ଜହ୍ନରେ ପାଣିର ସନ୍ଧାନ କରୁଛି ମଣିଷ, ହେଲେ ଏମିତି ବି ଗାଁ ଅଛି...ଆମ୍ବୁଲାନ୍ସ ଯାଇପାରୁନି

ଦେଶ ତଥା ରାଜ୍ୟର ହଜାର ହଜାର ଲୋକେ ଝାଡାବାନ୍ତିରେ ମରୁଛନ୍ତି? ଏଥିପାଇଁ କିଏ ଦାୟୀ ? ସରକାର ପରେ ସରକାର ବଦଳୁଛି ହେଲେ ଏ ଅଂଚଳର ଭାଗ୍ୟ ବଦଳୁନି କାହିଁକି? ଲୋକଙ୍କ ପାଖରେ ପିଇବା ପାଣି, ସ୍ୱାସ୍ଥ୍ୟସେବା ଓ ସଡକ ପହଂଚିବାକୁ ଆଉ କେତେ ବର୍ଷ ଲାଗିବ?

ଏମିତି ବି ଗାଁ ଅଛି...ଆମ୍ବୁଲାନ୍ସ ଯାଇପାରୁନି

ଭାରତ ଆଜି ଚନ୍ଦ୍ରପୃଷ୍ଠରେ ଘର କରିବାକୁ ପାଣିର ସନ୍ଧାନ କରୁଛି ଅଥଚ ଏଠି ଗାଁକୁ ପିଇବା ପାଣି, ସାମାନ୍ୟ ସ୍ୱାସ୍ଥ୍ୟସେବା କିମ୍ବା ଆମ୍ବୁଲାନ୍ସ ପହଂଚିପାରୁ ନାହିଁ! ଜାପାନକୁ ପଛରେ ପକାଇ ଏସିଆ ପାୱାର ଇଣ୍ଡେକ୍ସରେ ଭାରତ ତୃତୀୟ ସ୍ଥାନ ଅକ୍ତିଆର କରିଛି ହେଲେ ଲଗାଣ ବର୍ଷା ଓ ବନ୍ୟାସ୍ଥିତି ପରେ ଝାଡାବାନ୍ତିରେ ଘାଂଟି ହେଉଛି ଓଡ଼ିଶା! କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ । ମହାନଗରରୁ ମଫସଲ, ଅପନ୍ତରିଆ ଅପହଂଚ ଆଦିବାସୀ ଅଂଚଳ, ସବୁଠି ଗଡୁଛି ଗଣ୍ଡା ଗଣ୍ଡା ମୁଣ୍ଡ । ରାଉରକେଲା ହଇଜାର ହା ହା କାର ପରେ ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଝାଡାବାନ୍ତିରେ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଜୁଲାଇରୁ ସେପ୍ଟେମ୍ବର (୨୫ ତାରିଖ) ସୁଧା ରାଜ୍ୟରେ ଅନେକ ଜୀବନ ଯାଇଥିବା ବିଭିନ୍ନ ଗଣମାଧ୍ୟମରୁ ପ୍ରକାଶ । ଦୈନିକ କେଉଁଠି ନା କେଉଁଠି ଆକ୍ରାନ୍ତ ନିଜ ସୁସ୍ଥତା ପାଇଁ ସଂଗ୍ରାମ କରୁଛନ୍ତି । କେବଳ କାଶୀପୁରରେ ହିଁ ଗତ ଦଶନ୍ଧି ମଧ୍ୟରେ ପ୍ରାୟ ୪ଶହରୁ ଅଧିକ ଜୀବନ ନେଲାଣି ହଇଜା । ଆମେ ଏକ ବିକଶିତ ଓ ସଶକ୍ତ ଭାରତର ପରିକଳ୍ପନା କଲାବେଳେ ଆମ ଦେଶ ତଥା ରାଜ୍ୟର ହଜାର ହଜାର ଲୋକେ ଝାଡାବାନ୍ତିରେ ମରୁଛନ୍ତି? ଏଥିପାଇଁ କିଏ ଦାୟୀ? ସରକାର ପରେ ସରକାର ବଦଳୁଛି ହେଲେ ଏ ଅଂଚଳର ଭାଗ୍ୟ ବଦଳୁନି କାହିଁକି? ଲୋକଙ୍କ ପାଖରେ ପିଇବା ପାଣି, ସ୍ୱାସ୍ଥ୍ୟସେବା ଓ ସଡକ ପହଂଚିବାକୁ ଆଉ କେତେ ବର୍ଷ ଲାଗିବ?

୩ ମାସରେ ଏକାଧିକ ମୃତ:

ମାଲକାନଗିରି ମାଥେଲିରେ ୫ ମୃତ, କନ୍ଧମାଳ ଦୁର୍ଗାପାଙ୍ଗାରେ ୫, ବଲାଙ୍ଗିରର ଲଖପାଲି୨ ମୃତ, ପୁଇଁତଳାରେ ୩ ମୃତ, ବଙ୍ଗମୁଣ୍ଡା ଜାମତରାରେ ୩, ନବରଙ୍ଗପୁର ନନ୍ଦାହାଣ୍ଡିରେ ୩, ଭଦ୍ରକ ଗେଲଟୁଆର ବଗମରାରେ ୩, ଗଞ୍ଜାମ ଜିଲ୍ଲା ଆସିକା କେ.ସୁନ୍ଦରାପଲ୍ଲୀରେ ୫, ଭଞ୍ଜନଗର ଗୁଣ୍ଡୁରିବାଡିରେ ୪ ମୃତୁ୍ୟ, ରାୟଗଡା କଲ୍ୟାଣସିଂପୁର ଲାମ୍ବେରୀ ଗ୍ରାମରେ ସପ୍ତାହକ ମଧ୍ୟରେ ୪, ବରଗଡ ଅମଲିପାଲି ଚପୁଲୁଛେରେ ୨ ମୃତ ଏବଂ ସୋନପୁର ପୁରୁଷୋତ୍ତମପାଲିରେ ଜଣେ ଆକ୍ରାନ୍ତଙ୍କ ମୃତ ହୋଇଥିବା ଅଭିଯୋଗ ହୋଇଛି । ସେପଟେ କେନ୍ଦ୍ରାପଡା ରାଜନଗରରେ ଝାଡାବାନ୍ତିରେ ୨୦ ଆକ୍ରାନ୍ତ ଏବଂ ୩ ମୃତ ଘଟଣାର ୪ ଦିନ ପୂର୍ବରୁ ଚାରିପୋଖରିଆ ଗାଁରେ ଏକାଧିକ ଶିଶୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା । କେବଳ ଏତିକି ନୁହେଁ ରାଜ୍ୟର ଅନେକ ସ୍ଥାନରେ ଆଜି ମଧ୍ୟ କେଉଁଠି ନା କେଉଁଠି ଦୂଷିତ ପାଣି ପିଇ ସଂକ୍ରମଣର ଶିକାର ରୋଗୀ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବ ନିଶ୍ଚୟ ।


କେବେ କେବେ ଦେବଦୂତ ସାଜି ଡାକ୍ତରମାନେ ଏଭଳି କଷ୍ଟସାଧ୍ୟ ଅପହଂଚ ଇଲାକାକୁ ଯାଇ ଚିକିତ୍ସା ସେବା ଯୋଗାଇବାର ଦୁଃସାହାସ ଦେଖାଇଥାନ୍ତି । ନିକଟରେ ମାଥେଲିରେ କାୟାବିସ୍ଥାର କରିଥିବା ଝାଡାବାନ୍ତି ରୋକିବାକୁ ଏକ ଡାକ୍ତରୀଟିମ ଭରା ନଇରେ ଟ୍ରାକ୍ଟର ସାହାଯ୍ୟରେ ଯିବା ବେଳେ କିଭଳି ଓଲଟିପଡି ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଘଟଣା ଦେଖାଯାଇଥିଲା । ସେପଟେ ନବରଙ୍ଗପୁର ନନ୍ଦାହାଣ୍ଡି ବିଡିଓ ଝାଡାବାନ୍ତିରେ ଆକ୍ରାନ୍ତ ଜଣେ ରୋଗୀଙ୍କୁ ଘର ବାରଣ୍ଡାରୁ ନିଜେ ହାତରେ ଉଠାଇ ଆଣିବାର ଭିଡିଓ ନିକଟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଅନେକ ସ୍ଥାନରେ ଡାକ୍ତର ଓ ସ୍ଥାନୀୟ ପ୍ରଶାସନର ଏଭଳି ଆହ୍ୱାନପୂର୍ଣ୍ଣ ଦୁଃସାହସୀକ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ତେବେ ଏଭଳି କେତେ ଦିନ ଡାକ୍ତର ନିଜ ଜୀବନକୁ ପାଣିଛଡେଇ ରୋଗୀସେବା ଯୋଗାଇବେ? ଏହାର ପରିସମାପ୍ତୀ କେବେ?

ଝାଡାବାନ୍ତି ରୋକିବାକୁ ଝଡାଫୁଙ୍କା:

ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଆଜି ମଧ୍ୟ ଏଭଳି ଚିତ୍ର ସାମ୍ନାକୁ ଆସୁଛି ଯେଉଁଠି ହଇଜାରୁ ବର୍ତ୍ତିବା ପାଇଁ ଲୋକେ ଝଡାଫୁଙ୍କା, ଗାଁ ଠାକୁରାଣୀଙ୍କ ଠାରେ ପୂଜାପାଠ କରୁଛନ୍ତି । ଏଇ ନିକଟରେ ମାଲକାନଗିରିର ମାଥେଲି ଏବଂ କେନ୍ଦ୍ରାପଡାର ରାଜନଗରରୁ ଆସିଛି ଏଭଳି ଚିତ୍ର । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ମାଲକାନଗିରି ଜିଲ୍ଲା ମାଥେଲି ବ୍ଲକ ତୁଳସୀ ଗାଁରେ ଜଣେ ମହିଳା ୩ ଦିନ ମଧ୍ୟରେ ନିଜ ସ୍ୱାମୀ ଓ ଦୁଇ ସନ୍ତାନକୁ ହରାଇଲେ । ଏଠାରେ ପ୍ରାୟ ୫ ଜଣଙ୍କ ଜୀବନ ଗଲାପରେ ଗାଁରେ ଖେଳିଗଲା ଭୟ ଓ ଆତଙ୍କର ବାତାବରଣ । ଗାଁକୁ ରୋଗରୁ ମୁକ୍ତ ଓ ସୁସ୍ଥ ରଖିବାକୁ ଧୂପ ଦୀପ ଫୁଲ ଭୋଗ ଲଗାଇ ଗ୍ରାମ ଦେବତୀଙ୍କ ଠାରେ ଲୋକେ ପୂଜାର୍ଚ୍ଚନା କରିଥିଲେ । ସମାନ ଚିତ୍ର ଦେଖାଯାଇଥିଲା ରାଜନଗରରେ । ଝାଡାବାନ୍ତିରେ ୧୦ ଶିଶୁଙ୍କ ସମେତ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ଏବଂ ଶତାଧିକ ଆକ୍ରାନ୍ତ ହେବା ସ୍ଥିତି ସାମ୍ନାକୁ ଆସିବା ପରେ ଭୟଭୀତ ଲୋକେ ଚଣ୍ଡୀପାଠ ଓ ହୋମ ପୂଜା କରିବା ଘଟଣା ଦେଖିବାକୁ ମିଳିଥିଲା । କେବଳ ଏହି ଦୁଇଟି ନୁହେଁ, ଆଜି ମଧ୍ୟ ଗାଁରେ ରୋଗ ବ୍ୟାଧୀ ବ୍ୟାପିଲେ ଏଭଳି ପୂଜାପାଠ କରିବାର ଅନେକ ଚିତ୍ର ସାମ୍ନାକୁ ଆସେ ।

ଖଟିଆରେ ରୋଗୀବୁହା ଖବର ନୂଆ ନୁହେଁ:

କେବଳ ବର୍ଷା ଓ ବନ୍ୟା ଯୋଗୁ ନୁହେଁ, ବର୍ଷ ତମାମ ଉତ୍କଟ ପାନୀୟ ଜଳର ସଂକଟ ପାଇଁ ଲୋକେ ଚୁଆ, ପୋଖରୀ ଆଦିରୁ ଦୂଷିତ ପାଣି ପିଇ ଝାଡାବାନ୍ତି, ଡାଇରିଆ, ହଇଜା ସଂକ୍ରମଣର ଶିକାର ହୋଇଥାନ୍ତି । ଅନେକ ସ୍ଥାନରେ ରୋଗୀଙ୍କ ପାଖରେ ପହଂଚି ପାରେନି ଆମ୍ବୁଲାନ୍ସ କି ସ୍ୱାସ୍ଥ୍ୟସେବା । ମଳୁ ଓ ମେଡିକାଲ ମଧ୍ୟରେ ବିରାଟ ବାଧକ ସାଜେ ଆମ ବିଡମ୍ବିତ ସଡକ ଓ ଗମନାଗମନର ବ୍ୟବସ୍ଥା । ଖଟିଆରେ ବୁହାହୋଇ ଆସୁଥିବା ରୋଗୀଟି ମଝି ରାସ୍ତାରେ ହିଁ ପ୍ରାଣ ହରାଇବା ଯେମିତି ଏକ ନିତିଦିନିଆ ଘଟଣା ହୋଇଗଲାଣି ।

ରାଉରକେଲା ଆତଙ୍କ :

କେବଳ ଅପହଂଚ ଅଂଚଳ ନୁହେଁ କିଛିଦିନ ତଳେ ସ୍ମାର୍ଟ ସିଟି ରାଉରକେଲାରେ ହଇଜାର ହା ହା କାର ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ହଜାର ହଜାର ବିଜେପିକର୍ମୀ ସମର୍ଥକ ସ୍ଥାନୀୟ ପ୍ରଶାସନକୁ ଘେରିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ କେନ୍ଦ୍ରୀୟ ସ୍ୱାସ୍ଥ୍ୟବିଭାଗର ହସ୍ତକ୍ଷେପ ପାଇଁ ଚିଠି ଲେଖିଲେ । ଡିସେମ୍ବର ୧୧ ତାରିଖରେ ପ୍ରଥମଥର ପାଇଁ ୨୮ ଜଣ ସଂକ୍ରମିତ ଆର୍.ଜି.ଏଚ୍.ରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ·ଚାଲିଯାଇଥିଲା । ଶତାଧିକ ଲୋକ ସଂକ୍ରମିତ ହେବାସହ ଅନ୍ୟାନ୍ୟ ବେସରକାରୀ ହସପିଟାଲରେ ସଂକ୍ରମିତ ଭର୍ତ୍ତି ହୋଇଥିଲେ । ପ୍ରଶାସନ ପକ୍ଷରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବାବେଳେ ବାସ୍ତବରେ ମୃତ୍ୟୁ ସଂଖ୍ୟା ୨୦ରୁ ଅଧିକ ହେବ ବୋଲି କୁହାଯାଏ । ଦୂଷିତ ପାଣି ପାଇଁ ସଂକ୍ରମଣ ବ୍ୟାପିଥିବା ଆକଳନ କରାଯାଇଥିଲା । ଅଢେଇ ହଜାର ସ୍ଥାନରୁ ପାଣି ନମୁନା ସଂଗୃହୀତ ହୋଇଥିଲା । ପ୍ରାୟ ମାସେ କାଳ ଧରି ସ୍ଥିତି ଅଣାୟତ ହେବାରୁ କେନ୍ଦ୍ରରୁ ୫ଜଣିଆ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ ରାଉରକେଲା ଆସି ଅନୁଧ୍ୟାନ କଲେ ।

‘ହୁ’ର ହଇଜା ଚେତାବନୀ:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁତାବକ ୨୦୨୨ରେ ପାଖାପାଖି ୫ ଲକ୍ଷ ହଇଜାରେ ଆକ୍ରାନ୍ତ ହୋଇଥିବାବେଳେ ପ୍ରାୟ ଅଢେଇ ହଜାର ଲୋକ ମୃତ୍ୟୁ ମୂଖରେ ପଡିଥିଲେ । ୨୦୨୧ ବର୍ଷ ଅପେକ୍ଷା ଏହି ସଂଖ୍ୟା ଦୁଇଗୁଣ ଥିଲା । କିନ୍ତୁ୨୦୨୩ରେ ସଂକ୍ରମିତ ମାମଲା ୫ ଲକ୍ଷ ୩୦ ହଜାର ପାର କରିଗଲା ଆଉ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲା । ତେବେ ପ୍ରକୃତ ପରିସଂଖ୍ୟାନ ସାମ୍ନାକୁ ଆସିଥିବା ସଂଖ୍ୟା ଠାରୁ ଢେର ଅଧିକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମାନ ଲଗାଇଛି । ସଂଗଠନର ଅନୁମାନ ଯେ, ହଇଜା କାରଣରୁ ବର୍ଷକୁ ୧ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି ଏବଂ ଏହି ମାମଲା ପ୍ରତିବର୍ଷ ବୃଦ୍ଧି ପାଉଥିବା ନେଇ ଚିନ୍ତା ପ୍ରକଟ କରିଛି ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)