ରାଜ୍ୟରେ ଦୁର୍ବଳ ପ୍ରାଥମିକ ଶିକ୍ଷା; ସ୍କୁଲ୍‌ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ

ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।

Odisha schools

ଫର୍ମଫିଲପ୍ ହୋଇଥିବା ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉନଥିବା ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିଲା ହଇଚଇ । ଏବେ ପଦାକୁ ଆସିଛି ତାଠୁ ବି ସାଂଘାତିକ ତଥ୍ୟ । ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।

ମାଲକାନଗିରିର ଶୋଭା ମୁଦୁଲି ପରିବାରର ଦୟନୀୟ ଆର୍ଥିକ ସ୍ଥିତି ତାଙ୍କୁ ହୋଟେଲ୍‌ରେ କାମ କରିବା ପାଇଁ ବାଧ୍ୟ କରିଛି । କେବଳ ଶୋଭା ନୁହନ୍ତି ଦାରିଦ୍ର୍ୟ ପରିବାରର ଅନେକ ପିଲାଙ୍କର ସମାନ ଦଶା । କରୋନା ସଂକ୍ରମଣକୁ ନେଇ ଦୁଇ ବର୍ଷ ସ୍କୁଲ ବନ୍ଦ ରହିଲା । ଅନ୍‌ଲାଇନ୍ ଶିକ୍ଷା ପାଇଁ ପାଖରେ ସମ୍ବଳ ନଥିଲା । ଅନେକ ଦିନ ଘରେ ବସିବା ପରେ ପେଟ ପୋଷିବାକୁ କିଏ ବାପା ମାଙ୍କ ସହ ଚାଷ କାମ କରୁଛି ତ ଆଉ କିଏ ଛେଳି ଚରାଉଛି । ମହାମାରୀର କୋପ ଏମାନଙ୍କୁ ପୋଥିରେ ଡୋରି ବାନ୍ଧିବାକୁ ବାଧ୍ୟ କରିଛି । ତେବେ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ମାଲକାନଗିରି, ବୌଦ, ଗଜପତି, ସମ୍ବଲପୁର ଓ ନୂଆପଡା ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ୭୦ ପ୍ରତିଶତରୁ କମ୍ ଥିବା ବେଳେ ମାଲକାନଗିରି, ବୌଦ, ସମ୍ବଲପୁର ଓ ନୂଆପଡାରେ ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ୭୦ ପ୍ରତିଶତରୁ କମ୍ ରହିଛି । ନବମ ଓ ଦଶମ ଶ୍ରେଣୀ କ୍ଷେତ୍ରରେ ସର୍ବାଧିକ ୧୩ ଜିଲ୍ଲାରେ ଉପସ୍ଥାନ ଷ୍ଟେଟ ଆଭରେଜଠାରୁ କମ୍ ଅଛି । ଏଥିରେ କଟକ ଓ ଖୋର୍ଦ୍ଧା ଭଳି ଜିଲ୍ଲା ବି ରହିଛନ୍ତି । ଗଜପତି, ସୋନପୁର, ବରଗଡ, କନ୍ଧମାଳ ଓ ନୂଆପଡା ଜିଲ୍ଲାରେ ଯୁକ୍ତ ଦୁଇ ପିଲାଙ୍କ ଉପସ୍ଥାନ ଅତି ଉଦ୍‌ବେଗଗଜନକ । ତେବେ ପିଲାଙ୍କୁ ସ୍କୁଲ୍ ଫେରାଇ ଆଣିବା ଲାଗି ୫ ସୂତ୍ରୀ ଫର୍ମୁଲା ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ ।

କେତେ ପିଲା ସ୍କୁଲ୍ ଆସୁନାହାଁନ୍ତି, ସେନେଇ ମାଇକ୍ରୋ ଲେଭେଲ୍ ସର୍ଭେ ହେବା ଦରକାର । ପିଲା କାହିଁକି ଆସୁନାହାନ୍ତି, ସେମାନଙ୍କ ଘରକୁ ଯାଇ ଯାଇ କାରଣ ଖୋଜିବା । ପିଲା ସ୍କୁଲ୍ ଆସିବା ଦ୍ୱାରା କଣ ସରକାରୀ ସୁବିଧା ମିଳିବ । ସେନେଇ ଅଭିଭାବକମାନଙ୍କୁ ଅବଗତ କରିବା । ସ୍କୁଲ ମ୍ୟାନେଜମେଣ୍ଟ କମିଟି, ସରପଞ୍ଚ ଓ ଏସ୍ଏଚ୍‌ଜି ସହାୟତାରେ ପିଲାଙ୍କୁ ଉତ୍ସାହିତ କରିବା । ଏବେ ପଛୁଆ ପାଠ କିଭଳି ପୂରଣ କରାଯିବା, ସେ ସଂପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅବଗତ କରିବାକୁ କୁହାଯାଇଛି ।

ମହାମାରୀ ସମୟରେ ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ପଢାଇବାର ବ୍ୟବସ୍ଥା ହୋଇଥିଲା । ତେବେ ଡ୍ରପ୍ଆଉଟ୍ ହାର ଓ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତିରୁ ସରକାରଙ୍କ ପ୍ରୟାସ ଆଦୌ ସଫଳ ହୋଇନଥିବା ସ୍ପଷ୍ଟ ହେଉଛି ।

ରିପୋର୍ଟର- ଜିତେନ୍ଦ୍ର ବେଉରା, ରାଜେଶ ପଣ୍ଡା, ମନୋଜ ମୁନି ଓ ଜଗଦୀଶ ଦାସ