ଟିମ୍ ଇଣ୍ଡିଆ ପାଇଁ ସଞ୍ଜୀବନୀ କୋହଲିଙ୍କ ‘ବିରାଟ’ ଫର୍ମ

ଗୋଟିଏ ସମୟ ଥିଲା, ବିରାଟ ଭଲ ଫର୍ମରେ ନ ଥିଲେ ଏବଂ ତିନି ବର୍ଷରୁ ଅଧିକ ଦିନ ଧରି ତାଙ୍କ ବ୍ୟାଟ୍ରୁ ଶତକ ବାହାରି ନ ଥିଲା। ସେତେବେଳେ ସେ ନିଜେ ବି ବୁଝିପାରୁ ନ ଥିଲେ ଯେ ତାଙ୍କ ସହିତ କ’ଣ ଘଟୁଛି। ଖରାପ ପ୍ରଦର୍ଶନ ସ୍ଥଳେ ତାଙ୍କୁ କଡ଼ା ସମାଲୋଚନା ବି କରାଯାଉଥିଲା। ହେଲେ ଏବେ….

ଟିମ୍ ଇଣ୍ଡିଆ ପାଇଁ ସଞ୍ଜୀବନୀ କୋହଲିଙ୍କ ‘ବିରାଟ’ ଫର୍ମ

ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ୍ ମ୍ୟାଚ୍‌ରେ ବିରାଟ କୋହଲି ଯେପରି ପ୍ରଦର୍ଶନ କରି ଟିମ୍‌କୁ ଜିତାଇଥିଲେ, ତଦ୍ଦ୍ୱାରା ଭାରତୀୟ ଟିମ୍‌ର ବିଶ୍ୱକପ୍ ଅଭିଯାନକୁ ସଞ୍ଜୀବନୀ ମିଳିଯାଇଛି। ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ଟିମ୍‌କୁ ଏଭଳି ଏକ ସଞ୍ଜୀବନୀର ଆବଶ୍ୟକତା ଥିଲା ।

ଟିମ୍ ଇଣ୍ଡିଆ ଯେତେବେଳେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା, ଅନେକ ପୂର୍ବତନ କ୍ରିକେଟର୍ ରୋହିତ ସେନାକୁ ମୁକୁଟ ଦୌଡ଼ରେ ସାମିଲ୍ କରିବା ସତ୍ତ୍ୱେ କେହି କେହି ଏହାକୁ ଅଣ୍ଡରଡଗ୍ ବିବେଚନା କରୁଥିଲେ। ଏହାର କାରଣ ଥିଲା ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ଟିମ୍‌ର ବିଫଳତା। ଉଦାହରଣ ଭାବେ ଟି-୨୦ ବିଶ୍ୱକପ୍ ୨୦୨୧ ଓ ଏସିଆ କପ୍ ୨୦୨୨କୁ ନିଆଯାଇପାରେ।

ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ ଆଶାଜନକ ପ୍ରଦର୍ଶନ କରିପାରି ନ ଥିଲା। ଅଧିକାଂଶ ବ୍ୟାଟର୍ ଓ ବୋଲର୍ ବିଫଳ ହୋଇଥିଲେ। କିନ୍ତୁ ମେଲ୍‌ବର୍ଣ୍ଣରେ ପାକିସ୍ତାନ ବିପକ୍ଷ ବିଜୟ ସେସବୁ ପୁରୁଣା ସ୍ମୃତିକୁ ପଛରେ ପକାଇ ଟିମ୍ ଇଣ୍ଡିଆକୁ ମୁକୁଟର ମଜଭୁତ ଦାବିଦାର କରିଦେଇଛି । ରୋହିତ ସେନା ନିଜ ପରବର୍ତ୍ତୀ ମ୍ୟାଚ୍‌ରେ ଦୁର୍ବଳ ନେଦରଲାଣ୍ଡ୍‌ସକୁ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏଥି ସହ ଭାରତର ସେମିଫାଇନାଲ୍‌ରେ ପ୍ରବେଶ ଆଶା ଦୃଢ଼ୀଭୂତ ହୋଇଛି ।

ବିଶ୍ୱକପ୍‌ର ଠିକ୍ ପୂର୍ବରୁ ପେସର୍ ଯଶପ୍ରୀତ ବୁମ୍‌ରା ଓ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଅଭିଜ୍ଞ ଖେଳାଳି ଆହତ ହେବା ଯୋଗୁଁ ଭାରତୀୟ ପ୍ରଶଂସକମାନଙ୍କୁ ମଧ୍ୟ ନିଜ ଟିମ୍ ଠାରୁ ଅତି ବଡ଼ ଆଶା ନ ଥିଲା । ଏସିଆ କପ୍ ବିଫଳତା ମଧ୍ୟ ସେହି ନୈରାଶ୍ୟର ଅଂଶବିଶେଷ ଥିଲା। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିରାଟ ଓ ହାର୍ଦ୍ଦିକ ଜଣାଇ ଦେଇଛନ୍ତି ଯେ ସେମାନେ କୌଣସି ପରିସ୍ଥିତିରେ ଟିମ୍‌କୁ ହାରିବାକୁ ଦେବେ ନାହିଁ।

ସବୁଠାରୁ ବଡ଼ କଥା ହେଲା, କୋହଲିଙ୍କ ‘ବିରାଟ’ ରୂପ ଫେରିଛି। ପାକିସ୍ତାନ ବିପକ୍ଷରେ ସେ ୮୨ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିବା ବେଳେ ନେଦରଲାଣ୍ଡ୍‌ସ ବିପକ୍ଷରେ ବି ୬୨ ରନ୍ କରି ଅପରାଜିତ ଥିଲେ। ଲଗାତାର ଦୁଇଟି ମ୍ୟାଚ୍‌ରେ ଦୁଇଟି ଅର୍ଦ୍ଧଶତକ । ଯଦି ସେ ଏଭଳି ଖେଳି ଚାଲନ୍ତି, ଭାରତୀୟ ଟିମ୍ ସେମିଫାଇନାଲ୍ କ’ଣ ଫାଇନାଲ୍‌ରେ ପହଞ୍ଚିଯିବ।

ଗୋଟିଏ ସମୟ ଥିଲା, ବିରାଟ ଭଲ ଫର୍ମରେ ନ ଥିଲେ ଏବଂ ତିନି ବର୍ଷରୁ ଅଧିକ ଦିନ ଧରି ତାଙ୍କ ବ୍ୟାଟ୍‌ରୁ ଶତକ ବାହାରି ନ ଥିଲା। ସେତେବେଳେ ସେ ନିଜେ ବି ବୁଝିପାରୁ ନ ଥିଲେ ଯେ ତାଙ୍କ ସହିତ କ’ଣ ଘଟୁଛି। ବିରାଟ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରେ ପରିଗଣିତ ହେଉଥିବାରୁ ତାଙ୍କ ଠାରୁ ଟିମ୍ ଓ କ୍ରିକେଟ୍‌ପ୍ରେମୀଙ୍କ ଅଧିକ ଆଶା ରହୁଥିଲା। ଖରାପ ପ୍ରଦର୍ଶନ ସ୍ଥଳେ ତାଙ୍କୁ କଡ଼ା ସମାଲୋଚନା ବି କରାଯାଉଥିଲା।

ସେହି କଠିନ ସମୟରେ ସେ ଟିକେ ବିଶ୍ରାମ ନେଲେ। ମାନସିକ ଶାନ୍ତି ପାଇଁ ବ୍ୟବସ୍ଥା କଲେ। ଚଳିତ ବର୍ଷ ଏସିଆ କପ୍ ସମୟରେ ସେ ଟି-୨୦ ଫର୍ମାଟ୍ ଜରିଆରେ କ୍ୟାରିଅରର ୭୧ତମ ଆନ୍ତର୍ଜାତିକ ଶତକ ଲଗାଇଥିଲେ। ସେମିଫାଇନାଲ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ୧୨୨ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିଲେ । ସେବେଠାରୁ ସେ ଫର୍ମରେ ଅଛନ୍ତି। ଅବଶ୍ୟ ଭାରତ ଏହି ମହାଦେଶୀୟ ପ୍ରତିଯୋଗିତାରେ ଫାଇନାଲ୍‌ରେ ପହଞ୍ଚି ନ ପାରିବା ବିଡ଼ମ୍ବନାର ବିଷୟ ଥିଲା।

ବିରାଟ କୋହଲି

ଅବିସ୍ମରଣୀୟ ମୁହୂର୍ତ୍ତ, ସର୍ବଶ୍ରେଷ୍ଠ ଇନିଂସ୍:

୪୭୦ରୁ ଊର୍ଦ୍ଧ୍ୱ ଆନ୍ତର୍ଜାତିକ ମ୍ୟାଚ୍ ଖେଳିସାରିଥିବା ବିରାଟ ନିଜ ଲମ୍ବା କ୍ୟାରିଅରରେ ଅନେକ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। ସେ ଅନେକ ସମୟରେ ଭାରତୀୟ ଇନିଂସ୍‌କୁ ସଙ୍କଟଜନକ ସ୍ଥିତିରୁ ଉଦ୍ଧାର କରି ମ୍ୟାଚ୍ ଜିତାଇଛନ୍ତି। କିନ୍ତୁ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ଇନିଂସ୍ ତାଙ୍କ କ୍ୟାରିଅରର ସର୍ବଶ୍ରେଷ୍ଠ ଇନିଂସ୍ ମଧ୍ୟରେ ଅନ୍ୟତମ। ଖୋଦ୍ ବିରାଟ କହିଛନ୍ତି ଯେ ଟି-୨୦ରେ ଏହା ତାଙ୍କର ସବୁଠାରୁ ଶ୍ରେଷ୍ଠ ଇନିଂସ୍।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ର ଶେଷ ମୁହୂର୍ତ୍ତ। ରବିଚନ୍ଦ୍ରନ ଅଶ୍ୱିନ ବିଜୟ ପାଇଁ ଆବଶ୍ୟକ ୧ ରନ୍ ନେବା ବେଳେ କୋହଲି ହାତ ହଲାଇ କ୍ରିଜ୍‌ର ଅପର ପାଶ୍ୱର୍କୁ ଦୌଡ଼ିକି ଯିବା, ଆଣ୍ଠୁ ମାଡ଼ି ପଡ଼ିଆରେ ବସିବା, ମାଟିକୁ ପଞ୍ଚ୍ ମାରିବା, ବଡ଼ ବଡ଼ ଆଖିରେ ଆକାଶକୁ ଚାହିଁବା ଏବଂ ଅଧିନାୟକ ରୋହିତ ଶର୍ମା ଆସି ତାଙ୍କୁ ଟେକି ଧରି ଖୁସି ପ୍ରକଟ କରିବା - ଏସବୁ ସଦା ସ୍ମରଣୀୟ ଚିତ୍ର ଥିଲା।

ମ୍ୟାଚ୍ ପରେ ବିରାଟ କହିଥିଲେ, “ଏହା ମୋ ଜୀବନର ସର୍ବୋତ୍ତମ ରାତି।”

୨୦୦୭ ବିଶ୍ୱକପ୍‌ରେ ଛଅଟି ବଲ୍‌ରେ ଛଅଟି ଛକା ମାରି କ୍ରିକେଟ୍‌ପ୍ରେମୀଙ୍କୁ ଅଭୁଲା ସ୍ମୃତି ଭେଟି ଦେଇଥିବା ଯୁବରାଜ ସିଂହ ଘୋଷଣା କରିଥିଲେ, “କିଙ୍ଗ୍ କୋହଲି ଇଜ୍ ବ୍ୟାକ୍।”

ଟିମ୍ର ସବୁଠାରୁ ଫିଟ୍ ଖେଳାଳି ହୋଇଥିବା ସତ୍ତ୍ୱେ ଗୋଟିଏ ସମୟରେ ନିଜ ଦୁର୍ବଳ ପ୍ରଦର୍ଶନକୁ ନେଇ ସମାଲୋଚନାର ଶରବ୍ୟ ହୋଇଥିଲେ କୋହଲି। ଏପରିକି ଟିମ୍‌ରେ ତାଙ୍କ ସ୍ଥାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଆଜି ଯେତେବେଳେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଉଜ୍ଜ୍ୱଳ ଇନିଂସ୍ ଖେଳି ସେ ଟିମ୍‌କୁ ଜିତାଇଛନ୍ତି, ତାଙ୍କ ଆଖିରେ ଲୁହ ଜକେଇ ଆସିବା ଅସ୍ୱାଭାବିକ ନ ଥିଲା।

ବିରାଟଙ୍କ ଆଖିରେ ଲୁହ

କିନ୍ତୁ କ୍ରିକେଟ୍ ସମୀକ୍ଷକମାନଙ୍କୁ ବିରାଟଙ୍କ ଲୁହ ବିସ୍ମିତ କରିଥିଲା। ଭାଷ୍ୟକାର ହର୍ଷ ଭୋଗଲେ ଟ୍ୱିଟର୍‌ରେ ଲେଖିଥିଲେ, “ମୁଁ ବହୁ ବର୍ଷ ହେଲା ବିରାଟଙ୍କୁ ଦେଖିଛି। ମୁଁ କେବେ ବି ତାଙ୍କ ଆଖିରେ ଲୁହ ଦେଖି ନ ଥିଲି। ମୁଁ ଆଜି ଏହା ଦେଖିଲି। ଏହାକୁ କେବେ ଭୁଲାଇ ହେବ ନାହିଁ।”

୨୦୨୧ ଅକ୍ଟୋବର ୨୪ରେ ନିଜ ଅଧିନାୟକତ୍ୱରେ ପାକିସ୍ତାନ ଠାରୁ ମିଳିଥିବା ପରାଜୟ ପରେ ବିରାଟଙ୍କୁ ସମ୍ଭବତଃ ନିଦ ଆସି ନ ଥିବ। ଏବେ ଯେତେବେଳେ ଅକ୍ଟୋବର ୨୩ରେ ଅର୍ଥାତ୍ ବର୍ଷେ ପରେ ନିଜ ବ୍ୟାଟିଂ ବଳରେ ସେହି ପରାଜୟର ପ୍ରତିଶୋଧ ନେଲେ, ସେତେବେଳେ ବି ତାଙ୍କୁ ନିଦ ଆସି ନ ଥିବ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)