ଆଷାଢରେ ବୈଶାଖର ତାତି, ବଲାଙ୍ଗିରରେ ଗଜା ମରୁଡି !!

ଗତ ମାର୍ଚ୍ଚ ମାସରୁ ବଲାଙ୍ଗିର ଜିଲ୍ଳାରେ ଦାଉ ସାଧିଛି ଖରା । ପାରଦ ୪୮ ଛୁଇଁଛି । ବୈଶାଖ, ଜ୍ୟୋଷ୍ଠ ଯାଇ ଆଷାଢ଼ ଆସିଲାଣି, ତଥାପି ଦାଉ ଦାଉ ସାଧୁଛି ଖରା ।

ନିଅଣ୍ଟିଆ ବର୍ଷା, ମାଟି ଫାଟି ଆଁ

ଗତ ମାର୍ଚ୍ଚ ମାସରୁ ବଲାଙ୍ଗିର ଜିଲ୍ଳାରେ ଦାଉ ସାଧିଛି ଖରା । ପାରଦ ୪୮ ଛୁଇଁଛି । ବୈଶାଖ, ଜ୍ୟୋଷ୍ଠ ଯାଇ ଆଷାଢ଼ ଆସିଲାଣି, ତଥାପି ଦାଉ ଦାଉ ସାଧୁଛି ଖରା । କେଉଁଠି କେମିତି କାଁ ଭାଁ କିଛି କିଛି ବର୍ଷା ହୋଇଛି । ଟିକେ ଟିକେ ବର୍ଷାରେ ମାଟି ଭିଜୁନି । ଅଖି ତୃତୀୟା ଦିନଠାରୁ ଅଖିମୁଠି ଅନୁକୂଳ କରିଥିବା ଧାନ ଶୁଖି ମାଟି ହୋଇଗଲାଣି ।

ଆଉ ଏବେ କିଛି ଦିନ ଆଗରୁ ବର୍ଷା ଆଶାରେ ଧାନ ବୁଣିଥିବା ଚାଷୀ ଗଜା ମରୁଡିର ସମ୍ମୁଖୀନ ହେଲେଣି । କୃଷି ବିଭାଗର ତଥ୍ୟ ଅନୁଯାୟୀ, ୭୦ ପ୍ରତିଶତ କମ ବର୍ଷା ହୋଇଛି । ଆଗାମୀ ପାଞ୍ଚ ଦିନ ଜିଲ୍ଳା ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛି କୃଷି ବିଭାଗ । ଆକାଶ ଶୁଖିଲା, ମାଟି ଶୁଖିଲା, ଚାଷୀ ମଧ୍ୟ ହତାସ ।

ଆଷାଢରେ ବର୍ଷା ଯେପରି କୁଆଡ଼େ ଉଭେଇ ଯାଇଛି । ଚାଷ ଜମିରେ ମାଟି ଫାଟି ଆଁ କରିଛି । ଟିକେ ଟିକେ ବର୍ଷାରେ ମାଟି ଭିଜୁନି କି ବୁଣି ଥିବା ଧାନ ଗଜା ହେଉନି । ଚାଷୀ କୂଳ ତଳିତଳାନ୍ତ ହୋଇଗଲାଣି, ଆମକୁ ଦଇବ ସାହା ବୋଲି ଛାତି ଫଟେଇ କାନ୍ଦୁଛି କୃଷକ । ଶୁଖିଲା ମାଟିରେ ବଳଦ ଯୋଡିରେ ହଳଲଙ୍ଗଳ ଚାଲୁନି । ତେଣୁ ଟ୍ରାକ୍ଟରରେ ହଳ କରୁଛନ୍ତି ଚାଷୀ ।

ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ପରମ୍ପରା ଅନୁଯାୟୀ, ଅଖି ତୃତୀୟା ଦିନ ଅଖିମୁଠି ଅନୁକୂଳ କରିଥିଲେ ଚାଷୀ । ହେଲେ ବର୍ଷା ଅଭାବରୁ ବିହନ ଶୁଖି ତସୁ ହୋଇଗଲାଣି । ତାପରେ ଆଷାଢର ଆଗମନ ଆଗରୁ, ବିହନ ବୁଣିଥିଲେ ଚାଷୀ । କାଁ ଭାଁ ବର୍ଷାରେ ଧାନ ଗଜା ହୋଇଥିଲା । କିନ୍ତୁ ବର୍ଷା ଅଭାବରୁ ଏବେ ମାଟି ଫାଟି ଆଁ । ଗଜା ଧାନ ଚାତକ ପରି ଅନେଇ ରହିଛି ଅସରାଏ ବର୍ଷା ପାଇଁ ।

ଦୁଇ ଦୁଇଥର ବିହନ ବୁଣି, ନୟାନ୍ତ ହେଲେଣି ଚାଷୀ । ସମ୍ବଳ ଅଭାବରୁ ତଳିତଳାନ୍ତ ହେବାକୁ ବସିଲେଣି । ବିଳମ୍ବିତ ବର୍ଷାରେ କେଉଁ ବିହନ ଭଲ, ଏନେଇ କୃଷି ବିଭାଗ ସଚେତନ କରିବା ଉଚିତ । କିନ୍ତୁ ବିଭାଗୀୟ ଅଧିକାରୀ କି କର୍ମଚାରୀ, କେହି କିଛି ସୂଚନା ଦେଉନାହାନ୍ତି ବୋଲି ଚାଷୀଙ୍କ ଅଭିଯୋଗ ।

ସେପଟେ କିନ୍ତୁ ହେଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି, ଭି.ଏ.ଡବ୍ଳୁ ଓ କୃଷକ ସାଥିଙ୍କୁ ଚାଷୀଙ୍କ ସହ ଯୋଗାଯୋଗରେ ରହିବା ପାଇଁ କଡା ନିର୍ଦ୍ଦେଶ ଦେଇଛୁ । ବଲାଙ୍ଗିର ଜିଲ୍ଳା ଏକ କୃଷିଭିତ୍ତିକ ଜିଲ୍ଲା । କୃଷି ଉପରେ ନିର୍ଭର କରେ ଜିଲ୍ଲା ଅର୍ଥନୀତି । କିନ୍ତୁ ବିଡମ୍ବନା,ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା ନକହିବା ଭଲ ।

ଅକ୍ଷୟ ତୃତୀୟାରେ ଚାଷ କାମ ଆରମ୍ଭ କରେ ଚାଷୀ । ରଥଯାତ୍ରା ସମୟରେ ରୁଆ ବେଉଷଣ ହୋଇଥାଏ । କିନ୍ତୁ ଏଥର କୃଷି ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମାତ୍ର ୪୬ ମିଲିମିଟର ବର୍ଷା ହୋଇଛି । ସ୍ୱାଭାବିକ ଭାବେ ୨୦୨ ମିଳିମିଟର ବର୍ଷା ହେବା କଥା । ଫଳରେ ୬୦ ପ୍ରତିଶତରୁ ଅଧିକ କମ ବର୍ଷା ହୋଇଛି ।

ଜିଲ୍ଲାର ୧୪ ଟି ବ୍ଳକରୁ ତିନୋଟି ଦାଦନ ପ୍ରବଣ ବେଲପଡା ବ୍ଲକରେ ସବୁଠୁ କମ ୧୬ ମିଲିମିଟର, ବଙ୍ଗୋମୁଣ୍ଡାରେ ୨୧ ମିଲିମିଟର, ମୁରିବାହାଲରେ ୨୮ ମିଲିମିଟର ଓ ଆଗଲପୁର ବ୍ଲକରେ ୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟ ବ୍ଲକ ମାନଙ୍କରେ ବି ସ୍ୱାଭାବିକ ଠାରୁ ଢେର କମ ବର୍ଷା ହୋଇଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬୮୯ ହେକ୍ଟର ଜମିରେ ହୋଇଥିବା ଧାନଚାଷ ଉଜୁଡି ଯାଇଛି । ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଗାମୀ ପାଞ୍ଚଦିନ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ ଦେଖିବାକୁ ବାକି ରହିଲା, କେବେ ବଲାଙ୍ଗୀର ଚାଷୀଙ୍କ ଦୁର୍ଦ୍ଦଶା ଦୂର ହେଉଛି ।

ପଢନ୍ତୁ ଏହି ଖବର: ମୌସୁମୀର ପ୍ରଭାବ ଜାରି; ଆସୁଛି ବଡ଼ ବର୍ଷା, ୨୬ରେ ଘୂର୍ଣ୍ଣିବଳୟ!