ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ ? ଅଘଟଣ ରୋକିବାକୁ ୮ ସୂତ୍ରୀ ପଏଣ୍ଟ ଉପରେ ଫୋକସ୍

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି ।

Adapa Mandap Incidents

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି । ତେବେ ଆଗକୁ ଏଭଳି ଅଘଟଣ ରୋକିବାକୁ କମିଟିର ୮ ସୂତ୍ରୀ ପ୍ରସ୍ତାବ କିନ୍ତୁ ଗ୍ରହଣ କରିଛି ।

ସେପଟେ ଭକ୍ତଙ୍କ ସହଜ ଦର୍ଶନ ବ୍ୟବସ୍ଥାକୁ ମିଟିଂରେ ଗୁରୁତ୍ୱ ଦିଆଯିବା ସହ ଶ୍ରୀମନ୍ଦିରର ନିଜସ୍ୱ ଏଫଏମ୍ ରେଡିଓ ପ୍ରତିଷ୍ଠା ଏବଂ ରତ୍ନଭଣ୍ଡାର ଦ୍ୱାରର ସୁନା ଛାଉଣୀ ପାଇଁ ହୋଇଛି ନିଷ୍ପତ୍ତି । ଅଯଥା ମାଳ ମାଳ ସେବାୟତଙ୍କ ଭିଡ଼ ? ମହାପ୍ରଭୁଙ୍କୁ ଛାଡ଼ି ମୋବାଇଲ୍ ଫୋନ୍ ଉପରେ ଧ୍ୟାନ ? ଅବା ଅଭିଜ୍ଞ ସେବାୟତଙ୍କ ପରିଚାଳନାଗତ ତ୍ରୁଟି ?

ଆଡପ ପହଣ୍ଡି ବିଭ୍ରାଟ ପାଇଁ କେଉଁଟି ଦାୟୀ ? କାହା ଭୁଲ୍ ରୁ ତାଳଧ୍ୱଜ ରଥ ଚାରମାଳ ଉପରେ ମୁହଁମାଡ଼ି ପଡ଼ି ଯାଇଥିଲେ ବଡ଼ଠାକୁର ବଳଭଦ୍ର ? ଦୀର୍ଘ ଦେଢ଼ ମାସ ଧରି ଏହାର କାରଣ ଖୋଜିଥିବା ୩ ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ ହେଲା, ହେଲେ ଦୋଷୀ କିଏ ସେକଥା ପଦାକୁ ଆସିଲାନି ।

ରିପୋର୍ଟ ଅସମ୍ପୂର୍ଣ୍ଣ ଥିବା ଦର୍ଶାଇ ଆଉ ଥରେ ପ୍ରତ୍ୟକ୍ଷଦର୍ଶୀ ଓ ବିଭିନ୍ନ ଭିଡିଓ ଫୁଟେଜର ତର୍ଜମା କରି ତଦନ୍ତ କରି ତଥ୍ୟ ଦେବାକୁ କମିଟିକୁ କୁହାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ରଥ ଉପରେ ଅଧିକ ସଂଖ୍ୟକ ସେବକଙ୍କ ଉପସ୍ଥିତି ହିଁ ଆଡପ ପହଣ୍ଡି ଅଘଟଣର ସବୁଠୁ ବଡ଼ କାରଣ ବୋଲି ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଡକ୍ଟର ପାଢ଼ୀ ।

ସେହିପରି ପହଣ୍ଡି ବିଭ୍ରାଟ ଉପରେ ଦୁଃଖ ପ୍ରକାଶ କରି ଯେପରି ଆଗକୁ ଏହାର ପୁନରାବୃତ୍ତି ନଘଟେ ତାକୁ ବି ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ଯେଉଁ ୯ଟି ପଏଣ୍ଟ ଉପରେ ୩ ଜଣିଆ କମିଟି ଫୋକସ୍ କରିଥିଲା, ଦୀର୍ଘ ଆଲୋଚନା ପରେ ସେଥିରୁ ୮ଟି ପଏଣ୍ଟରେ ସହମତି ହୋଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ।

ସେଗୁଡ଼ିକ ମଧ୍ୟରେ ରହିଛି- କେବଳ ଆବଶ୍ୟକ ସଂଖ୍ୟକ ଅଭିଜ୍ଞ ସେବକଙ୍କୁ ପହଣ୍ଡିରେ ଭାଗ ନେବାକୁ ଦିଆଯାଉ । ପ୍ରତି ବାଡ଼ଗ୍ରାହୀମାନଙ୍କ ନେତୃତ୍ୱରେ ଏକ ପହଣ୍ଡି କୋର୍ଡିନେସନ କମିଟି ଗଠନ କରାଯିବ । ରଥ ଓ ଚାରମାଳ ଉପରେ କେତେ ସେବକ ରହିବେ- ବାଡ଼ଗ୍ରାହୀ ଓ ପହଣ୍ଡିରେ ଭାଗ ନେଉଥିବା ସଂପୃକ୍ତ ସେବାୟତ ନିଯୋଗ ଏହା ସ୍ଥିର କରିବେ ।

ଜିଲ୍ଲାପାଳ-ଏସପି ଏନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିବେ । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସେନାପଟା ସହ ଛାଟେଣୀ ଠିକ୍ ଭାବେ ଲାଗିଛି କି ନାହିଁ ତାହା ଆଗେ ସୁନିଶ୍ଚିତ କରାଯିବ । ଚାରମାଳ ଭିତରେ ଗ୍ୟାପ୍ ରହିବ ନାହିଁ । ପହଣ୍ଡି ବେଳେ ବିଗ୍ରହମାନେ ଚାରମାଳ ଉପରେ ଯେପରି ଢଳି ନପଡ଼ନ୍ତି, ସେଥିପାଇଁ ଚାରମାଳର ଲମ୍ବ ଓ ପ୍ରସ୍ଥ ବଢ଼ାଇବାକୁ ବିଚାର କରାଯିବ ।

ରଥ ଉପରେ ସେବା ପୂଜା ବେଳେ ମୋବାଇଲ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ । ପହଣ୍ଡି ସମୟରେ ଉତ୍ତମ ତଦାରଖ ପାଇଁ ପ୍ରତି ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ତାଙ୍କୁ ଶ୍ରୀମନ୍ଦିର ପୋଲିସ ସହଯୋଗ କରିବେ । ଯଦ୍ୱାରା ରଥରେ ଅନଧିକୃତ ବ୍ୟକ୍ତି ଓ ସେବକଙ୍କୁ ରୋକା ଯାଇପାରିବ ।

ତେବେ ଟାହିଆ ଆକାର ଛୋଟ ପାଇଁ ଦିଆଯାଇଥିବା ପ୍ରସ୍ତାବ ପରମ୍ପରା ବିରୋଧୀ ଦର୍ଶାଇ କାଟ୍ ଖାଇଯାଇଛି । ଏସବୁ ବାଦ୍ ଆଜି ପରିଚାଳନା କମିଟିରେ ଆହୁରି ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଯେମିତିକି ଶ୍ରୀମନ୍ଦିର ନାଟ ମଣ୍ଡପ ପରିସରକୁ ଏୟାର କଣ୍ଡିସନିଂ କରାଯିବା ସହ ଭକ୍ତମାନଙ୍କ ସହଜ ଦର୍ଶନ ବ୍ୟବସ୍ଥା, ବୃଦ୍ଧବୃଦ୍ଧା, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ଅଲଗା ଧାଡ଼ି ସୁବିଧା ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମା ରେକର୍ଡର ଡିଜିଟାଇଜେସନ, ଶ୍ରୀମନ୍ଦିର ପକ୍ଷରୁ ନିଜସ୍ୱ ଏଫ୍ ଏମ୍ ରେଡିଓ ପ୍ରସାରଣ ସହ ରତ୍ନଭଣ୍ଡାର ଦ୍ୱାରକୁ ରୁପା ପରିବର୍ତ୍ତେ ସୁନା ଛାଉଣୀ କରାଯିବାକୁ ହୋଇଛି ନିଷ୍ପତ୍ତି ।