ଓଡ଼ିଶା ପାଇଁ ଗଡ଼କରୀଙ୍କ ବଡ଼ ଘୋଷଣା... ପାରାଦୀପରେ ହେବ ଏୟାରପୋର୍ଟ, ଭୁବନେଶ୍ୱର ରିଂ ରୋଡ୍

ପୁରୀ କୃଷ୍ଣପ୍ରସାଦ ନିର୍ବାଚନୀ ସଭାମଞ୍ଚରୁ ଓଡ଼ିଶା ପାଇଁ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟର ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଗଡ଼କରୀ କହିଛନ୍ତି- ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ ।

Nitin Gadkari

ଭୁବନେଶ୍ୱରରେ ହେବ ୧୧୧ କିଲୋମିଟରର ରିଂ ରୋଡ୍ । ଏହା ୬ ଲେନ୍ ବିଶିଷ୍ଟ ହେବ । ଏ ବାବଦରେ ଖର୍ଚ୍ଚ ହେବ ୬, ୫୦୦ କୋଟି । ଆସନ୍ତା ଅକ୍ଟୋବରରୁ କାମ ଆରମ୍ଭ ହେବ, ସରିଲେ କଟକ-ଭୁବନେଶ୍ୱର-ଖୋର୍ଦ୍ଧା ଯାଆସ ସହଜ ହେବ । ତା ସହ ଚିଲିକା ଉପରେ ନିର୍ମାଣ ହେବ ପୋଲ । ଆଜି ପୁରୀ କୃଷ୍ଣପ୍ରସାଦରେ ବିଜେପିର ବିଜୟ ସେତୁ ସଂକଳ୍ପ ସମାବେଶରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।

ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି- ଏହି ଦୁଇ ପୋଲ ନିର୍ମାଣ ହେଲେ ଦୁଇ ଏନ୍ଏଚ୍ ଯୋଡ଼ି ହେବ । ଗୋଟିଏ ପୋଲ ୧ କିମି ଓ ଅନ୍ୟଟି ଅଢ଼େଇ କିମିର ୨ ଲେନ୍ ବିଶିଷ୍ଟ ହେବ। ଏଥିପାଇଁ ଡିପିଆର ପ୍ରସ୍ତୁତି ଚାଲିଛି । ନିର୍ବାଚନ ସରିଲେ ଟେଣ୍ଡର ଡକାଯିବ। ସେହିପରି ରାମେଶ୍ୱର-ପୁରୀ-କୋଣାର୍କ-ଦୀଘା ୧୭୭ କିମି ରାସ୍ତା ୪ ଲେନ୍ ବିଶିଷ୍ଟ ହେବ । ଏଥିପାଇଁ ୮୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କଟକ-ପାରାଦୀପ ୮୭ କିମିର ରାସ୍ତା ୪ ଲେନ୍ ବିଶିଷ୍ଟ ହେବ ଓ ୨ ଶହ କୋଟିରେ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ । ରାୟପୁର-ବିଶାଖାପାଟଣା ୬ ଲେନ୍ ରାସ୍ତାର ୪୬୫ କିମି ଭିତରୁ ଓଡ଼ିଶାରେ ରହିଛି ୨୪୦ କିମି, ଯାହାର କାମ ଡିସେମ୍ବର ସୁଦ୍ଧା ସରିବ। ମୁମ୍ବାଇ-କୋଲକାତା ରାସ୍ତାର ଓଡ଼ିଶାରେ ଥିବା ୪୫୦ କିମି କାମ ଶୀଘ୍ର ସରିବ ଓ ସମ୍ବଲପୁର ସହରରେ ୩୫ କିମି ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗଡ଼କରୀ ।

ସେତୁ ନଥିବାରୁ ଚିଲିକା ଦ୍ୱୀପାଞ୍ଚଳବାସୀଙ୍କ କାଳ କାଳର ଦୁର୍ଦ୍ଦଶା । ଯାହାକୁ ଆଜି ଅତି ପାଖରୁ ପରଖିଥିଲା ଓଟିଭି ଟିମ୍ । ସାତପଡ଼ାରୁ ଯାତାୟତର ମାଧ୍ୟମ କହିଲେ କେବଳ ଭୁଟଭୁଟି ଡଙ୍ଗା, ନଚେତ ଦିନକୁ ୪ଥର ଯାଆସ କରୁଥିବା ଭସାପୋଲ ବା ଫେରି ଭେସେଲ୍ । ସେଥିରେ ଯାଆନ୍ତି ମଣିଷ, ଲଦା ହୁଏ ଯାନବାହାନ । ଚିଲିକା ଭିତରେ ଥିବ ୧୪ଟି ପଞ୍ଚାୟତର ୯୨ଟି ଗାଁ ପାଇଁ ଏହା ଜୀବନରେଖା । ଝଡ଼ବାତ୍ୟା ବେଳେ ଏବଂ ଡଙ୍ଗାରେ ଯାନ୍ତ୍ରିକ ସମସ୍ୟା ଦେଖାଦେଲେ ଯୋଗାଯୋଗ ଠପ୍ । ମାତ୍ର ୫ କିଲୋମିଟର ଜଳଯାତ୍ରାକୁ ଲାଗେ ୪୫ ମିନିଟ୍ ସମୟ । ଆଉ ସନ୍ଧ୍ୟା ୬ଟା ପରେ ଫେରି ଚାଲୁନଥିବାରୁ, ଡଙ୍ଗାର ବିପଦସଂକୁଳ ଯାତ୍ରା ଛଡ଼ା ନିରୁପାୟ ମଣିଷ ।

କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ଆଜିର ଘୋଷଣା ପରେ, ଆଶା ଜାଗିଛି କୃଷ୍ଣପ୍ରସାଦବାସୀଙ୍କ ମନରେ । ବିଶ୍ୱାସ ଆସିଛି ଯେ, ଖୁବଶୀଘ୍ର ସତ ହେବାକୁ ଯାଉଛି ସିଗ୍ନେଚର ବ୍ରିଜ୍ ସ୍ୱପ୍ନ, ଯାହାକି ସାତପଡ଼ାରୁ ବରମପୁର ଦୀପ ଏବଂ ମଏଷାରୁ ଜହ୍ନିକୁଦକୁ ଯୋଡ଼ିବ । ଏହି ଦୁଇଟି ଯାକ ବ୍ରିଜରେ କୌଣସି ପିଲର ରହିବ ନାହିଁ ବୋଲି ସୂଚନା ମିଳିଛି ।