ମଣ୍ଡିରେ ଚାଲିଛି ମିଲ୍ ମାଲିକଙ୍କ ମନମାନୀ; କଟନି ଛଟନି ନାଁରେ ଚାଷୀଙ୍କୁ ଶୋଷଣ

ଖେଳୁଛନ୍ତି କଟନୀ ଛଟନୀର ଖେଳ। ମିଲର୍ ଓ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କୃଷକ ମାରଣନୀତି। ନା ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି ନା ବିଧିବ୍ୟବସ୍ଥାକୁ ଖାତିର କରୁଛନ୍ତି।

Paddy

ମଣ୍ଡିରେ ଲାଗୁନି କଟନି ଛଟନିରେ ବ୍ରେକ୍। ଏଭଳି ଚାଷୀ ଶୋଷଣ ବ୍ୟବସ୍ଥା ବିରୋଧରେ ନୂଆ ସରକାରଙ୍କ ନାଲି ଆଖିକୁ ବି ଖାତିର୍ କରୁନାହାନ୍ତି ମିଲ୍ ମାଲିକ। କେଉଁଠି ବସ୍ତା ପିଛା ୨ରୁ ୩ କିଲୋ କଟାଯାଉଛି ତ ଆଉ କେଉଁଠି ବିନା କଟନି ଛଟନିରେ ଧାନ ହିଁ କିଣୁନାହାନ୍ତି। ମଣ୍ଡିରେ ସ୍ଥିତି ଦେଖିଲେ ବାରି ହେଉଛି, ମିଲ୍ ମାଲିକ ଓ ଯୋଗାଣ ଅଧିକାରୀଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା।

ମଣ୍ଡିରେ ଚାଲିଛି ମିଲ୍ ମାଲିକଙ୍କ ମନମାନୀ। ଖେଳୁଛନ୍ତି କଟନୀ ଛଟନୀର ଖେଳ। ମିଲର୍ ଓ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କୃଷକ ମାରଣନୀତି। ନା ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି ନା ବିଧିବ୍ୟବସ୍ଥାକୁ ଖାତିର କରୁଛନ୍ତି। ୟେ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଭେଡେନ୍ ଇଲାକା। ମଣ୍ଡିରେ ଚାରିଆଡ଼େ ପଡ଼ିରହିଛି ଚଷାପୁଅର କଷ୍ଟ ଉପାର୍ଜିତ ଦାନାପାଣି। ହେଲେ ନିମ୍ନମାନର ଦର୍ଶାଇ ବସ୍ତା ପିଛା ୨ରୁ ୩ କିଲୋ ଧାନ କାଟି ମିଲର୍ସ ଉଠାଉଛନ୍ତି, ନଚେତ୍ ପଡ଼ିରହୁଛି। ଜିଲ୍ଲାରେ ଖୋଲାଯାଇଥିବା ଅଧିକାଂଶ ମଣ୍ଡିରେ ସ୍ଥିତି ସମାନ। ମିଳିଥିବା ସୂଚନା ଅନୁଯାୟୀ, ଏଯାଏଁ ୨୦ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ଉଠିସାରିଛି। କିନ୍ତୁ କଟନୀ ଛଟନୀ ଯୋଗୁଁ ପଡ଼ିରହିଛି ହଜାର ହଜାର ବସ୍ତା ଧାନ। ହେଲେ ଦୁର୍ଭାଗ୍ୟ ଯୋଗାଣ ଅଧିକାରୀ କହୁଛନ୍ତି, ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନେବୁ।

ଖଳା ଓ ଧାନମଣ୍ଡିରେ ମିଲରଙ୍କ ଏଭଳି ରାଜୁତି କେବଳ ବରଗଡ଼ କାହିଁକି, ପ୍ରତ୍ୟେକ ଜିଲ୍ଲାରେ ବର୍ଷ ବର୍ଷ ଧରି ଚାଲିଆସୁଛି। କୋରାପୁଟ ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ପ୍ରାୟ ୨୦ ଦିନ ବିତିଗଲାଣି। ଆଶାନୁରୂପକ ଭାବେ ଉଠିନି ଚାଷୀଙ୍କ ଧାନ। ଏଭଳି ଅବସ୍ଥାକୁ ନେଇ ଜୟପୁର ନିୟନ୍ତ୍ରିତ ବଜାର କମିଟି ମଣ୍ଡିକୁ କିଛିଦିନ ତଳେ ଚାଷୀ ଘେରାଉ ବି କରିଥିଲେ। ତା’ସହ କୃଷକ କଲ୍ୟାଣ ମଞ୍ଚ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ବି ହୋଇଥିଲା। ହେଲେ ଶୁଣୁଛି କିଏ।

ତେବେ କାହା ନିର୍ଦ୍ଦେଶରେ ମିଲ୍ ମାଲିକ ଚଳାଇଛନ୍ତି ଏଭଳି ରାଜୁତି ? ଯୋଗାଣ ଅଧିକାରୀଙ୍କ ସହ ସଲାସୁତୁରା କରି କଟନୀ ଛଟନୀର ଖେଳ ଖେଳୁଛନ୍ତି କି ମିଲର୍? ବର୍ଷ ବର୍ଷ ଧରି ରାଜ୍ୟବ୍ୟାପି ମଣ୍ଡିଗୁଡ଼ିକରେ ଏଭଳି ଚାଷୀ ମାରଣର ମାଳ ମାଳ ଚିତ୍ର ସାମ୍ନାକୁ ଆସିବା ପରେ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଣି ଥରେ କହିଛନ୍ତି, କଟନୀ ଛଟନୀ ନାଁରେ ଚାଷୀଙ୍କୁ କେହି ହଇରାଣ କରିପାରିବେ ନାହିଁ। ଏନେଇ ଅଧିକାରୀ ଓ ମିଲରମାନଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି। ତା’ସହ ପୂର୍ବ ଘୋଷଣା ମୁତାବକ ଆସନ୍ତା ଖରିଫରୁ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ନିଶ୍ଚୟ ପ୍ରଦାନ କରାଯିବ।