Astrospeak
  • Live TV
  • Read In English

ନେତାଙ୍କ କ୍ୟାରିୟର ପାଇଁ ବାଜିରେ ଲାଗିଛି ନୀତି-ନୈତିକତା-ଆଦର୍ଶ

୨୦୨୪ ନିର୍ବାଚନ ପାଇଁ ସରଗରମ ମାହୋଲ। ତା'ଆଗରେ ଏପ୍ରିଲ ମାସର ୪୩ ଡିଗ୍ରୀ ଟାଣ ଖରା ଯେମିତି କିଛି ନୁହେଁ। ସେଥିରେ ପୁଣି ନେତାଙ୍କ 'ଟିକେଟ୍‌' ତାତି ରାଜ୍ୟ ରାଜନୀତିରେ ଆଣିଛି ଗ୍ରୀଷ୍ମପ୍ରବାହ! ଖାସ୍ କରି ଟିକେଟ୍‌କୁ ନେଇ ଟେନ୍‌ସନ୍‌। ଯିଏ ଯେଉଁଠୁ ପାଇଲେ ଖଣ୍ଡେ ଖଣ୍ଡେ ଟିକେଟ୍‌ ନେଇ ପ୍ରଚାରରେ ଲାଗିଗଲେଣି।

Odisha politics jump from party to party for ticket
ନେତାଙ୍କ କ୍ୟାରିୟର ପାଇଁ ବାଜିରେ ଲାଗିଛି ନୀତି-ନୈତିକତା-ଆଦର୍ଶ

ରାଜନୀତିରେ 'ଟିକେଟ୍‌'କୁ ନେଇ ନେତାଙ୍କ ମଧ୍ୟରେ ଏଭଳି ବ୍ୟାକୁଳତା ହୁଏତ କେବେ ଦେଖାଯାଇ ନଥିବ! ଲୋକେ ବସ୍‌, ଟ୍ରେନ୍‌, ସିନେମା ଟିକେଟ ବିଷୟରେ ବେଶ ପରିଚିତ; ହେଲେ ରାଜନୀତିରେ ନିର୍ବାଚନ ଲଢ଼ିବାକୁ ନେତାଙ୍କୁ ଦଳର 'ଟିକେଟ୍‌' ପାଇବାକୁ ଏତେ ପାମ୍ପଡ଼ ବେଲିବାକୁ ପଡେ ଏକଥା 'ଭାଇରାଲ୍‌' ହେଇଗଲା।

ତେବେ ବିନା ଟିକେଟ୍‌ରେ ମଧ୍ୟ ନିର୍ବାଚନ ଲଢ଼ିହେବ; ସେଥିପାଇଁ ଦଳର ଆବଶ୍ୟକତା ପଡେ ନାହିଁ, ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିହେବ l

୨୦୨୪ ନିର୍ବାଚନ ପାଇଁ ସରଗରମ ମାହୋଲ। ତା'ଆଗରେ ଏପ୍ରିଲ ମାସର ୪୩ ଡିଗ୍ରୀ ଟାଣ ଖରା ଯେମିତି କିଛି ନୁହେଁ। ସେଥିରେ ପୁଣି ନେତାଙ୍କ 'ଟିକେଟ୍‌' ତାତି ରାଜ୍ୟ ରାଜନୀତିରେ ଆଣିଛି ଗ୍ରୀଷ୍ମପ୍ରବାହ! ଖାସ୍ କରି ଟିକେଟ୍‌କୁ ନେଇ ଟେନ୍‌ସନ୍‌। ଯିଏ ଯେଉଁଠୁ ପାଇଲେ ଖଣ୍ଡେ ଖଣ୍ଡେ ଟିକେଟ୍‌ ନେଇ ପ୍ରଚାରରେ ଲାଗିଗଲେଣି।

ହେଲେ ଟିକେଟ୍‌ ନ ପାଇ ନିରାଶ ନେତାମାନଙ୍କର ଦଳରେ ବିଦ୍ରୋହ ଅସମ୍ଭାଳ ହେଲାଣି। ସେମାନଙ୍କ କହିବା କଥା- ବର୍ଷ ବର୍ଷ ଧରି ଆମେ ଗଡ (ନିର୍ବାଚନମଣ୍ଡଳୀ) ଜଗିବୁ, ଦଳ ପାଇଁ ଖଟିବୁ ଆଉ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଟିକେଟ୍‌ ଦିଆଯିବ! ପ୍ରାୟ ଅଧିକାଂଶ ନିର୍ବାଚନମଣ୍ଡଳୀରେ ନେତାଙ୍କ ଅସନ୍ତୋଷ ଅଣାୟତ ଅବସ୍ଥାରେ, ଯାହାକୁ ନିୟନ୍ତ୍ରଣ କରିବା ଦଳ ପାଇଁ ସବୁଠାରୁ ବଡ ଆହ୍ୱାନ ହୋଇଛି। ବିଶେଷକରି ରାଜ୍ୟ ବିଜେପି ଓ ବିଜେଡି ଏଭଳି ସ୍ଥିତିକୁ କିପରି ମ୍ୟାନେଜ୍‌ କରିବେ ସେଥିପାଇଁ ଚାପଗ୍ରସ୍ତ ଶୀର୍ଷ ନେତୃତ୍ୱଙ୍କ ଚିନ୍ତା ବଢିଲାଣି।

ଓଡ଼ିଶାରେ ଆସନ ସଂଖ୍ୟା ସୀମିତ, ହେଲେ ଆଶାୟୀ ଅଜସ୍ର! ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା କ୍ଷେତ୍ର ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସରେ ଚଳିତ ନିର୍ବାଚନରେ ହଜାର ହଜାର ଦାବିଦାର।

ରାଜନୀତି କ୍ୟାରିୟରରେ ଥିବା ନେତା ଚଳିତ ନିର୍ବାଚନୀ ସୁଯୋଗକୁ ଜମା ହାତଛଡା କରିବାକୁ ଚାହାଁନ୍ତି ନାହିଁ। ଆଗାମୀ ନିର୍ବାଚନ ହୁଏତ ସେମାନଙ୍କ ପାଇଁ ଅଧିକ ଜଟିଳ ହୋଇପାରେ। ତେଣୁ ଯିଏ ଯେକୌଣସି ଉପାୟରେ ପ୍ରାର୍ଥୀଟିଏ ହେବାକୁ ବ୍ୟାକୁଳତା ପ୍ରକାଶ ପାଇଛି। ଟିକେଟ୍‌ ଲବିରେ କର୍ମୀ ସମର୍ଥକଙ୍କୁ ସାଙ୍ଗରେ ନେଇ ଦଳୀୟ ମୁଖିଆ / ମୁଖ୍ୟାଳୟ ଆଗରେ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ, ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଓ ବିଦ୍ରୋହ, ଏ ଦଳରେ ଟିକେଟ୍‌ ନ ମିଳିଲେ ଆର ଦଳକୁ ଡେଇଁବା ଯେଉଁଭଳି ବ୍ୟାପକ ରୂପ ନେଇଛି, ରାଜ୍ୟ ରାଜନୀତିର ଏଭଳି ଚିତ୍ର ହୁଏତ ଆଗରୁ କେବେ ଦେଖାଯାଇ ନଥିବ। ହଁ, ଦଳରୁ ଟିକେଟ୍‌ ପାଇ ପ୍ରାର୍ଥୀପତ୍ର ଦାଖଲ କରିବା ବେଳକୁ ମଧ୍ୟ ନେତାଙ୍କ ଟିକେଟ୍‌ କଟିଯିବାର ନଜିର ମଧ୍ୟ ରହିଛି।

୧୯୯୫ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସରୁ ଟିକେଟ୍‌ ପାଇଥିଲେ ଚନ୍ଦ୍ର ଶେଖର ସାହୁ (ବର୍ତ୍ତମାନ ବିଜେଡି ସାଂସଦ)। ନିଜ ପ୍ରାର୍ଥୀପତ୍ର ଦାଖଲ କରିବାକୁ ବିଶାଳ ପଟ୍ଟୁଆର ଧରି ବାହାରିଥିଲେ। ତେବେ ଅଧାବାଟ (କମାପଲ୍ଲୀଛକ)ରୁ ତାଙ୍କୁ ଫେରିବାକୁ ପଡିଥିଲା! ଶେଷ ମୁହୂର୍ତ୍ତରେ ଶ୍ରୀସାହୁଙ୍କ ଟିକେଟ୍‌ କାଟି ଦଳ ଅଲେଖ ଚୌଧୁରୀଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେ ତତ୍‌କ୍ଷଣାତ ନାମାଙ୍କନ ଭରିଥିଲେ।

ଏହି ନିର୍ବାଚନରେ ସ୍ୱର୍ଗତ ଅଲେଖ ଚୌଧୁରୀଙ୍କୁ ୪୨୨୩ ଭୋଟ୍‌ରେ ନିକଟତମ ପ୍ରତିଦ୍ୱନ୍ଦୀ ରମେଶ ଚ୍ୟାଉପଟ୍ଟନାୟକଙ୍କ(ଜନତା ଦଳ) ଠାରୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା। ତେବେ ପରବର୍ତ୍ତୀ ନିର୍ବାଚନ ୨୦୦୦ ମସିହାରେ ଚନ୍ଦ୍ର ଶେଖର ସାହୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇ ନ ଥିଲେ।

ନିକଟରେ ବିଜେପିର ଭୃଗୁ ବକ୍ସିପାତ୍ର, ବିଜେଡିର ପ୍ରିୟଦର୍ଶୀ ମିଶ୍ର, କଂଗ୍ରେସର ଚିରଂଜୀବ ବିଶ୍ୱାଳ ଭଳି ଦଳର ‘ବ୍ରାଣ୍ଡ୍‌’ କୁହାଯାଉଥିବା ବହୁ ବଡ ବଡ ନେତା ଚଳିତ ନିର୍ବାଚନ ପୂର୍ବରୁ ଟିକେଟ୍‌ ନ ପାଇ ଦଳ ଛାଡି ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଜୟରାମ ପାଙ୍ଗୀ, ବିପିନ୍ ପ୍ରଧାନଙ୍କ ଭଳି ନେତା ମଧ୍ୟ ଅଛନ୍ତି ଯେଉଁମାନେ ଦଳ ବଦଳାଇ ମଧ୍ୟ ଟିକେଟ୍‌ ପାଇ ନାହାନ୍ତି ।

ସେହିଭଳି ବାପା ନ ହେଲେ ପୁଅ-ଝିଅ; ସ୍ୱାମୀ ନ ହେଲେ ସ୍ତ୍ରୀ କିମ୍ବା ବୋହୂ, ପିଢି ପରେ ପିଢି ଗୋଟିଏ ପରିବାରଙ୍କୁ ଟିକେଟ୍‌ ଦେଇ ଦଳମାନଙ୍କର ଅହେତୁକ ଅନୁକମ୍ପା ଦେଖାଇବା ପରିବାରବାଦ ରାଜନୀତିକୁ ପ୍ରୋତ୍ସାହିତ କରିବା ସଦୃଶ। ହୁଏତ ନୂଆ ନେତାଙ୍କୁ ସୁଯୋଗ ଦେଇ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି, ନତୁବା ପୁରୁଣା ନେତାଙ୍କ ଦମରେ ଦଳମାନେ ବିଜୟର ବାନା ଉଡାଇବାକୁ ଚାହୁଁଛନ୍ତି। ପୂର୍ବରୁ ରାଜନୀତିରେ ଏଭଳି ସ୍ଥିତି କାଁ ଭାଁ ଦେଖାଯାଉଥିଲା। ହେଲେ ଏବେ ଏହା ଯେମିତି ଏକ ‘ଟ୍ରେଣ୍ଡ୍‌’ ହୋଇଗଲାଣି।

ନିର୍ବାଚନର ମାତ୍ର କିଛିଦିନ ପୂର୍ବରୁ ଦଳୀୟ ଗୋଷ୍ଠୀ କନ୍ଦଳ, ନେତାଙ୍କ ଟିକେଟ୍‌ କଳି ଓ ପରିବାରବାଦ ରାଜନୀତି ପ୍ରତି ଦଳର ଆଭିମୁଖ୍ୟକୁ ନେଇ ସାଧାରଣରେ ଏକ ଭିନ୍ନ ଧାରଣା ସୃଷ୍ଟି ହେବାରେ ଲାଗିଛି। ନେତାଙ୍କ କ୍ୟାରିୟର ପାଇଁ ରାଜନୈତିକ ନୀତି, ନୈତିକତା ଓ ଆଦର୍ଶ ଯେମିତି ବାଜିରେ ଲାଗିଛି।

ଏହି ସମସ୍ତ ଘଟଣା ଭିତରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରାଜନୈତିକ ପ୍ରସଙ୍ଗ! ଦଳ ଏବଂ ପ୍ରତିଦ୍ୱନ୍ଦିତା ପାଇଁ ବ୍ୟଗ୍ର ନେତାମାନଙ୍କ ପାଇଁ ଜନତାଙ୍କ ପ୍ରସଙ୍ଗ ଗୁରୁତ୍ୱ ରଖିବା ଭଳି ମନେ ହେଉନାହିଁ। 

ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ମେଣ୍ଟ, ପ୍ରାର୍ଥୀ, ଟିକେଟ୍‌, ଦଳୀୟ କନ୍ଦଳ ବ୍ୟତୀତ ଜନତାଙ୍କ ସମସ୍ୟା ଓ ପ୍ରସଙ୍ଗକୁ ନେଇ ସେଭଳି ଚର୍ଚ୍ଚା ଆଲୋଚନା ଦେଖିବାକୁ ମିଳୁନି। ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)