Train Tragedy: ସବୁ ମୃତଦେହ ଭୁବନେଶ୍ୱର AIIMSରେ ଥିବା କଣ୍ଟେନରରେ ରହିଛି

ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।

Bhubaneswar AIIMS

ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ୬ ଦିନ ବିତିଲାଣି । ତଥାପି ମନରୁ ଲିଭିନି ଏହାର ଭୟାବହତା । ଦୁର୍ଘଟଣାରେ ପ୍ରାୟ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ଡିଏନ୍ ଟେଷ୍ଟ ତଥା ବିଭିନ୍ନ ଯାଞ୍ଚ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି ।

ହେଲେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଲା, ଦୂରଦୂରାନ୍ତରୁ ଅନେକ ଲୋକ ଓଡ଼ିଶା ଆସିଛନ୍ତି । ଆଉ ଏହି ରେଳ ଦୁର୍ଘଟଣାରେ ମୃତାହତ ହୋଇଥିବା ନିଜ ପରିବାର ଲୋକଙ୍କୁ ଖୋଜୁଛନ୍ତି । ହେଲେ ପାଉନାହାନ୍ତି । ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ବୁଲି ବୁଲି ନୟାନ୍ତ ହେଉଛନ୍ତି । ତେଣୁ ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।

ଅଧିକ ପଢ଼ନ୍ତୁ: କେତେ ଖୋଜା ଖୋଜି ପରେ ପାଇଲେ ପୁଅକୁ, ହେଲେ ସେ ଏବେ...

ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମୃତଦେହ ସବୁ ଭୁବନେଶ୍ୱର AIIMSରେ ରଖାଯାଇଛି । ଯିଏ ବି ମୃତଦେହ ଖୋଜିବାକୁ ଆସୁଛନ୍ତି ସେମାନେ ଏଣେ ତେଣେ ନବୁଲି ସିଧା ଭୁବନେଶ୍ୱର AIIMSରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ମୃତକଙ୍କୁ ଚିହ୍ନଟ ପାଇଁ ସମ୍ପର୍କୀୟମାନେ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର AIIMS ଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ହସ୍ପିଟାଲରୁ ବାକି ୩୯ଟି ମୃତଦେହ ଆଣି କଣ୍ଟେନରରେ ରଖାଯାଇଛି । ଭୁବନେଶ୍ୱର AIIMS ପକ୍ଷରୁ ଏପର୍ଯନ୍ତ ୧୬୨ଟି ମୃତଦେହ ମିଳିଛି । ସେଥିରୁ ୭୧ଟି ମୃତଦେହ ହସ୍ତାନ୍ତର କରାଯାଇଛି ।

ସେପଟେ ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇ ତଦନ୍ତର ଆଜି ଦ୍ୱିତୀୟ ଦିନ । ଆଜି ପୁଣି ଥରେ ଦୁର୍ଘଟଣାସ୍ଥଳ ଓ ବାହାନଗା ଷ୍ଟେସନକୁ ଯାଇ ଛାନଭିନ କରିବ ସିବିଆଇ । ରିଲେ ରୁମକୁ ଯାଇ ତନାଘନା କରିବ ବୋଲି ଜଣାପଡ଼ିଛି । ଏଥିରେ ଜଣାପଡ଼ିବ ଯଦି କିଏ ଜାଣିଶୁଣି ସିଗନାଲ ବ୍ୟବସ୍ଥାକୁ ଏପଟ ସେପଟ କରିଥିବ । ଦୁର୍ଘଟଣା ଦିନ କେଉଁ କର୍ମଚାରୀମାନେ ଦାୟିତ୍ୱରେ ଥିଲେ, ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଓ ସେମାନଙ୍କୁ ପଚରା ଉଚରା କରାଯାଇପାରେ । ଫିଜିକାଲି ଇଣ୍ଟରଲକିଂ ସଂପର୍କରେ ତଥ୍ୟ ସଂଗ୍ରହ କରିବେ । ଗତକାଲି ସିବିଆଇ ଟିମ୍ ଟ୍ରାକ୍ ପରିଦର୍ଶନ କରିଥିଲେ । ଇଣ୍ଟରଲକିଂ ସିଷ୍ଟମ ଯାଞ୍ଚ କରିଥିଲେ ।

ଅଧିକ ପଢ଼ନ୍ତୁ: ତାଙ୍କ ଆଖି ଆଗରେ ଚାଲିଗଲା ଅନେକଙ୍କ ପ୍ରାଣବାୟୁ, ହେଲେ ଅଳ୍ପକେ ବର୍ତ୍ତିଗଲେ ମାନିକଲାଲ..