Astrospeak
  • Live TV
  • Read In English

ଖରାକୁ ଖାତିର ନାହିଁ, ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ...ପରିବେଶ ପାଇଁ ଦେଖାଯାଉନି ରାଜନୈତିକ ଇଚ୍ଛାଶକ୍ତି

ଖରାକୁ ଖାତିର ନାଇଁ, ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ। ଭୋଟ ପାଇଁ ନେତାଙ୍କ ଚିନ୍ତା, ହେଲେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଚିନ୍ତା କରିବ କିଏ ? କ’ଣ ଏଥିପାଇଁ ରାଜନୈତିକ ଦାୟିତ୍ୱ ନାହିଁ ? ନେତାଙ୍କ ପ୍ରଚାରରେ ପରିବେଶ କଥା କାଇଁ ?

There is no interest of political party in the deteriorating of environment
ବିଗିଡିବାରେ ଲାଗିଛି ପରିବେଶ; କାହିଁକି ଦେଖାଯାଉନି ରାଜନୈତିକ ଇଚ୍ଛାଶକ୍ତି

ଖରାକୁ ଖାତିର ନାଇଁ, ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ। ଭୋଟ ପାଇଁ ନେତାଙ୍କ ଚିନ୍ତା, ହେଲେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଚିନ୍ତା କରିବ କିଏ ? କ’ଣ ଏଥିପାଇଁ ରାଜନୈତିକ ଦାୟିତ୍ୱ ନାହିଁ? ନେତାଙ୍କ ପ୍ରଚାରରେ ପରିବେଶ କଥା କାଇଁ? ଭୀଷଣ ଗ୍ରୀଷ୍ମ ପ୍ରବାହ, ଆକାଶରୁ ଯେମିତି ଅଗ୍ନି ବର୍ଷୁଛି। ରାଜ୍ୟର ସର୍ବାଧିକ ତାପମାତ୍ରା ପାଖାପାଖି ୪୬ ଡିଗ୍ରୀ ପାର ହେଲାଣି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାକୁ ରେଡ୍‌ ଆଲର୍ଟ ଜାରୀ କରିଛି। ଓଡ଼ିଶାର ତାପମାତ୍ର ସାରା ଏସିଆ ମହାଦେଶରେ ସବୁଠାରୁ ଅଧିକ।

ସେପଟେ ଜଙ୍ଗଲ ଜଳୁଛି, ରାଜ୍ୟର ନଦନଦୀ ସବୁ ଶୁଖିଲା, ଭୂତଳ ଜଳ ତଳକୁ ତଳକୁ ଖସି ଚାଲିଛି। ଟୋପାଏ ପାଣି ପାଇଁ, ତାତିରୁ ରକ୍ଷା ପାଇବାକୁ ସମଗ୍ର ଜୀବଜଗତ ତ୍ରାହି ତ୍ରାହି ଡାକୁଛନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ ବିଡମ୍ବନାର ବିଷୟ ହେଉଛି, ୨୦୨୪ ସାଧାରଣ ନିର୍ବାଚନ ସମୟରେ ଏହି ସ୍ଥିତି ଦେଖାଯାଇଥିଲେ ମଧ୍ୟ ରାଜନୈତିକ କ୍ଷେତ୍ରରେ ସେଭଳି ଗୁରୁତ୍ୱ ଦିଆଯାଇ ନାହିଁ।

ଆମ ଦଳ କ୍ଷମତାକୁ ଆସିଲେ ଯୁବକ, ମହିଳା, ବେରୋଜଗାରୀ, ନିଯୁକ୍ତି, ଚାଷୀ ଆଦି କ୍ଷେତ୍ରରେ କ’ଣ କ’ଣ କରିବ ତା’ର ଲମ୍ବା ତାଲିକା ନେତାଙ୍କ ପ୍ରଚାର ଭାଷଣରୁ ଝଲସୁଛି। କିନ୍ତୁ ପରିବେଶ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଆଗାମୀ ୫ ବର୍ଷ ପାଇଁ ଦଳ କି ପଦକ୍ଷେପ ଗ୍ରହଣ କରିବ ସେନେଇ ସ୍ୱର ଶବ୍ଦ ଶୁଣିବାକୁ ମିଳୁନି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଗଭୀର ଭାବରେ ପ୍ରଭାବିତ ହେଉଥିଲେ ମଧ୍ୟ ଚଳିତ ନିର୍ବାଚନରେ ଏଥିପ୍ରତି ରାଜନୈତିକ ଇଛାଶକ୍ତିର ଘୋର ଅଭାବ ଦେଖିବାକୁ ମିଳୁଛି।

ପରିବେଶ ତଥା ଜଳବାୟୁ ପରିବର୍ତ୍ତନକୁ ନେଇ ବର୍ତ୍ତମାନ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇଛି ଓଡ଼ିଶା। କାରଣ ଓଡ଼ିଶା ହେଉଛି ବନ୍ୟା ଓ ବାତ୍ୟାର ଚିରସହଚର। ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ଛୋଟ ବଡ଼ ପ୍ରାୟ ଦଶଟି ବାତ୍ୟା ଓ ଅନେକ କାଳବୈଶାଖୀର ସାମ୍ନା କରିଛି। କୋଉ ଆଦିମ ଯୁଗର ବିଶାଳ ମହାଦ୍ରୁମ ସମେତ କୋଟି କୋଟି ବୃକ୍ଷ ଧରାଶାୟୀ ହୋଇଯାଇଛି।

ମହାବାତ୍ୟା ପରେ ପରେ ଫନି ଆଣିଥିଲା ସବୁଠାରୁ ବଡ ସବୁଜିମାର ଶ୍ମଶାନ! ରାଜ୍ୟରେ ପ୍ରାୟ ୨୩ ଲକ୍ଷ ଗଛ ନଷ୍ଟ ହୋଇଥିଲା। ଏହାଛଡା ବନାଗ୍ନିରେ ଜଳିପୋଡି ପାଉଁଶ ପାଲଟିଲାଣି କେତେ ଯେ ଜଙ୍ଗଲ ତା’ର ହିସାବ ନାହିଁ। ଏହାବାଦ ପୁଣି ବିକାଶ ପାଇଁ କରତ ମୁନରେ କଟି ଚାଲିଚି ଗଛ। ରାସ୍ତା ପ୍ରଶସ୍ଥ କରିବାଠୁ ଆରମ୍ଭ କରି ଶିଳ୍ପ କାରଖାନା ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁଥିରେ ବଳି ପଡୁଛି ବେହିସାବ ଗଛ। ୨୦୧୦ରୁ ୨୦୨୧ ମଧ୍ୟରେ ପ୍ରାୟ ୧.୮୫ କୋଟି ଗଛ ବିକାଶ ପାଇଁ କଟାଯାଇଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ସେପଟେ ପୁଣି ପାହାଡ଼, ପର୍ବତ, ଖଣିଖାଦାନ ଖୋଳା ତଡାର ଚିତ୍ର ମନରେ ଅନେକଙ୍କୁ ଅସ୍ତବ୍ୟସ୍ତ କରେ। ଜଳବାୟୁ ପରିବର୍ତ୍ତନର ଯେଉଁ ଭୟଙ୍କର ଆଶଙ୍କା ଅତୀତରେ ପରିବେଶବିତ୍‌ମାନେ ଆକଳନ କରିଥିଲେ ତା’ର ବାସ୍ତବିକ ଚିତ୍ର ଆମ ସାମ୍ନାରେ!

କୁହାଯାଏ ୧୯୫୦ରୁ ଏବେଯାଏଁ ବିଶ୍ୱ ଅର୍ଥନୀତିର ଉତ୍ପାଦନ ୧୫ ଗୁଣ ବଢିଥିବାବେଳେ ଗତ ହଜାର ହଜାର ବର୍ଷ ଧରି ଜୈବ ବିବିଧତା ଯେତେ ହ୍ରାସ ପାଇଥିଲା ବର୍ତ୍ତମାନ ତାହା ଶହେ କି ହଜାର ଗୁଣ ଅଧିକ ହ୍ରାସ ହେବାରେ ଲାଗିଛି। ଏହା ମାନବ ସଭ୍ୟତା ପାଇଁ ବିପଦ ବୋଲି ପରିବେଶବିତ୍‌ମାନେ ଆକଳନ କରିଛନ୍ତି। ଆଇଏମ୍‌ଡି ଚଳିତ ମାସ ଆରମ୍ଭରେ ଚେତାବନୀ ଦେଇଥିଲା ଯେ ଏଥର ଗ୍ରୀଷ୍ମ ପ୍ରବାହ ଦେଶରେ ଅଧିକ ତାପମାତ୍ରା ବୃଦ୍ଧି କରିବ। ଏହାର ଉଭୟ ରିପୋର୍ଟରେ, ଡିହାଇଡ୍ରେସନ୍‌, କ୍ଳାନ୍ତି ଏବଂ ରକ୍ତଚାପ ଭଳି ଲକ୍ଷଣ ପାଇଁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

ବିଶେଷଜ୍ଞମାନେ ବର୍ତ୍ତମାନ ସୂଚାଇ ଦେଉଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବାର ପ୍ରଭାବ ଆର୍ଦ୍ରତା କାରଣରୁ ବଢିଲିଛି। ଆଇଏମ୍‌ଡି ଅନୁଯାୟୀ, ୧୯୯୦ ମସିହାରୁ ଏହିପରି ଆର୍ଦ୍ର ଉତ୍ତାପ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ଗତ ବର୍ଷ ବିଶ୍ୱ ପାଣିପାଗ ଆଟ୍ରିବ୍ୟୁସନ ଅଧ୍ୟୟନରୁ ଜଣାପଡିଛି ଯେ ୨୦୨୩ ଏପ୍ରିଲରେ ଦକ୍ଷିଣ ଏସିଆରେ ଅତ୍ୟଧିକ ଆର୍ଦ୍ର ଉତ୍ତାପ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପରିଚାଳିତ ହୋଇଥିଲା ଯାହା ସମାଜ ପାଇଁ କ୍ଷତିକାରକ ଅଟେ।

ଗ୍ରୀଷ୍ମ ପ୍ରବାହ ପାଇଁ ବର୍ତ୍ତମାନ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରମୁଖ ଦଳଗୁଡିକର ପ୍ରାର୍ଥୀ ପ୍ରଚାର ସମୟକୁ ପରିବର୍ତ୍ତନ କରିଦେଇଛନ୍ତି। କିନ୍ତୁ ଏଥିପାଇଁ ତଥା ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିରୋଧରେ ବ୍ୟାପକ ରଣନୀତି କ’ଣ ନିଆଯାଇ ପାରିବ ସେନେଇ କୌଣସି ରାଜନୈତିକ ଦଳ ପକ୍ଷରୁ କୁହାଯାଇ ନାହିଁ।

ହୁଏତ ନିଜ ନିଜ ଦଳୀୟ ନିର୍ବାଚନୀ ଘୋଷଣା ପତ୍ରରେ ଏହାକୁ ସ୍ଥାନୀତ କରିପାରନ୍ତି କିନ୍ତୁ ସେଭଳି ବ୍ୟାପକ ରାଜନୈତିକ ଆଲୋଚନା କି ଚର୍ଚ୍ଚା ହେବାର ଦେଖାଯାଇ ନାହିଁ। ତେଣୁ ରାଜନୈତିକ ଦଳମାନେ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କେତେ ଚିନ୍ତାଶୀଳ ଓ ଯତ୍ନବାନ ତାହା ଏଥିରୁ ଜଣାପଡୁଛି। ଏଥିପ୍ରତି ସମସ୍ତ ରାଜନୈତିକ ଦଳ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)