ଜଲଦି କରନ୍ତୁ E-KYC ଅପଡେଟ୍, ନକଲେ ରାସନ କାର୍ଡରୁ କଟିଯିବ ନାଁ

ଟିପ ଚିହ୍ନ ଦେଇ E-KYC ଅପଡେଟ୍ ନକଲେ ରାସନ କାର୍ଡରୁ କଟିବ ନାଁ । ରାଜ୍ୟରେ ରହିଥିବା ପ୍ରାୟ ୨୫ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ଇ-କେୱାଇସି ଅପଡେଟ୍ ପ୍ରକ୍ରିୟା ।

Ration Card

ଡିଲର ପଏଣ୍ଟରେ ଚାଲିଛି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ । ନାଁ ଓ ଆଧାର ନମ୍ବର ଯାଂଚ୍ ପରେ ନିଆଯାଉଛି ହିତାଧିକାରୀଙ୍କ ଦସ୍ତଖତ ଓ ଟିପ ଚିହ୍ନ । ପରିବାରର ସବୁ ସଦସ୍ୟ, ଯାହା ଯାହା ନାଁରେ ରାସନ ମିଳୁଛି, ସମସ୍ତଙ୍କ ହେଉଛି ଯାଂଚ୍ । ପରେ ଇ-କେୱାଇସି ଜରିଆରେ ଅପଡେଟ୍ କରୁଛନ୍ତି ଡିଲର। ସକାଳୁ ସନ୍ଧ୍ୟା ଯାଏଁ ଜାରି ରହିଛି କାମ। ତେବେ ଅଧିକାଂଶ ସ୍ଥାନରେ ଇ-ପିଓଏସ୍ ମେସିନ ଠିକ୍ ରେ କାମ କରୁନଥିବାରୁ ବିଳମ୍ବ ହେଉଛି ।

ଏବେ ଆସନ୍ତୁ ଜାଣିବା ଡିଲର ପଏଣ୍ଟରେ କେମିତି ହେଉଛି ଇ-କେୱାଇସି ଅପଡେଟ୍ । ପ୍ରଥମେ ହିତାଧିକାରୀଙ୍କ ନାଁ ଯାଂଚ୍ କରାଯାଉଛି। ପରେ ଇ-ପିଓଏସ୍ ମେସିନରେ ଟିପ ଚିହ୍ନ ଦେଇ ଆଧାର କାର୍ଡ ନମ୍ବର ସହ ଅପଡେଟ୍ କରାଯାଉଛି। କିଛି ସ୍ଥାନରେ ଆଖି ସ୍କାନ ମଧ୍ୟ କରାଯାଉଛି । ମାସେ ଯାଏଁ ଚାଲିବ ଏହି ଇ-କେୱାଇସି ଅପଡେଟ୍ ପ୍ରକ୍ରିୟା ।

ଏପଟେ ଇ-କେୱାଇସି ଅପଡେଟକୁ ନେଇ ବଢିଛି ହିତାଧିକାରୀଙ୍କ ଚିନ୍ତା । ଘରର ଅନେକ ସଦସ୍ୟ ବାହାର ରାଜ୍ୟ, ଏପରିକି ଦେଶ ବାହାରେ କାମ କରୁଛନ୍ତି। ସରକାର ନିର୍ଦ୍ଧାରିତ କରିଥିବା ମାସେ ସମୟ ଭିତରେ ସମସ୍ତେ କେମିତି ଆସି ବାୟୋମେଟ୍ରିକ ଦେବେ ବୋଲି ପ୍ରଶ୍ନ ଉଠାଇଛନ୍ତି ହିତାଧିକାରୀ । ଏଥିପାଇଁ ଅନ୍ୟ କିଛି ସହଜ ଉପାୟ ନଚେତ୍ ସମୟ ଅବଧି ବଢାଇବାକୁ ସେମାନେ ଦାବି କରିଛନ୍ତି ।

ଏପଟେ ଇ-କେୱାଇସି ଯାଂଚକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ କରିଥିଲେ ଏକାଧିକ ବିଧାୟକ । ହିତାଧିକାରୀଙ୍କ ସୁବିଧା ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ କହିଥିଲେ । ଯୋଗାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ହିତାଧିକାରୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଆଯିବ ।

ନାଁ ନଥାଇ କିଏ ରାସନ୍ ନେଉଛି ତ କିଏ ମରିବାର ବର୍ଷ ବର୍ଷ ବିତିଥିଲେ ବି ରାସନକାର୍ଡରୁ ନାଁ କଟିନି । ହଜାର ହଜାର ବଡ଼ ବଡିଆ ବି ଉଠାଉଛନ୍ତି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ । ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେମାନଙ୍କୁ ବାଦ୍ ଦେବାକୁ ସରକାର ଆରମ୍ଭ କରିଛନ୍ତି ଇ-କେୱାଇସି ଯାଂଚ୍ । ସେପଟେ ରାସନକାର୍ଡ ପାଇଁ ୯ ଲକ୍ଷ ନୂଆ ହିତାଧୀକାରୀ ଆବେଦନ କରି ଅପେକ୍ଷାରେ ଅଛନ୍ତି ।