ଭାରତରେ ଯାତ୍ରୀମାନଙ୍କ ପାଇଁ ସ୍ୱଳ୍ପ ଦୂରତା ସହ ଅଧିକ ଦୂର ଯାତ୍ରା ପାଇଁ ପରିବହନର ସବୁଠାରୁ ଆରାମଦାୟକ ଏବଂ ଶସ୍ତା ମାଧ୍ୟମ ହେଉଛି ଭାରତୀୟ ରେଳ । ଭାରତୀୟ ରେଳବାଇ ଯାତ୍ରୀଙ୍କ ଯାତ୍ରାକୁ ଉନ୍ନତ କରିବା ସହ ଆରାମଦାୟକ ଅନୁଭୂତି ଦେବା ପାଇଁ ଟ୍ରେନ୍ ଗୁଡ଼ିକର ଗୁଣବତ୍ତା ପରିବର୍ତ୍ତନ କରିଥାଏ । 'ରାଜଧାନୀ' ଏବଂ 'ଶତାବ୍ଦୀ' ଏକ୍ସପ୍ରେସ ଭଳି ଏକ୍ସପ୍ରେସ ଟ୍ରେନ୍ ରୁ ଆରମ୍ଭ କରି 'ବନ୍ଦେ ଭାରତ ଏକ୍ସପ୍ରେସ' ପର୍ଯ୍ୟନ୍ତ, ଟ୍ରେନ୍ ଗୁଡ଼ିକୁ ଆଧୁନିକୀକରଣ କରାଯାଇଛି । ଭାରତୀୟ ରେଳ ବିଭାଗ ଅଧୀନରେ ପ୍ରତିଦିନ ହାରାହାରି ପ୍ରାୟ 3,000 ଏକ୍ସପ୍ରେସ ଟ୍ରେନ୍ ଚାଲିଥାଏ ।
ଭାରତୀୟ ରେଳପଥର ଉତ୍ପତ୍ତି ୧୬୦ ବର୍ଷ ପୂର୍ବରୁ ଇଂରେଜ ଶାସନ ସମୟରୁ ଆରମ୍ଭ ହୋଇଥିଲା । ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୩ ମସିହା ଏପ୍ରିଲ୍ ୧୬ ତାରିଖରେ ମୁମ୍ବାଇର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ ଚଳାଚଳ କରୁଥିଲା । ଏହି ଅଗ୍ରଣୀ ଯାତ୍ରା ଭାରତର ବିଶାଳ ରେଳ ବ୍ୟବସ୍ଥାର ମୂଳଦୁଆ ସ୍ଥାପନ କରିଥିଲା, ଯାହା ସମୟ ସହିତ ବିସ୍ତାରିତ ହୋଇ ବିଶ୍ୱର ସର୍ବବୃହତ ରେଳ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହୋଇ ବିଶ୍ୱ ସ୍ତରରେ ଚତୁର୍ଥ ସ୍ଥାନ ପାଇପାରିଛି ।
Also Read
ହାଓଡ଼ା-କାଲକା ମେଲ୍ ଭାରତର ସବୁଠାରୁ ପୁରୁଣା ଯାତ୍ରୀବାହୀ ଟ୍ରେନ୍ । ଏହା ୧୫୮ ବର୍ଷ ପୂର୍ବେ ଯାତ୍ରା ଆରମ୍ଭ କରିଥିଲା । ଏହା ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ହାଓଡ଼ାକୁ ହରିୟାଣାର ପଞ୍ଚକୁଲା ଜିଲ୍ଲାର ଏକ ସୁନ୍ଦର ସହର କାଲକା ସହିତ ସଂଯୋଗ କରୁଥିଲା । ଏହା ୧୮୬୬ ମସିହା ଜାନୁଆରୀ ୧ ତାରିଖରେ ଚଳାଚଳ ଆରମ୍ଭ କରିବାପରେ, ପ୍ରଥମେ ହାଓଡ଼ା-ପେଶାୱାର ଏକ୍ସପ୍ରେସ୍ ନାମରେ ଜଣାଶୁଣା ଥିଲା । ଏହା ପ୍ରଥମେ ହାଓଡ଼ାରୁ ଆରମ୍ଭ ହୋଇଥିଲା ଏବଂ ଏହାର ଗନ୍ତବ୍ୟସ୍ଥଳ ଦିଲ୍ଲୀ ଥିଲା ଯାହା ପରେ ୧୮୯୧ ରେ ଦିଲ୍ଲୀରୁ କାଲକା ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା ।
ଏହା ବ୍ରିଟିଶ ଯୁଗରେ ଆରମ୍ଭ ହୋଇଥିବାରୁ ,ଏହାକୁ ଏକ ଐତିହାସିକ ଟ୍ରେନ୍ ଭାବେ ବିବେଚନା କରାଯାଏ । ଏହାକୁ ବ୍ରିଟିଶ ଅଧିକାରୀମାନେ ମୁଖ୍ୟତଃ ଭାରତର ତତ୍କାଳୀନ ରାଜଧାନୀ କୋଲକାତାରୁ ବ୍ରିଟିଶ ଗ୍ରୀଷ୍ମ ରାଜଧାନୀ ଶିମଲାକୁ ଯାତ୍ରା କରିବା ପାଇଁ ବ୍ୟବହାର କରୁଥିଲେ । ହାଓଡ଼ା-କାଲକା ମେଲ୍ ପୂର୍ବରୁ ଏହାର ନାମ ଭାରତ ରେଳ ମେଲ୍ ରହିଥିଲା । ତେବେ ଏହାର ନାମକୁ ତିନି ଥର ପରିବର୍ତ୍ତିତ କରାଯାଇଛି । କୁହାଯାଏ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୪୧ ରେ ବ୍ରିଟିଶ ପ୍ରଶାସନଠାରୁ ରକ୍ଷା ପାଇବା ପାଇଁ ଧାନବାଦ ଜିଲ୍ଲାର ଗୋମୋହରୁ ଏହି ଟ୍ରେନ୍ରେ ଚଢ଼ିଥିଲେ ।
୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ହାଓଡ଼ା-କାଲକା ମେଲର ନାମକୁ ପରିବର୍ତ୍ତନ କରି 'ନେତାଜୀ ଏକ୍ସପ୍ରେସ' ଭାବରେ ନାମିତ କରିଥିଲେ ।
ଦୀର୍ଘ ଏକ ଶତାବ୍ଦୀରୁ ଉର୍ଦ୍ଧ ସମୟ , ଏହା ଭାରତର ଅତୀତ ସ୍ମୃତିକୁ ପୁନର୍ଜୀବିତ କରିବା ସହ , ଏହି ପ୍ରତୀକାତ୍ମକ ଟ୍ରେନ୍ ଭାରତର ଉପନିବେଶବାଦୀ ଯୁଗରୁ ସ୍ୱାଧୀନତା ଏବଂ ପରେ ଆଧୁନିକତା ଆଡ଼କୁ ପରିବର୍ତ୍ତନର ମୂକସାକ୍ଷୀ ହୋଇ ରହିଛି ।