Advertisment

ଶାସନରେ ଯଦି ସ୍ୱଚ୍ଛତା ଅଛି, ସୌମ୍ୟଙ୍କ ହାତରେ କି ଅସ୍ତ୍ର ଅଛି

ସବୁ ଯୋଜନା ଲୋକଙ୍କ ପାଇଁ ଖଂଜା ହୋଇଛି ତାହେଲେ ୨୩ ବର୍ଷର ନିରବଛିନ୍ନ ଶାସନ କ୍ଷମତାରେ ଥିବା ଦଳ କେଉଁ ‘ବ୍ଲାକମେଲ୍’କୁ ଭୟ ? ୫ ବର୍ଷ ତଳେ ଦଳରେ ଯୋଗଦେଇ ବିଧାୟକ ହୋଇଥିବା ସୌମ୍ୟ ପଟ୍ଟନାୟକ ଏମିତି କି ଦୋଷ, ଦୁର୍ବଳତାର ଅସ୍ତ୍ର ପାଇଗଲେ ଯେ ବ୍ଲାକମେଲ କରୁଛନ୍ତି ବୋଲି ମନ୍ତ୍ରୀ ବିଧାୟକ ଲଗାତର ଜଣକ ପରେ ଜଣେ ଆସି ଗଣମାଧ୍ୟମରେ କହୁଛନ୍ତି ?

ଅଦ୍ୟତନ ହୋଇଛି
If there is transparency in governance, what weapon is in the hands of the Soumya Ranjan Pattnaik

If there is transparency in governance, what weapon is in the hands of the Soumya Ranjan Pattnaik

Advertisment

ଯଦି ବିଶ୍ୱସ୍ତରୀୟ ବ୍ୟବସ୍ଥା ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯାଇଛି, ଯଦି ରାଜ୍ୟରେ ଦିର୍ନୀତିମୁକ୍ତ ସ୍ୱଚ୍ଛ ଶାସନ ଚାଲିଛି ଆଉ ଜନ୍ମରୁ ଜୁଇଯାଏଁ ସବୁ ଯୋଜନା ଲୋକଙ୍କ ପାଇଁ ଖଂଜା ହୋଇଛି ତାହେଲେ ୨୩ ବର୍ଷର ନିରବଛିନ୍ନ ଶାସନ କ୍ଷମତାରେ ଥିବା ଦଳ କେଉଁ ‘ବ୍ଲାକମେଲ୍’କୁ ଭୟ? ୫ ବର୍ଷ ତଳେ ଦଳରେ ଯୋଗଦେଇ ବିଧାୟକ ହୋଇଥିବା ସୌମ୍ୟ ପଟ୍ଟନାୟକ ଏମିତି କି ଦୋଷ, ଦୁର୍ବଳତାର ଅସ୍ତ୍ର ପାଇଗଲେ ଯେ ବ୍ଲାକମେଲ କରୁଛନ୍ତି ବୋଲି ମନ୍ତ୍ରୀ ବିଧାୟକ ଲଗାତର ଜଣକ ପରେ ଜଣେ ଆସି ଗଣମାଧ୍ୟମରେ କହୁଛନ୍ତି? ଗତ ବର୍ଷ ‘ଲେଡି ବ୍ଲାକମେଲର’ ଘଟଣା ରାଜ୍ୟବ୍ୟାପୀ ଝଡ ସୃଷ୍ଟି କରିଥିବାବେଳେ ଏବେ ସୌମ୍ୟଙ୍କ ‘ବ୍ଲାକମେଲ’ ପ୍ରସଙ୍ଗ ରାଜନୈତିକ କମ୍ପନର ରୂପ ନେଲାଣି ।

Advertisment

ଗତ ବର୍ଷ ଏକ ହାଇପ୍ରୋଫାଇଲ ‘ବ୍ଲାକମେଲ୍’ ଘଟଣା ସମଗ୍ର ଓଡିଶାରେ ଝଡ ସୃଷ୍ଟି କରିଥିଲା । ଧାରାବାହିକ ଭାବରେ ଏହି ଝଡ ଗଣମାଧ୍ୟମରେ ବେଶ୍ କିଛି ଦିନ ମୁଖ୍ୟ ଖବର ଭାବେ ଜାଗା ଅକ୍ତିଆର କରିଥିଲା । ରାସ୍ତାଘାଟ, ବଜାର ଛକ, ସୋସିଆଲ ମିଡିଆ ସବୁଠି ସେଇ ଗୋଟିଏ ଚର୍ଚ୍ଚା.. ମୁଁ କେଉଁ ଘଟଣା ସମ୍ପର୍କରେ କହୁଛି ଆପଣ ଅନୁମାନ ଲଗାଇସାରିଥିବେ । ଆଜ୍ଞା ହଁ, ସେଇ ‘ଲେଡି ବ୍ଲାକମେଲର’ ଅର୍ଚ୍ଚନା ନାଗ ମାମଲା!

ଯେଉଁ ପ୍ରସଙ୍ଗକୁ ନେଇ ସଦରରୁ ସହର, ରାଇକିଆରୁ ରାଜଧାନୀ, ସମଗ୍ର ରାଜ୍ୟ ଦୋହଲୁଥିଲା! ବିରୋଧୀଙ୍କ ବ୍ୟାପକ ଆନେ୍ଦାଳନ ତେଜିଥିଲା, ବିଧାନସଭା ଉଠିଲା ପଡିଲା ଆଉ ଅନେକ ନେତା ମନ୍ତ୍ରୀ ୟାଙ୍କ ଲିଙ୍କରେ ଥିବା ଚର୍ଚ୍ଚା ହେଲା । ଏହାରି ପଛରେ ବଡ ବଡ ଅଧିକାରୀ, ରାଜନେତା ଓ ବହୁ ପ୍ରଭାବଶାଳୀ ବ୍ୟକ୍ତି ରହିଥିବା ଅଭିଯୋଗ ହୋଇଥିଲା । କୋଟି କୋଟି ଟଙ୍କା, ଜମି ବାଡି, ସୁନା ଅଳଙ୍କାର ଆଦି ଜବତ ହେବା ଦେଖାଗଲା । ଆଉ ସମୟାନୁକ୍ରମେ ଏହି ‘ବ୍ଲାକମେଲ୍’ ଝଡ ଧିରେ ଧିରେ ଥମିବାରେ ଲାଗିଲା ।

Advertisment

ତେବେ ଏହି ହାଇ ପ୍ରୋଫାଇଲ ‘ବ୍ଲାକମେଲ୍’ ଘଟଣାର ଠିକ୍ ବର୍ଷକ ପରେ ଏବେ ପୁଣି ‘ବ୍ଲାକମେଲ୍’ ଝଡ ଓଡିଶା ରାଜନୀତିରେ ମୁଣ୍ଡଟେକିବାରେ ଲାଗିଛି । ଆଉ ଏହି ‘ବ୍ଲାକମେଲ୍’ କଥାଟି ଉଠାଇଛନ୍ତି ଖୋଦ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡିର ବିଧାୟକ ଓ ମନ୍ତ୍ରୀ । ସେମାନଙ୍କ କହିବା କଥା ଯେ, ତାଙ୍କ ଦଳର ବିଧାୟକ ସୌମ୍ୟ ପଟ୍ଟନାୟକ ବାରମ୍ବାର ନିଜ ସମ୍ପାଦକୀୟ ଲେଖନୀ ମାଧ୍ୟମରେ ‘ବ୍ଲାକମେଲ୍’ କରୁଛନ୍ତି ।

୨୩ ବର୍ଷର ନିରବଛିନ୍ନ ଶାସନ କ୍ଷମତାରେ ଥିବା ବିଜେଡିରେ ୫ ବର୍ଷ ତଳେ ଦଳରେ ଯୋଗଦେଇ ବିଧାୟକ ହୋଇଥିବା ସୌମ୍ୟ ପଟ୍ଟନାୟକ ଏମିତି କି ଦୋଷ, ଦୁର୍ବଳତାର ଅସ୍ତ୍ର ପାଇଗଲେ ଯେ ବ୍ଲାମେଟ କରୁଛନ୍ତି ବୋଲି ମନ୍ତ୍ରୀ ବିଧାୟକ ଲଗାତର ଜଣକ ପରେ ଜଣେ ଆସି ଗଣମାଧ୍ୟମରେ କହୁଛନ୍ତି?

Advertisment

ସୌମ୍ୟବାବୁ ଗତ କିଛିବର୍ଷ ଧରି ଆମ ଘର ହାଲଚାଲ ସମ୍ପାଦକୀୟ ମାଧ୍ୟମରେ ଶାସକ ଦଳରେ ଥାଇ ସୁଦ୍ଧା ସରକାର ଓ ବ୍ୟବସ୍ଥାକୁ ସମାଲୋଚନା କରି ଆସୁଛନ୍ତି । ୧ ନଭେମ୍ବର ୨୦୨୧ରେ ‘ବୃତ୍ତି, ପାର୍ଟି ଓ ମାଟି’ ଲେଖାଟି ଚାରିଆଡେ ଆଲୋଡନ ସୃଷ୍ଟି କରିଥିଲା ।

ଆଉ ବିଶେଷ କଥାଟି ହେଉଛି, ଏନେଇ ଶାସକ ଦଳର କୌଣସି ପ୍ରତିକ୍ରିୟା ଆସିବା ଆଗରୁ ଦିନକ ପରେ ଏହାର ତୀବ୍ର ସମାଲୋଚନା ଅନ୍ୟ ଏକ ଦୈନିକ ଖବରକାଗଜରେ ‘ମୁଖା ତଳର ମୁହଁ- ପାଟି,ପାର୍ଟି ପଛ, ବ୍ୟକ୍ତିଗତ ସ୍ୱାର୍ଥ ଆଗ’ ପ୍ରକାଶ ପାଇଥିଲା; ଲେଖକଙ୍କ ନାମ କିନ୍ତୁ ନଥିଲା । ତେବେ ସେତେବେଳେ ଦଳ ଏହି ‘ବ୍ଲାକମେଲ୍’ କଥା କିନ୍ତୁ ଉଠାଇନଥିଲା ।

ବେଳେ ବେଳେ ସୌମ୍ୟ ପଟ୍ଟନାୟକ ସାମାଜିକ, ରାଜନୈତିକ, ସରକାରୀ ବିଧି ବ୍ୟବସ୍ଥାକୁ ନେଇ ଏଭଳି କିଛି ସମ୍ପାଦକୀୟ ଉପସ୍ଥାପନ କରିଥାନ୍ତି ଯାହା ଆଲୋଡନ ସୃଷ୍ଟି କରେ । ୧୮ ଅଗଷ୍ଟ ନିଜ ଜନ୍ମଦିନ ଅବସରରେ ସେ ‘ଜନ୍ମଦିନର ଅନୁଚିନ୍ତା’ ଶୀର୍ଷକରେ ଏକ ସମ୍ପାଦକୀୟ ଲେଖିଥିଲେ ।

ଏଥିରେ ସେ ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ କରିବା ଏବଂ ତାଙ୍କ ସଭା ସମିତି ସବୁ ନେତା, ମନ୍ତ୍ରୀ, ବିଧାୟକ ଆୟୋଜନ କରିବା ନେଇ ପ୍ରଶ୍ନ ଉଠାଇଲେ ଯେ, ‘ମନ୍ତ୍ରୀ ବଡ ନା ସଚିବ ବଡ?’ ଲୋକଙ୍କ ଅଭିଯୋଗ ଗ୍ରହଣକରିବାକୁ ଜିଲ୍ଲାପାଳସ୍ତରରେ ବ୍ୟବସ୍ଥା ଥିବା ସତ୍ୱେ ସଚିବଙ୍କ ଗସ୍ତରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି କାହିଁକି? ରାଜା ମହାରାଜାମାନଙ୍କ ସମୟରେ ଅନ୍ଧାରି ବିଜେ ହେଉଥିଲା, ଏବେ ସ୍ପଷ୍ଟ ଦିବାଲୋକରେ ମହାଆଡମ୍ବରେ କିଛି ଲୋକଙ୍କୁ ବିଜ୍ଞପିତ କରିବା ପଛରେ କି ଉଦେ୍ଦଶ୍ୟ ଅଛି? ଏହାର ୧୦ ଦିନ ପରେ ଶ୍ରୀ ପଟ୍ଟନାୟକଙ୍କ ପୁଣି ଏକ ସମ୍ପାଦକୀୟ ‘ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା’ ରାଜନୈତିକ ଝଡ ସୃଷ୍ଟି କଲା ।

ଏଥିରେ ପୁଣି ସଚିବଙ୍କ କଥା ଉଲ୍ଲେଖ କରି ସେ ଦର୍ଶାଇଲେ ଯେ, ଇସ୍ରୋର ଚନ୍ଦ୍ର ଅଭିଯାନକୁ ସମଗ୍ର ଦେଶ ଗୁରୁତ୍ୱ ଦେଉଥିବାବେଳେ ଆମେ ସଚିବଙ୍କ ଜିଲ୍ଲାଗସ୍ତକୁ ଅଧିକ ଗୁରୁତ୍ୱ ଦେଉଛୁ । ଚନ୍ଦ୍ରାୟନ ପାଇଁ ମାତ୍ର ୬ ଶହ କୋଟି ଖର୍ଚ୍ଚ ହୋଇଥିବାବେଳେ ସଚିବ ୩୦ଟି ଜିଲ୍ଲା ଗସ୍ତ ସରିବା ବେଳକୁ ସେତିକି ଖର୍ଚ୍ଚ ହୋଇସାରିଥିବ ବୋଲି ଅଭିଯୋଗ ହୁଏ ।

ଶ୍ରୀ ପଟ୍ଟନାୟକଙ୍କ ଏହି ସମ୍ପାଦକୀୟ ପ୍ରକାଶ ପାଇବର ପ୍ରାୟ ୧୫ ଦିନ ପରେ ଶାସକ ଦଳର ବିଧାୟକ, ମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବ୍ଲାକମେଲ ଅଭିଯୋଗ ଆଣିଛନ୍ତି । ସଚିବଙ୍କ ସପକ୍ଷରେ ବାହାରି ବିଜେଡି ବିଧାୟକ ଅରୁଣ ସାହୁ କହିଲେ, ସୌମ୍ୟବାବୁ ବିଚଳିତ ଅଛନ୍ତି; ଲେଖାରେ ତାଙ୍କର ଅସ୍ଥିରତାର ଲକ୍ଷଣ ଦେଖାଯାଉଛି । ଦଳକୁ ସେ ବ୍ଲାକମେଲିଂ କରୁଛନ୍ତି ।

ମନ୍ତ୍ରୀ ପଦ ପାଇବାର ଲାଳସା ତାଙ୍କର ଭାଙ୍ଗିଗଲା ପରେ ହତାସରେ ଏଭଳି କରୁଛନ୍ତି । ସୌମ୍ୟ ପଟ୍ଟନାୟକ ବିଧାୟକ ହେବାର ୪ ବର୍ଷ ୪ ମାସ ମଧ୍ୟରେ ଖଣ୍ଡପଡାବାସୀଙ୍କ ପାଇଁ କେତେ ସେବା କରିଛନ୍ତି? ଅରୁଣଙ୍କ କହିବାର ଦିନକ ପରେ ମନ୍ତ୍ରୀ ଅତାନୁ ସବ୍ୟସାଚୀ ନାୟକ ସମାନ କଥା ଦୋହରାଇ କହିଲେ ସୌମ୍ୟବାବୁ ବ୍ଲାକମେଲିଂକୁ ଏକ ଆୟୁଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ତାଙ୍କ ଦଫତର ସାରା ରାଜ୍ୟକୁ ଯାଇ ଲୋକଙ୍କ ଅଭିଯୋଗ ଆଣିଲା, ଆଉ ସେ ଅଭିଯୋଗ ଶୁଣାଣି ସଭା ଧରିନେଲା; ଏଥିରେ ଭୁଲ କଣ ରହିଲା ବୋଲି ମନ୍ତ୍ରୀ ଶ୍ରୀ ନାୟକ ଓଲଟା ପ୍ରଶ୍ନ କଲେ ।

ପୁଣି ଏହାର ଦିନକ ପରେ ସୌମ୍ୟ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ବୟାନ ସାମ୍ନାକୁ ଆସିଲା । ଶ୍ରୀ ଦେବ କହିଲେ, ଦଳ ଭିତରେ ରହି ଦଳ ଅନୁଶାସନ ଭଙ୍ଗ କରି ସମ୍ପାଦକୀୟ ଆଳରେ ନିଜ ଦଳ, ନେତା ଓ ନୀତିକୁ ସମାଲୋଚନା କରିବେ ତାକୁ ବ୍ଲାକମେଲିଂ କୁହାଯିବ । ମନ୍ତ୍ରୀ ଶ୍ରୀ ଦେବ କହିଲେ, ସୌମ୍ୟବାବୁ ବିଜୁ ଜନତା ଦଳର ବିଧାୟକ । ଦଳ ଭିତରେ ଅଛନ୍ତି ଏବଂ ଜଣେ ନିର୍ଦ୍ଧିଷ୍ଟ ନେତାଙ୍କୁ ସେ ମାନିଛନ୍ତି ।

ଦଳ ଭିତରେ ରହି ତାଙ୍କ ସମ୍ପାଦକୀୟରେ ବାରମ୍ବାର ଯେଉଁ ଲେଖା, ମନ୍ତବ୍ୟ ବା ଟିପ୍ପଣୀ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ମୁଖ୍ୟମନ୍ତ୍ରୀଙ୍କର ଦଫତର ଲୋକଙ୍କ ପାଖକୁ ଯାଉଛି, କୌଣସି ନିଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଯାଉନାହାନ୍ତି । ଏହି କଥାକୁ ଆକ୍ରୋଶମୂଳକଭାବେ ଇଙ୍ଗିତ କରିବା ସମ୍ପୂର୍ଣ୍ଣ ଭୁଲ । ଦଳ ଭିତରେ ରହି, ଦଳୀୟ ପ୍ଲାଟଫର୍ମରେ ନକହି ଏକପାଖିଆଭାବେ ସବୁକଥା ସମାଲୋଚନା କଲେ ଏହାକୁ ବ୍ଲାକମେଲ ବୋଲି କୁହାଯିବ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଲେ ।

ତେବେ ପ୍ରଶ୍ନ ଉଠୁଛି ଏ ‘ବ୍ଲାକମେଲ’ର ଆଧାର କଣ? ସୌମ୍ୟଙ୍କ ପାଖରେ ଏଳି କି ‘ରାଜ୍’ ରହିଛି ଯେ ସେ ‘ବ୍ଲାକମେଲ’ କରୁଛନ୍ତି?

୨୩ ବର୍ଷର ବିଜେଡି ସରକାର ସବୁବେଳେ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଶାସନ ବିଷୟରେ କହି ଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ, ଗମନାଗମନ, ମହିଳା ସଶକ୍ତିକରଣ ଏଭଳି କି ଜନ୍ମଠାରୁ ଜୁଇ ଯାଏଁ ସବୁ ପ୍ରକାର ଯୋଜନା ରାଜ୍ୟ ସରକାର ଖଞ୍ଜି ଦେଇଥିବା କୁହାଯାଉଛି । ସବୁ କ୍ଷେତ୍ରରେ ‘ବିଶ୍ୱସ୍ତରୀୟ’ ବ୍ୟବସ୍ଥା ଯୋଗାଇଦେଇଥିବା ପ୍ରଚାର ହେଉଛି ।

ଦଳ ଭିତରେ ରହି ଏଭଳି ସମାଲୋଚନା ଓ ଗଣମାଧ୍ୟମରେ ମନ୍ତବ୍ୟ ଦେବା ନେଇ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମଙ୍ଗଳବାର ତାଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛିl ଏହି କାର୍ଯ୍ୟାନୁଷ୍ଠାନକୁ ଏକ 'ଚେତାବନୀ' ଭାବରେ ଦର୍ଶାଇ ଦଳର ନେତା ଲେନିନ ମହାନ୍ତି କହିଛନ୍ତି – “ମତେ ଲାଗୁଛି ତାଙ୍କ ଉପରେ ଏତେ ବେଶୀ ଦଣ୍ଡ ବିଧାନ କିଛି ହୋଇ ନାହିଁ। ସେ ନିଜକୁ ସଳାଖେଇ ଦିଅନ୍ତୁ, ନହେଲେ ଯାହା ହବା କଥା ହେବ।” ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ଦେବା ବେଳେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ମଧ୍ୟ ବ୍ଲାକ୍‌ମେଲ୍‌ ବିଷୟରେ କହିବାକୁ ଭୁଲି ନଥିଲେl ନିଜ ରାଜନୈତିକ ଚରିତାର୍ଥ ପାଇଁ ସେ ବ୍ଲାକ୍‌ମେଲ୍‌ କରିଥିବା କହିଥିଲେ।

ଏଠାରେ ସୂଚନାଥାଉକି ୨୦୧୯ ସାଧାରଣ ନିର୍ବାଚନ ବର୍ଷେ ପୂର୍ବରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରେ ଯୋଗ ଦେଇଥିଲେ। ଦଳରେ ମିଶିବା ତୁରନ୍ତ ପରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲାl ଏହାପରେ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ୍‌ରେ ସେ ଖଣ୍ଡପଡ଼ାରୁ ବିଧାୟକ ଭାବେ ବିଜୟ ଲାଭକଲେ। ତେବେ ସେ ବିଜେଡିରେ ଯୋଗଦେବା ବେଳେ କୌଣସି 'ଡିଲ୍‌' ହୋଇଥିଲା କି? କାରଣ ଏହା ପୂର୍ବରୁ ରାଜ୍ୟର ଦୁଇଟି ବଡ଼ ବଡ଼ ଆନ୍ଦୋଳନର ସେ ନେତୃତ୍ୱ ନେଉଥିଲେ - ଚିଟ୍‌ଫଣ୍ଡ୍‌ ଏବଂ କୃଷକ ଆନ୍ଦୋଳନl ବିଜେଡିରେ ତାଙ୍କ ଯୋଗଦେବାକୁ ନେଇ ଏହି ଦୁଇ ଆନ୍ଦୋଳନକାରୀମାନଙ୍କ ସମେତ ଅନେକଙ୍କୁ ଚକିତ କରିଥିଲାl ଆଉ ଏବେ ଦଳର ନେତା, ମନ୍ତ୍ରୀ, ବିଧାୟକ 'ବ୍ଲାକ୍‌ମେଲ୍‌' ଅଭିଯୋଗ ଆଣୁଛନ୍ତି।

ଏସବୁ ସତ୍ୱେ ଏଭଳି କି ‘ଦୋଷ, ଦୁର୍ବଳତା’ ରହିଛି ଯେ ଯାହାକୁ ସୌମ୍ୟ ପଟ୍ଟନାୟକ ଆୟୁଧ କରିଛନ୍ତି । ଆଉ ଏକଥା ଦଳର ମନ୍ତ୍ରୀ, ବିଧାୟକ ଜଣ ଜଣ କରି ଦିନକ ପରେ ଦିନେ ସାମ୍ନାକୁ ଆସି ଅଭିଯୋଗ କରୁଛନ୍ତି?

'ବ୍ଲାକମେଲ' ଏକ ସାଧାରଣ କଥା ନୁହେଁ, ଆଇନ ବ୍ୟବସ୍ଥାରେ 'ବ୍ଲାକମେଲ' ଏକ ଜଘନ୍ୟ ଅପରାଧ ଭାବରେ ବିବେଚନା କରାଯାଏ l ତେବେ ଗତ ବର୍ଷ ‘ଲେଡି ବ୍ଲାକମେଲର’ ଘଟଣା ରାଜ୍ୟବ୍ୟାପୀ ଝଡ ସୃଷ୍ଟି କରିଥିବାବେଳେ ଏବେ ସୌମ୍ୟଙ୍କ ‘ବ୍ଲାକମେଲ’ ପ୍ରସଙ୍ଗ ରାଜନୀତିରେ କମ୍ପନ କଲାଣି । ଆଗକୁ ଏହା କି ରୂପ ନେଉଛି ଦେଖାଯାଉ..

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Soumya Ranjan Patnaik Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ