ପୃଥିବୀ ସହ ଘଷି ହୋଇ ଯିବ 'ଆଷ୍ଟ୍ରଏଡ୍ ଆପୋଫିସ୍', ଧ୍ୱଂସ ହୋଇପାରେ ଗୋଟିଏ ମହାଦେଶ

ସତର୍କ କଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । କଣ୍ଟିନେଣ୍ଟାଲ୍ ସ୍କେଲ୍ ଡିଭାଷ୍ଟେସନ୍ ରିସ୍କ ଥିବା କହିଲେ ।

Asteroid

ଇସ୍ରୋ ଦେଇଛି ବଡ଼ ୱାର୍ଣ୍ଣିଂ। ପୃଥିବୀ ଆଡ଼କୁ କ୍ଷୀପ୍ର ଗତିରେ ମାଡ଼ି ଆସୁଛି ବଡ଼ ଗ୍ରହାଣୁ। ଧକ୍କା ହେଲେ ଧ୍ୱଂସ ହୋଇଯାଇପାରେ ପୂରା ଗୋଟିଏ ମହାଦେଶ। ଆଷ୍ଟ୍ରଏଡ୍ ବା ଗ୍ରହାଣୁ। ମହାକାଶରେ ଘୁରି ବୁଲୁଥିବା ବିଶାଳ କଠିନ ପିଣ୍ଡ। ଏଭଳି ଏକ ଆଷ୍ଟ୍ରଏଡ୍ ଆପୋଫିସ୍ ଉପରେ ଏବେ ସାରା ବିଶ୍ବର ନଜର। ତେବେ ଇସ୍ରୋ ମୁଖ୍ୟ ଏକ ସାକ୍ଷାତକାରରେ ଦେଇଛନ୍ତି ଚିନ୍ତାଜନକ ସୂଚନା ।

ସେ କହିଛନ୍ତି, ଏହି ଗ୍ରହାଣୁ ପୃଥିବୀର ଏତେ ନିକଟ ଦେଇ ଯିବ ଯେ, ଆଗରୁ ସେଭଳି ଆକାରର ଗ୍ରହାଣୁ କେବେ ପୃଥିବୀର ଏଭଳି ନିକଟତର ହୋଇନଥିଲେ । ଏହା ଦ୍ୱାରା କଣ୍ଟିନେଣ୍ଟାଲ୍ ସ୍କେଲ୍ ଡିଭାଷ୍ଟେସନ୍ ରିସ୍କ ରହିଛି । ଏହାର ଅର୍ଥ, ଦୈବାତ୍ ଯଦି ଏହା ପୃଥିବୀ ସହ ଧକ୍କା ହୁଏ, ତେବେ ଏକ ଭୂଖଣ୍ଡକୁ ଧ୍ୱଂସ କରିଦେଇପାରେ। ପୂରା ଗୋଟିଏ ମହାଦେଶରେ ପ୍ରଳୟ ରଚିପାରେ।

୨୦୨୯ ଏପ୍ରିଲ ୧୩ ତାରିଖରେ ପୃଥିବୀର ଅତି ପାଖ ଦେଇ ଗତି କରିବ ଆପୋଫିସ୍। ପୃଥିବୀ ଠାରୁ ମାତ୍ର ୩୨ ହଜାର କିଲୋମିଟର ଦୂର ଦେଇ ଯିବ ଏହି ବିଶାଳ ଗ୍ରହାଣୁ। ପୃଥିବୀଠୁ ଚନ୍ଦ୍ରର ଦୂରତା ୩ ଲକ୍ଷ ୮୪ ହଜାର କିଲୋମିଟର । ତେଣୁ ଚିନ୍ତା କରନ୍ତୁ ପୃଥିବୀରୁ ୩୨ ହଜାର କିଲୋମିଟର ଦୂରତା ଅର୍ଥ କେତେ ନିକଟ ଦେଇ ଯିବ ଏହି ଆଷ୍ଟ୍ରଏଡ୍। ଗତିପଥରେ ସାମାନ୍ୟ ପରିବର୍ତ୍ତନ ବି ପୃଥିବୀ ପ୍ରତି ଡାକିଆଣିପାରେ ମହାବିପଦ।

 

ବିଶୃଙ୍ଖଳାର ଦେବତା ନାମରେ ନାମିତ ଆଷ୍ଟ୍ରଏଡ୍ ଆପୋଫିସ୍

ଇଜିପ୍ଟ ପୁରାଣରେ ଗଡ୍ ଅଫ କେଓସ୍ ବା ବିଶୃଙ୍ଖଳାର ଦେବତା ନାମରେ ନାମିତ ହୋଇଛି ଆଷ୍ଟ୍ରଏଡ୍ ଆପୋଫିସ୍। ଦୂରରୁ ଏକ ଚିନାବାଦାମ ଭଳି ଦେଖାଯାଉଥିବା ଏହି ଗ୍ରହାଣୁର ବ୍ୟାସ ୩୩୫ ମିଟର। ଏହା ଭାରତର ସର୍ବବୃହତ୍ ଯୁଦ୍ଧପୋତ INS ବିକ୍ରମାଦିତ୍ୟ ଏବଂ ବିଶ୍ୱର ବୃହତ୍ତମ କ୍ରିକେଟ ଷ୍ଟାଡିୟମ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରୁ ମଧ୍ୟ ଆକାରରେ ବଡ଼। ସିଲିକେଟ୍, ନିକେଲ୍ ଓ ଆଇରନରେ ଏହା ତିଆରି ଏବଂ ପ୍ରତି ୮୦ ହଜାର ବର୍ଷରେ ଥରେ ଏହା ପୃଥିବୀ ପାଖ ଦେଇ ଯାଇଥାଏ ।

୨୦୨୯ରେ ଏହା ପୃଥିବୀର ନିକଟତର ହେବ। ଅର୍ଥାତ୍ ଆଧୁନିକ ମଣିଷ ପ୍ରଥମ ଥର ପାଇଁ ଏହି ଗ୍ରହାଣୁକୁ ଅତି ପାଖରୁ ଦେଖିବାକୁ ମିଳିବ । ୨୦୦୪ରେ ଆପୋଫିସ୍ ଆବିଷ୍କାର ହୋଇଥିଲା । ସେବେଠୁ ନାସା ଏହାର ଗତିପଥକୁ ଟ୍ରାକ୍ କରୁଥିବା ବେଳେ, ଭାରତର ମଧ୍ୟ ରହିଛି ନିରନ୍ତର ନଜର। ଇସ୍ରୋର ନେଟୱର୍କ ଫର୍ ସ୍ପେଶ୍ ଅବଜେକ୍ଟ ଟ୍ରାକିଂ ଆଣ୍ଡ ଆନାଲିସି ବା ନେତ୍ର ଏହାକୁ ଟ୍ରାକ୍ କରୁଛି । କୌଣସି ଗ୍ରହାଣୁ ବା ମହାକାଶରୁ ଆସୁଥିବା ବର୍ଜ୍ୟବସ୍ତୁ ଦ୍ବାରା ଭାରତର ସାଟେଲାଇଟ୍ ପ୍ରତି ବିପଦ ଆଶଙ୍କା ଥିଲେ ଆଗୁଆ ସତର୍କ ସୂଚନା ଦେଇଥାଏ ଭାରତର ସ୍ବଦେଶୀ ୱାର୍ଣ୍ଣିଂ ସିଷ୍ଟମ୍ 'ନେତ୍ର'।

କେବେ କେବେ ମାଡ଼ ହୋଇଥିଲା ଆଷ୍ଟ୍ରଏଡ୍‌ ?

ପ୍ରାୟ ୫ ଲକ୍ଷ ବର୍ଷ ପୂର୍ବେ ଭାରତରେ ମାଡ଼ ହୋଇଥିଲା ଏକ ଆଷ୍ଟ୍ରଏଡ୍। ଯଦିଓ ସେତେବେଳ ମଣିଷର ସତ୍ତା ନଥିଲା, ତେବେ ଏହି ଗ୍ରହାଣୁ ଧକ୍କାର ଚିହ୍ନ ଏବେବି ଦେଖିବାକୁ ମିଳେ ମହାରାଷ୍ଟ୍ରର ଲୋନାର୍ ହ୍ରଦ ଭାବରେ। ଯାହାର ଆକାର ୧ ବର୍ଗକିଲୋମିଟରରୁ ଅଧିକ। ୨୦୧୩ରେ ରୁଷରେ ମାତ୍ର ୨୦ ମିଟର ବଡ଼ ଏକ ଆଷ୍ଟ୍ରଏଡ୍ ପଡ଼ିବା ଫଳରେ ଦେଢ଼ ହଜାର ଲୋକ ଆହତ ହୋଇଥିଲେ ଏବଂ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା ।

୧୯୦୮ ମସିହାରେ ସାଇବେରିଆରେ ଘଟିଥିଲା ତୁଙ୍ଗୁସ୍କା ଅଘଟଣ। ୩୦ ମିଟର ଯେତିକି ବଡ଼ ଗ୍ରହାଣୁ ପଡ଼ିବା ଫଳରେ ୮ କୋଟି ଗଛ ଧ୍ବଂସ ହୋଇଯାଇଥିଲା । କୁହାଯାଏ ଗ୍ରହାଣୁ ମାଡ଼ ଯୋଗୁଁ ହିଁ ପୃଥିବୀରୁ ଲୋପ ପାଇଯାଇଥିଲା ଡାଇନୋସର୍ ବଂଶ ସମେତ ପ୍ରାୟ ୭୦ ଭାଗ ଜୀବ ପ୍ରଜାତି। ତେବେ ଆଗକୁ ଏହା ମାନବଜାତି ଓ ଅନ୍ୟ ଜୀବଜଗତ ପାଇଁ ବି କେତେବେଳେ ମଧ୍ୟ ବଡ଼ ବିପଦ ଆଣିପାରେ, ତାହା କହିବା ମୁସ୍କିଲ।

ପୃଥିବୀ ସହ ଧକ୍କା ହେବା ପୂର୍ବରୁ ସେଭଳି ଗ୍ରହାଣୁର କିଭଳି ଗତିପଥ ବଦଳାଇ ପୃଥିବୀଠୁ ଦୂରକୁ ପଠାଇ ଦେଇହେବ, ସେଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଚଳାଇଛନ୍ତି ନାସା ସମେତ ବିଭିନ୍ନ ମହାକାଶ ଗବେଷଣା ସଂସ୍ଥା। ଇସ୍ରୋ ମଧ୍ୟ ବିଶ୍ୱ ସମୁଦାୟ ସହ ଏଦିଗରେ ହାତ ମିଳାଇବାକୁ ଆଗ୍ରହୀ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ।