ପୁଣି ଆକାଶର ଛାତି ଚିରି ଜହ୍ନରେ ପାଦ ଥାପିବ ଭାରତ, ଚନ୍ଦ୍ରଯାନ-୩ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

୨୦୦୮ରେ ହୋଇଥିଲା ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧। ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍।

Chandrayaan 3

ଚନ୍ଦ୍ରଯାନ-୧, ଚନ୍ଦ୍ରଯାନ-୨ ପରେ ଏବେ ଚନ୍ଦ୍ରଯାନ-୩ର ପାଳି । କରୋନା ମହାମାରୀ ପାଇଁ ଭାରତର ଏହି ତୃତୀୟ ମୁନ୍ ମିଶନ ବିଳମ୍ବିତ ହୋଇଥିଲା । ହେଲେ ସୂଚନା ମିଳିଛି, ଆଉ କିଛି ସପ୍ତାହ ପରେ ଏହାକୁ ଉତକ୍ଷେପଣ ପାଇଁ ସଜବାଜ ହେଉଛି ଇସ୍ରୋ । ସବୁ ପରୀକ୍ଷା ନିରୀକ୍ଷା ସରିଛି, ପ୍ରସ୍ତୁତି ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ।

ଆସନ୍ତା ଜୁଲାଇରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିପାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ । ନିର୍ଦ୍ଦିଷ୍ଟ ଭାବେ କହିଲେ, ଜୁଲାଇ ୧୨ରେ ଏହି ମିଶନ ଲଞ୍ଚ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏନେଇ ଇସ୍ରୋ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ମାସରେ ଚନ୍ଦ୍ରଯାନ-୩ର ସବୁ ଯନ୍ତ୍ରାଂଶର ପରୀକ୍ଷଣ ହୋଇସାରିଛି ।

ଗତ ସପ୍ତାହରେ ସେଗୁଡ଼ିକୁ ଯୋଡ଼ିବା ଆରମ୍ଭ କରିଛି ଇସ୍ରୋ । ସେଥିରେ ପଠାଯିବାକୁ ଥିବା ପେ-ଲୋଡ୍ ଗୁଡ଼ିକର ଏକତ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବେଙ୍ଗଳୁରୁ ସ୍ଥିତ ୟୁ.ଆର୍. ରାଓ ସାଟେଲାଇଟ ସେଣ୍ଟର ବା URSCରେ ଏହି କାର୍ଯ୍ୟ ଚାଲିଛି । ସେଠାରୁ ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାକୁ ପଠାଯିବ । ସେଠାକାର ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ GSLV-ମାର୍କ ଥ୍ରୀ ରକେଟ୍ । ଆଉ ଚନ୍ଦ୍ର ଅଭିମୁଖେ ଯିବ ଚନ୍ଦ୍ରଯାନ-୩ ।

ଚର୍ଚ୍ଚା ହେଉଛି ଯେ, ରୁଷିଆ ଜୁଲାଇ ୧୩ରେ ଲୁନା-25 ନାମକ ଏକ ସ୍ପେଶକ୍ରାଫ୍ଟ ଚନ୍ଦ୍ରକୁ ପଠାଇବାକୁ ଯୋଜନା କରିଛି । ଭାରତ ଏହାସହିତ ପ୍ରତିଦ୍ୱନ୍ଦ୍ୱିତା କରି, ହୁଏତ ତାର ଦିନକ ଆଗରୁ ଅର୍ଥାତ୍ ଜୁଲାଇ ୧୨ରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିପାରେ । ଯଦି ଖବର ମୁତାବକ, ଜୁଲାଇ ୧୨ରେ ଏହାକୁ ପୃଥିବୀ ପୃଷ୍ଠରୁ ଛଡ଼ାଯାଏ, ତେବେ ଅଗଷ୍ଟ ୨୩ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ।...

୨୦୦୮ରେ ହୋଇଥିଲା ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧। ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍। ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରିନଥିଲା । ଏହି କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ।

ତେବେ ଚନ୍ଦ୍ରଯାନ-୩ରେ ଆଉ ଅର୍ବିଟର ପଠାଯିବ ନାହିଁ । ଏଥିରେ ଯିବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର୍, ରୋଭର୍ ଏବଂ ଏକ ପ୍ରପଲ୍ସନ୍ ମଡ୍ୟୁଲ୍ । ଚନ୍ଦ୍ରଯାନ-୨ରେ ଯାଇଥିବା ଅର୍ବିଟର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସହିତ ଯୋଗାଯୋଗ ରକ୍ଷା କରିବ । ଲ୍ୟାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସୁରକ୍ଷିତ ଭାବେ ଅବତରଣ କରିବ ଏବଂ ତା ଭିତରୁ ରୋଭର୍ ବା ଏକ ଯାନ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ।

ଏହି ସମୟରେ ରୋଭର୍ ଚନ୍ଦ୍ରପୃଷ୍ଠର ରାସାୟନିକ ବିଶ୍ଳେଷଣ ମଧ୍ୟ ଜାରି ରଖିବ। ଅନ୍ୟ ଗ୍ରହକୁ ମହାକାଶଯାନ ପ୍ରେରଣ ପାଇଁ ଆବଶ୍ୟକ ନୂଆ ଟେକନୋଲୋଜିର ପରୀକ୍ଷଣ ଓ ବିକାଶ ଏହି ମିଶନର ମୂଳ ଲକ୍ଷ୍ୟ ।...

ନିଜର ମୁନ୍ ମିଶନ ଜରିଆରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଜଳର ସନ୍ଧାନ ଭଳି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିପାରିଛି ଭାରତ। ତେବେ ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହକୁ ବୁଝିବାରେ ଭାରତକୁ ଆଉ କେତେ ସାହାଯ୍ୟ କରୁଛି, ତାହା ସମୟ ହିଁ କହିବ ।...