ପିଢ଼ି ପରେ ପିଢ଼ି ବିଭିନ୍ନ ସୁନ୍ଦର, ସୌଖୀନ ତଥା ଉପଯୋଗୀ ଦେଶୀ ସାମଗ୍ରୀ ପ୍ରସ୍ତୁତ କରିଆସୁଛନ୍ତି ଦେଶର ଅଗଣିତ ପରିବାର । ସେହିଭଳି କୌଳିକ ଶିଳ୍ପୀ ଓ କାରିଗର ବର୍ଗଙ୍କ ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି କେନ୍ଦ୍ରୀୟ ଯୋଜନା 'ପିଏମ୍- ବିଶ୍ୱକର୍ମା’ । ଆଜି ବିଶ୍ୱକର୍ମା ପୂଜା ଅବସରରେ ନୂଆଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ବସନ୍ତ ରଣା ସମ୍ବର୍ଦ୍ଧିତ ହେବା ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି ।