କଥାରେ ଅଛି ଯେଡ଼େ ବାଉଁଶ ସେଡେ ପୋଲା। ଯାହାର ଯେତେ ରୋଜଗାର ତାର ସେତେ ଖର୍ଚ୍ଚ। ଯେତେ ଅର୍ଜିଲେ ବି ଅଣ୍ଟୁନି। ସଦାବେଳେ ନିଅଁଟିଆ ବଜେଟରେ ଘର ଚଳାଇବାକୁ ପଡୁଛି। ଏମିତି କି ଅନେକ ସମୟରେ ଧାର ଉଧାର କରଜ ବାଡି କରିବାକୁ ପଡୁଛି। ତେଣୁ ମାନସିକ ଅସାନ୍ତି ବଢ଼ୁଛି। ଆର୍ଥିକ ଚାପ ବଢ଼ୁଛି। ବେଳେବେଳେ ଭାବୁଥିବେ ଏ ପାରିବାରିକ ଜଞ୍ଜାଳକୁ ନେଇ ଜୁଝିବା ଆଉ ସହଜ ନୁହେଁ। ଦିନକୁ ଦିନ ଏ ଅଭାବି ଜୀବନ ଏତେ ଭାରି ହୋଇଯାଉଛି ଯେ, ମଣିଷ ଜୀବନଟି ଯନ୍ତ୍ରଣାରେ ପରିଣତ ହୋଇଯାଉଛି।
ତେବେ ଏଥିରୁ ନିଜକୁ ବାହାର କରି ଗୋଟେ ସରଳ ସୁନ୍ଦର ଜୀବନ ପାଇଁ ପଢି ନିଅନ୍ତୁ କେତୋଟି ଟିପ୍ସ ଟିପ୍ସ୧- ଜାଣି ରଖନ୍ତୁ ଖର୍ଚ୍ଚ ଏମିତି ଗୋଟେ ଜିନିଷ ଆପଣ ଯେତେ କରୁଥିବେ ସିଏ ସେତେ ବଢ଼ି ଚାଲିଥିବ ପଛେ ଛିଡ଼ିବନି। ତେଣୁ ଅନ୍ୟମାନଙ୍କୁ ଦେଖି ନିଜ ପାଇଁ କିଣାକିଣି କରିବାକୁ ମନ ବଳିଲେ ସେଥିରୁ ନିବୃତ ରୁହନ୍ତୁ ଦେଖିବେ ଆପଣଙ୍କ ଝାଳବୁହା ଧନ ଅଯଥାରେ ଖର୍ଚ୍ଚ ହେବନି।
Also Read
ଟିପ୍ସ୨- ଆପଣଙ୍କ ମାସିକ ଖର୍ଚ୍ଚର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଲଗାତର ୩ ରୁ ୪ ମାସ ଧରି ନିଜ ଖର୍ଚ୍ଚର ଏକ ହିସାବ ରଖନ୍ତୁ। ଫଳରେ ଜାଣି ପାରିବେ କେଉଁ ଖର୍ଚ୍ଚ ଆପଣଙ୍କ ପାଇଁ ସେତେଟା ଜରୁରୀ ନ ଥିଲା, ବରଂ ଅଯଥାରେ ତାହା ଆପଣଙ୍କୁ ଖର୍ଚ୍ଚାନ୍ତ କରାଇଛି, ଯାହାକୁ ଚାହିଁଥିଲେ ଆପଣ ଟାଳି ଦେଇ ପାରି ଥାଆନ୍ତେ। ଫଳରେ ଆଗକୁ ସେ ଭୁଲ୍ କରିବେନି।
ଟିପ୍ସ୩- ଖର୍ଚ୍ଚ କରିବା ପୂର୍ବରୁ ଥରେ ଲେଖି ରଖନ୍ତୁ, ଏ ମାସରେ ଆପଣ କଣ କଣ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। ଆଉ ସେ ସବୁ ଜିନିଷ ବା ସେବା ପାଇବା ପାଇଁ କେତେ ଟଙ୍କା ଦରକାର। ଯଦି ତାହା ଆପଣଙ୍କ ବଜେଟ୍ ବାହାରେ ତେବେ ସେଥିରୁ କିଛି ଖର୍ଚ୍ଚକୁ ବାଦ୍ ଦିଅନ୍ତୁ। ଯାହା କି ପରବର୍ତ୍ତୀ ସମୟରେ ମଧ୍ୟ କରାଯାଇ ପାରିବ।
ଟିପ୍ସ୪- ଆର୍ଥିକ ପରାମର୍ଶଦାତାଙ୍କ କହିବା ଅନୁସାରେ ନିଜ ରୋଜଗାରକୁ ସୂଚାରୁ ରୂପେ ବଣ୍ଟନ କରିବା ପାଇଁ ଏକ ୫୦-୩୦-୨୦ ଫର୍ମୁଲା ରହିଛି। ଯାହାର ଅର୍ଥ ହେଉଛି ରୋଜଗାରର ୫୦ ପ୍ରତିଶତ ଅଂଶ ଆପଣଙ୍କ ଅତି ଜରୁରୀ ଆବଶ୍ୟକତା ପୂରଣ ପାଇଁ ଖର୍ଚ୍ଚ କରନ୍ତୁ, ଯେମିତି, ଘର ଭଡ଼ା, ବିଜୁଳି ବିଲ୍, ରାସନ ସଉଦା, ପେଟ୍ରୋଲ ଖର୍ଚ୍ଚ, ପିଲାଙ୍କ ସ୍କୁଲ୍ ଫି, ଟ୍ୟୁସନ ଫି ଇତ୍ୟାଦି।
୩୦ ପ୍ରତିଶତ ଅର୍ଥ ଆପଣଙ୍କ ଜୀବନକୁ ଆଉ ଟିକେ ଶରସ ସୁନ୍ଦର କରିବା ପାଇଁ ଖର୍ଚ୍ଚ କରନ୍ତୁ ଯେମିତି, ନିଜ ପାଇଁ କିଛି ବହି କିଣିବା, ଘର ସଜା ଜିନିଷ କିଣିବା, କିଚେନ୍ ପାଇଁ ନୂଆ ବାସନ କୁସନ, ମନ ହାଲୁକା ପାଇଁ ପାଖଆଖ ସ୍ଥାନକୁ ଅଳ୍ପ ଖର୍ଚ୍ଚରେ ବୁଲାବୁଲି କରିବାକୁ ଯିବା ଇତ୍ୟାଦି। ସେଥିରେ ଆଉ କିଛି ଯଦି ଯୋଡିବେ ଯେମିତି କିଛି ଅର୍ଥ ଅନ୍ୟର ଭଲ ପାଇଁ ସାହାଯ୍ୟ କରିବା... ଆଉ ବାକି ୨୦ ପ୍ରତିଶତ ଅର୍ଥ ଆପଣଙ୍କ ଭବିଷ୍ୟତ ପାଇଁ ସଞ୍ଚୟ ବା ନିବେଶ କରନ୍ତୁ। ଯାହା କି ଭବିଷ୍ୟତରେ କାମରେ ଲାଗିବ।
ଟିପ୍ସ୫- ଗୋଟିଏ ରୋଜଗାର ଉପରେ ନିର୍ଭର ନ କରି, ଆପଣଙ୍କ ରୋଜଗାରର ଏକାଧିକ ବାଟ କେମିତି ଫିଟିବ ସେ ଉପାୟ ଖୋଜନ୍ତୁ। ନିଜର ଗୋଟିଏ ମୁଖ୍ୟ ଆୟ ଉତ୍ସ ରଖିବା ସହିତ କିଛି ସାଇଡ୍ ଇନକମ୍ (ପାସିଭ୍ ଇନକମ୍) ପାଇଁ ବାଟ ଖୋଜନ୍ତୁ। ଏ ରୋଜଗାର ଏମିତି ଏକ ଉପାୟ ଯେଉଁଥିରେ ଆପଣଙ୍କୁ ଫୁଲ୍ ଟାଇମ୍ ଖଟିବାକୁ ପଡିବନି, ଆପଣ ଘରେ ସୋଇଥିଲା ସମୟରେ ମଧ୍ୟ ଆପଣା ଛାଏଁ ରୋଜଗାର ହେଉଥିବ। ଯେମିତି, ଘର ଭଡ଼ାରୁ ଆୟ, ନିଜ ଗାଡିକୁ ଟ୍ରାଭେଲ୍ ଏଜେନ୍ସିକୁ ଦେବା, ଖବର କାଗଜ ପାଇଁ ଆର୍ଟିକିଲ୍ ଲେଖିବା ଇତ୍ୟାଦି।
ଇକୋନୋମିକ୍ସରେ ଗୋଟେ ଅତି ସୁନ୍ଦର କଥା ଅଛି Human wants are unlimited, but to satisfay these want resources are limited (ମଣିଷର ଇଛା ସର୍ବଦା ଅସରନ୍ତି, କିନ୍ତୁ ଏ ଅସରନ୍ତି ଇଛାକୁ ସାକାର କରିବା ପାଇଁ ଆମ ପାଖରେ ଥିବା ସମ୍ବଳ ସୀମିତ)। ତେଣୁ ସେହି ସୀମିତ ସମ୍ବଳ ଭିତରେ କେମିତି ଅଧିକ ଇଛା ପୂରଣ କରି ହେବ ଆଉ ସୁଖରେ ବଞ୍ଚିହେବ ତାହା ହିଁ ଆମ ଜୀବନଧାରଣାର କୌଶଳକୁ ମାର୍ଜିତ କରିବ। ଯାହାକୁ ଅର୍ଥନୀତିରେ point of equilibrium ବୋଲି କୁହାଯାଏ। କିନ୍ତୁ ଏଠି ମନେ ରଖନ୍ତୁ ସାରାଜୀବନ ଏହି ଇକ୍ୟୁଲିବ୍ରିୟମ ପଏଣ୍ଟରେ ନିଜକୁ ଖୋଜି ପାଇବା ସହଜ ନୁହେଁ।
କେତେବେଳେ ତା ଠାରୁ ତଳେ ତ ଆଉ କେତେବେଳେ ତା ଠାରୁ ଉପରେ ଆମେ ରହିଥାଉ। ତଥାପି ସଦାବେଳେ ଇକ୍ୟୁଲିବ୍ରିୟମ ପଏଣ୍ଟ୍ ଆଡକୁ ନିଜକୁ ଟାଣିବା ହିଁ ଆମ ପ୍ରୟାସ ହେବା ଉଚିତ। କିନ୍ତୁ ଏ ଇକ୍ୟୁଲିବ୍ରିୟମ ପଏଣ୍ଟ୍ ସମସ୍ତଙ୍କ ପାଇଁ ସମାନ ନୁହେଁ। ୫୦ ହଜାର ରୋଜଗାର କରୁଥିବା ଲୋକର ଇକ୍ୟୁଲିବ୍ରିୟମ ପଏଣ୍ଟ୍ ୩୦ ହଜାର ଠାରୁ ଭିନ୍ନ। ଅଳ୍ପରେ ସନ୍ତୁଷ୍ଟ ହେଉଥିବା ଲୋକର ଇକ୍ୟୁଲିବ୍ରିୟମ ପଏଣ୍ଟ୍ ପ୍ରବଳ ଆଶାବାଦୀ ମଣିଷଠାରୁ ଭିନ୍ନ ।
ଲେଖକ: ଜଗମୋହନ ମହାରାଣା