ଓଡିଶାର ସର୍ବପୁରାତନ ଦେଢଶହ ବର୍ଷର ଶିକ୍ଷାନୁଷ୍ଠାନ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିତର୍କର ଆହ୍ୱାନ ଦେବା ପରେ ପ୍ରତିବାଦର ନିଆଁ ପ୍ରତିଫଳିତ ହୋଇଛି! ମହୁଫେଣାକୁ ଟେକା ଟିଏ ଫିଙ୍ଗିଲା ମାତ୍ରେ ଭଁ ଭଁ ହୋଇ ମହୁମାଛି ଚାରିଆଡେ ଛାଇଗଲା ଭଳି ଅଚାନକ ଝଡ ସୃଷ୍ଟି ହୋଇଛି । ରାଜ୍ୟବ୍ୟାପୀ ଅସନ୍ତୋଷର ବାତାବରଣ ଖେଳିଯାଇଛି । ଏକ ସପ୍ତାହ ଧରି ରାଜରାସ୍ତାରୁ ବିଧାନସଭା; ରାଜନୈତିକ ବୟାନବାଜୀ ଜାରି ରହିଛି ।
ରେଭେନ୍ସା ନାମ ପରିବର୍ତ୍ତନକୁ କଂଗ୍ରେସ ଓ ବିଜେଡି ସମେତ ବାମପନ୍ଥୀ ଦଳଗୁଡିକ ତୀବ୍ର ବିରୋଧ କରୁଥିବାବେଳେ ଶାସକ ଦଳ ବିଜେପି ଏହାର ସମର୍ଥନରେ ଯୁକ୍ତି ବାଢିଛି । ବିଧାନସଭା ଚାଲିଥିବା ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ରାଜନୈତିକ ପରିବେଶକୁ ଉଷ୍ମତର କରିବାରେ ଲାଗିଛି । ସାମାଜିକ ଗଣମାଧ୍ୟମରେ ପ୍ରତିବାଦର ସ୍ୱର ଘନୀଭୂତ ହେବାରେ ଲାଗିଛି ।
Also Read
ରେଭେନ୍ସା ଏବଂ ନଅଙ୍କ ଦୁର୍ଭିକ୍ଷ ସମ୍ପର୍କରେ ଅନେକ ଐତିହାସିକ ଦସ୍ତାବିଜ ସବୁ ଉପସ୍ଥାପିତ କରି ଭିନ୍ନ ଭିନ୍ନ ଯୁକ୍ତି ରଖାଯାଉଛି । ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ର ସମାଜ, ଯୁବ ସଂଗଠନ ଆଦି ଭିଭିନ୍ନ ମହଲରେ ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଆଶା ଓ ଆଶଙ୍କା ଲାଗିରହିଛି । ଅଚାନକ ଏଭଳି ବିତର୍କ କାହିଁକି? ନାଁ ବଦଳିଲେ କ’ଣ ଶିକ୍ଷାର ମାନ ଓ ବ୍ୟବସ୍ଥାରେ ସମସ୍ୟାର ସମାଧାନ ହୋଇଯିବ?
ଧର୍ମେନ୍ଦ୍ରଙ୍କ ଉକ୍ତି ଓ ଯୁକ୍ତି:
କଟକ ସ୍ୱାୟତ ଶାସନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ନିଜସ୍ୱ ମତ ପ୍ରକାଶ କରି କହିଥିଲେ “ଯେଉଁ ରେଭେନ୍ସା ସାହେବଙ୍କ ସମୟରେ ଓଡିଶାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ଏଭଳି ଅନୁଷ୍ଠାନର ନାମ କଣ ରହିବା ଉଚିତ, ଓଡିଶା ବୁଦ୍ଧିଜୀବୀ ଏହାରି ଉପରେ ଚିନ୍ତା କରିବା ଦରକାର । ଯେଉଁମାନେ ଆମର ଓଡିଆ ଲୋକମାନଙ୍କୁ କଷ୍ଟ ଦେବାରେ ସହାୟକ ହେଲେ, ତାହା କଣ ଗୌରବର ବିଷୟ କି? ଏହାରି ଉପରେ ବିତର୍କର ଆବଶ୍ୟକତା ରହିଛି ।” ଧର୍ମେନ୍ଦ୍ର ପ୍ରଧାନଙ୍କ ଯୁକ୍ତି ହେଲା ଯେ ଟିଇ ରେଭେନ୍ସା ସାହେବ ରାଜ୍ୟର ବଡ଼ଲାଟ୍ ଥିବା ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । ଏହି ଦୁର୍ଭିକ୍ଷକୁ ମୁକାବିଲା କରିବାରେ ତାଙ୍କ ଶାସନ ବିଭିନ୍ନ ଦୃଷ୍ଟିରୁ ବିଫଳ ହୋଇଥିଲା । ସେହି ଦୁର୍ଭିକ୍ଷରେ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଅନାହାରରେ ଓ ବିଭିନ୍ନ ଯନ୍ତ୍ରଣାରେ ମୃତ୍ୟୁବରଣ କରିଥିଲେ । ଏହି ଐତିହାସିକ ମହାନ ଶିକ୍ଷାନୁଷ୍ଠାନ ନାମ ରେଭେନ୍ସା ଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାର ନାମକୁ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ନିଜସ୍ୱ ମତ ପ୍ରକାଶ କରିଛନ୍ତି ।
ବ୍ୟକ୍ତିଗତ ମତରେ ବିତର୍କର ଡାକରା, ପ୍ରତିବାଦ କାହିଁକି:
ଶ୍ରୀ ପ୍ରଧାନ ଘୋଷଣା ନୁହେଁ ବରଂ ଏହାକୁ ନିଜସ୍ୱ ବ୍ୟକ୍ତିଗତ ମତ ଏବଂ ଏନେଇ ବିତର୍କ ବିମର୍ଶ ପାଇଁ କହିଛନ୍ତି; ଏଥିରେ ଏତେ ପ୍ରତିବାଦ କାହିଁକି? କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣେ ଆଗଧାଡିର ନେତା ଭାବରେ ବିବେଚନା କରାଯାଏ । ବର୍ତ୍ତମାନ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ତେଣୁ ତାଙ୍କର ମନ୍ତବ୍ୟ ବ୍ୟକ୍ତିଗତ ହେଲେ ମଧ୍ୟ ଏହାକୁ ହାଲୁକା ଭାବରେ ନିଆଯାଇ ନାହିଁ । ଏହି ପ୍ରସଙ୍ଗ ଏବେ ଚର୍ଚ୍ଚା ଆଲୋଚନାରୁ ଆନ୍ଦୋଳନ ଆଡ଼କୁ ମୁହାଁଇବାରେ ନଜର ଆସୁଛି ।
ବିଜେପି ଶାସନରେ ନାମ ପରିବର୍ତ୍ତନ:
ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠିବା ପରେ ବିଜେପି ଶାସନରେ ନାମ ପରିବର୍ତ୍ତନ କଥା ଆଲୋଚନାକୁ ଆସେ । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଦେଶର ବିଭିନ୍ନ ସହର ଏବଂ ପୂର୍ବ ସରକାରଙ୍କ ଯୋଜନାର ନାମ ପରିବର୍ତ୍ତନ କରିବା ବିଷୟ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସିଛି । ହରିୟାଣାର ଗୁଡଗାଁଓକୁ ବଦଳାଇ ଗୁରୁଗ୍ରାମ, ମୁଗଲସରାୟକୁ କରାଯାଇଛି ଦୀନ ଦୟାଲ ଉପାଧ୍ୟାୟ ଜଂକ୍ସନ, ଆହ୍ଲାବାଦରୁ ପ୍ରୟାଗରାଜ, ଦିଲ୍ଲୀର ରେସ୍ କୋର୍ସ ରୋଡ ହୋଇଛି ଲୋକ କଲ୍ୟାଣ ମାର୍ଗ, ଔରଙ୍ଗଜେବ ରୋଡରୁ ଏପିଜେ ଅବଦୁଲ କଲାମ ରୋଡ, ଡଲହୌସିରୁ ଶିକୋ ରୋଡ ଆଦି ପରିବର୍ତ୍ତନ କରାଯାଇଛି । ପରବର୍ତ୍ତୀ ସମୟରେ ଦେଶର ନାମ “ଇଣ୍ଡିଆ” ବଦଳରେ “ଭାରତ” କରାଯିବା ନେଇ ଅନେକ ବିବାଦୀୟ ପରିସ୍ଥିତି ମଧ୍ୟ ଉପୁଜିଥିଲା ।
ନାମ ଓ ରଙ୍ଗର ପରିବର୍ତ୍ତନ:
ଓଡିଶାରେ ବିଜେପି କ୍ଷମତାକୁ ଆସିବାର ୩ ମାସ ନପୁରୁଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରଙ୍କ ପ୍ରଚଳିତ ବିଭିନ୍ନ ଲୋକପ୍ରିୟ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, କାଳିଆ ହେଲା ସିଏମ୍ କିଶାନ ଯୋଜନା, 'ମୋ ବସ୍' ହେଲା 'ଆମ ବସ୍', 'ମିଶନ ଶକ୍ତି'ରୁ 'ଲକ୍ଷପତି ଦିଦି', 'ଲକ୍ଷ୍ମୀ ବସ' ହେଲା 'ମୁଖ୍ୟମନ୍ତ୍ରୀ ବସ୍’ ଏବଂ ଏହାର ରଙ୍ଗ ଶାଗୁଆରୁ ଗେରୁଆ ଆଦି ଚର୍ଚ୍ଚାରେ ରହିଛି । ଆଉ ଠିକ୍ ଏତିକି ବେଳେ ରେଭେନ୍ସା ପ୍ରତିଷ୍ଠାନର ନାମ ପରିବର୍ତ୍ତନ ପ୍ରସଙ୍ଗ ବିବାଦୀୟ ରୂପ ନେବାରେ ଲାଗିଛି ।
ନାଁ ବଦଳାଇବା ପ୍ରସଙ୍ଗରେ ବିଜେପି-ଜେଡିୟୁ ମୁହାଁମୁହିଁ:
ଓଡିଶାରେ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଯେତେବେଳେ ବିବାଦ ମୁଣ୍ଡଟେକିଛି ଠିକ ସେତିକିବେଳେ ବିହାରର ବିଭିନ୍ନ ସ୍ଥାନର ନାଁ ବଦଳାଇବାକୁ କେନ୍ଦ୍ରକରି ବିଜେପି ଓ ଜେଡିୟୁ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଜେପି ୟୁପି ଭଳି ବିହାରର ବିଭିନ୍ନ ରେଳଷ୍ଟେସନ ଓ ଅନେକ ସହରର ନାମ ବଦଳାଇବାକୁ ଦାବୀ କରିଛି । ଏଠାକାର ବକ୍ତିଆରପୁର ଓ ସୁଲତାନ ନଗରର ନାମ ପରିବର୍ତ୍ତନ ଜିଦରେ ରହିଛି ବିଜେପି । କିନ୍ତୁ ସହଯୋଗୀ ଜେଡିୟୁ ରାଜ୍ୟରେ କୌଣସି ବି ସ୍ଥାନର ନାମ ବଦଳିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛି । ଯାହାକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଚର୍ଚ୍ଚାରେ ରହିଛି ।
ବୁଦ୍ଧିଜୀବୀଙ୍କ ବୟାନ:
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ‘ରେଭେନ୍ସା’ ମନ୍ତବ୍ୟ ପରେ ବିଭିନ୍ନ ମହଲରେ ବିରୋଧ ପ୍ରତିବାଦ ସାମ୍ନାକୁ ଆସିଛି । ବିଭିନ୍ନ ଛାତ୍ର ଓ ଯୁବ ସଂଗଠନ, ରେଭେନ୍ସା ଆଲୁମିନି, ବୁଦ୍ଧିଜୀବୀ ଓ ବରିଷ୍ଠନାଗରିକଙ୍କ ନାମ ପରିବର୍ତ୍ତନ ବିପକ୍ଷରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ପ୍ରଖ୍ୟାତ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ, ପ୍ରାକ୍ତନ ପ୍ରାଧ୍ୟାପକ ପ୍ରମୁଖଙ୍କ ଦ୍ୱାରା ଏନେଇ ‘ରେଭେନ୍ସା ହେରିଟେଜ ଫୋରମ’ ଗଠନ କରାଯାଇଛି । ରେଭେନ୍ସା ନାମ ଅପରିବର୍ତ୍ତିତ ରଖିବାକୁ ଏହି ଫୋରମ ସଂଗ୍ରାମ କରିବ ବୋଲି ମତ ପ୍ରକାଶ ପାଇଛି ।
ରାଜନୈତିକ ପୃଷ୍ଠଭୂମିରେ ‘ରେଭେନ୍ସା’
ଅନ୍ୟ ପକ୍ଷେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ବୟାନବାଜି ତୀବ୍ର ହେବାରେ ଲାଗିଛି । ପ୍ରତିବାଦ ସଭା ଓ ମସାଲ ଶୋଭାଯାତ୍ରାରୁ ବିବାଦ ସୃଷ୍ଟି ହୋଇଛି । ବିଜେଡି ବିଧାୟକ ଓ ନେତାଙ୍କ ବିରୋଧରେ ମାମଲା ଥାନାକୁ ମଧ୍ୟ ଯାଇଛି । କ୍ୟାମ୍ପସରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରସଙ୍ଗ ବିଧାନସଭା କାର୍ଯ୍ୟ ପରିଚାଳନାକୁ ମଧ୍ୟ ପ୍ରଭାବିତ କରିଛି । ଗୃହରେ ପ୍ରବଳ ହଟ୍ଟଗୋଳ ଓ ମୁଲତବୀ ସ୍ଥିତି ଦେଖାଦେଇଛି ।
ଅଚାନକ ରେଭେନ୍ସା ପ୍ରସଙ୍ଗ କାହିଁକି?
ରେଭେନ୍ସା ନାମ ପରିବର୍ତ୍ତନ ନେଇ ସେଭଳି କିଛି ପ୍ରସ୍ତାବ କିମ୍ବା ଦାବି ଆଗତ ହୋଇଥିଲା କି? ଅନେକ ମୌଳିକ ସମସ୍ୟାରେ ଓଡିଶା ଭରି ରହିଛି । ଏଭଳି କି ଖୋଦ୍ ରେଭେନ୍ସା ସମେତ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟାପକଙ୍କ ଅଭାବ, ଭିତ୍ତିଭୂମି, ଉନ୍ନତ ବୈଷୟିକ ଜ୍ଞାନକୌଶଳର ଅବ୍ୟବସ୍ଥା ଆଦି ସମସ୍ୟା ରହିଛି । ସେହିଭଳି କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକରେ ମଧ୍ୟ ସମାନ ଅବସ୍ଥା ଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସିଛି । ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପ୍ରଦାନ ଏବଂ ରାଜ୍ୟରେ ଆହୁରି ଅଧିକ କେନ୍ଦ୍ରୀୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ବଦଳରେ ନାମ ପରିବର୍ତ୍ତନକୁ ଗୁରୁତ୍ୱ ଦିଆଯାଉଛି କାହିଁକି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନାଁ ବଦଳିଗଲେ ସମସ୍ୟାଗୁଡିକର କଣ ସମାଧାନ ହୋଇଯିବ କି ବୋଲି ପ୍ରଶ୍ନ ହେଉଛି।
ମିଡିଆ ମୋଡ଼:
ପ୍ରାୟ ଗତ ଏକ ସପ୍ତାହ ଧରି ରେଭେନ୍ସା ଆଂଚଳିକ ଗଣମାଧ୍ୟମରୁ ଜାତୀୟ ପ୍ରସଙ୍ଗ ଆଡକୁ ମୁଣ୍ଡ ଟେକିଲାଣି । ସରକାର ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟାରୁ ମିଡିଆ ଓ ଲୋକଙ୍କ ନଜର ହଟାଇବାକୁ ଯାଇ ଏକ ‘ଭିନ୍ନ ପ୍ରସଙ୍ଗ’ ଠିଆ କରୁଥିବା କୁହାଯାଇଛି । ହାଇକୋର୍ଟ ବେଂଚ ପ୍ରତିଷ୍ଠାନ, ସୁଭଦ୍ରା ଯୋଜନାକୁ ନେଇ ଚାଲିଥିବା ବିତର୍କ ଓ ରାଜନୈତିକ ବୟାନବାଜି ଏବଂ କୋରାପୁଟ ବହୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବାଲଦା ନାଗେଶ୍ୱରୀ ପାହାଡରୁ ବକ୍ସାଇଟ ଉତ୍ତୋଳନ ପ୍ରସ୍ଥାବକୁ ଆଦିବାସୀଙ୍କ ବିରୋଧ ପ୍ରତିବାଦ ଆଦି ବିଭିନ୍ନ ପ୍ରସଙ୍ଗ ଚର୍ଚ୍ଚାରେ ରହିଆସିଥିଲା । ଏବେ ବିଧାନସଭାରୁ ରାଜରାସ୍ତା, ଛାତ୍ରଛାତ୍ରୀଙ୍କ ଠାରୁ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ‘ରେଭେନ୍ସା’ ଚର୍ଚ୍ଚାରେ ରହିଛି ।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)