳ୍ପରେ କାରିଗରମାନେ କାମ ଦେଇ ଆସନ୍ତି ଓ ପଇସା ପାଇଯାଆନ୍ତି । ମୟୁରୀ ଶିଳ୍ପ ମୟୁରଭଞ୍ଜ ଜିଲ୍ଲାର ସବଇ ଘାସ କ୍ରାଫ୍ଟର ବିକ୍ରି ଓ ପ୍ରମୋସନ୍ ପାଇଁ କରାଯାଇଥିଲା। ପ୍ରଚାର ପ୍ରସାର ପରେ ପରେ ଅନ୍ୟ ଆଡ଼ୁ ବି ଅର୍ଡର ଆସିବାକୁ ଲାଗିଲା । ବେପାରୀମାନେ ଆସି ପହଞ୍ଚିଲେ । ଘରେ ପହଞ୍ଚି ଜିନିଷ ନେଇ ଆସିଲେ ନହେଲେ ଡିଜାଇନ୍ ବରାଦ ଦେଇ ମଗେଇ ନେଲେ ଚିଜ ବସ୍, ଟ୍ରେନ୍ ବା କୋରିଅର୍‌ରେ । ଦିଲ୍ଲୀ, ବମ୍ବେ, ଅହମ୍ମଦାବାଦରୁ ବରାଦ ଆସିବା ଆରମ୍ଭ ହେଇଗଲା ବି ।

ପ୍ରାୟ ଗାଁରେ ଆଗରୁ କୋଡ଼ିଏ ତିରିଶ ଜଣଙ୍କୁ ନେଇ ଥିବା ଗ୍ରୁପ୍ ର ମେମ୍ବରମାନେ ଏକାଠି ହୋଇ କାମ କରୁଥିଲେ, ଅର୍ଡର ଧରୁଥିଲେ । ସରକାରଙ୍କ ତରଫରୁ ଶିଳ୍ପ ଉଦ୍ୟୋଗ ପାଇଁ ଆସୁଥିବା ତିନି ଲକ୍ଷ ଟଙ୍କା ବିନିଯୋଗ କରି ବ୍ୟବସାୟ ବଢ଼ାଉଥିଲେ, ଏବଂ ତା ଦ୍ୱାରା ପେଟପାଟଣା ମଧ୍ୟ ମେଣ୍ଟି ଯାଉଥିଲା । ଏହାଦ୍ୱାରା ଘରେ ଖାଲି ବସିରହିବା ଛାଡ଼ି ସ୍ୱାବଲମ୍ବୀ ହେଉଥିଲେ । ଘରର ଆବଶ୍ୟକତା ମେଣ୍ଟାଇବାରେ ନିଜ ଭାଗିଦାରୀ ଦେଉଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ଉଦ୍ୟୋଗ ଗୋଷ୍ଠୀ ଟିକେ ଅଲଗା । ଦଶଟା ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ହୁଏ ଉଦ୍ୟୋଗ ଗ୍ରୁପ୍ । ସରକାରଙ୍କ ତିନି ଲକ୍ଷ ମିଳେ ମିଳେ ପର୍ଯ୍ୟାୟ ଅନୁସାରେ ।

ଧୀରେ ଧୀରେ ଅଧିକା ଅର୍ଡର ଆସିବା ଆରମ୍ଭ ହେବା ପରେ ଅଧିକ ପଇସା ଦରକାର ହେଲା ଓ ଅଧିକ ଲୋକ କାମ କରିବା ଦରକାର ପଡ଼ିଲେ । ଅନେକ କୁଶଳୀ ଯୁବକ ଯୁବତୀ ଆଖପାଖ ଗାଁକୁ ନିଜ ଖର୍ଚ୍ଚରେ ଯାଇ ମାଗଣାରେ ସବାଇ ଘାସରେ ବୁଣିବା କାମ ଶିଖାଇଲେ । ଗାଁ ଗାଁ ବୁଲି କାମ ଶିଖେଇବା ପଛରେ ଲକ୍ଷ୍ୟ ଥିଲା ସେମାନେ ବି ଦି ପଇସା ପାଆନ୍ତୁ । ରୋଜଗାରକ୍ଷମ ହୁଅନ୍ତୁ । ଏବେ ପ୍ରତି ଘରେ କାମ ହେଲାଣି । ଅନେକ କାରିଗର ମାସକୁ ପ୍ରାୟ ଚାରି ପାଞ୍ଚ ହଜାର ଟଙ୍କା ରୋଜଗାର କଲେଣି । ଯେଉଁମାନଙ୍କର କାମ ଭଲ ସେମାନେ ୧୦,୦୦୦ ରୁ ଅଧିକ ରୋଜଗାର ବି ସହଜରେ କରୁଛନ୍ତି । ସେମାନଙ୍କର କହିବା କଥା, କାମ ଭଲ ଖରାପ ଆପେ ଆପେ ହୋଇଯାଏନି । ସେସବୁ ନିର୍ଭର କରେ ଶିଖେଇବା ଲୋକ ଉପରେ । ତେଣୁ ସେ ନିଜେ ଟିକିନିଖି ତଦାରଖ କରି ଦିନାକେତେ ଶିଖେଇବା ପରେ କାମ ଖରାପ ହେବାର ଆଉ ସମ୍ଭାବନା ନଥାଏ ।

ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

ସବାଇ ଘାସର କାରିଗରମାନଙ୍କ ଠାରୁ ଦିଲ୍ଲୀ ମୁମ୍ବାଇରେ ରହୁଥିବା ପ୍ରଡକ୍ଟ ଡିଜାଇନର ମାନେ ନୂଆ ନୂଆ ଡିଜାଇନ ଦେଇ ଭଳିକି ଭଳି ନିତ୍ୟ ବ୍ୟବହାର୍ଯ୍ୟ ଓ ଘରସଜା ଜିନିଷର ନମୂନା ତିଆରି କରିନିଅନ୍ତି । ନମୂନା ପସନ୍ଦ ହୋଇଗଲେ ଅଧିକ ସଂଖ୍ୟାରେ ଚିଜ ତିଆରି ପାଇଁ ବରାଦ ଆସେ । ଡିଜାଇନର ମାନଙ୍କର ବରାଦରେ ତିଆରି ଜିନିଷ କିନ୍ତୁ ଆମର ଏଠାର ମେଳା ମଉଛବରେ ମିଳେନି । ଏବେ ସବାଇରେ ପାଛିଆ, ଟୋକେଇ, ୱାଲ୍ ଆର୍ଟ, ଟେବଲ୍ ପ୍ଲେସମେଟ୍, ଲଣ୍ଡ୍ରି ବାସ୍କେଟ୍, ପ୍ଲାଣ୍ଟ ହୋଲ୍ପର, ଅରଗାନାଇଜର୍, ଚପାତି ବକ୍ସ, ବ୍ରେଡ୍ ବାସ୍କେଟ, ହାମ୍ପର୍ ବକ୍ସ, ହ୍ୟାଣ୍ଡ ବ୍ୟାଗ୍, ଚେୟାର୍ ଆଦି ଫର୍ଣ୍ଣିଚର୍ ସହ ଆହୁରି ଅନେକ ଜିନିଷ ତିଆରି ହେଲାଣି । ପ୍ରତିଦିନ ନୂଆ ନୂଆ ଡ଼ିଜାଇନ୍ ମିଶି ଚ଼ାଲିଛି କହିଲେ ଚଳେ । ଓଡ଼ିଶାରେ କିନ୍ତୁ ସବାଇ ସହ ଖଜୁରୀ ପତ୍ର ବ୍ୟବହାର ହୋଇ ତିଆରି ହୋଇଥିବା ଡିଜାଇନ୍ ବେଶୀ ଦେଖିବାକୁ ମିଳେ । ଆମର ଏଠି ଖଜୁରୀ ପତ୍ର ସହଜରେ ମିଳୁଥିବାରୁ ଏହା ସମ୍ଭବ ହୋଇପାରେ। ବେଙ୍ଗଲରେ ବେଶୀ ହୁଏ ବେଶୀ ଡିଜାଇନ୍ ଥିବା ଜିନିଷ ।

କେବଳ ଦଉଡି ତିଆରି ଓ କାଗଜ ତିଆରିରେ ବ୍ୟବହୃତ ହେଉଥିବା ସବାଇ ଘାସରେ ଆଜି ହେଉଥିବା କଳା କରିଗରୀ କିନ୍ତୁ ବେଶି ଦିନର ପୁରୁଣା ନୁହେଁ । ପ୍ରାୟ କାରିଗରଙ୍କର ଅଭିଜ୍ଞତା ମାତ୍ର ୨୦ କି ୨୨ ବର୍ଷର। ମୟୂରଭଞ୍ଜ ଜିଲ୍ଲାର  ଅନେକ ଗ୍ରାମୀଣ ମହିଳାମାନେ ଆଜିକାଲି ସେଥିରେ ଆତ୍ମନିର୍ଭର ହୋଇ ରୋଜଗାରକ୍ଷମ ହୋଇ ପାରିଛନ୍ତି । ସମ୍ଭାବନାର ଶେଷ ନାହିଁ । କେବଳ ଦିଲ୍ଲୀ କିମ୍ବା ମୁମ୍ବାଇର ଡିଜାଇନର ନୂଆ ଡିଜାଇନ କଲେ ହେବନି ମୋ ଧାରଣାରେ ସବାଇଘାସରେ ଜିନିଷ ତିଆରି କରୁଥିବା ଆମ ଗାଁ ଗହଳିର ନୂଆ ପିଢିର ପିଲାମାନେ ଡିଜାଇନ ପାଠ ପଢି ଗାଁକୁ ଫେରି ସେମାନଙ୍କ ବାପା ମା ଙ୍କୁ ଯେବେ ନୂଆ କଥା ଶିଖାଇବେ ତେବେ ଯାଇଁ ନୂଆ ଘଟଣା ଘଟିବ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)