Advertisment

ମହାବାତ୍ୟା ପରଠୁ ଆଉ ଅଣ୍ଟା ସଳଖିପାରୁନି, ୪ ଜିଲ୍ଲାର ଚାଷୀ ହନ୍ତସନ୍ତ !

୨୫ ବର୍ଷ ଧରି ଜରାଜିର୍ଣ୍ଣ ପଡ଼ିଛି ଶୀତଳ ଭଣ୍ଡାର । ରାଜକନିକା ମାର୍କେଟ କମ୍ଲେସ ନିର୍ମାଣ କରି ଭୁଲି ଗଲେ ।

Bapuji Cold Storage

Bapuji Cold Storage

Advertisment

ଭାଙ୍ଗିରୁଜି ଗଲାଣି କାନ୍ଥ, ଭୁସୁଡ଼ି ଗଲାଣି ପିଲର୍, କଳଙ୍କି ଖାଇଲାଣି ଯନ୍ତ୍ରପାତି। ବାହାରୁ ଦେଖିଲେ ଯେ କେହି ବି ଜାଣି ପାରିବେ ଏହାର ଅବସ୍ଥା। ଜରାଜିର୍ଣ୍ଣ ଓ ପରିଚୟ ଖୋଜୁଥିବା ସେହି କୋଠା ଦିନେ ଥିଲା ଚାଷୀଙ୍କ ପାଇଁ ଲକ୍ଷ୍ମୀଙ୍କ ଘର। ଆମେ କହୁଛୁ କଟକ ସାଲେପୁର ବ୍ଲକ ପାଗାଠାରେ ଥିବା ବାପୁଜୀ ଶୀତଳ ଭଣ୍ଡାର। ୧୬ ମେଟ୍ରିକ୍ ଟନ୍ କ୍ଷମତା ଥିବା ଏହି କୋଲ୍ଡ ଷ୍ଟୋରେଜ୍ ଶୀତଳ ନିଦ୍ରାକୁ ଯେମିତି ଚାଲି ଯାଇଛି।

Advertisment

୧୯୬୫ ମସିହାରେ ନିର୍ମାଣ ପରଠୁ ୩ ହଜାରରୁ ଅଧିକ ଚାଷୀଙ୍କ ଫସଲ ଏଠି ସାଇତି ରଖାଯାଇ ପାରୁଥିଲା। ମହାନଦୀ, ବିରୂପା ଏବଂ ଚିତ୍ରୋତ୍ପଳା ନଦୀ ଅବବାହିକାରେ ଥିବା ୩ରୁ ୪ ଜିଲ୍ଲାର ଚାଷୀ ଏହା ଉପରେ ନିର୍ଭର କରୁଥିଲେ। ହେଲେ ୧୯୯୯ ମହାବାତ୍ୟା ଯାହା ଉଜାଡ଼ିଲା ଯେ ତାକୁ ୨୫ ବର୍ଷ ଧରି ଆଉ ସଜାଡ଼ି ପାରିଲେନି ସରକାର। ଏମିତି ପଡ଼ି ରହି ଏବେ ନିଜ ଅସ୍ତିତ୍ୱ ଖୋଜି ବୁଲୁଛି।

ସେମିତି ସମାନ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ରାଜକନିକାରେ ଥିବା RMCର ମାର୍କେଟ କମ୍ଲେକ୍ସରେ । ୬୬ ଲକ୍ଷ ଟଙ୍କା ଖର୍ଚ୍ଚରେ ୨୦ଟି ପକ୍କା ଦୋକାନ ଘର ନିର୍ମାଣ ହେଲା। ହେଲେ ନା କାମ ସରି ପାରିଲା ନା ଉଦଘାଟନ ହୋଇପାରିଲା। ବର୍ଷେ କି ଦୁଇ ବର୍ଷ ନୁହେଁ ୨୦୧୪ରୁ ୧୦ ବର୍ଷ ହେବ ସେମିତି ପଡ଼ି ରହିଛି। କଟକ-ଚାନ୍ଦବାଲି ରାସ୍ତାର ସମ୍ପ୍ରସାରଣ ପରେ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ଥଇଥାନ ପାଇଁ RMC ପକ୍ଷରୁ ମାର୍କେଟ କମ୍ଲେସ୍ ନିର୍ମାଣ ହୋଇଥିଲା। ହେଲେ ବିଲ୍ କୁ ନେଇ ଠିକାଦାର ଓ RMC ମଧ୍ୟରେ ବିବାଦ, ମାର୍କେଟ କମ୍ଲେସକୁ ନେଇ ନାନା ଅସୁବିଧା ଦର୍ଶାଇ ଦୋକାନୀ ନଯିବା ଭଳି ସମସ୍ୟା ପାଇଁ ଏ କୋଠା ଏମିତି ଅପଦସ୍ତ ହେଉଛି।

Advertisment

ଅପରପକ୍ଷେ, କେନ୍ଦ୍ରାପଡ଼ା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କହିଛନ୍ତି, ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ। ସରକାରୀ ନଥିପତ୍ରରେ ଅନେକ ବ୍ୟବସ୍ଥାର ରୂପେଲି ଚିତ୍ର ଅଙ୍କା ଯାଉଛି। କିନ୍ତୁ ଗ୍ରାଉଣ୍ଡରେ ସେସବୁ ଯେମିତି ପାଣିର ଗାର ପାଲଟି ଯାଉଛି। ସାଲେପୁର ଓ ରାଜକନିକାର ଏହି ଦୁଇ ସମସ୍ୟା ସମାଧାନ ହେଲେ ଅନେକ ଲୋକେ ଉପକୃତ ହୋଇପାରିଥାନ୍ତେ। 

Cold Storage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ