Advertisment

ମୁଖ୍ୟମନ୍ତ୍ରୀଙ୍କ ଦୁଆର ନ ଖୋଲୁଣୁ ରାସ୍ତା ଅଚଳ...

ପୂର୍ବରୁ ରାଜା ମହାରାଜାମାନେ ନଗର ପରିକ୍ରମାକୁ ଯିବା ଆଗରୁ ଡେଙ୍ଗୁରା ପିଟି ନଗରବାସୀଙ୍କୁ ଜଣାଇଦିଆଯାଉଥିଲା, ହୁସିଆର୍! ସାବଧାନ! ମହାରାଜା ଆସୁଛନ୍ତି! ରାଜାଙ୍କ ଆଗମନର ସତର୍କବାଣୀ ପାଇବା ପରେ ପ୍ରଜା ଯେ ଯେଉଁଠିଥିବେ ଘର ଭିତରକୁ ଯଥାଶୀଘ୍ର ଯିବାକୁ ଚେଷ୍ଟା କରୁଥିଲେ। ଆଉ ଏବେ...

ଅଦ୍ୟତନ ହୋଇଛି
Road block on Chief Minister's visit

Road block on Chief Minister's visit

Advertisment

ହୁସିଆର୍! ସାବଧାନ! ମହାରାଜା ଆସୁଛନ୍ତି! ରାଜାଙ୍କ ଆଗମନର ସତର୍କବାଣୀ ପାଇବା ପରେ ପ୍ରଜାଏ ଯେ, ଯୁଆଡେ ଛତ୍ରଛାଡ୍। ରାଜାଙ୍କ ରଥ ଅତିକ୍ରମ କଲାପରେ ଯାଇ ଯାହା ହେଉଥିଲା। ତେବେ ପାଠକବନ୍ଧୁ ଆପଣ ଗଣତନ୍ତ୍ରର ଶାସନ ବେଳେ ହଠାତ ଏ ରାଜତନ୍ତ୍ରର ପ୍ରସଙ୍ଗ ଅବତାରଣାର ଅସଲ ଉଦ୍ଦେଶ୍ୟ ବୁଝିପାରି ନ ଥିବେ। ସେଥିପାଇଁ ସନ୍ଦର୍ଭଟିକୁ ପୂରା ପଢନ୍ତୁ ଜାଣିପାରିବେ।  

Advertisment

ସେତେବେଳେ ମହାରାଜାଙ୍କ ଗସ୍ତରେ ଯେମିତି କିଛି ବାଧା ହେବ ନାହିଁ ସେଥିପାଇଁ ବିଷେଶ ଧ୍ୟାନ ଦିଆଯାଉଥିଲା। ଏଥିରେ ସାମାନ୍ୟ ତ୍ରୁଟି ଘଟିଲେ କଠୋର ଦଣ୍ଡବିଧାନ ହେଉଥିବା କୁହାଯାଏ। ତେବେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ରାଜତନ୍ତ୍ରର ଭ୍ରମ ମନକୁ ଆସିଥିଲା ଜଣେ ବ୍ୟକ୍ତିଙ୍କ କଥାରୁ। ଆଚାର୍ଯ୍ୟବିହାର ଟ୍ରାଫିକରେ ବେଶ କିଛି ସମୟ ଧରି ଫସିରହିବା ପରେ ଅସ୍ତବ୍ୟସ୍ତ ବ୍ୟକ୍ତି ଜଣକ ବିରକ୍ତିଭାବ ପ୍ରକାଶ କରି କହିଲେ, ମୂଳରୁ ମୁଖ୍ୟମନ୍ତ୍ରୀ ଘରୁ ବାହାରି ନ ଥିବେ... ପୋଷାକ ପିନ୍ଧି ପ୍ରସ୍ତୁତ ହେଉଥିବେ… ହେଲେ ଏପଟେ ରାଜଧାନୀ ରାସ୍ତା ବ୍ଲକ୍‌ ହୋଇଗଲାଣି...!

ଭିଡ ଭାଙ୍ଗିବାର ଅପେକ୍ଷାରେ ଥିବା ଅନ୍ୟ ଯାତ୍ରୀମାନେ ବ୍ୟକ୍ତିଙ୍କ କଥା ଶୁଣି କେହି କିଛି ପ୍ରତିକ୍ରିୟା ରଖି ନ ଥିଲେ। କିଏ ଅଳ୍ପ ହସି ଦେଲା ଆଉ କିଏ ‘ହୁଁ’ ମାରି ଆଗକୁ ଚାହିଁଲା। ଆଚାର୍ଯ୍ୟବିହାର ଟ୍ରାଫିକ୍‌ ଚାରିପଟେ ପୁଲିସ ଛାଉଣୀ। ଫାଙ୍କା ରାସ୍ତା ପଟକୁ ପଛକରି ପୁଲିସ ଲାଠି ଧରି ଯାନବାହନର ଲମ୍ବା ଧାଡିକୁ ଜଗି ରହିଥିଲେ। ଟାଣ ଖରାରେ ସେଠାକାର ଭିଡରେ ଫସିରହିଥିବା ଅଧିକାଂଶ ମୁହଁରୁ ଅସ୍ତବ୍ୟସ୍ତ ବିବ୍ରତ ଓ ବିରକ୍ତର ବିକଳ ଚିତ୍ର ସବୁ ବାରି ହେଉଥିଲା।

Advertisment

ଏକ ବାଇକ ପଛରେ ବସିଥିବା ମାଆ ଜଣକ ଧରିଥିବା ଛୁଆର ମୁଣ୍ଡକୁ ଓଢଣିରେ ଢାଙ୍କି ଦେଉଥିଲେ, ଅଟୋରେ ବସ୍ତାନୀ ଧରି ବସିଥିବା ଯୁବକ ବାରମ୍ବାର ହାତରେ ପିନ୍ଧିଥିବା ଘଡିକୁ ଦେଖୁଥିଲେ ଆଉ ଅନ୍ୟ ଏକ ଅଟୋରେ ଜଣେ ବୃଦ୍ଧା ହାତରେ ମେଡିକାଲର କିଛି କାଗଜପତ୍ର ଧରି ପାଖରେ ବସିଥିବା ସମ୍ପର୍କିୟଙ୍କ କାନ୍ଧରେ ମୁଣ୍ଡ ଦେଇ ବସିଥିଲେ। ଟ୍ରାଫିକରେ ଫସି ରହିଥିବା ଯାନବାହନର ଏଭଳି ଭିଡ ପଛକୁ ପ୍ରାୟ ବହୁ ଦୂର ଯାଏଁ ଲମ୍ବି ରହିଥିଲା। ପଛରୁ ଆମ୍ବୁଲାନ୍ସର ଶବ୍ଦ ଶୁଭୁଥିଲା ସିନା ହେଲେ ଭିଡ ଭିତରେ ନଜର ଆସୁ ନ ଥିଲା। କୌଣସି ଗାଡି ଇଂଚେ ହଲିବାକୁ ଜାଗା ନଥିଲା। ନିରୋଳା ଫାଙ୍କା ରାସ୍ତାର ଆର ମୁଣ୍ଡରୁ ସାଏଁ ସାଏଁ ଆଗ ପଛ ହୋଇ ପୁଲିସ ଗାଡି ଗହଣରେ ମୁଖ୍ୟମନ୍ତ୍ରୀଙ୍କ କାର୍ ସେହି ବାଟ ଦେଇ ଗଲା ପରେ ଅଟକିରହିଥିବା ଯାତ୍ରୀ ଯାଇଥିଲେ। ଆଉ ସେ ଭିଡ ଭାଙ୍ଗିବାକୁ ପ୍ରାୟ ୧୫ ମିନିଟ୍‌ରୁ ଅଧିକ ସମୟ ଲାଗିଥିଲା।

ଏହା ଥିଲା ମଙ୍ଗଳବାର ୩ ଅକ୍ଟୋବର ପୂର୍ବାହ୍ନ ପ୍ରାୟ ୧୧ଟା ୧୫ର ଘଟଣା। ଜଟଣୀସ୍ଥିତ ଏକ କେନ୍ଦ୍ରୀୟ ପ୍ରତିଷ୍ଠାନରେ କ୍ୟାନ୍ସର ହସ୍ପିଟାଲର ଶିଳାନ୍ୟାସକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳର ଟ୍ରାଫିକ କଟକଣା। ପୁନର୍ବାର ଠିକ ତା’ ପରଦିନ (୪ଅକ୍ଟୋବର) ସମାନ ସ୍ଥିତି ଦେଖାଯାଇଥିଲା ସେହି ସମୟ ଆଉ ସେହି ସ୍ଥାନରେ।

Advertisment

ଆଚାର୍ଯ୍ୟବିହାର ନିକଟ ଏକ କେନ୍ଦ୍ରୀୟ ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କର ଥିଲା ଗସ୍ତ କାର୍ଯ୍ୟକ୍ରମ। ହେଲେ ଅକ୍ଟୋବର ୧୮ ତାରିଖ ବୁଧବାର ସନ୍ଧ୍ୟା ସ୍ଥିତି ଯେମିତି ରାଜଧାନୀ ଟ୍ରାପିକ୍ଜାମର ରେକର୍ଡ କରିଥିଲା! ପ୍ରାୟ ୨ ଘଂଟା ଧରି ଫସି ରହିଥିଲା ଏକାଧିକ ଆମ୍ବୁଲାନ୍ସ, ଆଚାର୍ଯ୍ୟବିହାର ଚତୁଃପାଶ୍ୱର୍ ୨ କିମି ବ୍ୟବଧାନ ଧରି ଯାନବାହନ ଥିଲା ଜାମ୍।

ଆପୋଲୋ ହସ୍ପିଟାଲ-ସୈନିକସ୍କୁଲ-ଜୟଦେବବିହାର-ବାଣୀବିହାର ସମେତ ଏହାର ଆଖପାଖ ଶାଖା ରାସ୍ତାଗୁଡିକ ମଧ୍ୟ ଗାଡିଭିଡରେ ଭରି ରହିଥିବା ଦେଖାଯାଇଥିଲା । କାରଣ ସେହି ସନ୍ଧ୍ୟାରେ ସହିଦନଗର ଓ ଜୟଦେବବିହାରଠାରେ ମୁଖ୍ୟମନ୍ତ୍ରୀଙ୍କର ୨ଟି କାର୍ଯ୍ୟକ୍ରମ ଥିଲା। ରାସ୍ତାର ସ୍ୱାଭାବିକ ସ୍ଥିତି ଫେରିବାକୁ ପ୍ରାୟ ୨ ଘଂଟାରୁ ଅଧିକ ସମୟ ଲାଗିଥିଲା।

କେବଳ ଦିନେ କାଳେ ନୁହେଁ, ଗତ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ଟ୍ରାଫିକ୍ ଜାମ୍ ଓ ରାଜଧାନୀବାସୀଙ୍କୁ ଅଦସ୍ତର ସମ୍ମୁଖୀନ ହେବାର ଚିତ୍ର ସାମ୍ନାକୁ ଆସିଛି। ରାଜଧାନୀର ସ୍ଥିତି ଯାହା ରାସ୍ତାରେ ଗୋଟିଏ ଛୋଟିଆ ଦୁର୍ଘଟଣାଟିଏ ଘଟିଲେ ସେହି ରାସ୍ତାକୁ ସଂଯୋଗ କରୁଥିବା ଆଖପାଖ ସବୁ ରାସ୍ତା ଜାମ୍ ହୋଇଯାଏ। ତା’ପରେ ପୁଣି ଆନ୍ଦୋଳନ, ରାସ୍ତାରୋକ, ରାଲି, ଦଳୀୟ ଶୋଭାଯାତ୍ରା ଇତ୍ୟାଦି।

ବିଧାନସଭା ମୌସୁମୀ ଅଧିବେଶନ ବସିଲେ ମୁଖ୍ୟ ରାସ୍ତା ଅଚଳ! ପୂର୍ବରୁ ଗୃହ ମୁଲତବୀ ହେବା ସମୟରେ ଜନସାଧାରଣ ପାଇଁ ସଚିବାଳୟମାର୍ଗ ରାସ୍ତା ସ୍ୱାଭାବିକ ହେଉଥିଲା। ହେଲେ ଗଲା ଅଧିବେଶନରେ ସେତକ ବି ବନ୍ଦ କରାଯାଇଥିଲା । ବିଧାନସଭାକୁ ବଙ୍କର୍‌ ଭଳି ସୁରକ୍ଷା ବଳୟ ଭିତରେ ରଖିବାକୁ ଯାଇ ସାଧାରଣ ଲୋକଙ୍କୁ ଅଡ଼ୁଆରେ ପକାଯାଉଛି।

ରାଜଧାନୀ ସହରର କେନ୍ଦ୍ରରେ ଥିବା ମୁଖ୍ୟ ଡାକଘର, ବିଏସ୍ଏନ୍ଏଲ୍, ଏଜି ଅଫିସ, ଷ୍ଟେଟ୍‌ ବ୍ୟାଙ୍କ, ଟ୍ରେଜେରି ଶାଖା ଆଦିକୁ ଜରୁରୀ କାର୍ଯ୍ୟରେ ସହର ତଥା ଜିଲ୍ଲା ବାହାରୁ ନିତିଦିନ ଲୋକେ ଆସନ୍ତି। କିନ୍ତୁ ସେଠାକୁ ଗଲାବେଳେ ପୁଲିସର ବ୍ୟାରିକେଡ୍‌ ଚକ୍ରବ୍ୟୁହ ଭେଦିବା କଷ୍ଟକର ଲାଗେ। ସରକାର ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ କଟକଣା କଡାକଡି କରୁଛନ୍ତି, ଅଜସ୍ର ଫାଇନ ଆଦାୟ କରୁଛନ୍ତି ହେଲେ ନା ସଡକ ଦୁର୍ଘଟଣା ପରିମାଣ କମୁଛି ନା ରାସ୍ତାରେ ନିରାପଦ ଓ ସହଜରେ ଯାତାୟତ କରିବାର ବ୍ୟବସ୍ଥା ଲୋକଙ୍କୁ ଯୋଗାଇ ପାରୁଛନ୍ତି।

ଗଲାବର୍ଷ ଭୂବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଅତି ଉନ୍ନତି ଆଣିବାକୁ ବଡି ଭୋରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କଳ୍ପନା, ରବିଟକିଜ୍, ରସୁଲଗଡ, ଶିଶୁଭବନ ଛକ, ଆଇଗିଣିଆ ଆଦି ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ପାଖରେ ବିଭିନ୍ନ ବିଭାଗର ସର୍ବୋଚ୍ଚ ଅଧିକାରୀମାନେ ମଧ୍ୟ ଥିଲେ।

ବିଭିନ୍ନ ସମୟରେ ଅନେକ ଯୋଜନା, ନିଷ୍ପତ୍ତି, ପଦକ୍ଷେପ ନିଆଯାଉଥିବା ସରକାର କହୁଛନ୍ତି ହେଲେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଘଟୁନାହିଁ । ଦିନକୁ ଦିନ ରାଜଧାନୀ ଟ୍ରାଫିକ ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହେବାରେ ଲାଗିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା ବୋଝଉପରେ ଲଳିତାବିଡା ସଦୃଶ । ଲୋକଙ୍କ ଯାତାୟତରେ ଶୁଗମତା ଓ ଶୁବ୍ୟବସ୍ଥା ଆଣିବା ପାଇଁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ