Advertisment

ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍

ପୁରୀରେ ଏଥର ଦୁଇ ଦିନ ରଥଯାତ୍ରା। ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ।

undefined

Ratha Jatra

Advertisment

୧୯୭୧ ମସିହା ଭଳି ଏଥର ହେବ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନୀତିକାନ୍ତି। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ହୋଇଛି ବଡ଼ ଚ୍ୟାଲେଞ୍ଜ। ତେଣେ ଗୋଟିଏ ଦିନରେ ଠାକୁରଙ୍କ ତିନି ତିନିଟି ବଡ଼ ନୀତିକାନ୍ତି ପଡୁଥିବାରୁ ଏଥର ନବଯୌବନ ଦର୍ଶନ ସହ ପହଣ୍ଡି ଟିକେଟ୍ ବିକ୍ରୀ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଛି ନିଷ୍ପତ୍ତି।

Advertisment

ପୁରୀରେ ଏଥର ଦୁଇ ଦିନ ରଥଯାତ୍ରା। ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଗତକାଲି ଛତିଶା ନିଯୋଗରେ ଅନୁମୋଦିତ ରଥଯାତ୍ରା ନୀତିକାନ୍ତି ଓ ବ୍ୟବସ୍ଥାବଳୀ ଉପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିବା ପରେ ସ୍ପଷ୍ଟ ହୋଇଛି ଘୋଷଯାତ୍ରାର ଚିତ୍ର।

ଜୁଲାଇ ୭ ତାରିଖ ରଥଯାତ୍ରା ଦିନ ଅପରାହ୍ନ ୫ଟାରେ ରଥଟଣା ହେବ। ଯେହେତୁ ସେଦିନ ରଥ ମାତ୍ର ଅଳ୍ପ କିଛି ବାଟ ଗଡ଼ିବ, ତେଣୁ ତା ପରଦିନ ୮ତାରିଖରେ ପୁଣି ତିନି ରଥ ଟଣା ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବ। ବଡ଼ କଥା ହେଲା ୭ ତାରିଖ ଗୁଣ୍ଡିଚା ଯାତ୍ରା ଦିନ ଶ୍ରୀଜୀଉଙ୍କର ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହ ରଥଯାତ୍ରା ପଡୁଛି, ତେଣୁ କିଭଳି ହେବ ଗୋଟିଏ ଦିନରେ ତିନି ତିନିଟି ବଡ଼ ନୀତିକାନ୍ତି ? ତାକୁ ନେଇ ଚାଲିଥିବା ସସପେନସର ଅନ୍ତ ଘଟାଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି- ଯେହେତୁ ୧୯୭୧ ମସିହା ରଥଯାତ୍ରାବେଳେ ସମାନ ସ୍ଥିତି ଉପୁଜିଥିଲା, ତେଣୁ ସେବର୍ଷର ନୀତିକାନ୍ତି ତର୍ଜମା ସହ ଦଇତା ସେବକଙ୍କ ସାଙ୍ଗେ ବିସ୍ତୃତ ଆଲୋଚନା ହୋଇଛି। ଏଥିସହ ନିଳାଦ୍ରୀ ମହୋଦୟ ଶାସ୍ତ୍ରକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ଯେହେତୁ ସେଥିରେ ଉଭୟ ଦାରୁ ବ୍ରହ୍ମ ଓ ପଟ୍ଟବ୍ରହ୍ମଙ୍କୁ ଏକ ବୋଲି ବିବେଚନା କରାଯିବାକୁ ଉଲ୍ଲେଖ ରହିଛି- ତେଣୁ ରଥଯାତ୍ରା ପୂର୍ବଦିନ ସକାଳ ଧୂପ ସରିବା ପରେ ଏଥର ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ରଥଖଳାକୁ ଯିବ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଏଥର ରଥଯାତ୍ରା ହେବ ପ୍ରଥମ। ପୁରୀକୁ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କର ସମାଗମ ହେବା ସମ୍ଭାବନା ରହିଛି। ତେଣୁ ଏଠି ପ୍ରଶ୍ନ-ଦୁଇ ଦିନ ରଥଯାତ୍ରା ହେଲେ କେମିତି ହେବ ପୁରୀରେ କ୍ରାଉଡ କଣ୍ଟ୍ରୋଲ୍ ? ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବନ୍ଦୋବସ୍ତ କେବଳ ଘୋଷଯାତ୍ରା ପାଇଁ ରହିବ ନା ତା ପରଦିନ ବି ଚାଲୁ ରଖାଯିବ ? ତେଣେ ପୁରୀ ଏସ୍ ପି କହିଛନ୍ତି- ବଡ଼ଦାଣ୍ଡରେ ଏଥର ଲକ୍ଷାଧିକ ଭକ୍ତଙ୍କ ଗହଳି ସାଙ୍ଗକୁ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ଦୁଇ ଦିନ ପାଇଁ କରାଯାଉଛି। ଗତବର୍ଷର ବ୍ୟବସ୍ଥାବଳୀଙ୍କୁ ଅନୁଧ୍ୟାନ କରାଯାଇ, ସେଥିରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ଓ ଅଭିଜ୍ଞ ଅଫିସରଙ୍କୁ ନିୟୋଜିତ କରାଯିବ। ଟ୍ରାଫିକ୍ ଭିଡ଼ ରୋକିବାକୁ ପୁରୀ ସହରକୁ ଦୁଇ ଭାଗ କରାଯାଇ ଇନର ଓ ଆଉଟର ଟ୍ରାଫିକ୍ ବଳୟରେ ରଖାଯିବ। ବଡଦାଣ୍ଡକୁ ସମ୍ପୂର୍ଣ୍ଣ ନୋ ଭେଇକିଲ୍ ଜୋନ୍ କରାଯିବ। ରଥ ଯେଉଁଠି ଅଟକିବ ସେଠି ତୁରନ୍ତ ବ୍ୟାରିକେଡିଂ କରାଯିବ।

ଗୋଟିଏ ପଟେ ରାଜ୍ୟରେ ନୂଆ ସରକାର, ଅନ୍ୟ ପଟେ ଏଥର ଶ୍ରୀକ୍ଷେତ୍ରରେ ଦୁଇ ଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଏହାର ସୁପରିଚାଳନା ଉଭୟ ପୋଲିସ ଓ ସରକାରଙ୍କ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ।

Advertisment
Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ