ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ‘ସର୍‌ପ୍ରାଇଜ୍‌’, ବଢୁଛି ଉତ୍କଣ୍ଠା

ମମତା ମହାନ୍ତ ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ଏବଂ ବିଜେପିରେ ମିଶି ସମସ୍ତଙ୍କୁ ‘ସର୍‌ପ୍ରାଇଜ୍‌’ ଦେଇଛନ୍ତି। ସେହିଭଳି ନିର୍ବାଚନ ପରେ ଅଚାନକ ନବୀନଙ୍କ ଆକ୍ଟିଭ୍‌ନେସ୍‌ ମଧ୍ୟ ଆଣିଛି ସର୍‌ପ୍ରାଇଜ୍‌ ! ଏହା ଛଡା ଆହୁରି ନୂଆ ନୂଆ ସର୍‌ପ୍ରାଇଜ୍‌ ସାମ୍ନାକୁ ଆସୁଛି!

ଓଡ଼ିଶା ରାଜନୀତି ଦେଖିବାକୁ ମିଳୁଛି ‘ସର୍‌ପ୍ରାଇଜ୍‌’ ଆଉ ‘ରିଟର୍ଣ୍ଣ ସର୍‌ପ୍ରାଇଜ୍‌’

ରାଜନୀତିରେ ସର୍‌ପ୍ରାଇଜ୍‌ ଉପରେ ସର୍‌ପ୍ରାଇଜ୍‌ ଦେଖିବାକୁ ମିଳୁଛି! ୨୦୨୦ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଅଚାନକ ମମତା ମହାନ୍ତଙ୍କ ନାଁ ଘୋଷଣା କରି ଯେଉଁ ‘ସର୍‌ପ୍ରାଇଜ୍‌’ ଦେଇଥିଲେ, ୨୦୨୪ରେ ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ଏବଂ ବିଜେପିରେ ମିଶି ସେ ‘ରିଟର୍ଣ୍ଣ ସର୍‌ପ୍ରାଇଜ୍‌’ ଦେଇଛନ୍ତି। ସେହିଭଳି ନିର୍ବାଚନ ପରେ ଅଚାନକ ନବୀନଙ୍କ ଆକ୍ଟିଭ୍‌ନେସ୍‌ ମଧ୍ୟ ଆଣିଛି ସର୍‌ପ୍ରାଇଜ୍‌!

ତେବେ ଆଗକୁ ଆଉ କି ସର୍‌ପ୍ରାଇଜ୍‌ ରହିଛି, ବୁଡିଯାଉଥିବା ବିଜେଡି ଡଙ୍ଗାକୁ ଉଦ୍ଧାର କରିବାରେ ବରିଷ୍ଠ ନେତା କି ସର୍‌ପ୍ରାଇଜ୍‌ ରଖିଛନ୍ତି ତାହା ପରବର୍ତ୍ତୀ ସମୟରେ ଦେଖାଯିବ।

ନିର୍ବାଚନୀ ସର୍‌ପ୍ରାଇଜ୍‌:

ଦୀର୍ଘ ବର୍ଷ ଧରି ଧିମେଇ ଚାଲିଥିବା ଓଡ଼ିଶା ରାଜନୀତି ୨୦୨୪ ନିର୍ବାଚନରେ ଦଳ ଡିଆଁରୁ ହୋଇଥିଲା ଚଳଚଞ୍ଚଳ। ଟିକେଟ୍‌ ଆଶାୟୀ ଓ ଅସନ୍ତୁଷ୍ଟମାନଙ୍କ ଏ ଦଳରୁ ସେ ଦଳକୁ ଡିଆଁ ମାରିବା ଏତେ ପରିମାଣରେ ବଢିଥିଲା ଯେ ଅନେକ ପୁରୁଖା ଓ ପୁରୁଣା ନେତା ମଧ୍ୟ ଏଥିରୁ ବାଦ ପଡି ନ ଥିଲେ। ତା’ ସାଙ୍ଗକୁ ବିଜେଡି ଓ ବିଜେପି ଦଳରେ ଟିକେଟ୍‌ ବଂଟନ ଏବଂ ନିର୍ବାଚନୀ ରଣକୌଶଳକୁ ଦେଖି ଆକଳନ କରିବା ମୁସ୍କିଲ୍‌ ହେଲା ଯେ ବିଜେଡି ଏଥର ୩ ଅଙ୍କ ଛୁଇଁପାରିବ ତ?

ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର

ଅନେକ ସମୀକ୍ଷକଙ୍କ ଗଣତି ଥିଲା କଷ୍ଟେ ମଷ୍ଟେ ବିଜେଡି ପୁଣି କ୍ଷମତାକୁ ଫେରିପାରେ। ହେଲେ ଫଳାଫଳ ଅବିଶ୍ୱସନୀୟ ସର୍‌ପ୍ରାଇଜ୍‌ ନେଇ ଆସିଲା! ଲଗାତାର ୫ ପାଳି ଧରି କ୍ଷମତାରେ ରହି ଆସୁଥିବା ନବୀନ ପଟ୍ଟନାୟକ ଏଥର ଛକା ମାରି ପାରିଲେ ନାହିଁ। ତେବେ ଏହାକୁ କ’ ଣ ମତଦାତାଙ୍କ ସର୍‌ପ୍ରାଇଜ୍‌ ବୋଲି କୁହାଯିବନି?

ନବୀନଙ୍କ ସକ୍ରିୟତା ସର୍‌ପ୍ରାଇଜ୍‌:

୨୦୧୯ ନିର୍ବାଚନ ପରଠାରୁ ଚଳିତ ନିର୍ବାଚନ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ନେଇ ବ୍ୟାପକ ରାଜନୈତିକ ଚହଳ ଦେଖିବାକୁ ମିଳିଥିଲା। ବିଭିନ୍ନ ସଭା, ସମିତି ଓ ନିର୍ବାଚନୀ ପ୍ରଚାର ବେଳେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ପ୍ରାୟ ସବୁ ବେଳେ ଭି.କେ.ପାଣ୍ଡିଆନଙ୍କ ‘ସହାୟତା’ରେ ସାମ୍ନାକୁ ଆସିବା ଲୋକେ ଦେଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥଗ୍ରହଣ ସମାରୋହରେ ମଞ୍ଚ ଉପରେ ବିନା ‘ସହାୟତା’ରେ ନବୀନଙ୍କ ସ୍ମାର୍ଟ ଏଣ୍ଟ୍ରି ଲୋକଙ୍କ ପାଇଁ ଥିଲା ସର୍‌ପ୍ରାଇଜ୍‌! ସମାରୋହରେ ନବୀନଙ୍କୁ ଦେଖି ମଞ୍ଚ ତଳେ ଥିବା ବିଶାଳ ସମାବେଶରୁ ଖୁସି ଓ କୋଳାହଳର ସୁଅ ଛୁଟିଗଲା।

ଶ୍ରୀ ପଟ୍ଟନାୟକଙ୍କୁ ଭି.କେ.ପାଣ୍ଡିଆନଙ୍କ ‘ସହାୟତା’

ଖାଲି ସେତିକି ନୁହେଁ, ଏହା ପରେ ପରେ ଗଣମାଧ୍ୟମ ଗହଣରେ ଠିଆ ହୋଇ ସମ୍ବୋଧିତ କରିବା, ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ବିଭିନ୍ନ ପ୍ରସଙ୍ଗରେ ସକ୍ରିୟତାର ସହିତ ସରକାରଙ୍କୁ ଆକ୍ରମଣ କରିଥିଲେ। ଗତ ୫ ବର୍ଷ ହେଲା ରାଜ୍ୟବାସୀଙ୍କ ମାନସପଟ୍ଟରେ ଚିତ୍ରିତ ବୟସାଧିକରୁ ଅସୁସ୍ଥ ଜନପ୍ରିୟ ନେତାଙ୍କ ଅଚାନକ ଆକ୍ଟିଭ୍‌ନେସ୍ ଲୋକଙ୍କ ପାଇଁ ସର୍‌ପ୍ରାଇଜ୍‌ ହେଲା।

ନବୀନ-ମୋହନ ସମ୍ପର୍କର ସର୍‌ପ୍ରାଇଜ୍‌:

ନବୀନ ପଟ୍ଟନାୟକ କ୍ଷମତାରେ ଥିବା ବେଳୁ ହିଁ ବିଭିନ୍ନ ସମୟରେ ବିଜେପି-ବିଜେଡି ସମ୍ପର୍କ ଚର୍ଚ୍ଚାରେ ରହି ଆସିଥିଲା ଯାହାର ବିବରଣୀ ଉପସ୍ଥାପନ କରିବା ଅନାବଶ୍ୟକ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ଷମତାଚ୍ୟୁତ ପରେ ମଧ୍ୟ ନବୀନଙ୍କୁ ଦୁଇ ଦୁଇ ଥର ତାଙ୍କ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ ଆଲୋଚନା କରିବା ଏବଂ ଶପଥଗ୍ରହଣ ସମାରୋହରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପସ୍ଥିତି ରାଜନୈତିକ ମହଲରେ ଭିନ୍ନ ଏକ ପରିବେଶ ସୃଷ୍ଟି କରିଥିଲା।

ନବୀନ ପଟ୍ଟନାୟକଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନିକଟରେ କେରଳ ୱ୍ୱାଏନାଡ ଭୂ-ସ୍ଖଳନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଟାର୍ଗେଟ୍‌ କରି ନବୀନଙ୍କୁ ପ୍ରଶଂସା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା। ଓଡ଼ିଶାରେ ଏତେ ଦୁର୍ବିପାକ ଆସିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ପୂର୍ବ ପ୍ରସ୍ତୁତି ଯୋଗୁଁ କ୍ଷତକ୍ଷତି ହୁଏ ନାହିଁ। ବନ୍ୟା ବାତ୍ୟା ବିପର୍ଯ୍ୟୟର ମାତ୍ର କିଛି ଦିନ ମଧ୍ୟରେ ସ୍ୱାଭାବିକ ପରିସ୍ଥିତି ଫେରିଆସେ ବୋଲି କହି ଶାହା ନବୀନଙ୍କୁ ପ୍ରଶଂସା କରିଛନ୍ତି।

ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ସହିତ ପୂର୍ବ ଭଳି ସମ୍ପର୍କ ଚର୍ଚ୍ଚାରେ ରହିଛି, ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ବିଜେଡି ଶାସନରେ ହୋଇଥିବା ଖଣି, ଚିଟ୍‌ଫଣ୍ଡ ଆଦି ବିଭିନ୍ନ ଦୁର୍ନୀତିର ଖୋଳତାଡ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିବା ବିଜେପି ତା’ର ପ୍ରତିଶ୍ରୁତି ରକ୍ଷା କରିବ ତ?

ମମତାଙ୍କ ସର୍‌ପ୍ରାଇଜ୍‌:

ବିଜେଡିର ବଡ ବିପର୍ଯ୍ୟୟ ପରେ ଦଳର ଏକମାତ୍ର ଶକ୍ତି ଥିଲା ରାଜ୍ୟସଭା! ସଂସଦ ଅଧିବେଶନ ଆରମ୍ଭରୁ ନବୀନ ପଟ୍ଟନାୟକ ଦଳର ୯ ରାଜ୍ୟସଭା ସଦସ୍ୟଙ୍କୁ ନେଇ ବିଜେପି ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ସୁପ୍ରିମୋଙ୍କ ନିର୍ଦ୍ଦେଶ ମୁତାବକ ସଦନରେ ବିଜେଡି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କୁ ବିରୋଧ କରିବା ଦେଖାଯାଇଥିଲା।

ବହୁ ଚର୍ଚ୍ଚିତ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଅନ୍ୟ ବିରୋଧୀ ଦଳଙ୍କ ସହିତ ବିଜେଡି ସଦସ୍ୟଙ୍କ କକ୍ଷ ତ୍ୟାଗ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ଏବଂ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନିର୍ବାଚନ କ୍ୟାମ୍ପେନ୍‌ରେ କରିଥିବା ପ୍ରଶ୍ନକୁ ସାଂସଦ ସୁଲତା ଦେଓ ରାଜ୍ୟସଭାରେ ପ୍ରସଙ୍ଗ କରିଥିଲେ।

ବିଜେଡିର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ବିଜେଡି ସଦସ୍ୟଙ୍କ ଏଭଳି ବିରୋଧ ରାଜ୍ୟସଭାରେ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ତେବେ ଇତିମଧ୍ୟରେ ଦଳର ୯ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ମମତା ମହାନ୍ତ ନିଜ ସଦସ୍ୟତା ଏବଂ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ରାଜନୀତିରେ ସବୁଠାରୁ ବଡ ସର୍‌ପ୍ରାଇଜ୍‌ ବୋଲି ବିବେଚନା କରାଯାଉଛି।

ମମତାଙ୍କ ଅଚାନକ ଇସ୍ତଫା ବିଜେଡିକୁ ବଡ ଝଟକା

ଆଗକୁ ଦେଢବର୍ଷରୁ ଅଧିକ ସମୟ ସଦସ୍ୟ ରହିଥିବା ବେଳେ ମମତାଙ୍କ ଅଚାନକ ଇସ୍ତଫା ବିଜେଡିକୁ ବଡ ଝଟକା ଦେଇଛି। ଏହାକୁ ବିଜେପିର ଷଡଯନ୍ତ୍ର ବୋଲି କହିଛି ବିଜେଡି। ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ବିଜେଡି ରାଜ୍ୟସଭା ସଦସ୍ୟ ଭାବେ ମୟୂରଭଞ୍ଜର ମମତା ମହାନ୍ତଙ୍କ ନାମ ଘୋଷଣା କରି ଦଳୀୟ ନେତାଙ୍କୁ ସର୍‌ପ୍ରାଇଜ୍‌ ଦେଇଥିଲା। ଏହି ଆସନ ପାଇଁ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଜଣେ ଶିଳ୍ପପତିଙ୍କ ନାମ ସେତେବେଳେ ଚର୍ଚ୍ଚାରେ ରହିଥିଲା।

ବର୍ତ୍ତମାନ ରାଜ୍ୟସଭା ଆସନ ପରିତ୍ୟାଗ କରି ଜଣେ ସାଧାରଣ କର୍ମୀ ଭାବରେ ବିଜେପିରେ ରହି ଲୋକଙ୍କ ସେବା କରିବାକୁ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ମମତା। ଏ ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ତ ଲାଗି ରହିଛି କିନ୍ତୁ, ୨୪ ବର୍ଷର କ୍ଷମତାର ଅବସାନ ଘଟିବା ପରେ ନେତାଙ୍କୁ ନେଇ ସେଭଳି ଚିନ୍ତନ, ମନ୍ଥନ ସମୀକ୍ଷା, ତତ୍ପରତା ଦେଖାଯାଇ ନାହିଁ।

ତେବେ ମମତାଙ୍କ ‘ଝଟ୍‌କା’ ପରେ ବିଜେଡିରେ ଧରପଗଡ ଆରମ୍ଭ ହୋଇଛି। କୁହାଯାଉଛି ବିଜେଡିର ବରିଷ୍ଠ ନେତା ଏବେ ସମ୍ଭାଳିବେ ଦଳ। ତେବେ ବୁଡିବା ଡଙ୍ଗାକୁ ଉଦ୍ଧାର କରିବାରେ ବରିଷ୍ଠ କେତେ ସକ୍ଷମ ହେଉଛନ୍ତି ଏବଂ ଆଗକୁ ଆଉ କି କି ସର୍‌ପ୍ରାଇଜ୍‌ ସବୁ ରାଜ୍ୟ ରାଜନୀତିରେ ଘଟୁଛି ତାହା ଦେଖିବା ବାକି ରହିଲା।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)