ପେସାଦାର ଟେନିସ୍ରେ ଦୀର୍ଘ ଦିନ ଧରି ବିଗ୍ ଥ୍ରୀ - ସ୍ୱିଜରଲାଣ୍ଡର ରୋଜର୍ ଫେଡେରର୍, ସ୍ପେନ୍ର ରାଫେଲ୍ ନାଡାଲ୍ ଓ ସର୍ବିଆର ନୋଭାକ୍ ଜୋକୋଭିଚ୍ଙ୍କ ଅଖଣ୍ଡ ଆଧିପତ୍ୟ ଥିଲା । ପ୍ରଥମେ ଫେଡେରର୍ ଓ ଏହାପରେ ନାଡାଲ୍ଙ୍କ ଯୁୁଗର ଅନ୍ତ ଘଟିଲା । ଏବେ କେବଳ ଜୋକୋଭିଚ୍ ରହିଯାଇଛନ୍ତି । ତେବେ ସର୍ବାଧିକ ୨୪ ଗ୍ରାଣ୍ଡ୍ସ୍ଲାମ୍ ଜିତିଥିବା ସର୍ବୀୟ ସୁପର୍ଷ୍ଟାର୍ଙ୍କ ଚମକ ଆଉ ପୂର୍ବ ଭଳି ନାହିଁ । ଉଚ୍ଚ ସ୍ତରର ପ୍ରଦର୍ଶନ ସହ ଫିଟ୍ନେସ୍ ବଜାୟ ରଖିବା ତାଙ୍କ ପାଇଁ ଚାଲେଞ୍ଜ୍ ହୋଇଛି । ତାଙ୍କ କ୍ୟାରିଅର୍ ଆଉ କେତେ ବାଟ ଯିବ, ତାହା କହିବା କଷ୍ଟ ।
ନାଡାଲ୍ଙ୍କ ଦେଶର କାର୍ଲୋସ୍ ଅଲ୍କରାଜ୍ ଓ ଇଟାଲୀୟ ଜାନିକ୍ ସିନର୍ ନୂଆ ପିଢ଼ିର ନେତୃତ୍ୱ ନେବା ପାଇଁ ଆଗକୁ ଆସିଲେଣି ।ଉଭୟଙ୍କ ମଧ୍ୟରୁ ଏବେ ସିନର୍ଙ୍କ ନେଇ ଅଧିକ ଚର୍ଚ୍ଚା ହେଉଛି, ଯିଏ ସ୍କିଇଙ୍ଗ୍ ପରେ ଟେନିସ୍ରେ କ୍ୟାରିଅର୍ ଗଢ଼ିଥିଲେ । ସେ ଏବେ ବିଶ୍ୱ ଏକକ ମାନ୍ୟତାର ଶୀର୍ଷ ସ୍ଥାନରେ ଅଛନ୍ତି । ୨୩ ବର୍ଷ ବୟସ ମଧ୍ୟରେ ସେ ତିନି ଗ୍ରାଣ୍ଡ୍ସ୍ଲାମ୍ ଜିତିଲେଣି ।
ହାର୍ଡ କୋର୍ଟରେ ଆଧିପତ୍ୟ ବଳବତ୍ତର
ସିନର୍ ହାର୍ଡ କୋର୍ଟରେ ନିଜ ଆଧିପତ୍ୟ ବଜାୟ ରଖି ଜାନୁଆରୀ ୨୬ରେ କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍ ଓପନ୍ ମୁକୁଟ ଜିତିଥିଲେ । ଗତ ବର୍ଷ ହାର୍ଡ କୋର୍ଟରେ ଦୁଇ ଗ୍ରାଣ୍ଡ୍ସ୍ଲାମ୍ - ଅଷ୍ଟ୍ରେଲିଆନ୍ ଓପନ୍ ଓ ୟୁଏସ୍ ଓପନ୍ ଜିତିଥିବା ସିନର୍ ଏଥର ବି ମେଲ୍ବର୍ଣ୍ଣ ପାର୍କରେ ମୁକୁଟର ମଜଭୁତ ଦାବିଦାର ଥିଲେ । ଏହି ଇଟାଲୀୟ ଫାଇନାଲ୍ ମୁକାବିଲାରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଜର୍ମାନୀର ଆଲେକ୍ଜାଣ୍ଡର୍ ଜ୍ୱେରେଭ୍ଙ୍କୁ ୬-୩, ୭-୬ (୬), ୬-୩ ସେଟ୍ରେ ପରାସ୍ତ କରିଥିଲେ । ଏଥିରେ ସେ କୌଣସି ବ୍ରେକ୍ ପଏଣ୍ଟ ହାତଛଡ଼ା କରି ନ ଥିଲେ । ଏହି ମ୍ୟାଚ୍ ଦୁଇ ଘଣ୍ଟା ୪୨ ମିନିଟ୍ ଧରି ଚାଲିଥିଲା । ସିନର୍ ୩୨ ଓ ଜ୍ୱେରେଭ୍ ୨୫ ୱିନର୍ ଲଗାଇଥିଲେ ।
ସିନର୍ ୧୯୯୨ ଓ ୧୯୯୩ରେ ଜିମ୍ କୂରିଅର୍ଙ୍କ ପରେ ସର୍ବକନିଷ୍ଠ ଖେଳାଳି ଭାବେ କ୍ରମାଗତ ଦୁଇ ଥର ଏହି ଟ୍ରଫି ଜିତିଛନ୍ତି । ତିନି ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ ଜିତିବାରେ ସେ ଇଟାଲୀର ପ୍ରଥମ ଖେଳାଳି । ସାତ ବର୍ଷ ପରେ ପ୍ରଥମ ଥର ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ରେ ବିଶ୍ୱ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ଖେଳାଳିଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ।
ସ୍ୱତନ୍ତ୍ର କ୍ଲବ୍ରେ ସାମିଲ୍
ଓପନ୍ ଯୁଗରେ କ୍ୟାରିଅର୍ର ପ୍ରଥମ ତିନି ଗ୍ରାଣ୍ଡ୍ସ୍ଲାମ୍ ଫାଇନାଲ୍ରେ ବିଜୟ ହାସଲ କରିବାରେ ସିନର୍ ଅଷ୍ଟମ ଖେଳାଳି । ଏହି ଉପଲବ୍ଧି ସହିତ ସେ ଏବେ ଜିମୀ କୋନର୍ସ, ବ୍ୟୋର୍ନ ବର୍ଗ, ଷ୍ଟିଫନ୍ ଏଡ୍ବର୍ଗ, ଗୁସ୍ତାଭୋ କୁଏର୍ଟନ୍୍, ରୋଜର୍ ଫେଡେରର୍, ଷ୍ଟାନ୍ ୱାୱରିଙ୍କା ଓ କାର୍ଲୋସ୍ ଅଲ୍କରାଜ୍ଙ୍କ ସ୍ୱତନ୍ତ୍ର କ୍ଲବ୍ରେ ସାମିଲ୍ ହୋଇଛନ୍ତି । ୨୦୨୪ରୁ ଏ ଯାବତ ତାଙ୍କର ଜୟ-ପରାଜୟ ରେକର୍ଡ ୮୦-୬ ରହିଛି । ଏହି ସମୟରେ ସେ ମୋଟ୍ ନଅ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି, ଯେଉଁଥିରେ ତିନି ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ ରହିଛି । ସେ ପୂର୍ବ ୨୧ ମ୍ୟାଚ୍ରେ ଅପରାଜେୟ ଅଛନ୍ତି ।
ସ୍କିଇଙ୍ଗ୍ ପରେ ଟେନିସ୍ରେ କ୍ୟାରିଅର୍
ଏକ ଫୁଟ୍ବଲ୍୍ପ୍ରେମୀ ଦେଶରେ ଜନ୍ମଗ୍ରହଣ କରିଥିଲେ ସିନର୍, ଯେଉଁଠି ଟେନିସ୍ର ବେଶୀ ଚାହିଦା ନାହିଁ । ସେ ଅଷ୍ଟ୍ରିଆ ସୀମା ନିକଟସ୍ଥ ଡୋଲୋମାଇଟସ୍ ଅନ୍ତର୍ଗତ ଏକ ଛୋଟ ପାର୍ବତ୍ୟ ସହର ସେକ୍ଷ୍ଟନ୍ରେ ବଢ଼ିଥିଲେ । ସେ ଜଣେ କୁଶଳୀ ସ୍କି ରେସର୍ ଥିଲେ । ମାତ୍ର ଆଠ ବର୍ଷ ବୟସରେ ସେ ଜାଏଣ୍ଟ ସ୍ଲାଲମ୍ରେ ଜାତୀୟ ଚାମ୍ପିଅନ୍ସିପ୍ ଜିତିଥିଲେ ଏବଂ ୧୨ ବର୍ଷ ବୟସରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । କିନ୍ତୁ ଧୀରେ ଧୀରେ ସେ ଟେନିସ୍ ଆଡ଼କୁ ଆକର୍ଷିତ ହେଲେ । ଖରାଦିନେ ସେ ଫୁଟ୍ବଲ୍ ଓ ଟେନିସ୍ ଖେଳନ୍ତି । ବୋର୍ଡିଘେରା ଯାଇ ରିକାର୍ଡୋ ପିୟାଟ୍ଟିଙ୍କ ଟେନିସ୍ ଏକାଡେମୀରେ ପୂର୍ଣ୍ଣକାଳୀନ ପ୍ରଶିକ୍ଷଣ ନେବା ପାଇଁ ଇଟାଲୀର ପୂର୍ବତନ ଟେନିସ୍ ଖେଳାଳି ଆଲେକ୍ସ ଭିଟ୍ଟୁର ତାଙ୍କୁ ପରାମର୍ଶ ଦେଇଥିଲେ । ସେତେବେଳେକୁ ସିନର୍ଙ୍କୁ ପ୍ରାୟ ୧୪ ବର୍ଷ ବୟସ । ସେ ପ୍ରଶିକ୍ଷଣ ପାଇଁ ବୋର୍ଡିଘେରା ଚାଲିଯାଇଥିଲେ ।
ପିଆଟ୍ଟିଙ୍କ ଏକାଡେମୀରେ ଯୋଗ ଦେବାର ଦୁଇ ବର୍ଷ ପରେ ଅର୍ଥାତ୍ ୧୬ ବର୍ଷ ବୟସରେ ସେ ପେସାଦାର ଟୁର୍ଣ୍ଣାମେଣ୍ଟରେ ଖେଳିବା ଆରମ୍ଭ କରିଥିଲେ । ୨୦୧୯ରେ ସେ ବିଶ୍ୱ ମାନ୍ୟତାର ଟପ୍-୧୦୦ରେ ସ୍ଥାନ ପାଇଥିଲେ ଏବଂ ନେକ୍ସଟ ଜେନେରେସନ୍ ଏଟିପି ଫାଇନାଲ୍ସ ସହିତ ଏଟିପି ନ୍ୟୁକମର୍ ଅଫ୍ ଦ ଇଅର୍ ପୁରସ୍କାର ବି ଜିତିଥିଲେ । ୨୦୨୨ ପ୍ରାରମ୍ଭରେ ସେ ଟପ୍-୧୦ରେ ପ୍ରବେଶ କରିବା ପରେ ନିଜ କୋଚିଂ ଟିମ୍ ବଦଳାଇଥିଲେ । ପିଆଟ୍ଟିଙ୍କ ଠାରୁ ଅଲଗା ହୋଇଯାଇଥିଲେ ।
ସିନର୍ ଏ ଯାବତ ଏଟିପି ଟୁର୍ରେ ୧୯ ଏକକ ମୁକୁଟ ହାସଲ କରିଥିବା ବେଳେ ଚାରି ମାଷ୍ଟର ୧୦୦୦ ମୁକୁଟ ଓ ୨୦୨୪ ଏଟିପି ଫାଇନାଲ୍ସ ଜିତିଛନ୍ତି । ଏହାଛଡ଼ା ତାଙ୍କ ନେତୃତ୍ୱରେ ଇଟାଲୀ ୨୦୨୩ ଓ ୨୦୨୪ରେ ଡେଭିସ୍ କପ୍ ଜିତିଥିଲା । ସିନର୍ ବହୁତ ଶାନ୍ତଶିଷ୍ଟ; ହେଲେ କୋର୍ଟରେ ମୁକାବିଲା ବେଳେ ସେ ଏତେ ଦୃଢ଼ତାର ସହ କେମିତି ଖେଳନ୍ତି, ତାହା ବିଶ୍ୱାସ କରିହୁଏନା ।
ପିଲାଦିନରୁ ହିଁ ସେ ଅସାମାନ୍ୟ ପ୍ରତିଭାଶାଳୀ, ଏଥିରେ ଦ୍ୱିମତ ନାହିଁ । ତାଙ୍କ ଗ୍ରାଉଣ୍ଡ ଷ୍ଟ୍ରୋକ୍ ଖୁବ୍ ଶକ୍ତିଶାଳୀ । ଚାପ ସମୟରେ ଶାନ୍ତ ରହିବା ତାଙ୍କର ଅନ୍ୟତମ ବିଶେଷତ୍ୱ । ସିନର୍ଙ୍କ ଆଗରେ ଲମ୍ବା ଭବିଷ୍ୟତ ପଡ଼ିଛି । ସେ ଆଗକୁ ଅନେକ ସଫଳତା ପାଇପାରିବେ । କିନ୍ତୁ ବିଗ୍ ଥ୍ରୀ’ଙ୍କ ଭଳି ହେବା ଏତେ ସହଜ କଥା ନୁହେଁ । ବର୍ଷ ବର୍ଷର ସାଧନା ବଳରେ ସେମାନେ ତୁଙ୍ଗ ଶିଖର ଛୁଇଁଛନ୍ତି । ସିନର୍ ଓ ଅଲ୍କରାଜ୍ଙ୍କ ଭଳି ଖେଳାଳି ସେମାନଙ୍କ ଠାରୁ ଶିକ୍ଷାଲାଭ କରିବା ଆବଶ୍ୟକ ।