ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ବାପା-ମା’ଙ୍କ ଯତ୍ନ ନନେଲେ ଆଉ ମିଳିବନି ସମ୍ପତ୍ତି

ଏବେ ବାପା-ମା’ଙ୍କ ସେବା ନକଲେ ମିଳିବନି ସମ୍ପତ୍ତି । ଯଦି କୌଣସି ସନ୍ତାନ ତାଙ୍କ ପିତାମାତାଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡ଼ିବ ।

ସରକାରଙ୍କ ବଡ଼ ନିଷ୍ପତ୍ତି

ବୟସର ଅପରାହ୍ଣରେ ଅଲୋଡ଼ା ହେଉଛନ୍ତି ବାପା-ମା’ । ବୃଦ୍ଧ ବାପା-ମା’ଙ୍କୁ ପାଖରେ ରଖିବାକୁ ଚାହୁଁନାହାନ୍ତି ନିଜର ପୁଅ-ଝିଅ । ଏଥିପାଇଁ ଦିନକୁ ଦିନ ଜରାଶ୍ରମରେ ଅଧିକ ବୃଦ୍ଧ-ବୃଦ୍ଧା ରହୁଛନ୍ତି । ନିଜ ଜନ୍ମକଲା ସନ୍ତାନଙ୍କ ଠାରୁ ଦୂରେଇ ଯିବାପରେ ଦୁଃଖରେ କଟୁଛି ସେମାନଙ୍କ ଦିନ ।

ବିଶେଷ କରି ବାପା-ମା’ଙ୍କ ସମ୍ପତ୍ତି ନିଜ ନାଁରେ କରିନେବା ପରେ ଏପରି ଅନେକ ଘଟଣା ସାମ୍‌ନାକୁ ଆସୁଛି । ହେଲେ ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ଆସିଛି । କୁହାଯାଇଛି କି, ଏବେ ବାପା-ମା’ଙ୍କ ସେବା ନକଲେ ମିଳିବନି ସମ୍ପତ୍ତି । ଯଦି କୌଣସି ସନ୍ତାନ ତାଙ୍କ ପିତାମାତାଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡ଼ିବ ।

ଏପରି ଏକ ନୂତନ ସ୍ୱାଗତ ଯୋଗ୍ୟ ନିୟମ ଆଣିବାକୁ ଯାଉଛନ୍ତି ଯୋଗୀ ସରକାର । ଯଦି ଏହି ରାଜ୍ୟରେ କେହି ସନ୍ତାନ ସେମାନଙ୍କ ବାପା-ମା’ଙ୍କୁ ହଇରାଣ କରନ୍ତି କିମ୍ବା ବାର୍ଦ୍ଧକ୍ୟ ସମୟରେ ଯତ୍ନ ନ ନିଅନ୍ତି ତେବେ ତାଙ୍କୁ ତାଙ୍କ ପିତାମାତାଙ୍କ ସମ୍ପତ୍ତି ହରାଇବାକୁ ପଡ଼ିବ । ଏଥି ସହିତ ୟୁପି ପୋଲିସ ମଧ୍ୟ ବୃଦ୍ଧ ବାପା-ମା’ଙ୍କୁ ଏହି ଘଟଣାରେ ସାହାଯ୍ୟ କରିବ ।

ଉତ୍ତରପ୍ରଦେଶର ଯୋଗୀ ସରକାର ବୃଦ୍ଧ ପିତାମାତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି । ଯେଉଁ ପିଲାମାନେ ବାପା-ମା’ଙ୍କୁ ଅସୁବିଧାରେ ପକାଇ ସମ୍ପତ୍ତି ହାସଲ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସାବାଡ୍‌ କରିବାକୁ ନିୟମ କରାଯିବ ।

ଏଥିପାଇଁ ଯୋଗୀ ସରକାର ସମ୍ପତ୍ତି ଅଧିକାର ସହ ଜଡିତ ନିୟମର ସଂଶୋଧନ କରିବାକୁ ଯାଉଛନ୍ତି । ବରିଷ୍ଠ ନାଗରିକମାନଙ୍କ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ନିୟମ ୨୦୧୪ ର ସଂଶୋଧନ କରାଯିବ । ଯାହାର ପ୍ରସ୍ତାବ ଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଆଗକୁ ଏହି ନୂତନ ନିୟମ ଉପସ୍ଥାପନ କରାଯିବ ବୋଲି ସୂଚନା ରହିଛି ।

ସୂଚନା ଅନୁସାରେ ୟୁପିରେ ବରିଷ୍ଠ ନାଗରିକଙ୍କ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ନିୟମ ୨୦୧୪ ପ୍ରସ୍ତୁତ କରାଯାଇଛି । ଯାହାକି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ କରାଯାଇଥିଲା । ଯେଉଁଥିରେ ବିଭିନ୍ନ ଦିଗ ପ୍ରତି ନଜର ଦିଆଯାଇଛି । ପୂରାତନ ନିୟମ ସହ ଅନେକ ଗୁଡ଼ିଏ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବିଚାର କରାଯାଇଛି ।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ରକ୍ଷଣାବେକ୍ଷଣ ପ୍ରାଧିକରଣ ଗଠନ ହୋଇଛି । ନିଜର ସନ୍ତାନ ବା ସମ୍ପର୍କୀୟଙ୍କୁ ସମ୍ପତ୍ତିରୁ ବହିଷ୍କାର କରିବା ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି ମାଜିଷ୍ଟ୍ରେଟ । ଦିଆଯାଇଥିବା ପ୍ରସ୍ତାବରେ କୁହାଯାଇଛି ଯେ, ଯଦି କୌଣସି ପିତାମାତାଙ୍କୁ ତାଙ୍କର ସନ୍ତାନ କିମ୍ବା ସମ୍ପର୍କୀୟ ହଇରାଣ କରୁଥା’ନ୍ତି, ତେବେ ସେମାନଙ୍କ ସମ୍ପତ୍ତିରୁ ବାହାର କରିବାକୁ ଅର୍ଥାତ୍‌ ବେଦଖଲ କରିବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିପାରିବେ ।

ବହିଷ୍କାର ଆଦେଶ ଜାରି କରିବାକୁ ପ୍ରାଧିକରଣ କିମ୍ବା ଟ୍ରିବ୍ୟୁନାଲର ଅଧିକାର ରହିବ । ବହିଷ୍କାର ଆଦେଶର ୩୦ ଦିନ ମଧ୍ୟରେ ସମ୍ପତ୍ତିରୁ ଅଧିକାର ହରାଇବେ ସନ୍ତାନ- ସମ୍ପର୍କୀୟ । ଯଦି ୩୦ ଦିନ ମଧ୍ୟରେ ସେମାନେ ସମ୍ପତ୍ତି ନଛାଡ଼ନ୍ତି ତେବେ ଟ୍ରିବ୍ୟୁନାଲ ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରିବ ।