ମାଟିରେ ମିଶିଲା ଟ୍ୱିନ ଟାୱାର । ଘର ଭାଙ୍ଗିବାକୁ ଖଞ୍ଜା ଯାଇଥିଲା ୩୭୦୦ କିଲୋଗ୍ରାମ ବାରୁଦ । ଘରର ଅଳିଆ ଉଠାଇବାକୁ ଲାଗିବ ୩ ମାସର ସମୟ ! ଟ୍ୱିନ ଟାୱାରକୁ ନେଇ ଥମୁନି ଚର୍ଚ୍ଚା । ବହୁବାଦ ବିବାଦ ପରେ ଘର ତ ଭାଙ୍ଗିଲା, ହେଲେ ଘର ଭାଙ୍ଗିବା ପରେ ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ତାହାକୁ ସଫା କରିବାକୁ ସପ୍ତାହେ କି ଦୁଇ ସପ୍ତାହେ ନୁହେଁ ବରଂ ପୂରାପୂରି ୧୨ ସପ୍ତାହ ଅର୍ଥାତ୍ ୩ ମାସରୁ ଅଧିକ ସମୟ ଲାଗିବ ବୋଲି କୁହାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ୟୁପିର ନୋଏଡା ସେକ୍ଟର 93(A) ଅଂଚଳରେ ଥିବା ବେଆଇନ ଭାବେ ନିର୍ମାଣ ହୋଇଥିବା ଟ୍ୱିନ୍ ଟାୱାର ଗତକାଲି ଅପରାହ୍ନ ଠିକ୍ ୨.୩୦ରେ ମାଟିରେ ମିଶିଗଲା । ତେବେ ଦେଶରେ ପ୍ରଥମ ଥର ପାଇଁ ଏତେ ଉଚ୍ଚ କୋଠା ଭଙ୍ଗା ଯାଇଥିବା କୁହାଯାଇଛି । ଏହି ଦୁଇ ଟାଓ୍ୱାରର ୪୦ ମହଲା ବିଶିଷ୍ଟ କରିବାକୁ ଯୋଜନା କରାଯାଇଥିଲା । ତେବେ ଏହି ଦୁଇ ଟାଓ୍ୱାର ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଆପେକ୍ସ ଟାଓ୍ୱାର ୩୨ ମହଲା ନିର୍ମିତ ହୋଇଥିବାବେଲେ ସିଆନ ଟାଓ୍ୱାର ୨୯ ମହଲା ନିର୍ମିତ ହୋଇଛି ।
Also Read
ତେବେ କୋର୍ଟ ମାମଲାରୁ ଏହି ଟାଓ୍ୱାରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନଥିଲା । ଏହି ଦୁଇ ବିଲ୍ଡିଂରେ ୯ଶହରୁ ଅଧିକ ଫ୍ଲାଟ ରହିଛି । ଏଥିମଧ୍ୟରୁ ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆପେକ୍ସ ଟାଓ୍ୱାରର ଲମ୍ବ ୧୦୩ ମିଟର ଥିବାବେଳେ ସିଆନ ଟାଓ୍ୱାର ଲମ୍ବ ୯୭ ମିଟର ରହିଛି । ଏଡିଫାଇସ୍ ଇଂଜିନିୟରିଂ ଦକ୍ଷିଣ ଆଫ୍ରିକା ବିଶେଷଙ୍ଗଙ୍କ ସହାୟତାରେ ଏହି ବିଲଡିଂକୁ ଭଙ୍ଗାଯାଇଛି । ପୂର୍ବରୁ କେରଳରେ ଥିବା ଏକ ୬୮ ମିଟର ବିଶିଷ୍ଟ କୋଠା ଭଙ୍ଗାଯାଇଥିଲା।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟ୍ୱିନ୍ ଟାଓ୍ୱାର ଠାରୁ ମାତ୍ର ୮ ମିଟର ଦୂରରେ ଅନେକ ବିଲ୍ଡିଂ ରହିଥିଲା । ତେଣୁ ଏହି ବିଲ୍ଡିଂକୁ ଭାଂଗିବା ଏକ ପ୍ରକାର ଚ୍ୟାଲେଂଜ୍ ଥିଲା । ଘର ଭଙ୍ଗାଯାଉଥିବାରୁ ଆଖପାଖରେ ଥିବା ବିଲ୍ଡଂଗୁଡିକ ଖାଲି କରାଯାଇଥିଲା । ଏହାସହ ଧୂଳିକୁ କମ କରିବାକୁ ଅନ୍ୟ ବିଲ୍ଡିଂ ଗୁଡିକୁ କପଡ଼ା ପରଦାରେ ଘୋଡ଼ାଇ ଦିଆଯାଇଥିଲା ।
ବିଲ୍ଡିଂ ଭାଂଗିବାକୁ ୩ ହଜାର ୭ଶହ କେଜି ବିସ୍ଫୋରକର ବ୍ୟବହାର ହୋଇଛି । ପାଖାପାଖି ଦୁଇ ବିଲ୍ଡିଂର ପିଲାର ଗୁଡିକରେ ୭ ହଜାରରୁ ଅଧିକ କଣା କରାଯାଇଥିଲା । ଗୋଟିଏ ଗୋଟିଏ କଣାର ଲମ୍ବ ୨ମିଟର ରହିଛି । ଆଉ ସ୍ୱିଚ୍ ମରା ହେଉ ହେଉ ସମସ୍ତ ପିଲାରରେ ବିସ୍ଫୋରଣ ହୋଇଥିଲା । ଆଖି ପିଛୁଳାକେ ମାଟିରେ ମିଶିଥିଲା ଟ୍ୱିନ ଟାୱାର ।
ନୋଏଡା ପ୍ରାଧିକରଣ ମୁତାବକ ଟାୱାର ବିସ୍ଫୋରଣ ପରେ ଯେଉଁ ଧୂଳି ଉଡିଛି, ସେଥିରୁ ରକ୍ଷା ପାଇବା ପାଇଁ ୧୦୦ ଟ୍ୟାଙ୍କର ପାଣି ସ୍ପ୍ରେ କରାଯିବା ସହ ୧୫ ଟି ଆଣ୍ଟି ସ୍ମଗ ଗନ, ୬ ମେକାନିକଲ ସ୍ୱିପିଂ ମେସିନ ଓ ୨୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହଠାତ ଅଳିଆ ଉଠାଇବାକୁ ୨୦ ଟି ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଥିଲା । ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ଗଛରୁ ଧୂଳି ସଫା କରିବାର ମଧ୍ୟ ବ୍ୟବସ୍ଥା ହୋଇଛି ।
ସେପଟେ ବାୟୁ ପ୍ରଦୂଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।