୭୭ତମ ସ୍ୱାଧୀନତା ଦିବସ ଅବସରରେ ଉତ୍ସବମୁଖର ହୋଇ ଉଠିବ ସମଗ୍ର ଦେଶ। ୧୪୦ କୋଟି ଦେଶବାସୀଙ୍କ ମଧ୍ୟରେ ଖେଳିଯିବ ଆନନ୍ଦ ଓ ଉତ୍ସାହ। କିନ୍ତୁ ତାରି ଭିତରେ ଜୀବନକୁ ବାଜି ଲଗାଇ ଏ ଦେଶ ପାଇଁ ଲଢ଼ିଥିବା କିଛି ବୀର ସୈନିକ ଓ ସେମାନଙ୍କ ପରିବାର ପାଇଁ ହୁଏତ ଆନନ୍ଦ ଅନୁଭବ ଆଣିନପାରେ କାଲିର ଦିନ। କାରଣ ସୈନିକ ହୋଇ ବି ସେମାନେ ବର୍ଷ ବର୍ଷ ଧରି ଉପେକ୍ଷିତ, ଅବହେଳିତ।
୧୯୬୨ରେ ଭାରତ-ଚୀନ, ୧୯୬୫ରେ ଭାରତ-ପାକିସ୍ତାନ। ଦୁଇ ପାରମ୍ପରିକ ଶତ୍ରୁ ଦେଶ ସହ ଘମାଘୋଟ ଲଢ଼େଇ ବେଳେ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲ ସେ । ଆଉ ତା ପରଠୁ ନିଖୋଜ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କଲ୍ୟାଣୀ ଗାଁର ଆନନ୍ଦ ପତ୍ରୀ । କୁହାଯାଉଛି ୬୦ ଦଶକରୁ ଆଜି ଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି ଭାରତ ମାଆର ଏହି ସାହସୀ ସନ୍ତାନ।
Also Read
ଭାରତ-ପାକ୍ ଯୁଦ୍ଧ ପରେ ଆନନ୍ଦ ନିଖୋଜ ହୋଇଥିବା ନେଇ ୧୯୬୫ରେ ତାଙ୍କ ପରିବାରକୁ ଏକ ଚିଠି ଆସିଥିଲା। ସେବେଠୁ ଆଶା ଆଶଙ୍କାରେ ଦିନ କାଟୁଥିବା ତାଙ୍କ ପରିବାର ଲୋକଙ୍କ ମୁହଁରେ କିନ୍ତୁ କିଞ୍ଚିତ ହସ ଫୁଟାଇଥିଲା ୨୦୦୩ର ଏକ ଖବର। ଯେଉଁଥିରେ ନସୀମ ଗୋପାଳ ନାଁରେ ଜଣେ ବ୍ୟକ୍ତି ପାକିସ୍ତାନ ଜେଲରେ ବନ୍ଦୀ ଥିବା ଉଲ୍ଲେଖ ଥିଲା। ତେବେ ସେହି ନସୀମ ଗୋପାଳ ହିଁ ଆନନ୍ଦ ପତ୍ରୀ ବୋଲି ଚିହ୍ନଟ କରିଥିଲେ ତାଙ୍କ ପରିବାର ଲୋକେ।
ସେବେଠୁ ଆଜି ପର୍ଯ୍ୟନ୍ତ ଆନନ୍ଦଙ୍କ ମୁକ୍ତି ପାଇଁ ଅହରହ ସଂଗ୍ରାମ କରି ଆସୁଛନ୍ତି ପୁଅ ଓ ନାତି। ଆନନ୍ଦଙ୍କ ପରିବାର ଜିଲ୍ଲାପାଳଙ୍କଠାରୁ ରାଷ୍ଟ୍ରପତିଙ୍କ ଯାଏଁ ଗୁହାରି କରି ଆସୁଛନ୍ତି ତାଙ୍କୁ ମୁକୁଳାଇ ଆଣିବାକୁ। କିନ୍ତୁ ତାଙ୍କ ପରିବାରର ସେ ଉଦବେଗ ଓ ଭାବାବେଗକୁ ପ୍ରଶମିତ ପାଇଁ କେବଳ ପ୍ରତିଶ୍ରୁତି ହିଁ ମିଳି ଆସୁଛି। ଆନନ୍ଦଙ୍କ ପୁଅ, ବାପାଙ୍କ ମୁକ୍ତି ପାଇଁ ପାକିସ୍ତାନର ମାନବାଧିକାର ମନ୍ତ୍ରୀଙ୍କୁ ମଧ୍ୟ ଭେଟି ନିବେଦନ କରିବା ସତ୍ତ୍ୱେ ଏଯାଏଁ ଫେରି ନାହାନ୍ତି ଆନନ୍ଦ କି ଅନ୍ତ ହୋଇନି ସେମାନଙ୍କ ଅପେକ୍ଷା ।
୧୯୭୧ ଭାରତ-ପାକ ଯୁଦ୍ଧରେ ଶତ୍ରୁମାଟିରେ ବିଜୟ ପତାକା ଉଡ଼ାଇଥିବା ଇଏ ଆଉ ଜଣେ ୱାର ଭେଟେରାନ୍ ଟଙ୍କଧର ବିଷୋୟୀ । ଟଙ୍କଧର ୧୯୮୨ରୁ ସେନାରୁ ଅବସର ନେଲେଣି। କିନ୍ତୁ ଆଜି ବି ତାଙ୍କ ଭିତରେ ଜଣେ ଯବାନର ସାହସ ଓ ଶକ୍ତି ଥିବା ଭଳି ସେ ଅନୁଭବ କରନ୍ତି । ପାକିସ୍ତାନ ମାଟିରେ ପଶି ଶତ୍ରୁସେନାକୁ କିଭଳି ପରାଜିତ କରି ବୀରଦର୍ପରେ ଫେରିଥିଲେ, ସେ କଥାକୁ ଆଜି ବି ଭୁଲି ନାହାନ୍ତି ।
ତେବେ ସେଦିନର ସେ ବୀରତ୍ୱ ଓ ସାହସିକତା ପାଇଁ ଦିନେ ପୁରସ୍କାର ସ୍ୱରୂପ ତାଙ୍କୁ ମିଳିବାକୁ ଥିବା ନାଯ୍ୟ ହକ୍ ଆଜିଯାଏଁ ମିଳିନଥିବାରୁ ତାକୁ ନେଇ ମନରେ ଅନେକ ଦୁଃଖ, ଅନୁଶୋଚନା । ସରକାର ତାଙ୍କୁ ସେତେବେଳେ ୫ ଏକର ଜମି ଦେବାକୁ ଘୋଷଣା କରିଥିଲେ । ପରେ ଜମି ବଦଳରେ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ବି ମିଳିଥିଲା । କିନ୍ତୁ ସେ ଘୋଷଣା କେବଳ ପ୍ରତିଶ୍ରୁତିରେ ରହି ଯାଇଛି ।
ଦେଶପାଇଁ ଲଢ଼େଇ କରି ଦେଶବାସୀଙ୍କ ଗୌରବ ପାଲଟିଥିବା ଏଭଳି ବୀର ଓ ସେମାନଙ୍କ ପରିବାରର ଦୁଃଖ କେବେ ଦୂର ହେବ, ତାକୁ ହିଁ ଅପେକ୍ଷା ।