ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ; ଜାଣନ୍ତୁ କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା...

ଦେଶୀ ଧାନ ଦୁନିଆର ଦେଶୀ ମଣିଷ । ଧାନକୁ ନେଇ ବଞ୍ଚୁଥିଲେ । ଧାନକୁ ନିଜେ ବଞ୍ଚାଉ ବି ଥିଲେ। ଜାଣନ୍ତୁ, କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା।

Padma Shri Kamala Pujari no more

ଅଖ୍ୟାତ ପଲ୍ଲୀର ବିଖ୍ୟାତ ନାଁ କମଳା ପୂଜାରୀ । ବର୍ଷ ବର୍ଷର ନିରବଚ୍ଛିନ୍ନ ସାଧନା ତାଙ୍କୁ କେବଳ ବିଶ୍ବଦରବାରରେ ପରିଚିତ କରାଇନଥିଲା, ବରଂ ଆଣିଦେଇଥିଲା ପଦ୍ମଶ୍ରୀ ଭଳି ସମ୍ମାନଜନକ ପୁରସ୍କାର। ଜାଣନ୍ତୁ, କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା।

ଦେଶୀ ଧାନ ଦୁନିଆର ଦେଶୀ ମଣିଷ । ଧାନକୁ ନେଇ ବଞ୍ଚୁଥିଲେ । ଧାନକୁ ନିଜେ ବଞ୍ଚାଉ ବି ଥିଲେ। ହଳଦୀଗଣ୍ଠି, ହଳଦୀଗୁରି, ବୃଦ୍ଧମଣି, ମାଛକଣ୍ଟା, ଲଦିଆରୀ, ବଡ଼ିକାବରୀ । ଏସବୁ ବିରଳ ପାରଂପରିକ ଧାନ କିସମ, ଅନେକେ ଶୁଣିଥିବେ କି ନାହିଁ ସନ୍ଦେହ। ହେଲେ ଏମାନେ ଥିଲେ କମଳା ପୂଜାରୀଙ୍କ ବର୍ଷ ବର୍ଷର ସାଧନା ଓ ତପସ୍ୟାର ସାକ୍ଷୀ। ଦୁନିଆ ଯେତେବେଳେ ଅଧିକ ଅମଳ ପାଇଁ ଆଧୁନିକ ତଥା ହାଇବ୍ରିଡ୍ ଧାନ ପଛରେ ଧାଇଁଥିଲା । ସେତେବେଳେ ସମୟ ବିପରୀତରେ ଯାଇ, ହଜିଯାଉଥିବା ଅନେକ ଦେଶୀ ଧାନକୁ ନିଜ କୋଳରେ ଆବୋରି ଧରିଥିଲେ କମଳା ମାଆ । ଶହେରୁ ଅଧିକ ଧାନ କିସମକୁ ଲୋପ ପାଇବାରୁ ରକ୍ଷା କରିଥିଲେ, ଆଦିବାସୀ ମୂଲକର ଏଇ ଅପାଠୁଆ ଗବେଷିକା ।

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ପାତ୍ରପୁଟ ଗାଁ । ନୂଆଁଣିଆ ଚାଳଘର ପାଲଟିଥିଲା କମଳାଙ୍କ ଧାନ ସଂଗ୍ରହାଳୟ । ଖାଲି ପାଦରେ ଗାଁକୁ ଗାଁ ବୁଲି ଲୁପ୍ତପ୍ରାୟ ଧାନ ସଂଗ୍ରହ କରୁଥିଲେ, ଆଉ ଜୈବିକ ପଦ୍ଧତିରେ ସେଗୁଡ଼ିକୁ ନିଜ ଜମିରେ ଚାଷ କରୁଥିଲେ। ଏମ୍.ଏସ୍. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହ ଯୋଡ଼ି ହେବା ପରେ ତାଙ୍କ ଉଦ୍ୟମ, ଅଭିଯାନ ପାଲଟିଥିଲା।

୨୦୦୨ ମସିହା। ବିଶ୍ବ ଦରବାରରେ ମହକିଥିଲା ଏଇ ବଣମଲ୍ଲୀର ମହକ। ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗ୍‌ରେ କମଳାଙ୍କୁ ଇକ୍ବେଟର୍ ଇନିସିଏଟିଭ୍ ଆୱାର୍ଡ ମିଳିବା ପରେ, ଅଖ୍ୟାତ ପଲ୍ଲୀର ବିଖ୍ୟାତ ଚେହେରା ପାଲଟିଯାଇଥିଲେ କମଳା ପୂଜାରୀ। ୨୦୦୩ରେ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ କୃଷି ବିଶାରଦ ସମ୍ମାନ ଏବଂ ୨୦୦୪ରେ ରାଜ୍ୟର ଶ୍ରେଷ୍ଠ ମହିଳା କୃଷକ ପୁରସ୍କାର ପାଇଥିଲେ କମଳା। ୨୦୧୭ରେ ତାଙ୍କ ନାଁରେ ନାମିତ ହୋଇଥିଲା ଭୁବନେଶ୍ବରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ- OUATର ଲେଡିଜ୍ ହଷ୍ଟେଲ। ରାଜ୍ୟ ଯୋଜନା ବୋର୍ଡର ପ୍ରଥମ ଆଦିବାସୀ ମହିଳା ସଦସ୍ୟା ଭାବେ ସେ ୨୦୧୮ରୁ ୨୦୨୩ ଯାଏଁ ଦାୟିତ୍ବ ନିର୍ବାହ କରିଥିଲେ। ତେବେ ୨୦୧୯ରେ କୃଷି ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ତଥା ଉତ୍ସର୍ଗୀକୃତ ମନୋଭାବକୁ ଦିଲ୍ଲୀ ଦରବାରରେ ମିଳିଥିଲା 'ପଦ୍ମ' ସ୍ବୀକୃତି।  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଗ୍ରହଣ କରିଥିଲେ 'ପଦ୍ମଶ୍ରୀ' ପୁରସ୍କାର।

ଲୁପ୍ତପ୍ରାୟ ଦେଶୀ ଧାନ କିସମର ସଂରକ୍ଷଣ ହେଉ, କି ଜୈବିକ କୃଷିର ପ୍ରଚାର ପ୍ରସାର । ଦାରିଦ୍ର୍ୟ ଓ ବୟସକୁ ଖାତିର ନକରି, ହାତଗୋଡ଼ ଚାଲିଥିବା ପର୍ଯ୍ୟନ୍ତ ଅଭିଯାନ ଜାରି ରଖିଥିଲେ କମଳା ପୂଜାରୀ। ତାଙ୍କ ପ୍ରେରଣାରେ ପାତ୍ରପୁଟର ଆଖପାଖ ଗାଁରେ ବନ୍ଦ ହୋଇଯାଇଥିଲା ରାସାୟନିକ ସାର ବ୍ୟବହାର। ବାସ୍ତବିକ୍ ଶିକ୍ଷା କି ସମ୍ବଳ ନୁହେଁ, ମନୋବଳ ହିଁ ଯେ ସଫଳତାର ମୂଳ ସୂତ୍ର, ଏହାକୁ ନିଜ ବିରଳ କୃତୀତ୍ବ ଜରିଆରେ ପ୍ରମାଣିତ କରିଥିବା ଏହି ମହିୟଷୀଙ୍କୁ ଆମର ଶେଷ ସଲାମ୍।