ଏବେ ଚାଲିଛି କାର୍ତ୍ତିକ ମାସ । ଆଉ ଏହି ପଞ୍ଚୁକରେ ଆମ ଓଡ଼ିଆ ଘରେ ସାଧାରଣତଃ ବିନା ପିଆଜ ରୁସଣରେ ଖାଇବା ପ୍ରସ୍ତୁତ କରାଯାଏ । ଆଜି ଆମେ ବିନା ପିଆଜ ରସୁଣରେ ଏକ ଦେଶୀ ଓ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ସାହି ପୋଟଳ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
‘ସାହି ପୋଟଳ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଚୋପା ଛଡ଼ା ପୋଟଳ, କଟା ଆଳୁ, ସୋରିଷ ତେଲ, ଟମାଟୋ, ଅଦା, କ୍ଷୀର, କାଜୁ, କଞ୍ଚା ଲଙ୍କା, ତେଜପତ୍ର, ଡାଲ୍ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା, ଲୁଣ, ଚିନି, ଗରମ ମସଲା ଏବଂ କଟା ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥରେ ଚୁଲିରେ କଡ଼େଇ ବସାଇ ସେଥିରେ ସୋରିଷ ତେଲ ଗରମ କରନ୍ତୁ ।
- ତେଲ ଗରମ ହୋଇଗଲା ପରେ ସେଥିରେ ଚୋପା ଛଡ଼ା ହୋଇଥିବା ଗୋଟା ପୋଟଳ ଏବଂ କଟା ଆଳୁ ପକାଇ ଭାଜନ୍ତୁ ।
- ଆଳୁ ଏବଂ ପୋଟଳ ଭଲ ଭାବେ ଭାଜି ହେଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ ।
- ଏବେ ଏହାର ମସଲା ତିଆରି କରିବା ପାଇଁ ଟମାଟୋ, ଅଦା ଏବଂ କଞ୍ଚା ଲଙ୍କା ନେଇ ପେଷ୍ଟ ତିଆରି କରନ୍ତୁ ।
- ଏହା ପରେ କ୍ଷୀର ଓ କାଜୁକୁ ଅଲଗା ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ ।
- ଏହାପରେ ଆଉ ଏକ କଡେଇରେ ତେଲ ଗରମ କରନ୍ତୁ , ସେଥିରେ ତେଜପତ୍ର, ଡାଲ୍ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା ପକାନ୍ତୁ।
- ଏହାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦା ଟମାଟୋ ଏବଂ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ, ଏହାକୁ ଏବେ ଭଲ ଭାବେ କଷନ୍ତୁ ।
- ଏହାପରେ ସେଥିରେ ପୂର୍ବରୁ ତିଆରି ହୋଇଥିବା କାଜୁ ପେଷ୍ଟକୁ ପକାନ୍ତୁ ।
- ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଧନିଆ ପାଉଡର୍, ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ।
- ଚୁଲିକୁ ମଧ୍ୟମ ଆଞ୍ଚରେ ରଖି ଏହି ସବୁ ମସଲା ଭଲରେ କଷନ୍ତୁ ।
- ମସଲା କଷି ହୋଇଗଲେ ସେଥିରେ ପାଣି ଏବଂ ସ୍ୱାଦ ଅନୁସାରେ ଲୁଣ ଏବଂ ଅଳ୍ପ ଚିନି ପକାଇ ଭଲରେ ମିଶାଇ ଫୁଟାନ୍ତୁ ।
- ଏହାପରେ ପୂର୍ବରୁ ଭଜା ହୋଇଥିବା ପୋଟଳ ଓ ଆଳୁକୁ ପକାଇ ଦିଅନ୍ତୁ ଓ ସେଥିରେ ଅଳ୍ପ ପାଣି ଦିଅନ୍ତୁ ।
- ମସଲା ଓ ପୋଟଳ-ଆଳୁ ଭଲ ଭାବେ ସିଝି ଝୋଳ କମିଯିବା ପରେ ସେଥିରେ ଗରମ ମସଲା ପକାନ୍ତୁ ।
- ଏହାପରେ ସେଥିରେ କଟା ଧନିଆ ପତ୍ର ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘ସାହି ପୋଟଳ’। ଏହି ରେସିପିଟିକୁ ଆପଣ ଫ୍ରାଏଡ୍ ରାଇସ୍ ବା ରୁଟି କିମ୍ବା ପରଟା ସହିତ ଖାଇଲେ ବେଶି ସୁଆଦିଆ ଲାଗିଥାଏ ।