ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଦିନ ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରୁଥିଲେ, ଆଉ ଏଥିପାଇଁ ସମଗ୍ର ଓଡ଼ିଶାରେ ଏକ ଅଦିନିଆ ଆଧ୍ୟାତ୍ମିକ ମହାମହୋତ୍ସବର ମାହୋଲ ସୃଷ୍ଟି କରିଥିଲେ, ଠିକ ସେହିଦିନ ଏହି ରାଜ୍ୟର ଭୌଗୋଳିକ ସ୍ଥିତିରେ ଅବସ୍ଥିତ ବାଣୁଆଗୁଡା ଗାଁ କାନ୍ଦ ବୋବାଳିରେ ଫାଟିପଡୁଥିଲା! ଏହି ଗାଁଟି ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ଭଜନ କୀର୍ତ୍ତନ, ଗୁଆ, ଚାଉଳ ଅର୍ପଣ ମହୋତ୍ସବରେ ସାମିଲ ହେବାର ସାହସ ଜୁଟାଇ ପାରି ନଥିଲା!
ଦି'ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଗାଁର ଭେଣ୍ଡିଆ ପୁଅର ମୃତ ଦେହକୁ ସେଦିନ ଆମ୍ବୁଲାନ୍ସ ଆଣି ଗାଁ ଦାଣ୍ଡରେ ପହଞ୍ଚିଥିଲା। ଏକ ଦୁଃଖ ଓ ଶୋକାକୁଳ ପରିବେଶର ସାମ୍ନା କରୁଥିଲା ବାଣୁଆଗୁଡ଼ା। ସେହି ପ୍ରକଳ୍ପ ଉଦ୍ଘାଟନ ଦିନ ଯେତେବେଳେ ଶ୍ରୀକ୍ଷେତ୍ରରେ ଝିପି ଝିପି ବର୍ଷା ହେବାକୁ ‘ଇନ୍ଦ୍ରଦେବଙ୍କ ଆଶୀର୍ବାଦ' ଭାବି ଖୁସି ଓ ଭାବବିହ୍ୱଳ ସ୍ଥିତି ସୃଷ୍ଟି ହୋଇଥିଲା, ସେତିକିବେଳେ ମଣ୍ଡିରେ ଧାନ ଥୋଇ ଥିବା ଚାଷୀ ମନରେ ଭରିଯାଇଥିଲା ଛନକା। କାଳେ ବର୍ଷା ଧୋଇନବ କି ବର୍ଷକର ମେହେନତ?
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅଧୀନରେ ଥିବା ବାଣୁଆଗୁଡାରେ ସେଦିନ ସକାଳୁ ସକାଳୁ ୨୬ ବର୍ଷ ବୟସର ଗାଁର ଭେଣ୍ଡିଆ ପୁଅ ଉଦ୍ଧବ ମାଝିଙ୍କ ମୃତ ଦେହ ଆସି ପହଞ୍ଚିଥିଲା। ଗାଁ ଦାଣ୍ଡରେ ଆମ୍ବୁଲାନ୍ସ ଦେଖି ଘଟଣା ବିଷୟରେ ଜାଣି ସଭିଏଁ ଥିଲେ ନିର୍ବାକ! ପରିବାରର ବୋଝ ଉଠାଇବାକୁ ଉଦ୍ଧବ ଦୁଇ ମାସ ତଳେ ବାହାରିଥିଲେ ହାଇଦ୍ରାବାଦ। ସେଠାରେ ଏକ ନିର୍ମାଣଧୀନ କୋଠାରେ ରାତିରେ ତିନି ମହଲାରୁ ଖସି ପଡି ଉଦ୍ଧବଙ୍କ ଜୀବନ ଚାଲିଯାଇଥିଲା।
ଉଦ୍ଧବଙ୍କ ମୃତ୍ୟୁ ଯେମିତି ସେ ପରିବାର ଉପରେ ଦୁଃଖ ଦୁର୍ଦ୍ଦଶାର ବଜ୍ର ପକାଇଦେଲା। ପୁଅର ମୃତ ଦେହକୁ ଧରି ଚିତ୍କାର ଛାଡୁଥିଲେ ମା’। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ। ମାଆ ଆଖିରୁ ଲୁହ ପୋଛିବା ପାଇଁ, ସେ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ପାଇଁ କେହି ନ ଥିଲେ। ଅବଶ୍ୟ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ବା ଅଙ୍ଗ ହରାଇ ଗାଁକୁ ଫେରିବା ଘଟଣା ଏହି ଅଞ୍ଚଳ ପାଇଁ କିଛି ନୂଆ କଥା ନୁହେଁ!
Also Read
ଏ ହେଉଛି ସେହି ଅଞ୍ଚଳ ଯେଉଁଠି ଏପ୍ରିଲ ୨୦୨୧ ବେଳକୁ ମହାମାରୀ କରୋନା ପାଇଁ ଆନ୍ତଃରାଜ୍ୟ ଗାଡି ଚଳାଚଳ ବନ୍ଦ ଘୋଷଣା ହୋଇଥିବାବେଳେ ପ୍ରବାସୀ ଶ୍ରମିକଙ୍କୁ ନେବାକୁ ଏଠାରେ ଆନ୍ଧ୍ର, ତେଲେଙ୍ଗାନାରୁ ବଡ ବଡ ବସ୍ ଆସି ଲାଗିଥିଲା। କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଆଦି ଓଡ଼ିଶାର ଅନେକ ଜିଲ୍ଲାର ଗାଁଗୁଡିକରୁ ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟରେ ଦାଦନ ଶ୍ରମିକଭାବେ କାମ କରନ୍ତି। ଆଉ କେତେ ଯେ ଜୀବନ ହରାଇଛନ୍ତି, ଏଭଳି ଅନେକଙ୍କ ମୃତ ଦେହ ମଧ୍ୟ ପରିବାର ଲୋକେ ପାଇପାରନ୍ତି ନାହିଁ। ବର୍ଷ ବର୍ଷ ଧରି ଏଭଳି ସ୍ଥିତି ଲାଗି ରହିଛି।
ତେବେ ବିଡମ୍ବନାର ବିଷୟ ହେଉଛି, ଦୀର୍ଘ ୨୪ବର୍ଷ ଧରି ରାଜ୍ୟରେ ଏକ ସ୍ଥିର ସରକାର କ୍ଷମତାରେ ଅଛନ୍ତି, ଦାଦନର ଦୁଃଖ ଓ ଦୁର୍ଦ୍ଦଶା ପ୍ରାୟ ପ୍ରତ୍ୟେକ ଦିନ ଟିଭି ଖବରକାଗଜରେ ପ୍ରକାଶ ପାଉଛି। ବିଧାନସଭାରେ, ରାଜନୈତିକ ଓ ସାମାଜିକ ଫୋରମ୍ରେ ଏହି ଘଟଣା ଉଠୁଛି, କିନ୍ତୁ ସ୍ଥିତିରେ ପରିବର୍ତ୍ତନ ଆସନାହିଁ।
୧୭ ଜାନୁଆରୀ ୨୦୨୪ ବୁଧବାର, ସେଦିନ ରଥଯାତ୍ରା ନ ଥିଲା କି ହିନ୍ଦୁ କ୍ୟାଲେଣ୍ଡରରେ ସେଭଳି କୌଣସି ବଡ଼ଧରଣର ଉତ୍ସବ କି ପର୍ବପର୍ବାଣି ବି ନ ଥିଲା। ତଥାପି ସମଗ୍ର ଓଡ଼ିଶାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଭଳି ପରିବେଶ ସୃଷ୍ଟି ହୋଇଥିଲା। ସର୍ବତ୍ର ଲୋକଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ଉତ୍ସବ, ଉନ୍ମାଦନାର ଉତ୍ସାହ ଖେଳିଯାଇଥିଲା। ସରକାରୀ ଛୁଟି ଘୋଷଣା ମଧ୍ୟ ହେଲା। ସରକାର ଶ୍ରୀଜଗନ୍ନାଥଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଥିବା ଶ୍ରଦ୍ଧା ଓ ଭକ୍ତି ଭାବକୁ ଜଗାଇବାର ଯଥାସମ୍ଭବ ଉଦ୍ୟମ କରିଥିଲେ। କାରଣ ସେଦିନ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଡ୍ରିମ୍ ପ୍ରୋଜେକ୍ଟ କୁହାଯାଉଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଥିଲା ଉଦ୍ଘାଟନୀ ଉତ୍ସବ।
ଆଗକୁ ନିର୍ବାଚନ ଥିବାରୁ ଏବଂ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ‘କାଉଣ୍ଟର ଆଟାକ୍’ ବିଜେଡି ସରକାର ଯଥାସମ୍ଭବ ଉଦ୍ୟମ କରିଥିବା କୁହାଯାଏ। ଏଥିପାଇଁ ଚାରିଆଡେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ପ୍ରକଳ୍ପ ଉଦ୍ଘାଟନ ଉତ୍ସବର ବଡ଼ ବଡ଼ ହୋର୍ଡିଂ, ସପ୍ତାହେ ଧରି ପ୍ରମୁଖ ଟିଭି ଖବରକାଗଜରେ ବିଜ୍ଞାପନ, ଗାଁ ଗାଁରେ ‘ଅର୍ପଣ ରଥ' ଆଦି ସବୁ ପ୍ରକାର ପ୍ରଚାର ପ୍ରସାର ବ୍ୟବସ୍ଥା କରାଗଲା। ଆଉ ଏଥିପାଇଁ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଲା।
ସେପଟେ ଘଣ୍ଟା-ଘଣ୍ଟି, ଭଜନ-କୀର୍ତ୍ତନ କରି ନେତାମାନେ ଘର ଘର ‘ଅର୍ପଣ ରଥ' ବୁଲାଇ ଲୋକଙ୍କଠାରୁ ଗୁଆ, ଚାଉଳ, ଟଙ୍କା ଆଦି ସଂଗ୍ରହ କଲେ। କୁହାଗଲା, ଏସବୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ଶ୍ରୀକ୍ଷେତ୍ର ଯିବ। ହେଲେ ବିରୋଧିଙ୍କ ହୋହଲ୍ଲା ପରେ ବିଳମ୍ବରେ ଶ୍ରଦ୍ଧାଳୁ ଓ ଭକ୍ତ ଦେଇଥିବା ସାମଗ୍ରୀ ସବୁ ପୁରୀ ଆସିବା ଆରମ୍ଭ ହୋଇଛି!
ତା’ହେଲେ ରଥ ବୁଲାଇ ଏସବୁ ମଗାଯାଉଥିଲା କାହିଁକି? ମହାପ୍ରଭୁଙ୍କ ମହାସେବକ ଗଜପତି ମହାରାଜ କହିଲେ ଏହା ମନ୍ଦିରର ନିଷ୍ପତ୍ତି ନୁହେଁ, ସରକାରଙ୍କ ନିଷ୍ପତ୍ତି। ଏହା ସରକାରୀ ପ୍ରଚାର...!
ଏଭଳି କି ରଥ ବୁଲିବା ପରେ, ବାଲି ଗୋଡି ବୁହାହେବା ଭଳି ଜଗନ୍ନାଥଙ୍କ ମୂର୍ତ୍ତି ସବୁକୁ ଦୁଇ ତିନୋଟି ଟ୍ରାକ୍ଟରରେ ନଦୀ ଗର୍ଭରେ ବିସର୍ଜନ ହେବା ଦେଖାଦେଲା। ଏସବୁ ମୂର୍ତ୍ତିଙ୍କୁ ବାଲେଶ୍ୱର ତାଳସାରୀ ମହୋଦଧୀରେ ବିସର୍ଜନ କରାଯିବା ଦୃଶ୍ୟ ସାମ୍ନାକୁ ଆସିଲା। ରଥରେ ଭଙ୍ଗା ଫଟୋ, ଜଗନ୍ନାଥଙ୍କୁ ଧରି ଘର ଘର ବୁଲି ଭିକ୍ଷା ମାଗିବା, ସରକାରୀ ଛୁଟି କରି ମଦ ଦୋକାନ ଖୋଲା ରଖିବା, ଭକ୍ତଙ୍କ ଅର୍ପଣ ସାମଗ୍ରୀ କାର୍ଯ୍ୟକ୍ରମରେ ନ ଲାଗିବା ଆଦି ସମସ୍ତ ଘଟଣାରେ ସରକାର ବିବାଦ ଘେରକୁ ଆସିଲା ଏବଂ ଓଡ଼ିଶାର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଅସନ୍ତୋଷ ଓ ଶକ୍ତାଘାତ ପହଞ୍ଚାଇଲା। ତା’ହେଲେ ସରକାର ଏଭଳି ନିଷ୍ପତ୍ତି ନେଉଥିଲେ କାହିଁକି? ଏଥିପାଇଁ କେତେ ଟଙ୍କା ସରକାର ଖର୍ଚ୍ଚ କଲେ?
କଂଗ୍ରେସ ନେତା ସୁଦର୍ଶନ ଦାସ ସାମ୍ବାଦିକ ସମ୍ମିଳନୀ କରି କହିଲେ, ରାଜ୍ୟ ସରକାର ଏହି ଅର୍ପଣ ରଥ ଓ ଭୋଜିଭାତ ପାଇଁ ପ୍ରତି ପଞ୍ଚାୟତକୁ ୨ଲକ୍ଷ ଏବଂ ବ୍ଲକ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ। ରାଜ୍ୟରେ ଥିବା ୬୭୯୪ ପଞ୍ଚାୟତ ଓ ୩୧୪ଟି ବ୍ଲକ୍ ପାଇଁ ୧୫୧ କୋଟି ୫୮ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି।
ଅନୁରୂପ ଭାବରେ ରାଜ୍ୟର ୪୮ଟି ମ୍ୟୁନି୍ସିପାଲ୍ଟିର ୯୬୭ଟି ୱାର୍ଡ ପାଇଁ ୧୯.୩୪ କୋଟି ଟଙ୍କା ଦିଆଯାଇଛି। ୬୭ଟି ଏନ୍ଏସିର ୱାର୍ଡ ପିଛା ୧ଲକ୍ଷ ଓ କର୍ପୋରେସନ୍ର ୱାର୍ଡ ପିଛା ୫ଲକ୍ଷ ଲେଖାଏଁ ଟଙ୍କା ସରକାର ଦେଇଛନ୍ତି। କେବଳ ସେତିକି ନୁହେଁ, ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ କୋଟି କୋଟି ଟଙ୍କା ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି। ସରକାର ଖାଲି ପ୍ରଚାର ପାଇଁ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।
କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା, ସରକାରକୁ କିନ୍ତୁ ମିଳିଲା ନିନ୍ଦା-ଅପବାଦ। ବର୍ଷ ବର୍ଷ ଧରି ରାଜ୍ୟରେ ଦେଖାଯାଉଥିବା ଦାଦନ ସମସ୍ୟା, ଚାଷୀ, ମଣ୍ଡି ଓ ଶୀତଳଭଣ୍ଡାର ସମସ୍ୟାର ସମାଧାନ କ୍ଷେତ୍ରରେ ଯଦି ଏହି ଟଙ୍କା ବିନିଯୋଗ ହୋଇଥାନ୍ତା ହୁଏତ ଅନେକ କିଛି ପରିବର୍ତ୍ତନ ହୋଇଥାନ୍ତା ବୋଲି ଆଶା କରାଯାଏ।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)