‘ପୁରସ୍କାର’ରେ ପ୍ରେମ ଓ ପ୍ରତାରଣା

ପୁଲିସ୍ ବାଲା ସମସ୍ତଙ୍କ ଘର ସଂସାର ଭାଙ୍ଗିଦିଅନ୍ତି ବୋଲି ବାପା କହିଥିଲେ। ଥାନାରେ ପଇସା ନେଇ ହଇରାଣ କରନ୍ତି। ଛୋଟବେଳେ ବାପା ଗଣିତ ପଢ଼଼ାଇବାବେଳେ କହିଥିଲେ-ଜୀବନରେ ସବୁସ୍ଥାନକୁ ଗଲେ ଡର ଲାଗେନି କିନ୍ତୁ ଥାନା ଆଉ ଅଦାଲତକୁ ଭାରି ଡର।...

‘ପୁରସ୍କାର’ରେ ପ୍ରେମ ଓ ପ୍ରତାରଣା

“ସରକାର ଘୋଷଣା କଲେ ହୀରାକୁଦ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଥିବା ମୃତ ମହିଳାଙ୍କ ହତ୍ୟାକାରୀକୁ ଯିଏ ଧରାଇ ଦେବ ତାକୁ ୫୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ଆଉ ଯଦି ଖୋଦ୍‍ ଅଭିଯୁକ୍ତ ଆତ୍ମସମର୍ପଣ କରିବ ତେବେ ତାକୁ ୭୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ଆଉ ନିର୍ଦ୍ଦୋଷ ବୋଲି ପ୍ରମାଣ ବି କରାଯିବ।“

ଘୋଷଣା ହେବାର ମାତ୍ର କେଇ ସେକେଣ୍ଡ ଭିତରେ ପବନ ବେଗରେ ଏହାକୁ ସହରରେ ଥିବା ସମସ୍ତ ଟିଭି, ପ୍ରିଣ୍ଟରେ ପ୍ରଚାର ଓ ପ୍ରସାର କରାଗଲା। ଟିଭିର ବ୍ରେକିଂ ନ୍ୟୁଜ୍‍ରେ ମଧ୍ୟ ଏହା ପ୍ରଚାରିତ ହେଲା। ଏକଥା ଖୋଦ୍‍ ଅଭିଯୁକ୍ତ ମଧ୍ୟ ଦେଖୁଥିଲା ପଲକ ନ ପକେଇ। ତାର ମନେ ହେଉଥିଲା ଯଦି ସେ ନିଜେ ଆତ୍ମସମର୍ପଣ କରେ ତାକୁ ୭୦ଲକ୍ଷ ଟଙ୍କା ମିଳିବ। ଖୁସିରେ ଆତ୍ମହରା ହୋଇଉଠୁଥିଲା। ଭାବିଲା ମାନିନେବ ସବୁ କେମିତି ବିଛାଇଥିଲା ତା’ର ପତ୍ନୀକୁ ହତ୍ୟା କରିବାକୁ ଜାଲ। କିନ୍ତୁ ମନେପଡ଼ୁଥିଲା ଯେତେବେଳେ ତାର ପତ୍ନୀକୁ ହତ୍ୟା କରିଥିଲା- ତା ପତ୍ନୀର ଅନୁରୋଧ ଥିଲା- କୌଣସି ପରିସ୍ଥିତିରେ ଯେମିତି ମୋତେ ମାରିଛ ବୋଲି ଧରା ନ ପଡ଼, ଧରାପଡ଼ିଲେ ପୋଲିସ୍‍ ତମକୁ ଛାଡ଼ିବନି। ପୋଲିସ୍‍ ବାଲା କାହାର ନୁହଁନ୍ତି।

ପୁଲିସ୍‍ ବାଲା ସମସ୍ତଙ୍କ ଘର ସଂସାର ଭାଙ୍ଗିଦିଅନ୍ତି ବୋଲି ବାପା କହିଥିଲେ। ଥାନାରେ ପଇସା ନେଇ ହଇରାଣ କରନ୍ତି। ଛୋଟବେଳେ ବାପା ଗଣିତ ପଢ଼଼ାଇବାବେଳେ କହିଥିଲେ-ଜୀବନରେ ସବୁସ୍ଥାନକୁ ଗଲେ ଡର ଲାଗେନି କିନ୍ତୁ ଥାନା ଆଉ ଅଦାଲତକୁ ଭାରି ଡର। ସେମିତି କାମ କେବେ କରିବୁନି। କିନ୍ତୁ ପୁଣି ଭାବିଲା ଯଦି ଟଙ୍କା ମିଳିବ ଗଲେ କ୍ଷତି କ’ଣ ? ପତ୍ନୀ ତ ମରିଗଲାଣି। ତା କଥାରୁ ଆଉ କ’ଣ ମିଳିବ। ସବୁବେଳେ ଖାଲି ତାର ସେଇ ପୁରୁଣା କାଳିଆ କଥା। ସେ ତ ଜୀବନସାରା ଖାଲି ଠାକୁର ପୂଜା କରି କରି ପାଇଛି କ’ଣ ? କେବେ ତ ଦିନେ ଖୁସିରେ ନ ଥିଲା।

ପଇସା ନ ଥିଲା ବୋଲି ମୋର ତାକୁ ଟିକେ ଶାନ୍ତିରେ ବଞ୍ଚିବାକୁ ବି ଦେଇ ନ ଥିଲି। ସରକାର ୭୦ ଲକ୍ଷ ଦେବେ। ଏତେ ଟଙ୍କା କାହିଁ ଛାଡ଼ିବି। ସତ ସତ କଥା ପୋଲିସ୍‍ ପାଖେ କହିଦେବି। ଆଉ ଥରେ ବାହାହେବା ପାଇଁ ମୋ ପତ୍ନୀକୁ ହତ୍ୟା କରିଛି ବୋଲି କହିବି। ଆଉ ଥରେ ବାହାହେଲେ ପୁଣି ଯୌତୁକଟଙ୍କା, ଦାମି ଜିନିଷ, ଗାଡ଼ି, ଟିଭି, ଫ୍ରିଜ, ସବୁ ଆସିବ। ତାକୁ ବିକି ଦେଇ ପଇସା ରଖିବି। ତାକୁ ମାଲୁମ୍‍ ନ ଥିଲା ଜୀବନରେ ଏମିତି କିଛି ନିଷ୍ପତ୍ତି ରହିଛି ଯାହା ବାରମ୍ବାର ନିଆଯାଏ ନାହିଁ।

କ’ଣ କରିବ, ପଇସା ମୋହରେ ସବୁକିଛି ଭୁଲିଗଲା ଭାର୍ଗବ। ରାତି ସାରା ତାକୁ ନିଦ ନାହିଁ। ସେ ସ୍ୱପ୍ନ ଦେଖିବାକୁ ଆରମ୍ଭ କଲା। ତାର ମନେହେଲା ଏଇନା ତାକୁ ଯେମତି ୨୫ ଛୁଇଁଛି। ଭାବିଲା ୭୦ ଲକ୍ଷ ଟଙ୍କା। ଜୀବନକୁ ଯେତିକି ନ ଜାଣିଛି ଟଙ୍କାକୁ ଅଧିକ ଭଲପାଇଛି ସେ। ହିସାବ କଲା ଏହି ୭୦ ଲକ୍ଷ ଟଙ୍କାରେ କ’ଣ କ’ଣ କରିବ। ବହୁତ ଛୋଟବେଳୁ ସ୍ୱପ୍ନ ଥିଲା ଗୋଟେ ଘର କରିବ। ଘରଟେ କିଣିବ ସହରରେ ୪୦ ଲକ୍ଷ ଟଙ୍କାରେ। ଗାଡ଼ି କିଣିବ। ଏ ବାଇକ୍‍ ଆଉ କାମକୁ ନୁହେଁ। ମାସରେ ୧୦୦ ଥର ଖରାପ।

ଏଥର କାର କିଣି ଚଢ଼ିବ ୫ ଲକ୍ଷରେ। ଆଉ ଯାହା ଟଙ୍କା ରହିବ ତା ପ୍ରେମିକାକୁ ଦେବ। ଯଦି ପ୍ରେମିକାକୁ ଟଙ୍କା ନ ଦିଏ ତେବେ ତା ସହିତ କୌଣସି ସମ୍ପର୍କ ଆଉ ରଖିବନି। ମୋ ପତ୍ନୀ ସିନା ଗାଁଉଁଲୀ ଥିଲା ଯେମିତି ବୁଝାଇଲେ ବୁଝିଯାଉଥିଲା। ଜୀବନରେ କେବେ ଥରେ ବି ଏଇଟା ଆଣ, ସେଇଟା ଆଣ କହିନି। ସେସବୁ ତାର ଦରକାର ବି ନୁହେଁ।

ତାର ଖାଲି ମନ ଥିଲା ଗୋଟେ ଘର କରିବ ଆଉ ସେ ଘରେ ଗୋଟେ ଛୋଟପୁଅ ଥିବ ଆଉ ମୁଁ ଥିବି। ହସୁଥିବ ସଂସାର। ଅଭାବ ଅସୁବିଧା ଭିତରେ ବି ଖୁସି ଥିବ, ସୁଖ ଓ ଶାନ୍ତି ବି ଥିବ। ଧେତ୍‍, ତା କଥା ଆଉ ଭାବି ଲାଭ ନାହିଁ। ସେ ତ ମରିଗଲା, ତରିଗଲା। ଏବେ ତ ମୋତେ ହିଁ ବଞ୍ଚିବାକୁ ପଡ଼ିବ। ନ ହେଲେ ଦୁନିଆ କ’ଣ କହିବ ? ଦୁନିଆର ତ ଆଉ କିଛି କାମ ଧନ୍ଦା ନାହିଁ। ଖାଲି କିଏ କ’ଣ କଲା ବସିଛି ଆଲୋଚନା କରିବାକୁ।
ଏମିତି ଅନାବନା ଚିନ୍ତା ଭିତରେ ଉବୁଟୁବୁ ହେଉଥାଏ ଭାର୍ଗବ। ଭାବିଲା, ମନକୁ ଦୃଢ଼ କଲା ପୋଲିସ୍‍ ପାଖରେ କହିଦେବ ମର୍ଡ଼ରର ସମସ୍ତ ପ୍ଲଟ୍‍କୁ କେମିତି ତିଆରି କରିଥିଲା ଆଉ କେତେ ଦିନରୁ ଏମିତି ଯୋଜନା କଲା। ସରକାର ତ ଘୋଷଣା କରିଛନ୍ତି- ସତ ମାନିଲେ କୌଣସି ଦଣ୍ଡ ମିଳିବନି। ତେବେ ଡ଼ରିବି କାହିଁ। ଭାର୍ଗବ କେବେ ଡ଼ରିବାର ପିଲା ନୁହେଁ, ଏହା କହି ପିନ୍ଧିଥିବା ସାର୍ଟ କଲରକୁ ଟେକିଦେଲା ଟିକେ।
ଏପଟେ ପୋଲିସ୍‍ର ବାରମ୍ବାର ତନାଘନା। ଅଭିଯୁକ୍ତକୁ ଖୋଜି ବାହାର କରିବାକୁ। ଡିସିପି, ଡିଜିଙ୍କର ବାରମ୍ବାର ଫୋନ୍‍। ସେମାନେ ସରକାରଙ୍କୁ କି ଉତ୍ତର ଦେବେ। ସରକାରଙ୍କୁ କି କୈଫତ ଦେବେ। ପୋଲିସ୍‍ ଡିପାର୍ଟମେଣ୍ଟକରୁଛି କ’ଣ ? ଠିକ୍‍ ଏହି ସମୟରେ ଭାର୍ଗବ ହାଜର ହେଲା ଖୋଜ ଡିସିପି ଅଫିସ୍‍ରେ ଆଉ କହିଲା ଆଜ୍ଞା “ ମୁଁ ହେଉଛି ସେଇ ହୀରାକୁଦରୁ ଉଦ୍ଧାର କରାଯାଇଥିବା ମୃତ ମହିଳାଙ୍କର ହତ୍ୟାକାରୀ ଭାର୍ଗବ।“

ଏତକ ଶୁଣି ଭାର୍ଗବକୁ ନେଇଗଲେ ଏକ ଏକଲା କୋଠରୀକୁ। କଡ଼ା ନିରାପତ୍ତା ମଧ୍ୟରେ ରଖିଲେ। ଆଉ ଡିସିପି ସାର ସମସ୍ତ ଥାନାକୁ ଫୋନ୍‍ କରି ଜଣାଇଦେଲେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି। ଏହି ଖବର ବି ତତକ୍ଷଣାତ୍‍ ସମସ୍ତ ଟିଭି ଓ ମିଡ଼ିଆରେ ପ୍ରଚାରିତ ହୋଇଗଲା। ଭାର୍ଗବକୁ ସେଇ କୋଠରୀ ମଧ୍ୟରେ ଜଗିବାକୁ ୪ ଜଣ ପୋଲିସ୍‍ ଅଧିକାରୀଙ୍କୁ କୁହାଗଲା। ଖୋଦ୍‍ ଡିସିପି ଏହାର ସତ୍ୟାସତ୍ୟ ତଦନ୍ତ କରିବେ ବୋଲି କହିଲେସେ ପୁଲିସ୍‍ ଅଧିକାରୀଙ୍କୁ। କେହି ଯେମିତି ଅଭିଯୁକ୍ତର ମାନସିକ କଷ୍ଟ ହେଲା ପରି କଥା ନ କହନ୍ତି।
ଅପରାଧୀ ପରି ବସିଛି ଭାର୍ଗବ। ଅନୁତାପ ଓ ଅପରାଧବୋଧରେ ନିଜକୁ ନିଜେ ପ୍ରଶ୍ନ କରୁଥାଏ। ସତ ତ ମାନିବାକୁ ଆସିଛି ପୁଣି ଏତେ କଡ଼ା କଟକଣା କ’ଣ ? କୋଉ ବଡ଼ ଅପରାଧଟା କରିଦେଇଛି ଯେ ! ଏମିତି ତ କାହିଁରେ କେତେ ଲୋକ ମାରିକି ସ୍ତ୍ରୀ କି ପ୍ରେମିକାକୁ ଫୋପାଡ଼ି ଦେଉଛନ୍ତି କାହିଁ କାହାର ତ କିଛି ହଉନି, ପୋଲିସ୍‍ ଟେର ବି ପାଉନି। ଅଭାବ ଅସୁବିଧାରେ ଥିଲି ବୋଲି ସିନା ପତ୍ନୀକୁ ହତ୍ୟା ପାଇଁ ପ୍ଲଟ ବନାଇଲି।

ଅବଶ୍ୟ ଏଥିରେ ମୋର ପ୍ରେମିକାର ହାତ ଥିଲା। କିନ୍ତୁ ସତଟା ମାନିଦେଲେ ତ ୭୦ ଲକ୍ଷ ଟଙ୍କା ଦେବେ, ସେଥିପାଇଁ ମାନିବାକୁ ସାହସ ଜୁଟାଇ ଆସିଛି। ଯଦି ପୁରସ୍କାର ଟଙ୍କା ନ ମିଳେ... ତେବେ କ’ଣ କରିବ ସେ... ଯଦି ପୁରସ୍କାର ଦେବେ କହି ଜେଲ୍‍ରେ ଭର୍ତ୍ତି କରିଦେବେ, ତେବେ କ’ଣ ହେବ ତା ଅବସ୍ଥା।
ଏଇ ସମୟରେ ଆସିଲେ ଡିସିପି ସାର୍‍। ସମସ୍ତ ଅଫିସରଙ୍କୁ ବାହାରକୁ ଯିବା ପାଇଁ କହିଲେ। କୋଠରୀ ମଧ୍ୟରେ ଭାର୍ଗବ ଆଉ ଡିସିପି ସାର। ଅଭିଯୁକ୍ତ ମୁଣ୍ଡରେ ହାତ ମାରିଲେ ଆଉ କହିଲେ-ସାବାସ୍‍ ନିଜପତ୍ନୀଙ୍କୁ ମାରି ଥାନାରେ ଆତ୍ମସମର୍ପଣ କରିଥିବାରୁ , ତମକୁ ୭୦ ହଜାର ଟଙ୍କାନୁହେଁ, ମୁଁ ଯଦି ନୋବେଲ ପ୍ରାଇଜ୍‍ ଜୁରୀରେ ଥାଆନ୍ତି, ତମକୁ ନୋବେଲ ଦିଆଯିବା ପାଇଁ ସୁପାରିସ୍‍ ହିଁ କରିଥାନ୍ତି। ତମକୁ ଆଜି କିଛି ପ୍ରଶ୍ନ ପଚରାଯିବ-ସେସବୁ ସତ ସତ କହିଲେ ତମକୁ ୭୦ ଲକ୍ଷ ଟଙ୍କା ପୁରସ୍କାର ମିଳିବି ଆଉ ନିର୍ଦ୍ଦୋଷ ବୋଲିମଧ୍ୟ ଘୋଷଣା କରାଯିବ।
- କୁହ, ତମେ କାହିଁକି ତମ ପତ୍ନୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲ?
ଭାର୍ଗବ କାନ୍ଦ କାନ୍ଦ ହୋଇଗଲା। ତା ମୁହଁରୁ ସ୍ପଷ୍ଟ ବାରିହେଉଥିଲା କୋଉଠି ନା କୋଉଠି ତା ପତ୍ନୀକୁ ସେ ଭଲପାଏ ଆଉ ପରିସ୍ଥିତିରେ ପଡ଼ି ହୁଏତ ଏମିତି କରିଥାଇପାରେ। ଆଜ୍ଞା, ମୁଁ ଗୋଟେ ଅଭାବୀ ଘରର ପୁଅ। ଘରେ ମୋର ବୁଢ଼ୀ ମା ଆଉ ବାପା। ସରକାରୀ ଭତ୍ତାରେ ଘର ଚଳେ। ଏଇ କିଛି ବର୍ଷ ହେବ ମୁଁ ଗୋଟେ ପ୍ରାଇଭେଟ୍‍ କମ୍ପାନିରେ ଚାକିରି କରି ଦି’ ପଇସା ପାଉଛି।

କେବେ ଥରେ ବି ମୋ ବାପାମାଙ୍କୁ ପଇସାଟିଏ ଦେଇପାରିନି କି ମୋ ପତ୍ନୀକୁ ଗୋଟେ ଶାଢ଼ୀ ବି ଦେଇନି। ସେ ବି ମରିବା ପର୍ଯ୍ୟନ୍ତ ମୋତେ କହିନି କେବେ। ସେ ଭଲଭାବେ ପରଖିଥିଲା ମୋ ଦାରିଦ୍ର୍ୟତାକୁ। ସବୁବେଳେ ବୁଝାଏ-ଅଭାବ ଆଜି ଅଛି କାଲିକି ନ ଥିବ। ତମେ ଜମା ମନଦୁଃଖ କରନି। ସହରକୁ ତାକୁ କେବେ ଥରେ ବି ଆଣିନି କି ସେ କେବେ ଆସିବାକୁ କହିନି। ସେ ଜାଣେ ସହରରେ ରହିବାକୁ ହେଲେ ଅଧିକ ପଇସା ଦରକାର।

ସେଥିପାଇଁ ତା ନିଜ ଇଚ୍ଛାକୁ ମଧ୍ୟ ମାରିଦେଇଥିଲା। ତାକୁ ଆମ ଗାଁରେ ଛାଡ଼ି ଆସିଲି। ତାର ଅଜଣାରେ ଗୋଟେ ଚାକିରି କରିଥିବା ଝିଅକୁ ଭଲପାଇଲି ଆଉ ତାକୁ ବାହାହେବା ପାଇଁ କଥା ବି ଦେଲି। ସେ ଝିଅ ମାସକୁ ୪୦ ହଜାର ଟଙ୍କା ପାଉଥିଲା। ଭାବିଲି ତାକୁ ବାହାହେଲେ ଘରର ଅଭାବ ଅସୁବିଧା ଦୂର ହୋଇଯିବ। ଶାନ୍ତିରେ ଟିକେ ଜୀବନ ଜୀଇଁବୁ। କିନ୍ତୁ ମୋ ପ୍ରେମିକାର ସର୍ତ୍ତ ଥିଲା-ତମ ପତ୍ନୀ ରହିଲେ ବାହାହେବା ସମ୍ଭବ ନୁହେଁ।
ସେ ଜିଦ୍‍ ଧରିଲା-ତାକୁ ଯେମିତି ହେଲେ ମାରିଦିଅ। ସେ ବଞ୍ଚିଲେ ଆମ ରାସ୍ତାରେ କଣ୍ଟା ହେବ। ଭାରି ବୋକୀ ଥିଲା ମୋ ପତ୍ନୀ। ନିହାତି ସରଳ ଆଉ ନିରୀହ। ଦିନେ ତାକୁ ବୁଲାଇ ଆଣିବା ବାହାନାରେ ଡାକିଲି ଆଉ ସେ ଖୁସିରେ ଆସିଲା। ମୋର ମନେପଡ଼ୁଛି ସେ ଟ୍ରେନ୍‍ରେ ଆସିବା ବେଳେ ମୋତେ କହୁଥିଲା- ଯାହାହେଉ ଏତେ ଦିନେ ତୁମେ ମୋତେ ଟିକେ ଲୋଡ଼ିଛ, ବାଟଭୁଲି ଠିକ୍‍ ବାଟରେ ଆସିଛ। ମୁଁ ତା କଥାକୁ ଧ୍ୟାନ ନ ଦେଇ ମର୍ଡ଼ରର ପ୍ଲଟ୍‌କୁ ଭାବୁଥାଏ। କେମିତି ଜଲ୍‌ଦି ଜଲ୍‌ଦି କାମ ଖତମ ହେବ।
ସେଦିନ ଥିଲା ଜୁନ୍‍ ୨୧। ମୋ ପତ୍ନୀର ଜନ୍ମଦିନ। ଜୀବନସାରା କେବେ ଥରେ ସେ ଜନ୍ମଦିନ ପାଳି ନ ଥିଲା। ଜନ୍ମଦିନ ମନାଇବା ପାଇଁ ନେଇଗଲି ହୀରାକୁଦ ଡ୍ୟାମ୍‍କୁ। ସନ୍ଧ୍ୟା ହୋଇଆସୁଥାଏ। ବେଶ୍‍ ଖୁସି ଥିଲା ସେଇ ଦିନ ସେ। ଜୀବନରେ କେବେ କିଛି ଅଳି କରି ନ ଥିବା ମୋ ପତ୍ନୀ ସେଦିନ କିନ୍ତୁ କହିଥିଲା-ନେହରୁ ମିନାର ଭିତରକୁ ଯିବ। ମୁଁ ଭାବିଲି ବିଲେଇ କପାଳକୁ ଶିକା ଛିଡ଼ିଲା।

ସେଇଠି ଅତି ଉଚ୍ଚରୁ ତାକୁ ଠେଲି ଦେଲି ଆଉ ହୀରାକୁଦର ଠିକ୍‍ ତଳକୁ ମୋ ପ୍ରେମିକା ଥିଲା। ସେଇଠି ବସ୍ତାରେ ପୁରାଇ ଫିଙ୍ଗିଦେଇଥିଲି। ଆଜ୍ଞା, ମୁଁ ଯାହା କହିଛି ସବୁ ସତ କହିଛି। ଏଥର ମୋର ପୁରସ୍କାର ଟଙ୍କା ଦିଅନ୍ତୁ। ହଁ, ତମକୁ ତ ପୁରସ୍କାର ଦିଆଯିବ। କିନ୍ତୁ ତା ପୂର୍ବରୁ ଆହୁରି ଅନେକ ଗୁଡ଼ିଏ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ତମକୁ।
ଆଚ୍ଛା ଭାର୍ଗବ ତମେ ତମ ପତ୍ନୀକୁ ନ ମାରି ବୁଝାଇପାରିଥାନ୍ତା, ଟଙ୍କା ଦରକାର, ସେଥିପାଇଁ ଅନ୍ୟ ଜଣେ ଝିଅକୁ ବାହାହେବ, ଯିଏ ତମକୁ ପ୍ରତି ମାସରେ ଟଙ୍କା ଦେବ। ଟଙ୍କାରେ ଗୋଟେ ଘର କରିବ। କହିଲେ ଡିସିପି ସାର୍‍।
- ହିଁ ସାର, ମୁଁ ତାକୁ ବହୁତ ବୁଝାଇଛି, ସେ ରାଗିଯାଏ କହେ-ନାଇଁ ତମକୁ ଆଉ କାହାର ହେବାକୁ ମୁଁ ଦେବିନି। ଏମିତି ଅଭାବ ଅସୁବିଧା ଭିତରେ ବଞ୍ଚିବି, ତମକୁ କେବେ କିଛି ମାଗିବିନି। ମୋ ସିନ୍ଦୁରରେ ଆଉ କେହି ଭାଗ ହେଲେ ମୁଁ ଆତ୍ମହତ୍ୟା କରିଦେବି। ସେ ମୋତେ ବହୁତ ଭଲପାଉଥିଲା। ସେଥିପାଇଁ ଏକଥା କହୁଥିଲା।
- ଓଃ। ତେବେ ତମେ ଆଇନ ଅନୁସାରେ ଅଲଗା ହୋଇପାରିଥାନ୍ତା, ଅନ୍ତତଃ ସେ ଜୀବନ ପାଇଯାଇଥାନ୍ତା। ପର ଘରେ ପାଇଟି କରି ବଞ୍ଚିଥାନ୍ତା। ଆଇନ୍‍ରେ ମିଛ କହି ବହୁତ କିଛି କରିହୁଏ ଆଉ ତମେ ଜଣେ ଚତୁର ପିଲା, ସେସବୁ କରିବାକୁ ତମକୁ ୩୦ ମିନିଟ୍‍ ବି ଲାଗି ନ ଥାନ୍ତା। ତମେ କ’ଣ ଜାଣନି କି ଏବେ ଆଇନ୍‍ ପୁଅଙ୍କ ସପକ୍ଷରେ ବି ଅଛି। ବାପା/ମାଆଙ୍କ ଯତ୍ନ ନ ନେଲେ ପରା ପତ୍ନୀକୁ ଘରେ ରହିବାକୁ ଦିଆଯିବ ନାହିଁ।
- ନାଇଁ, ସାର ସେ ନିଜେ ନ ଖାଇ ମୋ ବାପାମାଙ୍କୁ ଭଲରେ ରଖିଥିଲା।ତା ବାପଘରୁ ପଇସା ଆଣି ମୋ ବାପାମାଙ୍କୁ ଠିକ୍‍ ଯତ୍ନରେ ରଖେ। କେମିତି ତା ନାମରେ ଏତେ ବଡ଼ ମିଛ କହିଥାନ୍ତି ସାର !!!
- ଠିକ୍‍ ଅଛି ତେବେ। ସେଇଟା ଯଦି ପାରି ନ ଥାନ୍ତ, ତେବେ ତମ ପତ୍ନୀଙ୍କର ଅନ୍ୟ ପୁଅଙ୍କ ସହିତ ଅନୈତିକ ସମ୍ପର୍କ ରହିଛି ବୋଲି ଅଭିଯୋଗ କରି ଛାଡ଼ପତ୍ର ଦେଇପାରିଥାନ୍ତ ??? ତମେ କ’ଣ ଜାଣନି ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ରାୟରେ କହିଛନ୍ତି ଯେ, ଯେଉଁମାନେ ଦୀର୍ଘ ବର୍ଷ ପତ୍ନୀ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ମଧ୍ୟ ପତ୍ନୀ ଏସବୁ ବାରଣ କରନ୍ତି।

ସେମାନେ ଏହାକୁ ଏକ ପ୍ରମୁଖ କାରଣ ଦର୍ଶାଇ ପତ୍ନୀଙ୍କୁ ଛାଡ଼ପତିଁ୍ର ଦେଇପାରିବେ। ଏପରି ଅ।ଚରଣ ପତ୍ନୀଙ୍କର ନିହାତି ନିଷ୍ଠୁର ବୋଲି ହାଇକୋର୍ଟ କହିଛନ୍ତି। ଲଗାତର ଚାରିରୁ ୫ ବର୍ଷ ପର୍ଯ୍ୟନ୍ତ ବିନା କୌଣସି ଶାରିରୀକ ସମସ୍ୟା ସତ୍ତେ୍ୱ ସ୍ତ୍ରୀ ତାଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ନ ଦେଇ ତାଙ୍କ ପ୍ରତି ନିଷ୍ଠୁର ଅ।ଚରଣ ପ୍ରଦର୍ଶନ ପାଇଁ ତମେ ତାଙ୍କ ଠାରୁ ଅଲଗା ହୋଇପାରିଥାନ୍ତ। ଏହାକୁ କାରଣ ଦର୍ଶାଇ ଅଦାଲତରେ ବିବାହ ବିଚ୍ଛେଦ ମାମଲା ରୁଜୁ କରିପାରିଥାନ୍ତ। ସେମିତି କଲନି କାହିଁକି ??

ଟ୍ରାଏଲ୍‍ କୋର୍ଟରେ ନିରାଶ ହେବା ପରେ ବ୍ୟକ୍ତି ଜଣକ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟକୁ ନେଇଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ହାଇକୋର୍ଟରେ ତାଙ୍କ ସ୍ୱାମୀ କରିଥିବା ଅଭିଯୋଗକୁ ଖଣ୍ଡନ କରି ନ ଥିଲେ ତାଙ୍କ ପତ୍ନୀ। ସେ ଏପରି କରନ୍ତି ବୋଲି କୋର୍ଟରେ ମାନିଥିଲେ। ଫଳରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ନିଷ୍ଠୁର ବ୍ୟବହାର ଦେଉଥିଲେ ବୋଲି ସ୍ପଷ୍ଟ ହୋଇଛି। ତମେ ବି ସେମିତି କରିପାରିଥାନ୍ତ ଭାର୍ଗବ।

ପରଘରେ ପାଇଟି କରି ନିଜ ଜୀବନକୁ ଆଗେଇ ନେଇଥାନ୍ତେ। ସେ ତମେ ଗୋଟେ ଜୀବନ ଯଦି ଦେଇପାରିବନି, ତେବେ କେଉଁ ଅଧିକାରରେ ତାଙ୍କୁ ହତ୍ୟା କଲ? ବେଦୀରେ ବିବାହ କରିଥିଲ ବୋଲି ଅଧିକାର ଥିଲା କି ଭାର୍ଗବ ???
- ନାଇଁ ସାର, ମୋ ପତ୍ନୀ ଜମା ବି ସେମିତି ନୁହେଁ। ଜୀବନକାଳ ମଧ୍ୟରେ ସେ ମୋ ଛଡ଼ା ଆଉ କାହାକୁ ପାପ ଦୃଷ୍ଟିରେ ଚାହେଁ ବି ଚାହିଁ ଏକଥା ମୁଁ ଜୋର ଦେଇ କହିପାରିବି। କୋଉଁ ଜନ୍ମରେ ବି ସେ ସେମିତି କରିପାରିବ ନାହିଁ। ମୋ ପାଇଁ ସେ ୫ ବର୍ଷ କ’ଣ ୫୦ ବର୍ଷ ବି ସେମିତି ସତୀ ହୋଇ ଅପେକ୍ଷା କରିବ ବୋଲି ଅନେକ ବାର ମୋତେ କହିଛି। କେମିତି ସାର ଏତେ ବଡ଼ ମିଛ କହିଥାନ୍ତି ସାର୍‍ କୁହନ୍ତୁ।
- ତେବେ ଭାର୍ଗବ, ଏଇଟି ଆଉ ଗୋଟେ ପ୍ରଶ୍ନ ଉଠେ ଯେ, ତୁମେ ତମ ପତ୍ନୀଙ୍କୁ ବହୁତ ବିଶ୍ୱାସ କରୁଥିଲ ଆଉ ଭଲପାଉଥିଲ। ତାଙ୍କ ବିରୋଧରେ ପଦେ କହିଦେଲେ ତମକୁ ବାଧୁଛି ଆଉ ତମେ ତତକ୍ଷଣାତ ରାଗିଯାଉଛ। ତେବେ ସାମାନ୍ୟ ଟଙ୍କା କେଇଟା ପାଇଁ ଏମିତି କାମ କାହିଁକି କରିଲ ? ଦୀର୍ଘ ବର୍ଷ ମୁଁ ପୋଲିସ୍‍ ବିଭାଗରେ କାର୍ଯ୍ୟ କରିଛି। ତମ ପରି ବ୍ୟକ୍ତି ପ୍ରଥମ କରି ଆଜି ହିଁ ଦେଖୁଛି।

ଶାନ୍ତିରେ ଜୀବନ ଜୀଇଁବାକୁ କ’ଣ ଖାଲି ଟଙ୍କା ହିଁ ଦରକାର। କିନ୍ତୁ ଏବେକାର ଦୁନିଆର ତମ ମରିଯାଇଥିବା ପତ୍ନୀ ବା ତମେ ମାରିଦେଇଥିବା ପତ୍ନୀଟିଏ ମିଳିବା କଷ୍ଟକର। ତାଙ୍କ ପ୍ରେମ କ’ଣ ତମ ପାଇଁ ଯଥେଷ୍ଟ ନ ଥିଲା। ତମେ ତ ନିଜେ ସ୍ୱୀକାର କରୁଛ ଯେ, ତାଙ୍କର କୌଣସି ଅଭିଯୋଗ କି ଅଭିମାନ ନ ଥିଲା, ତମ ଦାରିଦ୍ର୍ର୍ର୍ୟତାକୁ ସେ ବେଶ୍‍ ଭଲଭାବେ ବୁଝିଥିଲେ। ମୁଁ ଏବେ ବି ତମକୁ ସନ୍ଦେହ କରୁଛି, ଖାଲି ଟଙ୍କା ପାଇଁ ପତ୍ନୀଙ୍କୁ ମାରିଛ ନା ତମ ପ୍ରେମିକାର ଆଉ କିଛି ସର୍ତ୍ତ ଥିଲା। ସତ କୁହ ଭାର୍ଗବ। ମୁଁ କଥା ଦେଉଛି, ତମକୁ ୭୦ ଲକ୍ଷ ଟଙ୍କା ମିଳିବ। କେହି ଠକିବେନି। ଯଦି ବି ସରକାର ନ ଦିଅନ୍ତି, ମୁଁ ନିଜେ ତମକୁ ସେତିକି ଟଙ୍କା ଦେବି।
- ନାଇଁ, ସାର ମୁଁ ଯାହା ଯାହା ଆପଣଙ୍କୁ କହିଛି , ସବୁ ସତ କହୁଛି, ମୋ ମା’ ରାଣ ପକାଉଛି। ମୋ ପତ୍ନୀଙ୍କୁ ମାରି ସାରିବା ପରେ ମୋ ମା’ ବି ମୋତେ ଘରକୁ ଆଉ ଡାକୁନି। ମା ତାକୁ ବହୁତ ଭଲପାଉଥିଲା, ନିଜ ଝିଅ ପରି ତାକୁ ଭଲପାଉଥିଲା। ତାହାରି ରାଣ ଖାଇ କହୁଛି ସାର୍‍ ମୁଁ ବି ମୋ ପତ୍ନୀକୁ ବହୁତ ଭଲପାଉଥିଲି। କିନ୍ତୁ .. ଆଉ ଅଧିକ କିଛି କହିବା ଆଗରୁ ପାଣି ଗ୍ଲାସଟେ ବଢ଼଼ାଇ ଦେଲେ ଡିସିପି ସାର୍‍। କହିଲେ ପାଣି ଟିକେ ପିଇଦିଅ ତା ପରେ କହିବ।

ସାର, ମୋ ପ୍ରେମିକା କହିଲା କି, ତମେ ଯଦି ତମ ବିବାହିତା ପତ୍ନୀକୁ ହତ୍ୟା କରିପାରିବ ତେବେ ମୁଁ ତମକୁ ପ୍ରତି ମାସରେ ଦରମା ଯେତେ ପାଉଛି ତାର ଅଧା ଦେବି। ଆଉ କହିଲା- ଯଦି ଏତକ ନ କରିବ ତମ ନାମରେ ଥାନାରେ ମାମଲା ରୁଜୁ କରିବି ଆଉ ସେଇ ଭୟରେ ଆଉ ଲୋଭରେ ମୁଁ ହତ୍ୟା କରିଛି ସାର୍‍। ଆଜ୍ଞା ସତ କହୁଛି, ଆପଣ ଆଉ ଏତେ ମୋତେ ଘାଣ୍ଟନ୍ତୁ ନାହିଁ।
- ଠିକ୍‍ ଅଛି ଭାର୍ଗବ, ଯଦି ତମକୁ ତମର ସତ୍ୟତା ପାଇଁ ନିର୍ଦ୍ଦୋଷ ବୋଲି ଘୋଷଣା କରାଯାଏ ଆଉ ୭୦ ଲକ୍ଷ ଟଙ୍କା ଦିଆଯାଏ ତେବେ କ’ଣ ତମେ ସୁଖରେ ରହିପାରିବ ବୋଲି ଭାବୁଛ !!! ତମ କଥାକୁ ଯାହା ଲାଗୁଛି ତମ ଜନ୍ମକରା ମା’ର ବି ଆର୍ଶିବାଦ ତମ ଉପରେ ନାହିଁ। ଯେଉଁ ପୁଅର ମଥାରେ ନିଜ ପତ୍ନୀର ନିବିଡ଼ ଭଲପାଇବା ଆଉ ମା’ର ସ୍ନେହ ନ ଥାଏ ସେ ଯେତେ ଚେଷ୍ଟା କଲେ ବି ସୁଖରେ ରହିପାରେନି, ବରଂ କରିଥିବା ଭୁଲ ପାଇଁ ପ୍ରତି ମୂହୁର୍ତ୍ତରେ ଜଳି ଜଳି ଜୀବନ ବିତାଏ। ଠିକ୍‍ ତମକୁ ପୁରସ୍କାର ରାଶି ଦେବା ପୂର୍ବରୁ ତମକୁ ଗୋଟେ ଅନୁରୋଧ କରିବି, ଅନୁରୋଧ ତ ନୁହେଁ , ଉପଦେଶ ବୋଲି ଭାବିବ ଭାର୍ଗବ ତାକୁ।
- ଜୀବନରେ ଅନେକ ଗୁଡ଼ିଏ ନିଷ୍ପତ୍ତି ରହିଛି ଯାହା କେବଳ ଥରେ ହିଁ ନିଆଯାଏ। ତାହା ମଧ୍ୟରୁ ବିବାହ ହେଉଛି ଗୋଟେ ଗୁରୁତ୍ୱୂପୂର୍ଣ୍ଣ ନିତ୍ତତ୍ତି। ଜୀବନରେ ବିବାହ ଥରେ ହିଁ ହୁଏ। ଅବଶ୍ୟ ଏଥିରେ ଏବେ ଏବେ ଟିକେ ପରିବର୍ତ୍ତନ ହୋଇଛି। କିନ୍ତୁ ଦୁଇ ଥର ବିବାହ କରି ପୃଥିବୀରେ କେହି ବି ଶାନ୍ତିରେ ରହିନି। ତେଣୁ ସମୟ ଗଡ଼଼ିଯିବା ଆଗରୁ ତମେ ସୁଧୁରିଯିବା ହିଁ ବୁଦ୍ଧିମତ୍ତାର କାମ ହେବ।

ଆଉ ତମେ ଯଦି ପାରିବ ତମ ବୁଢ଼ୀ ମା’ଙ୍କୁ ଯାଇ ଭୁଲ ମାଗି ତାଙ୍କୁ ପାଖରେ ଆରି ରଖ ହୁଏତ ସେ ତମକୁ କ୍ଷମା କରିଦେଇପାରନ୍ତି। ନିଅ ତମ ପୁରସ୍କାର ରାଶି ୭୦ଲକ୍ଷ ଟଙ୍କା। କିନ୍ତୁ ଏଇ ୭୦ ଲକ୍ଷ ଟଙ୍କା ତମେ ମାରିଦେଇଥିବା ପତ୍ନୀଠୁ ବହୁତ ମୂଲ୍ୟବାନ ଥିଲା, ଆଉ ସବୁଠୁ ମୂଲ୍ୟବାନ୍‍ ଥିଲା ତାର ବିଶ୍ୱାସ, ନିରୋଳା ପ୍ରେମ ଆଉ ତ୍ୟାଗ। ଆଶା କରୁଛି ମୋ କଥା ଠିକ୍‍ ବୁଝିପାରୁଥିବ ଭାର୍ଗବ।
- ମୁଣ୍ଡ ହଲାଇ ହଁ କହି ନିଜ ଘର ଅଭିମୁଖେ ଅନୁତାପରେ ଜର୍ଜରିତ ହୋଇ ଚାଲିଯାଇଥିଲା ଭାର୍ଗବ।

ଦୂରଭାଷ: ୮୮୯୫୩୦୪୫୫୬