ନିଃସହାୟକଙ୍କ ପାଇଁ ଆଲୋକ ବର୍ତ୍ତିକା

କୋଲକାତା କାଳୀଘାଟର ରେଡ୍ ଲାଇଟ୍ ଡିଷ୍ଟ୍ରିକ୍ଟରେ ରହୁଥିବା ବହୁ ଯୌନ କର୍ମୀ ଓ ସେମାନଙ୍କ ପିଲାମାନଙ୍କ ନିତିଦିନିଆ ଜୀବନର ଦୁଃସ୍ଥ ଚିତ୍ର ବଦଳାଇ ଦେଇଥିଲା ତାଙ୍କ ଜୀବନର ମୋଡ଼। ଜଣେ ସମାଜ ବିଜ୍ଞାନୀର ଆଗ୍ରହ ନେଇ ସେ ଆସିଥିଲେ ସେଠାକୁ। ସେ କିଏ ଓ କ’ଣ ଥିଲା ଉଦ୍ଦେଶ୍ୟ ଜାଣିବା ପାଇଁ ପଢନ୍ତୁ।

ନିଃସହାୟକଙ୍କ ପାଇଁ ଆଲୋକ ବର୍ତ୍ତିକା

ନଭେମ୍ବର ମାସର ସେ ଶୀତ ରାତିକୁ ଏ ଭିତରେ ୨୦ ବର୍ଷରୁ ଅଧିକ ସମୟ ବିତିଗଲାଣି। ଊର୍ମି ବସୁ ସେଦିନ ପ୍ରଥମ କରି ପାଦ ଦେଇଥିଲେ କୋଲକାତାର କାଳୀଘାଟ ନିକଟ ଏ ଗଳିରେ। ଗଳିଟିର ଦୁଇ କଡ଼େ ଥିଲା ଲାଗି ଲାଗି ହୋଇ ଗୁଡାଏ କୋଠରୀ। ଆଉ ଏଇ କୋଠରୀଗୁଡିକ ଅତି ବେଶୀରେ ଥିଲେ ୫ ଗୁଣନ ୭ ଫୁଟ ମାପର। ସେସବୁକୁ ଯୌନ କର୍ମୀମାନେ ବ୍ୟବହାର କରୁଥିଲେ ନିଜ ବ୍ୟବସାୟ ପାଇଁ। ସେସବୁ ଭିତରୁ ଗୋଟିକର ଠିକ କବାଟ ବାହାରେ ଜଣେ ମହିଳା ଛୋଟ ପିଲାଟିକୁ ଧରି ଠିଆ ହୋଇଥିଲେ। ଆଉ ଭିତରେ ପିଲାଟିର ମା' ବ୍ୟସ୍ତ ଥିଲେ ଜଣେ ଗ୍ରାହକ ସହ।

ଏ ଦୃଶ୍ୟ ଆଉ ଅପରିଷ୍କାର-ଅପରିଚ୍ଛନ୍ନ ସେ ଗଳିର ଅବସ୍ଥା ସେଦିନ ତାଙ୍କୁ ଭିତରୁ ଦୋହଲାଇ ଦେଇଥିଲା। ସେଦିନ ଊର୍ମି ସେ ଗଳିରେ ଚାଲି ଚାଲି ଅତି ନିକଟରୁ ଦେଖିଥିଲେ କୋଲକାତା କାଳୀଘାଟର ରେଡ୍ ଲାଇଟ୍ ଡିଷ୍ଟ୍ରିକ୍ଟରେ ରହୁଥିବା ବହୁ ଯୌନ କର୍ମୀ ଓ ସେମାନଙ୍କ ପିଲାମାନଙ୍କ ନିତିଦିନିଆ ଜୀବନର ଦୁଃସ୍ଥ ଚିତ୍ର। ଆଉ ତାହା ହିଁ ବଦଳାଇ ଦେଇଥିଲା ତାଙ୍କ ଜୀବନର ମୋଡ଼। ଜଣେ ସମାଜ ବିଜ୍ଞାନୀର ଆଗ୍ରହ ନେଇ ସେ ଆସିଥିଲେ ସେଠାକୁ।

ଲକ୍ଷ୍ୟ ଥିଲା, କାଳୀଘାଟର ଦେହଜୀବୀଙ୍କ ଜୀବନକୁ ଅତି ନିକଟରୁ ଅନୁଧ୍ୟାନ କରିବା। କିନ୍ତୁ କିଛି ସପ୍ତାହ ଲଗାତାର ସେମାନଙ୍କ ସଂସ୍ପର୍ଶରେ ଆସିବା ପରେ ସେ ସ୍ଥିରନିଶ୍ଚିତ ହୋଇଯାଇଥିଲେ ଯେ, ଏଇଠାରେ ହିଁ ତାଙ୍କୁ ଅପେକ୍ଷା କରି ରହିଛି ତାଙ୍କ କର୍ମକ୍ଷେତ୍ର।

ସେ ଲକ୍ଷ୍ୟ କଲେ ଯେ, ଅନେକ ସମୟରେ ସମ୍ପୃକ୍ତ ମହିଳାମାନେ କୌଣସି ଗ୍ରାହକ ସହ ଥିବାବେଳେ ନିଜ ପିଲାଙ୍କୁ ଖଟ ତଳେ ହେଉ ଅବା ଆଲମିରା ଭିତରେ ଲୁଚାଇ ରଖିବାକୁ ବାଧ୍ୟ ହେଉଛନ୍ତି। କାରଣ ଏଠାକୁ ବହୁ ସମୟରେ ମଦ ପିଇ କିମ୍ବା ଡ୍ରଗ୍ସ ଖାଇ ନିଶାଗ୍ରସ୍ତ ଅବସ୍ଥାରେ ଆସୁଥିବା ଗ୍ରାହକମାନେ ହିଂସ୍ର ହୋଇପଡ଼ନ୍ତି ଓ ପିଲାମାନେ ସେମାନଙ୍କ ଦ୍ୱାରା ହିଂସାର ଶିକାର ହେବାର ଆଶଙ୍କା ବଢ଼ିଯାଏ।

ଏହା ବ୍ୟତୀତ ସେଠାକାର ପିଲାମାନେ ଅନେକ ସମୟରେ ରାତିରେ ଏକା ଏକା ବିନା କାହା ଦେଖା ରଖାରେ ଖେଳୁଥିବା ମଧ୍ୟ ସେ ଦେଖିଲେ। ଊର୍ମି ଜାଣିଲେ ଯେ, ଏଇ ପିଲାମାନେ ଆଦୌ ସୁରକ୍ଷିତ ନୁହନ୍ତି। ବିଶେଷକରି କୈଶୋର ଛୁଇଁବାକୁ ଯାଉଥିବା ଝିଅମାନେ ଥିଲେ ମୁଖ୍ୟ ଚିନ୍ତାର ବିଷୟ। କାରଣ ଏଠାରେ ୯/୧୦ ବର୍ଷର ଝିଅମାନଙ୍କୁ ମଧ୍ୟ ଜୋର୍ କରି ଦେହ ବ୍ୟାପାରରେ ଲଗାଇ ଦିଆଯିବା ସେ ଦେଖିଥିଲେ।

ଊର୍ମି ତେଣୁ ସ୍ଥିର କଲେ ଯେ, ସେ ଯେମିତି ହେଲେ ଏଇ ନିଷ୍ପାପ ଶିଶୁମାନଙ୍କୁ ସାହାଯ୍ୟ କରିବେ। ଆଉ ତାଙ୍କର ଏ ନିଷ୍ପତ୍ତିରୁ ପଡ଼ିଥିଲା 'ନ୍ୟୁ ଲାଇଟ୍' ଅନୁଷ୍ଠାନର ମୂଳଦୁଆ। କାଳୀଘାଟର କେତେକ ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟରେ ପ୍ରଥମେ ସ୍ଥାନୀୟ ଏକ ମନ୍ଦିର କୋଠାର ମାଲିକଙ୍କୁ ରାଜିକରାଇ ତା' ଉପର ମହଲାର ଏକ କୋଠରୀରେ ସେ ଆରମ୍ଭ କଲେ 'ନ୍ୟୁ ଲାଇଟ୍' ସଂସ୍ଥା। ରଙ୍ଗଛଡ଼ା ଭଙ୍ଗା-ଫଟା କାନ୍ଥ ସାଙ୍ଗକୁ ଭଙ୍ଗା କବାଟ। ଏଭଳି ଦୟନୀୟ ସ୍ଥିତିରେ ଥିବା କୋଠରୀଟିକୁ ଦେଖି ପ୍ରଥମେ କିଛିଟା ହତାଶ ହୋଇପଡିଥିଲେ ଊର୍ମି। ହେଲେ ଧୀରେ ଧୀରେ ଅନେକଟା ସୁଧାର ଆସିଲା ଅବସ୍ଥାରେ।

ଦଳର ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ କାନ୍ଥ ରଙ୍ଗ ହେଲା ଆଉ କବାଟର ମରାମତି କାମ ବି। ତା' ପରେ ପ୍ରଥମେ ଏଠାକାର ଶିଶୁଙ୍କ ପାଇଁ ଏକ ସୁରକ୍ଷିତ ରାତ୍ରି ଆଶ୍ରୟସ୍ଥଳୀ ଭାବେ ଆରମ୍ଭ ହୋଇଥିଲା 'ନ୍ୟୁ ଲାଇଟ୍‌'ର କାମ। ପ୍ରଥମେ ପ୍ରଥମେ ଊର୍ମିଙ୍କ ଉଦ୍ଦେଶ୍ୟ ନେଇ ସନ୍ଦିହାନ ଥିଲେ କେତେକ ମା'। ତେବେ ସେମାନେ ଧୀରେଧୀରେ ତାଙ୍କୁ ଆପଣେଇ ନେଲେ। ଆଉ ଆଗେଇ ଚାଲିଲା ନ୍ୟୁ ଲାଇଟ୍‌।

ଏବେ ମୂଳ କୋଠାର ସମ୍ପୂର୍ଣ୍ଣ ଉପର ମହଲା ରହିଛି ଏଇ ସଂସ୍ଥାର ଅଧୀନରେ ଏବଂ ଏହା ଘର ପାଲଟି ଯାଇଛି ଅନେକ ନବଜନ୍ମିତ ଶିଶୁଙ୍କ ଠାରୁ ଆରମ୍ଭକରି ୧୦ ବର୍ଷ ବୟସର ପିଲାଙ୍କ ପାଇଁ। ଏଠାରେ ଏମାନଙ୍କୁ ଶିକ୍ଷା ଗ୍ରହଣରେ ତ ସାହାଯ୍ୟ କରାଯାଉଛି, ଏହା ଛଡ଼ା ପ୍ରାଥମିକ ଚିକିତ୍ସା ସହ ପୋଷାକ ମଧ୍ୟ ଯୋଗାଇ ଦିଆଯାଉଛି। ନ୍ୟୁ ଲାଇଟ୍‌ ଅଧୀନରେ ମଧ୍ୟ ରହିଛି 'ହୋଗାର ମେରିଡିଅନାଲ୍‌ ସୋମା ମେମୋରିଆଲ ଗାର୍ଲ୍ସ ହୋମ୍' (ସଠିକ ଚିକିତ୍ସା ସୁବିଧା ନ ପାଇ ମୃତ୍ୟୁମୁଖରେ ପଡ଼ିଥିବା ସ୍ଥାନୀୟ ଜଣେ ଝିଅର ସ୍ମୃତିରେ ନିର୍ମିତ) ଓ 'ଖେଲା ଘର' ନାମକ ଆବାସିକ ଆଶ୍ରୟସ୍ଥଳୀ। ଉଭୟରେ ରହନ୍ତି ପ୍ରାୟ ୫୦ ଜଣ(୨୫ ଜଣ ଝିଅ ଓ ୨୫ ଜଣ ପୁଅ) ପିଲା।

ନ୍ୟୁ ଲାଇଟ୍‌ ଅଧୀନସ୍ଥ ୩ଟି ଯାକ ଆଶ୍ରୟସ୍ଥଳୀରେ ରହୁଥିବା ସମସ୍ତ ପିଲାଙ୍କ ମା'ମାନେ ଯୌନ କର୍ମୀ ଭାବେ କାମ କରିଥା'ନ୍ତି। ଆଉ ଏଭଳି ଅଧିକାଂଶ ମା' ନିଜ ଶିଶୁଙ୍କ ଯତ୍ନ ନେବାରେ ଅସମର୍ଥ ହୋଇଥିବାରୁ ଆଶ୍ରୟସ୍ଥଳୀରେ ହିଁ ନିଜ ପିଲାକୁ ଛାଡ଼ିବାକୁ ସୁରକ୍ଷିତ ମଣିଥା'ନ୍ତି। ତା' ଛଡ଼ା ବିଭିନ୍ନ ଯୌନ ରୋଗ, ଅତ୍ୟଧିକ ମଦ୍ୟପାନ ଓ ଅନ୍ୟାନ୍ୟ ନିଶା ସେବନ କାରଣରୁ ମଧ୍ୟ ସ୍ଥାନୀୟ ବହୁ ଶିଶୁ ମାତୃହୀନ ହୋଇ ନ୍ୟୁ ଲାଇଟ୍‌ରେ ଆଶ୍ରୟ ନେଇଥା'ନ୍ତି।

ଏ ମଧ୍ୟରେ 'ନ୍ୟୁ ଲାଇଟ୍‌' ସହାୟତାରେ ୬୦୦ରୁ ଅଧିକ ଶିଶୁ ବଡ଼ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ହୋଟେଲ୍‌, ରେଷ୍ଟୁରାଣ୍ଟ, ଜାହାଜ ଓ ଗ୍ୟାସ୍‌ ଷ୍ଟେସନ୍‌ ଆଦିରେ କାମ କରନ୍ତି। ଆଉ ଅନେକ କଲେଜ ଗ୍ରାଜୁଏଟ୍‌ ହେବା ପରେ ଅନ୍ୟ ବିଭିନ୍ନ କ୍ଷେତ୍ରରେ ବେଶ ସଫଳତା ବି ପାଇଛନ୍ତି।

ସେହିପରି ଜଣେ ହେଲେ ସୀମା ହାଲଦାର। ସେ ଯେତେବେଳେ ନ୍ୟୁ ଲାଇଟ୍‌କୁ ପ୍ରଥମେ ଆସିଥିଲେ ସେବେ ତାଙ୍କୁ ୧୪ ବର୍ଷ ବୟସ ହୋଇଥିଲା। ତାଙ୍କ ମା' ଯୌନକର୍ମୀ ନ ହୋଇଥିଲେ ମଧ୍ୟ ଦଲାଲଙ୍କ କବଳରୁ ତାଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ ତାଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ନିୟମକୁ କୋହଳ କରାଯାଇଥିଲା ଓ ଏଠାରେ ତାଙ୍କୁ ଆଶ୍ରୟ ମିଳିଥିଲା। ଦ୍ଵାଦଶ ଶ୍ରେଣୀ ଯାଏ ତାଙ୍କ ଶିକ୍ଷାର ସମସ୍ତ ଖର୍ଚ୍ଚ ମଧ୍ୟ ନ୍ୟୁ ଲାଇଟ୍‌ ବହନ କରିଥିଲା। ତା' ପରେ ନିଜ ଉଦ୍ୟମରେ କର୍ମସଂସ୍ଥାନ ଯୋଗାଡ଼ କରିଥିଲେ ସୀମା ଓ ବିଶ୍ୱବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ।

ଏବେ ନ୍ୟୁ ଲାଇଟ୍‌ଠାରେ ଜଣେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି ସୀମା। ଆଉ କହନ୍ତି ଯେ, ୟାଠୁ ବଳି ଭଲ କାମ ତାଙ୍କ ପାଇଁ ଆଉ କିଛି ନାହିଁ। ସୀମା ସଂସ୍ଥାର ଶିଶୁମାନଙ୍କ ଲେଖାପଢ଼ା ତଦାରଖ କରିବା, ସେମାନଙ୍କୁ ସ୍କୁଲ୍‌ ହୋମ୍‌ୱାର୍କରେ ସାହାଯ୍ୟ କରିବା ତଥା ସ୍କୁଲ୍‌ରେ ସେମାନଙ୍କର ସଠିକ ବିକାଶ ହେଉଛି କି ନାହିଁ ଦେଖାଶୁଣା କରିବା ଆଦି କାମ ଖୁସିରେ କରିଥା'ନ୍ତି।

ତେବେ କେବଳ ଯୌନ କର୍ମୀମାନଙ୍କ ପିଲା ନୁହନ୍ତି, ସେମାନଙ୍କ ନିଜସ୍ୱ ବିକାଶ ପାଇଁ ମଧ୍ୟ ନ୍ୟୁ ଲାଇଟ୍‌ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ୨୦୧୬ରୁ ସିଆଟାଲ୍‌ସ୍ଥିତ 'ଭିଲେଜ୍‌ ଭଲ୍ୟୁଣ୍ଟରସ୍‌' ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ମିଶି ନ୍ୟୁ ଲାଇଟ୍‌ ପକ୍ଷରୁ 'ମୁକ୍ତି ପରିଯୋଜନା' ହାତକୁ ନିଆଯାଇଛି ତଥା କାଳୀଘାଟଠାରେ ଏକ ସାନିଟାରୀ ନ୍ୟାପ୍‌କିନ୍ କାରଖାନା ପ୍ରତିଷ୍ଠା କରାଯାଇଛି।

ଏଠାରେ ପ୍ରସ୍ତୁତ ନ୍ୟାପ୍‌କିନ୍ ସବୁକୁ କାଳୀଘାଟ ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। 'ଭିଲେଜ୍‌ ଭଲ୍ୟୁଣ୍ଟରସ୍‌'ର ପ୍ରତିଷ୍ଠାତା ସାନା ଗ୍ରୀନ୍‌ କହନ୍ତି, "ଏଇ ଫାକ୍ଟ୍ରି ଯୋଗୁଁ ସଂପୃକ୍ତ ମହିଳମାନେ ଯେ କେବଳ ବଞ୍ଚିବା ପାଇଁ ଅର୍ଥ ରୋଜଗାର କରି ପାରୁଛନ୍ତି ତାହା ନୁହେଁ, ସେମାନେ ନିଜେ ମଧ୍ୟ ସ୍ୱାସ୍ଥ୍ୟକର ନ୍ୟାପ୍‌କିନ୍ ବ୍ୟବହାର କରି ପାରୁଛନ୍ତି।

ଖାଲି ସେତିକି ନୁହେଁ, ନ୍ୟୁ ଲାଇଟ୍‌ ବହୁ ସମୟରେ ସ୍ଥାନୀୟ ଯୌନକର୍ମୀମାନଙ୍କୁ ଚିକିତ୍ସା ସୁବିଧା ବି ଯୋଗାଇ ଦେଇଥାଏ। ତେବେ ଊର୍ମିଙ୍କ ପାଇଁ ବିଶେଷ ଚିନ୍ତାର କାରଣ ହୋଇଥାଏ ସେଇ ପିଲାମାନଙ୍କ ଯତ୍ନ ନେବା, ଯେଉଁମାନେ ବିଭିନ୍ନ କାରଣରୁ ମା'ଙ୍କୁ ହରାଇ ସାରିଛନ୍ତି। ଉଦାହରଣସ୍ୱରୂପ ଶିବାନୀ। ତା'ର ମା' ତାକୁ ୬ ବର୍ଷ ବୟସ ହୋଇଥିବା ବେଳେ ଏଡ୍‌ସ୍ ଯୋଗୁଁ ସୃଷ୍ଟ ଟିବିରେ ପ୍ରାଣ ହରାଇଥିଲେ। ତା' ପରଠୁ ତା'ର ସମସ୍ତ ଦାୟିତ୍ୱ ନେଇଛି ନ୍ୟୁ ଲାଇଟ୍‌। ଆଗକୁ ଫ୍ୟାସନ୍‌ ଡିଜାଇନର୍‌ ହେବା ଲକ୍ଷ୍ୟ ରଖିଛି ଶିବାନୀ।

ଊର୍ମି ବସୁଙ୍କ ଏଭଳି ନିଷ୍ଠାପର କାର୍ଯ୍ୟ ଓ ସେବା ମନୋଭାବ ପାଇଁ ତାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅତୀତରେ 'ନାରୀଶକ୍ତି ପୁରସ୍କାର' ସମ୍ମାନରେ ଭୂଷିତ କରାଯାଇଛି। ହେଲେ ଅନେକ ସମୟରେ ନ୍ୟୁ ଲାଇଟ୍‌ର ସୁପରିଚାଳନା ସହ ଏହାର କର୍ମଚାରୀମାନଙ୍କୁ ଦରମା ଦେବା ତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ ବୋଲି କହନ୍ତି ଊର୍ମି। କାରଣ ତାଙ୍କ ସଂସ୍ଥା ସମ୍ପୂର୍ଣ୍ଣ ରୂପେ ବଦାନ୍ୟ ଦାନ ଉପରେ ନିର୍ଭର କରିଥାଏ।

ଏ ଭିତରେ ଊର୍ମିଙ୍କ ଜୀବନରେ ବିତିଯାଇଛି ଅନେକ ଝଡ଼ଝଞ୍ଜା। ସମୟ ଦେଇ ନ ପାରିବାରୁ ଦୁଇ ଦୁଇ ଥର ବିବାହ ବିଚ୍ଛେଦର ଦୁଃଖ ବି ସେ ଭୋଗିଛନ୍ତି। ବହୁ ସମୟରେ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଆସିଛି। ତେବେ ଏସବୁ ତାଙ୍କୁ ଓହରାଇ ପାରିନି ତାଙ୍କ ସେବା ପଥରୁ। ଆଉ ସେ କାଳୀଘାଟର ବହୁ ଅବହେଳିତ ମଣିଷଙ୍କ ପାଇଁ ପାଲଟିଛନ୍ତି ନୂତନ ଆଶାର ଆଲୋକବର୍ତ୍ତିକା।

ଦୂରଭାଷ: ୯୨୩୮୯୯୯୭୫୮

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)