Advertisment

Odia Navy Veteran Recalls 1971's Operation Trident: ଓଡ଼ିଶା ଲେଖିଲା ନୂଆ ଇତିହାସ; ୧୯୭୧ରେ କେମିତି ଧୂଳି ଚାଟିଥିଲା ପାକିସ୍ତାନ, ବଖାଣିଲେ ନୌବୀର

ଡିସେମ୍ବର ୪ ରାତିରେ କଣ ଘଟିଥିଲା... କେମିତି ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା...କେମିତି ଧ୍ବଂସ କରିଥିଲା ପାକିସ୍ତାନର କରାଚୀ ବନ୍ଦର। ଓଟିଭିକୁ ନିଜ ଅଙ୍ଗେ ନିଭା ସ୍ମୃତି ବଖାଣିଲେ ଓଡ଼ିଆ ନୌବୀର...

ଅଦ୍ୟତନ ହୋଇଛି
undefined

indian Navy

Advertisment

୧୯୭୧ ମସିହା ଡିସେମ୍ବର ୪ ରାତିରେ ଇତିହାସ ରଚିଥିଲା ଭାରତୀୟ ନୌସେନା । ପାକିସ୍ତାନର କରାଚୀ ବନ୍ଦରକୁ ଧୂଳିସାତ୍ କରି ସଫଳତା ହାସଲ କରିଥିଲା ଅପରେସନ୍ ଟ୍ରାଇଡେଣ୍ଟ। ଏହାର ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଉଛି। ତେବେ ୧୯୭୧ ଯୁଦ୍ଧରେ କେମିତି ଧୂଳି ଚାଟିଥିଲା ପାକିସ୍ତାନ, ଓଟିଭିରେ ଅଙ୍ଗେନିଭା ସ୍ମତି ବଖାଣିଛନ୍ତି ଓଡ଼ିଆ ନୌବୀର ସନାତନ ସାହୁ ।

Advertisment

ସେଦିନ ରାତିରେ ଜଳିଥିଲା ସମୁଦ୍ର। ଛାରଖାର ହୋଇଥିଲା କରାଚୀ ବନ୍ଦର। ଆକ୍ରମଣର ଟେର୍ ପାଇନଥିଲା ପାକିସ୍ତାନ। ଶତ୍ରୁ ଜାଣିବା ବେଳକୁ ସବୁ କିଛି ଶେଷ । ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ପ୍ରଥମ ମହାପର୍ବ 'ଅପରେସନ୍ ଟ୍ରାଇଡେଣ୍ଟ', ଯେଉଁ ଐତିହାସିକ ସଫଳତାର ସ୍ମୃତିରେ ଆଜି ଭାରତ ପାଳୁଛି ନୌସେନା ଦିବସ। ସେଇ ଡିସେମ୍ବର ୪ ରାତିରେ କଣ ଘଟିଥିଲା... କେମିତି ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା...କେମିତି ଧ୍ବଂସ କରିଥିଲା ପାକିସ୍ତାନର କରାଚୀ ବନ୍ଦର। ଓଟିଭିକୁ ନିଜ ଅଙ୍ଗେ ନିଭା ସ୍ମୃତି ବଖାଣିଲେ ଓଡ଼ିଆ ନୌବୀର। କେନ୍ଦ୍ରାପଡ଼ା ମାଧପୁରର ୭୫ ବର୍ଷୀୟ ସନାତନ ସାହୁ। ଅପରେସନ୍ ଟ୍ରାଇଡେଣ୍ଟରେ ସାମିଲ ହୋଇଥିବା ନେଭି ଭେଟେରାନ୍। ସେତେବେଳେ ଯୁଦ୍ଧ ଜାହାଜ INS କିଲଟନ୍‌ରେ ସେକେଣ୍ଡ୍ କ୍ଲାସ୍ ସିଗ୍ନାଲ୍ ମ୍ୟାନ୍ ଥାଆନ୍ତି ୨୨ ବର୍ଷୀୟ ସନାତନ। ପଦବି କନିଷ୍ଠ ହେଲେ ବି କାନ୍ଧରେ ଥାଏ ଗୁରୁଦାୟିତ୍ବ। କାରଣ ୩ଟି ମିଜାଇଲ୍ ବୋଟ୍ ଓ ଆଉ ଏକ ଆଣ୍ଟି ସବମରିନ୍ କଭେଟ୍ ସହ ତାଙ୍କ ଜାହାଜ ବି ସାମିଲ ଥିଲା ଅପରେସନ୍ ଟ୍ରାଇଡେଣ୍ଟରେ।

ଅଧିକ ପଢନ୍ତୁ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କୁ ଦର୍ଶନ ସହ କଲେ ପୂଜାର୍ଚ୍ଚନା

Advertisment

ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କରିଥିଲା INS ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ PNS ଖାଇବରର କାମ୍ ତମାମ୍। ଏହାପରେ ପରାକ୍ରମ ଦେଖାଇଲେ INS ନିପାତ ଓ INS ବୀର୍। ଧ୍ବଂସ ହୋଇଗଲା PNS ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ 'ଭେନସ୍ ଚାଲେଞ୍ଜର୍'। ଏହାପରେ INS ନିପାତ ଛାରଖାର କରିଦେଲା କରାଚି ପୋର୍ଟର ବିଶାଳ ତୈଳ ଡିପୋକୁ। କୁହାଯାଏ, ୬୦ କିଲୋମିଟର ଦୂରରୁ ଦିଶିଥିଲା ଏହି ହୁତୁହୁତୁ ଦାବାନଳ। ନିଆଁ ଲିଭାଇବାକୁ ଲାଗିଥିଲା ୪ ଦିନ ସମୟ। 

୩ଟି ମିଜାଇଲ ବୋଟ୍ ନିଜ କାମ ସାରି ଫେରିଯିବା ପରେ, INS କଚ୍ଛଲ୍ କରାଚୀ ବନ୍ଦରର ବାକି ସବୁ ଟାର୍ଗେଟ ଧ୍ବଂସ କରିଥିଲା। ଆଉ ସନାତନ କହନ୍ତି, ତାଙ୍କ ଜାହାଜ ପାଳି ଆସିବା ବେଳକୁ ଆଉ କିଛି ଟାର୍ଗେଟ୍ ନଥିଲା ଧ୍ବଂସ କରିବା ପାଇଁ। ହେଲେ କମିନଥିଲା ମନର ଯୋଶ୍।

Advertisment

ଅପରେସନ୍ ଟ୍ରାଇଡେଣ୍ଟ୍ ଯେତିକି ଐତିହାସିକ ଥିଲା, INS କିଲଟନ୍ ପାଇଁ ସେତିକି ନାଟକୀୟ ଥିଲା ତା ପରର ଅନୁଭୂତି। ଆକ୍ରମଣ ସାରି ଶୀତୁଆ ରାତି ପ୍ରାୟ ୪ଟା ବେଳେ ଫେରୁଥିବା ବେଳେ, ଜାହାଜ ଇଞ୍ଜିନ୍ ଫେଲ୍ ହୋଇଗଲା। ଆକାଶରେ ପାକିସ୍ତାନର ଫାଇଟର୍ ଜେଟ୍ ପଇଁତରା ମାରୁଥିଲା, ଆଉ ଏପଟେ ବମ୍ବେରେ ଚର୍ଚ୍ଚା ହୋଇଗଲା ସମୁଦ୍ରରେ ବୁଡ଼ିଯାଇଛି INS କିଲଟନ୍। ସେ ରୁମଟାଙ୍କୁରା ସ୍ମୃତିକୁ ବି ବାଣ୍ଟିଛନ୍ତି ସନାତନ। ଅପରେସନ୍ ଟ୍ରାଇଡେଣ୍ଟ ଯୋଗୁଁ ପ୍ରଥମରୁ ଭୟଙ୍କର କ୍ଷୟକ୍ଷତିର ସାମ୍ନା କରିଥିବା ପାକିସ୍ତାନ, ମାତ୍ର ୧୩ ଦିନର ଯୁଦ୍ଧ ପରେ ଭାରତ ଆଗରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଥିଲା ।

ଅଧିକ ପଢନ୍ତୁ: ମଲେଇ ଖାଇ ଠିକାଦାର ପାର୍, ମେଗା ପାନୀୟ ଜଳ ପ୍ରୋଜେକ୍ଟରେ ମେଗା ସ୍କାମ୍

Indian Navy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ