ଆମ୍ବ ଗଛରେ ୪ ମହଲାର ଟ୍ରି-ହାଉସ ! ଲାଗିଛି ରିମୋଟ ସିଡ଼ି

ଘରର ଡିଜାଇନ୍‌ ଗଛର ଡାଳ ଅନୁସାରେ ପ୍ରସ୍ତୁତ ହୋଇଛି । ଗଛର କୌଣସି ଗୋଟିଏ ଡାଳକୁ କଟା ନଯାଇ ଏହି ବିଳାସପୂର୍ଣ୍ଣ ଘର ତିଆରି କରାଯାଇଛି ।

Tree House

ଆପଣ ଜୀବନରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି କଳାକୃତି ଦେଖିଥିବେ । ଆମ ଇଞ୍ଜିନିୟର ମାନଙ୍କ ବିଚକ୍ଷଣ ବୁଦ୍ଧି ବିଷୟରେ ମଧ୍ୟ ଆପଣଙ୍କ ଧରଣା ଥିବ । ଏମିତିକି ଅନେକ କ୍ରିଏଟିଭ୍‌ ଜିନିଷ ବି ଆପଣ ଦେଖିଥିବେ । ଆମ ଦେଶରେ ଏହି ସବୁ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଗୁଡ଼ିକ ମଧ୍ୟରେ ରହିଛି ଆମ୍ବ ଗଛରେ ୪ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଅଟ୍ଟାଳିକା । ଆପଣ କେବେ ଭାବିଛନ୍ତି କି, ଆମ୍ବ ଗଛରେ ବିରାଟ ବିଳାସପୂର୍ଣ୍ଣ ଘର ନିର୍ମାଣ ହୋଇପାରିବ । ଆଉ ସେଥିରେ ସବୁ ପ୍ରକାର ସୁବିଧା ମଧ୍ୟ ରହିବ । ଆଜ୍ଞା ହଁ ଏହା ସତ । ଏମିତି ଏକ ଡିଜାଇନ୍‌ର ଘର ତିଆରି କରିଛନ୍ତି ଉଦୟପୁରର ଇଞ୍ଜିନିୟର କେପି ସିଂହ । ଏହି ଘରର ଡିଜାଇନ୍‌ ଗଛର ଡାଳ ଅନୁସାରେ ପ୍ରସ୍ତୁତ ହୋଇଛି । ଗଛର କୌଣସି ଗୋଟିଏ ଡାଳକୁ କଟା ନଯାଇ ଏହି ବିଳାସପୂର୍ଣ୍ଣ ଘର ତିଆରି କରାଯାଇଛି ।

ପ୍ରକୃତି କୋଳରେ ବାସ କଲେ ମନକୁ ଯେଭଳି ଅନନ୍ଦ ଲାଗେ, ଏହି ଘରେ ରହିଲେ ଠିକ୍‌ ସେହିଭଳି ଆନନ୍ଦ ଆସିଥାଏ । ଉଚ୍ଚ ପାହାଡ଼, ସ୍ଥିର ନଦୀକୂଳରେ ବସିବା, ଆଉ ରାତିରେ ରାଜସ୍ଥାନର ଥଣ୍ଡା ବାଲିରେ ବସିବାରେ ଯେଭଳି ଆନନ୍ଦ ଆସିଥାଏ ଏହି ଗଛ ଘରେ ରହିବାରେ ମଧ୍ୟ ସମାନ ଆନନ୍ଦ ଆସିଥାଏ । ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି । ବେଡ୍‌ରୁମ୍‌, ବାଥରୁମ୍‌, କିଚେନ୍‌, ହଲ ଓ ବାଲକୋନୀ ଭଳି ସବୁ ସୁବିଧା ଏହି ଘରେ ରହିଛି । ଏହି ଘରକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟଚକିତ ହେବା ସ୍ୱାଭାବିକ୍‌ । କାରଣ ଏହି ଘର ଏତେ ସୁନ୍ଦର ଆଉ ଅଲ୍‌ଟ୍ରା ମର୍ଡନ୍‌ ଯେ, ଏହାକୁ ଦେଖିଲେ ଆଖି ଲାଗିଯିବ । ବୋଧ ହୁଏ ଏଭଳି ଘର ଆପଣଙ୍କୁ ପୁରା ଦୁନିଆରେ ଦେଖିବାକୁ ମିଳି ନପାରେ ।

୨୧ ବର୍ଷ ପୂର୍ବେ ଇଞ୍ଜିନିୟର କେପି ସିଂହ ଏହି ଘରର କଳ୍ପନା କରିଥିଲେ ଏବଂ ତାଙ୍କ କଳ୍ପନାକୁ ବାସ୍ତବ ରୂପ ମଧ୍ୟ ଦେଇଥିଲେ । ଏହି ଟ୍ରି ହାଉସ ଦେଖିବା ପାଇଁ ଅନେକ ଲୋକ ଏଠାକୁ ଆସିଥାନ୍ତି । ସାଧାରଣ ବ୍ୟକ୍ତି ହୁଅନ୍ତୁ ବା କୌଣସି ବିଶେଷ ବ୍ୟକ୍ତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ଏହି ଟ୍ରି ହାଉସ୍‌ ।

କେପି ସିଂହଙ୍କ ଏହି ଘର ମାଟି ଠାରୁ ୯ ଫୁଟ୍‌ ଉପରେ ରହିଛି । ପ୍ରାୟ ୩୯ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଘର ବିସ୍ତାର କରାଯାଇଛି । ଏହି ଘରକୁ ଯିବାକୁ ହେଲେ ଏକ ରିମୋଟ ଚାଳିତ ସିଡ଼ି ବ୍ୟବହାର କରିବାକୁ ହେବ । ଯାହାକି ଅତ୍ୟାଧୁନିକ ଏବଂ ଆନନ୍ଦ ଦାୟକ । ଏହି ଟ୍ରି ହାଉସ୍‌ର କୌଣସି ସ୍ଥାନରେ ବି କାଠର ବ୍ୟବହାର କରାଯାଇ ନାହିଁ । ସ୍ଟିଲ-ସେଲ୍ୟୁଲାର ସିଟ୍‌ ଏବଂ ଫାଇବରରେ ହିଁ ସମ୍ପୂର୍ଣ୍ଣ ଘର ଛିଡ଼ା କରାଯାଇଛି । ଗଛର ଡାଳଗୁଡ଼ିକୁ କୌଣସି କ୍ଷତି ନପହଞ୍ଚାଇ ଏଭଳି ଭାବରେ ସଜା ଯାଇଛି ଯେ, ଏହା ସୋଫା ଭଳି ବ୍ୟବହାର ହେଉଛି । ଏହି ଘରେ ରହିବାକୁ ସମସ୍ତଙ୍କର ଆଗ୍ରହ ରହୁଛି । ୨୦୦୦ ମସିହାରେ ଇଞ୍ଜିନିୟର କେପି ସିଂହ ଏହି ସ୍ୱପ୍ନର ଘର ନିର୍ମାଣ କରିଥିଲେ ।