ମାଡ଼ି ଆସିଛି ବନ୍ୟା...ବୁଡ଼ିଛି ଗାଁ, ଭାସୁଛି ଚୂଲି ଚାଳ

ବାଲେଶ୍ବର ବନ୍ୟାସ୍ଥିତି ଗମ୍ଭୀର। ପାଣି ଘେରରେ ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ, ଲୋକଙ୍କ ଜୀବନ ଦୁର୍ବିଃସହ ହୋଇ ପଡିଛି। ପୂର୍ଣ୍ଣମୀ ପାଇଁ ପାଣି ଛାଡୁନଥିବାରୁ ବଢ଼ିଛି ବିପନ୍ନଙ୍କ ସମସ୍ୟା।

Flood

୨ ଦିନର ଲଗାଣ ବର୍ଷାରେ ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶାର ପ୍ରମୁଖ ଜିଲ୍ଲା ବାଲେଶ୍ବର । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଉଗ୍ର ରୂପ ଦେଖାଇଛନ୍ତି ତିନି ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ଜଳକା ଓ ବୁଢ଼ାବଳଙ୍ଗ । ଯାହାକି ଭୋଗରାଇ, ଜଳେଶ୍ବର, ବସ୍ତା, ବାଲିଆପାଳ ଓ ସଦର ବ୍ଲକର ଶହ ଶହ ଗାଁରେ ଲୋକଙ୍କ ଜୀବନକୁ ଦୁର୍ବିଃସହ କରିଛି । ବାଲିଆପାଳ ପଞ୍ଚାୟତର ଗାଁ ଦାଣ୍ଡରେ ସୁଅ କାଟି ଚାଲିଛି ବେକେ ଉଚ୍ଚର ପାଣି । ତାରି ଭିତରେ ଲୋକମାନେ ଗୋରୁ ଗାଇ ଧରି ନିରାପଦ ସ୍ଥାନକୁ ଚାଲି ଯାଉଛନ୍ତି। ହଠାତ୍ ପାଣି ମାଡ଼ି ଆସିବାରୁ ଘର ଆଗରେ ଥୁଆ ହୋଇଥିବା ବାଇକ୍ ସବୁ ବୁଡ଼ି ରହିଛି ।

ଚୂଲିରେ ପାଣି ଯେତେବେଳେ, ରୋଷେଇ କଥା ଉଠୁଛି କୁଆଡୁ । ଗାଁ ଭିତରେ ବଢ଼ି ପାଣି ଭିତରେ ଥିବା ଏକମାତ୍ର ନଳକୂଅରୁ ଲୋକମାନେ ଛାତିଏ ପାଣିରେ ପଶି ଏମିତି ଅବସ୍ଥାରେ ପିଇବା ପାଣି ମୁନ୍ଦେ ସଂଗ୍ରହ କରୁଛନ୍ତି । ରାତି ଅଧରେ ହଠାତ୍ ବନ୍ୟା ମାଡ଼ି ଆସିବାରୁ ଜୀବନ ବିକଳରେ ଲୋକମାନେ ନଦୀ ବନ୍ଧକୁ ଉଠି ଯାଇଥିଲେ । ଜରି ପାଲ ଘେରାଇ କୁଡ଼ିଆ କରି ସେଇଠି ପିଲାଛୁଆ ଧରି ମଶା ଡାଆଁଶ ଦାଉରେ ସଢୁଛନ୍ତି । ବହୁ ଲୋକଙ୍କ ପାଖରେ ଏଯାଏଁ ରିଲିଫ୍ ପହଞ୍ଚିନି । ଗାଁ ବିଛିନ୍ନ ହୋଇଥିବାରୁ ଯା ଆସ ସମ୍ଭବ ହୋଇପାରୁନି ।

କାଲି ସନ୍ଧ୍ୟାରୁ ଲୋକଙ୍କୁ ଉଦ୍ଧାର ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି। ନିଜେ ଜିଲ୍ଲାପାଳ ଓ ଲୋକ ପ୍ରତନିଧିମାନେ ବି ଡଙ୍ଗାରେ ବସି ଗାଁ ଗାଁ ବୁଲୁଛନ୍ତି । ଜଳେଶ୍ବର କୁହ୍ଲାଚଡ଼ରେ ରାସନ ପାଇଁ ଯାଉଥିବାବେଳେ ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଉଥିବା ୫ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ତେବେ ଏସବୁ ଭିତରେ ଜଳ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରିଛି ସଂକ୍ରାନ୍ତି ଓ ପୂର୍ଣ୍ଣମୀ। ସମୁଦ୍ର ଫୁଲିଥିବାରୁ ବନ୍ୟାଜଳ ନିଷ୍କାସନ ହୋଇ ପାରୁନାହିଁ । ଏବେ ବି ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଏଣେ ଆଜି ଆକାଶ ମାର୍ଗରୁ ବାଲେଶ୍ବର ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରେ ବାଲେଶ୍ବରରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଥିଲେ- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତିନିଟି ନଦୀରେ ଜଳସ୍ତର ବଢ଼ିଛି । ଜିଲ୍ଲାର ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି । ୩ଟି ବ୍ଲକର ୩୫ଟି ଗ୍ରାମ ପଞ୍ଚାୟତ ବେଶି ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି ।

ଉଦ୍ଧାର କାର୍ଯ୍ୟରେ ୮ ଅଗ୍ନିଶମ, ୩ ଓଡ୍ରାଫ୍, ୧ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସ୍ଥାୟୀ ପ୍ରତିକାର ପାଇଁ ରୋଡ୍ ମ୍ୟାପ୍ କରିବାକୁ ଇଆଇସିଙ୍କୁ କୁହାଯାଇଛି । ଇଆଇସିଙ୍କ ରିପୋର୍ଟ ମିଳିବା ପରେ ଏନେଇ ପଦକ୍ଷେପ ନିଆଯିବ । ପୂର୍ଣ୍ଣିମା ଯୋଗୁଁ ପାଣି ଛାଡୁନି, ଆଉ ଦିନକ ପରେ ସ୍ଥିତି ସ୍ବାଭାବିକ ଆଶା କରାଯାଉଛି । ସେପଟେ ଆଉ ଦିନକ ପରେ ତିନିଟି ଯାକ ନଦୀରେ ପାଣି କମିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ବନ୍ୟା ଆଁରେ ପଡ଼ିଥିବା ଭୋଗରାଇ, ବାଲିଆପାଳ ଓ ଜଳେଶ୍ବରରେ ବନ୍ୟା ବିପନ୍ନ ମାନେ ଏବେ ରିଲିଫ୍ କୁ ଚାତକ ପରି ଚାହିଁଛନ୍ତି ।